ନୂଆଦିଲ୍ଲୀ,ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର କରାଯାଇଛି। ଯେଉଁଥିରେ ପୁରୁଷଙ୍କ ପାଇଁ ଜାତୀୟ ଆୟୋଗ ଗଠନ କରିବାକୁ ଦାବି କରାଯାଇଛି। ବିବାହିତ ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲାରେ ବୃଦ୍ଧି ଘଟିଥିବା ଏହି ଆବେଦନରେ କୁହାଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଏହି ଆବେଦନରେ ପ୍ରଦାନ କରାଯାଇଛି। ଏହାର ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବା ଏବଂ ପୁରୁଷଙ୍କ ପାଇଁ ଏକ ଜାତୀୟ ଆୟୋଗ ଗଠନ ପାଇଁ ଦାବି ହୋଇଛି।
ଓକିଲ ମହେଶ କୁମାର ତିୱାରୀଙ୍କ ପକ୍ଷରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ପିଟିସନ ଦାଖଲ କରାଯାଇଛି। ପାରିବାରିକ କଳହର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ପାଇଁ ଏକ ଜାତୀୟ ପୁରୁଷ ଆୟୋଗ ଗଠନ କରିବାକୁ ଏହି ଆବେଦନରେ ମାଧ୍ୟମରେ ଦାବି କରାଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏନସିଆରବି (NCRB) ତଥ୍ୟକୁ ଏହି ଆବେଦନରେ ଦର୍ଶାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଗତ ୨୦୨୧ ବର୍ଷରେ ୧ ଲକ୍ଷ ୬୪ ହଜାର ୩୩ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ଆବେଦନରେ ଦର୍ଶାଯାଇଛି ଯେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ବିବାହିତ ପୁରୁଷଙ୍କ ସଂଖ୍ୟା ୮୧ ହଜାର ୬୩ ରହିଥିବା ବେଳେ ୨୮ ହଜାର ୬୮୦ ଜଣ ବିବାହିତ ମହିଳା ରହିଥିଲେ।
ଏନସିଆରବି ତଥ୍ୟକୁ ଦର୍ଶାଇ ଏହି ଆବେଦନରେ କୁହାଯାଇଛି ଯେ ୨୦୨୧ ବର୍ଷରେ ପ୍ରାୟ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ହେତୁ ଏବଂ ୪.୮ ପ୍ରତିଶତ ପୁରୁଷ ବିବାହ ସମ୍ବନ୍ଧୀୟ କାରଣରୁ ହେତୁ ନିଜର ଜୀବନ ଶେଷ କରିଦେଇଥିଲେ। ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗ ତଥା ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗ ପାଖରେ ମଧ୍ୟ ଏକ ଆବେଦନ କରାଯାଇଛି।
ଏନେଇ ଦାୟର ହୋଇଥିବା ଆବେଦନରେ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ତୁରନ୍ତ ଗ୍ରହଣ କରାଯାଉ। ପାରିବାରିକ ହିଂସା କିମ୍ବା ପାରିବାରିକ ସମସ୍ୟା ତଥା ବୈବାହିକ ସମସ୍ୟାରେ ପୀଡିତ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଅନୁସନ୍ଧାନ କରିବା ପାଇଁ ଭାରତର ଆଇନ ଆୟୋଗକୁ ଏକ ନିର୍ଦ୍ଦେଶ/ସୁପାରିଶ ପ୍ରଦାନ କରନ୍ତୁ ଏବଂ ରାଷ୍ଟ୍ରୀୟ ସ୍ତରରେ ଏକ ମଞ୍ଚ ଗଠନ ପାଇଁ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି।
Post a Comment