ଭୁବନେଶ୍ୱର, ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ ନଫରତ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ କରିଛନ୍ତି। ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ଜିଜି ପାରିଖ, ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର, ସାମାଜିକ କର୍ମୀ ଅରୁଣା ରାୟ, କୃଷକ ନେତା ଯୋଗେନ୍ଦ୍ର ଯାଦବ, ଗାନ୍ଧୀଜୀଙ୍କ ଅଣନାତି ତୁଷାର ଗାନ୍ଧୀ ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ବଢୁଥିବା ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା ତୀବ୍ର ଭାବରେ ବୃଦ୍ଧି ପାଇବା ସତ୍ତ୍ୱେ କେନ୍ଦ୍ର ସରକାର କର୍ପୋରେଟମାନଙ୍କ ସପକ୍ଷରେ ଦେଶର ନୀତିକୁ ବଦଳାଇବାକୁ ଲାଗିଛନ୍ତି।
ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ ତଥା ଡ଼. ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତର ସମ୍ବିଧାନକୁ ବଦଳାଇବା ପାଇଁ ଚାଲିଥିବା ଅପଚେଷ୍ଟା କଥା ବୁଝା ପଡ଼ିଲାଣି। ଭାରତବର୍ଷର ସାଧାରଣ ଜନତାଙ୍କୁ ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା କବଳରୁ ଦେଶକୁ ବଞ୍ଚାଇବା ପାଇଁ ଓଡ଼ିଶାରେ 'ନଫରତ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଅଛି। ଅଭିଯାନର ଆବାହକ ଭାବରେ ଡଃ ବିଶ୍ଵଜିତ୍, କଲ୍ୟାଣ ଆନନ୍ଦ ଓ ମାନସ ପଟ୍ଟନାୟକ ତଥା ଉପଦେଷ୍ଟା ମଣ୍ଡଳୀରେ ପ୍ରଫୁଲ୍ଲ ସାମନ୍ତରା, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ଦେଵ ପ୍ରସାଦ ରାୟ, ଚାଷୀ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦ, ସମାଜବାଦୀ ନେତା ଚିତ୍ତ ରଞ୍ଜନ ମହାନ୍ତି, ସ୍ତମ୍ଭକାର ଜୟନ୍ତ କୁମାର ଦାସଙ୍କୁ ଗ୍ରହଣ କରାଯାଇଥିଲା।
ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରତି ଜିଲ୍ଲାରେ ଜିଲ୍ଲା କମିଟି ଗଠନ କରାଯାଇ ଗାନ୍ଧୀ ଜୟନ୍ତୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ୨୬ ନଭେମ୍ବର ସୁଦ୍ଧା ପ୍ରତି ଜିଲ୍ଲାରେ ୭୫ କିମି ବ୍ୟାପି ପଦଯାତ୍ରା ଓ ସାଇକେଲ ଯାତ୍ରା ଆୟୋଜିତ ହେବ ତଥା ରାଜ୍ୟବ୍ୟାପୀ ବାହନ ଯାତ୍ରା ମାଧ୍ୟମରେ ଓଡ଼ିଶାର ପୁରପଲ୍ଲୀରେ ଅଭିଯାନର ବାର୍ତ୍ତା ପହଞ୍ଚାଯିବ। ଆଗମୀ ଜାନୁଆରୀ ୩୦ରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାର ୭୫ ବର୍ଷ ପୂର୍ତ୍ତି ଅବସରରରେ ସାମ୍ପ୍ରଦାୟିକ ସଦଭାବ ସମ୍ମିଳନୀ ରାଜ୍ୟସ୍ତରରେ ଆୟୋଜନ କରାଯିବ। ଆଜିର ବୈଠକରେ ଉପସ୍ଥିତ ସଭ୍ୟମାନଙ୍କୁ ନେଇ ରାଜ୍ୟ କମିଟି ଗଠନ କରାଯାଇଥିଲା । ଏହି ରାଜ୍ୟ କମିଟିରେ ରାମଶଙ୍କର ରାମ, ଜୟନ୍ତ ଦାସ, ଅରୁଣ ଜେନା, ପ୍ରଫୁଲ୍ଲ କୁମାର ମିଶ୍ର, ଗୌରାଙ୍ଗ ମହାପାତ୍ର, ସତ୍ୟ ମାହାର, ଲଳିତ ମୋହନ ବେହେରା, ସୀମାଞ୍ଚଳ ନାହକ, ସାଗର ଦାସ, ସଂଗ୍ରାମ କେଶରୀ ଷଡ଼ଙ୍ଗୀ, ଦାସନନ୍ଦୀ ବାଲି, ରାଜେଶ ଜାନି, ମଧୁସ୍ମିତା ବେହେରା ପ୍ରମୁଖଙ୍କୁ ସାମିଲ କରାଯାଇଥିଲା।
Post a Comment