ପୁଣେ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପୁଣେର ଳୋହେଗାଓଁରେ ମହାସମାରୋହରେ ଉତ୍କଳ ଦିବସ-୨୦୨୩ ସମର୍ପଣ ଉତ୍ସବ ପାଳିତ ହୋଇଛି । ଜଗଦଗୁରୁ ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁଣେ କଣ୍ଟେନମେଣ୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଉପସ୍ଥିତ ପ୍ରବାସୀମାନଙ୍କୁ ସମ୍ବୋଧିତ କରିବା ସହ ଓଡ଼ିଆ ଭାଷା, ପରମ୍ପରା, ଖାଦ୍ୟ ଇତ୍ୟାଦିର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାର ଗର୍ବ, ଗୌରବକୁ ଏବଂ ଜଗନ୍ନାଥ ସଂସ୍କୃତି ଐତିହ୍ୟକୁ ପୁଣେରେ ଜାଗ୍ରତ ରଖିବା ଉପରେ ଆଲୋକପାତ କରିଥିଲେ।
ଏହି ସମର୍ପଣ ଉତ୍ସବରେ ୧ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନାଚ, ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା । ଏହି ଅବସରରେ ସଂଗୀତ ସଂନ୍ଧ୍ୟାର ଆୟୋଜନରେ ଓଡ଼ିଶାର କଳାକାର ଶଶାଙ୍କ ଶେଖର ସାହୁ ଏବଂ ଅମ୍ରିତା ଭାରତୀ ପଣ୍ଡାଙ୍କ ସହ ଆରଜେ ସ୍ୱାତୀ ମିଳିତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଆହେ ନୀଳଶଇଳ’ ଭଜନ ଗାଇ ସଂଗୀତ ସଂନ୍ଧ୍ୟା ଆରମ୍ଭ କରିଥିଲେ । ଏହାପରେ ଉପସ୍ଥିତ ପ୍ରବାସୀ ଓଡିଆମାନେ ଓଡିଆ ଖାଦ୍ୟର ସ୍ୱାଦ ନେଇ ଫେରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୁନୀଲ ବିଜୟରାଓ, ସମାଜସେବୀ ବନ୍ଦୁ ସାହାଜୀ ଖାଁଦବେ, ଅନୀଲ ଚିଙ୍ଗର, ନବନାଥ ମୋଝେ, ଅପର୍ଣ୍ଣା ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ । ସମସ୍ତ ପ୍ରବାସୀ ଓଡ଼ିଆ ଏକ ସ୍ୱରରେ ଏହି ଆୟୋଜନକୁ ସମ୍ମାନ ଦେଇ ଆଗାମୀ ବର୍ଷମାନଙ୍କରେ ଏହିପରି କାର୍ଯ୍ୟକ୍ରମ ପାଇଁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଳୋହେଗାଓଁ ପୁଣେର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ।
Post a Comment