loading...

ନୂଆ ରୂପରେ ଉତ୍କଳ ମଣ୍ଡପ । ଆକର୍ଷଣୀୟ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ ଦର୍ଶକ

ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି

ନୂଆ ରୂପରେ ଉତ୍କଳ ମଣ୍ଡପ । ଆକର୍ଷଣୀୟ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ ଦର୍ଶକ


ଭୁବନେଶ୍ୱର, ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି । ଏହି ମଣ୍ଡପର ଏବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର୍ଯ୍ୟ ସମାପ୍ତ କରାଯାଇଛି । ଏଠାରେ ଯେପରି ସାଂସ୍କୃତିକ ଦଳମାନେ ନିଜକୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିପାରିବେ, ସେଥିପାଇଁ ମଞ୍ଚ ପଛପଟେ ଥିବା ୨ ଟି ବେସମେଣ୍ଟ ହଲ ଓ ଗ୍ରୀନରୁମ୍ ଗୁଡିକର ଆଧୁନିକୀକରଣ କରାଯାଇଛି ।

ସବୁ ପ୍ରକୋଷ୍ଠରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଦର୍ପଣ ଲଗାଯାଇଥିବାବେଳେ ଏଲ୍.ଇ.ଡି ଆଲୋକରେ ମଞ୍ଚ ସଜେଇହୋଇଛି । ନବୀକରଣ କରାଯାଇଥିବା ଏହି ଉତ୍କଳମଣ୍ଡପରେ ଏଣିକି ବିଭିନ୍ନ ସଂସ୍ଥା ଦ୍ୱାରା ସାଂସ୍କୃତିକ ଆୟୋଜନ କରିବା ସହଜ ହୋଇଛି । ଏଠାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଇଚ୍ଛୁକ ଅନୁଷ୍ଠାନମାନେ ଏଣିକି eDistrict.odisha.gov. in ଓ୍ୱେବ୍ ସାଇଟ୍ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ ଲାଇନ୍ ଯୋଗେ ଉତ୍କଳ ମଣ୍ଡପ ବୁକିଂ କରିପାରିବେ ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସୂଚନା ଦିଆଯାଇଛି । ସୌନ୍ଦର୍ଯ୍ୟକରଣ କରାଯାଇଥିବା ଏହି ଉତ୍କଳ ମଣ୍ଡପକୁ ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ବିଭାଗୀୟ ଅଧିକାରୀଙ୍କ ସମେତ ପରିଦର୍ଶନ କରିଥିଲେ । 

ପ୍ରକାଶ ଥାଉକି, ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ,ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ , (ରାସ୍ତା ଓ କୋଠାବାଡି) ଡିଭିଜନ-4, ନିର୍ମାଣସୌଧ, ଭୁବନେଶ୍ୱର ଓ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ପରିଦର୍ଶନ କରି ଏହାର ନବୀକରଣ ନିମନ୍ତେ ଉତ୍କଳମଣ୍ଡପ ପରିଦର୍ଶନ କରିଥିଲେ। 

ତଦନୁସାରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି(ପୂର୍ତ୍ତ) ବିଭାଗକୁ ଉତ୍କଳମଣ୍ଡପର ନବୀକରଣ କାର୍ଯ୍ୟ ପାଇଁ ଗତ ମଇ ୨ ତାରିଖରେ ହସ୍ତାନ୍ତର କରାଯାଇଥିଲା ଓ ଇତିମଧ୍ୟରେ ମଣ୍ଡପର ନବୀକରଣ କାର୍ଯ୍ୟ ସଂପାଦନ କରାଯାଇଛି । ଆଜି ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କ ଉତ୍କଳମଣ୍ଡପ ପରିଦର୍ଶନ ସମୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ମିଶ୍ର, ଉତ୍କଳ ମଣ୍ଡପର ପରିଚାଳକ ଶ୍ରୀ ପ୍ରମୋଦ ବିଶ୍ୱାଳଙ୍କ ସମେତ ପୂର୍ତ୍ତ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget