ନୂଆଦିଲ୍ଲୀ, ମୋଦୀ ସାଂଗିଆ ପ୍ରତି ଅପମାନସୂଚକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ପାଇଁ ଗୁଜରାଟ ହାଇକୋର୍ଟର ନିଯୁକ୍ତ ଖଣ୍ଡପୀଠରୁ ଜନୈକ ବିଚାରପତି ଓହରି ଯାଇଛନ୍ତି। ସେ ନିଜକୁ ଏହି ମାମଲାର ଶୁଣାଣି କରିବାରୁ ପ୍ରତ୍ୟାହାର କରିନେଇଛନ୍ତି। ଜଷ୍ଟିସ୍ ଗୀତା ଗୋପୀ କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାକୁ ଅନ୍ୟ ଖଣ୍ଡପୀଠକୁ ହସ୍ତାନ୍ତର କରିବା ପାଇଁ କହିଛନ୍ତି। ଏଥିସହ ସେ ଏ ନେଇ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରି ରାହୁଲଙ୍କ ଆବେଦନକୁ ଫେରାଇ ଦେଇଛନ୍ତି।
ଅପରାଧିକ ମାନହାନୀ କେସରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ବଡ଼ ଖବର ଆସିଛି। ଗୁଜରାଟର ତଳ କୋର୍ଟ ରାହୁଲଙ୍କ ବିରୋଧରେ ଦେଇଥିବା ରାୟକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ତାଙ୍କ ଆବେଦନର ଶୁଣାଣି କରିବାକୁ ଥିବା ବିଚାରପତି ଏବେ ନିଜ ଆଡ଼ୁ ଏହି ମାମଲାରୁ ଓହରି ଯାଇଛନ୍ତି। ରାହୁଲ ଗାନ୍ଧି ଗୁଜରାଟ ହାଇକୋର୍ଟରେ ଆବେଦନ କରିବା ପରେ ଜଷ୍ଟିସ ଗୋପୀଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଏହାକୁ ଧାର୍ଯ୍ୟ କରାଯାଇଥିଲା। ହେଲେ ସେ କୋର୍ଟ ରେଜିଷ୍ଟ୍ରୀକୁ ନିର୍ଦ୍ଦେଶ ଦେଇ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମୁଖ୍ୟ ବିଚାରପତି ଆଉ କେଉଁ ଖଣ୍ଡପୀଠରେ ଆବେଦନର ଶୁଣାଣି ପାଇଁ ଏହାକୁ ତାଲିକା ଭୁକ୍ତ କରିପାରିବେ। ଜଷ୍ଟିସ ଗୋପୀ ଏହାର ଶୁଣାଣି କରିବାକୁ ଚାହୁଁ ନଥିବା କହିଛନ୍ତି। ହେଲେ ଏହା ପଛର କାରଣ ସମ୍ପର୍କରେ ସେ କିଛି ବି କହି ନାହାନ୍ତି।
ଗତକାଲି ହିଁ ରାହୁଲ ଗାନ୍ଧି ତଳ କୋର୍ଟ ମୋଦି ସରନେମ ପ୍ରସଙ୍ଗରେ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ ହୋଇଛି। ସେହିପରି ସେ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରି ଦେଇଛନ୍ତି। ହେଲେ ଏବେ ସେ ତଳ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଛନ୍ତି। ଯଦି କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବେ, ତା ହେଲେ ସେ ସାଂସଦ ପଦ ଫେରିପାଇବାକୁ ସକ୍ଷମ ହେବେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କହିଥିଲେ ଯେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି?
ବାସ୍ ଏହି ବୟାନକୁ ନେଇ ବିଜେପି ଆଟାକିଂ ମୋଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସେ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଜାମିନ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଦୁଇ ବର୍ଷ ଜେଲ୍ ଦଣ୍ଡ ପାଇବା ପରେ ଗତ ମାସରେ ସାଂସଦରୁ ଅଯୋଗ୍ୟ ଘୋଷଣା ହୋଇଥିବା ଶ୍ରୀ ଗାନ୍ଧିଙ୍କ ଦଣ୍ଡାଦେଶ ରଦ୍ଦ କିମ୍ବା ସ୍ଥଗିତ ନ ହେଲେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ। ଏଥିସହ ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ତେବେ ନିମ୍ନ ଅଦାଲତଙ୍କ ସହ ସହମତି ପ୍ରକାଶ କରି ସୁରଟ ସେସନ୍ସ କୋର୍ଟ ବିଚାରପତି କହିଥିଲେ ଯେ ଶ୍ରୀ ଗାନ୍ଧିଙ୍କ ଭଳି ଜଣେ ବ୍ୟକ୍ତିଙ୍କଠାରୁ ଉଚ୍ଚମାନର ନୈତିକତା ଆଶା କରାଯାଉଛି। ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଗତକାଲି ଖାରଜ କରିବା ପରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
Post a Comment