loading...

ଜନ୍ମମାଟିରେ ପାଦ ଦେଇ ଅତ୍ୟନ୍ତ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିରେ ପାଦ ଦେଇ ଅତ୍ୟନ୍ତ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ଭୁବନେଶ୍ବର, ରାଷ୍ଟ୍ରପତି ହେବା ପରେ ଜନ୍ମମାଟିରେ ପାଦ ଦେଇ ଅତ୍ୟନ୍ତ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି ବଖାଣିଲେ ନିଜର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ। କହିଲେ, ଆଜି ମୁଁ ଯାହା ବି ପାଇଛି, ଏମାଟି ପାଇଁ ପାଇଛି। ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି। ଏ ମାଟି ପାଇଁ ମୁଁ ଚିର ଋଣୀ। ସେହି ଋଣ ଶୁଝିବାକୁ ମୁଁ ଚେଷ୍ଟା କରୁଛି। ଏ ମାଟିର ଋଣ ଶୁଝିବାକୁ ମୋତେ କେତେ ଜନ୍ମ ଯେ ଲାଗିବ, ଜାଣିନି। ଏ ମାଟିର ନାଁ କେତେ ରଖିବି ଜାଣିନି, କିନ୍ତୁ କେବେ ବଦନାମ କରିବିନି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ସ୍ବାଗତ ପାଇଁ ସମବେତ ଜନତାଙ୍କ ସହ ଅପେକ୍ଷା କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଓ ସାରସକଣା ବିଧାୟକ ବୁଧାନ ମୁର୍ମୁ । ରାଷ୍ଟ୍ରପତି ହେବାର ପ୍ରାୟ ୧୦ ମାସ ପରେ ପ୍ରଥମ ଥର ଜନ୍ମମାଟି ମୟୂରଭଞ୍ଜକୁ ଫେରିଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ । ଲୋକେ ବି ରାଷ୍ଟ୍ରପତିଙ୍କ ଝଲକ ଟିକେ ପାଇବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ରାଷ୍ଟ୍ରପତି ବି ସେମାନଙ୍କୁ ଦେଖି ରୋକି ପାରି ନଥିଲେ । ହେଲିପ୍ୟାଡରୁ ଓହ୍ଲାଇ ହାତ ହଲାଇବା ସହ ଜୁହାର କହି ଅଭିବାଦନ ଗ୍ରହଣ କରିଥିଲେ  । 

ରାଷ୍ଟ୍ରପତି ପାହାଡ଼ପୁର ଅଭିମୁଖେ ଯାଇଥିଲେ। ସେଠାରେ ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ-ଲିପୁନ-ସିପୁନ ବା SLS ସ୍କୁଲକୁ ଗସ୍ତ କରିବା ପୂର୍ବରୁ ସ୍ବାମୀ ଶ୍ୟାମଚରଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଥିଲା ପାହାଡ଼ପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିଥିଲେ ରାଷ୍ଟ୍ରପତି । ପରେ ସ୍କୁଲର କମ୍ପ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ସହ ସ୍କିଲ ହବର ବି ଶିଳାନ୍ୟାସ କରିଛନ୍ତି । ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟି ଉପହାର ବି ଦେଇଛନ୍ତି ରାଷ୍ଟ୍ରପତି । 

ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ହେଲିକପ୍ଟର ଦିନ ପ୍ରାୟ ୧୦ ଟା ୧୫ ମିନିଟ୍‌ରେ ବଡ଼ପାହାଡ଼ ହେଲିପ୍ୟାଡରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ତା’ପରେ ରାଷ୍ଟ୍ରପତିଙ୍କ କାର୍କେଡ୍‌ ହେଲିପ୍ୟାଡରୁ ବାହାରୁଥିଲା। ହେଲିପ୍ୟାଡ୍‌ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆରମ୍ଭ କରିଛନ୍ତି। ସେହି ଗାଁଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ସାତପଉଟିଆ। ଆଜି ସେହି ଗାଁରେ ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ରାଷ୍ଟ୍ରପତି ଯୋଗଦେଇ ନିଶାର ଅପକାରିତା ସମ୍ପର୍କରେ କହିବା ସହିତ ଆଧ୍ୟାତ୍ମିକତାବାଦର ସୁରା ପାନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସାତପଉଟିଆରେ ଆୟୋଜିତ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ନିଶା ହେଉଛି ଏକ ବ୍ୟାଧି। ଏହା ସବୁ ସମାଜକୁ ଅନିଷ୍ଟ କରୁଛି। ନିଶା ସେବନରୁ ଲୋକମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କ ଭିତରେ ଚେତନତା, ଜାଗରଣ ସୃଷ୍ଟି କରିବାକୁ ପଡ଼ିବ। ଦେଖିବାକୁ ଗଲେ ନିଶା ସେବନର ଅପକାରିତା ବିଷୟରେ ସମସ୍ତେ ଜାଣିଛନ୍ତି। ଏହା ସତ୍ତ୍ୱେ ଲୋକମାନେ ନିଶା ଆଡକୁ ଧସେଇ ପଶୁଛନ୍ତି। ନିଶା ସକ୍ତ ଲୋକମାନେ ନିଶା ଛାଡ଼ିବା ପାଇଁ କିପରି ପ୍ରୟାସ କରିବେ ଏବଂ କିପରି ଏ ଓଡ଼ିଶା ନିଶା ମୁକ୍ତ ହେବ? ସେଥିପାଇଁ ଆପଣ(ଈଶ୍ୱରୀୟ ବ୍ରହ୍ମକୁମାରୀ)ଙ୍କ ଅଭିଯାନ ନିଶ୍ଚିତ ଭାବେ ପ୍ରଣିଧାନଯୋଗ୍ୟ ବୋଲି ଶ୍ରୀମତୀ ମୁର୍ମୁ କକହିଛନ୍ତି।

ସମାଜକୁ ନିଶାମୁକ୍ତ କରିବା ସହ କାମ, କ୍ରୋଧ, ଲୋଭ, ମୋହରୁ ମଧ୍ୟ ମୁକ୍ତି ପାଇବା ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଜଣାଇଛନ୍ତି ରାଷ୍ଟ୍ରପତି । ରାଇରଙ୍ଗପୁର ସ୍ଥିତ ଡାକବଙ୍ଗଳାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବା ପରେ ଅପରାହ୍ନ ୪ଟାରେ ବାହାରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ବଡ଼ବନ୍ଧ ଠାରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉତ୍ତୋଳନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ସେଠାରୁ  ବାହାରି ରାଇରଙ୍ଗପୁର ପୌରପାଳିକା ଅଫିସକୁ ପରିଦର୍ଶନ କରିଥିଲେ । ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ରାଇରଙ୍ଗପୁର ମ୍ୟୁନସିପାଲିଟି ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ଶେଷରେ ମହୁଲଡିହା ସ୍ଥିତ ବାସଭବନକୁ ଗସ୍ତ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି ।

ସେ କହିଛନ୍ତି, ସାମାଜିକ, ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ପାନ ଏକ ଅଭିଶାପ। ଆମେ ସମସ୍ତେ ଜାଣୁ, ଅନେକ ଲୋକ ନିଶାସକ୍ତ ଅବସ୍ଥାରେ ଅସାମାଜିକ କାର୍ଯ୍ୟ କରିବାକୁ ଆଗେଇ ଯାଆନ୍ତି। ସେମାନେ ସେହି ସବୁ ଭୟାନକ କୁକର୍ମର ଭୟାବହ ଫଳାଫଳକୁ ଅଣଦେଖା କରନ୍ତି। ଅର୍ଦ୍ଧ ଚେତନ ଅବସ୍ଥାରେ ଥିବା ଲୋକଟି ଭଲ ମନ୍ଦ କିଛି ବୁଝି ପାରେନାହିଁ। ନିଶାସକ୍ତ ଅବସ୍ଥାରେ ଘର ଭିତରେ ଅଶାନ୍ତି, ସାହି ପଡ଼ିଶାରେ କଳି କଜିଆ, ମାରପିଟ୍‌ ହୋଇଥାଏ। ଏହାଛଡ଼ା ଶରୀର ଉପରେ ନିଶାର ପ୍ରଚଣ୍ଡ କୁପ୍ରଭାବ ପଡ଼ିଥାଏ। ପ୍ରଥମେ ପ୍ରଥମେ ଜଣେ ଲୋକ ନିଶା ଖାଏ। କିଛି ଦିନ ପରେ ଲୋକଟିକୁ ନିଶା ଖାଇଥାଏ। ସେ ନିଜୟ ଆୟତ୍ତରେ ରହିପାରେ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହା ପରେ ରାଷ୍ଟ୍ରପତି ମୁର୍ମୁ ନିଜ ହାତରେ ଗଢ଼ିଥିବା ପାହାଡ଼ପୁରର ଏସ୍ଏଲ୍ଏସ୍ ମେମୋରିଆଲ୍‌ ସ୍କୁଲକୁ ଯାଇ ନିଜ ସ୍ୱାମୀ ତଥା ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠୁ ସିଧା ଗ୍ରାମ ଦେବତୀ ଗୋଷାଣୀଙ୍କ ପାଖକୁ ଯାଇ ଦର୍ଶନ କରିବା ସହ ଆଦିବାସୀ ପରଂପରାରେ ପୂଜାର୍ଚ୍ଚନା କରିଥିଲେ। ଏସଏଲ୍ଏସ୍ ସ୍କୁଲ ଗସ୍ତ ସମୟରେ ରାଷ୍ଟ୍ରପତି ନାବାର୍ଡ ସହାୟତାରେ କମ୍ୟୁନିଟି ସେଣ୍ଟର ଏବଂ ଦକ୍ଷତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆସନ୍ତାକାଲି ଶିମିଳିପାଳ ଅଭାରଣ୍ୟ ଭ୍ରମଣ କରିବେ। ତା’ପରଦିନ ଅର୍ଥାତ ୬ ତାରିଖରେ ବାରିପଦା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।



ଜନ୍ମମାଟିରେ ପାଦ ଦେଇ ଅତ୍ୟନ୍ତ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget