loading...

ମଣିପୁର ହିଂସା ସ୍ଥିତି ସାଂଘାତିକ । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି

ମଣିପୁର ହିଂସା ସ୍ଥିତି ସାଂଘାତିକ । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ


ନୂଆଦିଲ୍ଲୀ, ମଣିପୁର ହିଂସାକାଣ୍ଡ ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ପ୍ରଶାସନ ଏଭଳି ଭୀଷଣ ପରିସ୍ଥିତିରେ ଏଭଳି ପଦକ୍ଷେପ ନିଅନ୍ତୁ। ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ସ୍ଥିତିକୁ ଦେଖି ଆଜି ରାଜ୍ୟପାଳ ଶୁଟ ଆଟ ସାଇଟ୍‌ ବା ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଏହି ଶୁଟ ଆଟ ସାଇଟ୍‌ ପ୍ରସ୍ତାବ ମଣିପୁର ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ପାଖକୁ ପଠା ଯାଇଥିଲା। ରାଜ୍ୟପାଳ ସ୍ଥିତିକୁ ଦେଖି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଥିସହ ସବୁ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ମେ ୩ ତାରିଖରେ ଆଦିବାସୀଙ୍କ ପକ୍ଷରୁ ଗୋଟିଏ ଶୋଭାଯାତ୍ରା କରାଯାଉଥିଲା। ଏହି ସମୟରେ ସେମାନଙ୍କ ଉପରେ ମୈତୈ ସଂପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ। ଫଳରେ ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖାଯାଇଥିଲା। ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।ତଥାପି ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାରୁ ରାଜ୍ୟପାଳ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସବୁ ଡିଭିଜନାଲ ମାଜିଷ୍ଟ୍ରେଔ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ/ ସ୍ପେଶାଲ ମାଜିଷ୍ଟ୍ରେଟଙ୍କୁ ବିଶେଷ କ୍ଷେତ୍ରରେ ଓ ସ୍ଥିତିକୁ ଦେଖି ଶୁଟ ଆଟ ସାଇଟ ନିର୍ଦ୍ଦେଶ ଦେବାର ଅଧିକାର ପ୍ରଦାନ କରିଛନ୍ତି। ଏଥିସହ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ଆବଶ୍ୟକ ସବୁ ପ୍ରକାରର ପଦକ୍ଷେପ ନେବାକୁ ମଧ୍ୟ ସେ କହିଛନ୍ତି।

ସ୍ଥିତିକୁ ଦେଖି ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆଉ ୧୪ କଲମ ଯବାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ଇତି ମଧ୍ୟରେ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ଏବେ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଛନ୍ତି। ହେଲେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ବିରୋଧ କରୁଛି। ବୁଧବାର ‘ଆଦିବାସୀ ଏକତା ମୋର୍ଚ୍ଚା’ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ।

ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ତଥାପି ବିଭିନ୍ନ ଜିଲ୍ଲାରେ ଏହାକୁ ନେଇ ପୋଡ଼ାଜଳା ଦେଖିବାକୁ ମିଳିଛି। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ହେଉଛନ୍ତି ମୈତୈ ସଂପ୍ରଦାୟର ଲୋକ। ସେମାନେ ନିଜକୁ ମଣିପୁରର ଆଦିମ ଅଧିବାସୀ ବୋଲି ଦାବି କରିଛନ୍ତି।

ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଭିଡିଓ ଜାରି କରି ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ଅପିଲ୍ କରିଛନ୍ତି। ରାଜ୍ୟରେ ଦୁଇ ସମୁଦାୟଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଏଭଳି ହିଂସା ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ। ସେ ଆହୁରି କହିଛନ୍ତି ଆଗକୁ ଯାହାବି ଭଙ୍ଗାରୁଜା ଏବଂ ହିଂସା ହେବ ତାହା ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିବାଦର ମୂଳ କାରଣ କ’ଣ? 
ମଣିପୁରର ସମୁଦାୟ ଅଞ୍ଚଳର ପ୍ରାୟ ୮୯% ପାହାଡ଼ିଆ ଅଟେ । ଏଠାରେ ତିନୋଟି ସମ୍ପ୍ରଦାୟ ବସବାସ କରନ୍ତି – ମୈତାଇ, ନାଗା ଏବଂ କୁକି । ସେମାନଙ୍କ ମଧ୍ୟରୁ ନାଗା ଓ କୁକିମାନଙ୍କୁ ଆଦିବାସୀ ସମ୍ପ୍ରଦାୟର ମାନ୍ୟତା ମିଳିଥିବା ବେଳେ ମୈତାଇକୁ ଅଣ ଆଦିବାସୀ ମାନ୍ୟତା ମିଳିଛି। ମଇତାଇ ହିନ୍ଦୁ ଧର୍ମର ହୋଇଥିବା ବେଳେ ଅଧିକାଂଶ ନାଗା ଓ କୁକି ଖ୍ରୀଷ୍ଟିଆନ ଧର୍ମର ଅଟନ୍ତି । ବିବାଦର କାରଣ ହେଉଛି ମଣିପୁରର ଆଇନ ଅନୁଯାୟୀ କେବଳ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିପାରିବେ। ଅର୍ଥାତ୍ ନିଜ ଘର ତିଆରି କରି ରୋଜଗାର କରିପାରିବେ। ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ପାହାଡ଼ିଆ। ମୈତାଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି (ଏସ୍ ସି) ମାନ୍ୟତା ମିଳିଥିବା ବେଳେ ଏହି ପାହାଡ଼ିଆ ଅଞ୍ଚଳରେ ଏହି ଜନଜାତି ନିଜର ଘର ତିଆରି କରିପାରିବେ ନାହିଁ। କିନ୍ତୁ ସେମାନେ ତେଣୁ ସେମାନଙ୍କ ମାନ୍ୟତା ଅନୁସୂଚିତ ଜାତି (ଏସ୍ ସି)ରୁ ଅନୁସୂଚିତ ଜନଜାତି (ଏସ୍ ଟି)ରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ଦାବି କରି ଆସୁଛନ୍ତି, ଯାହାଦ୍ୱାରା ସେମାନେ ମଧ୍ୟ ପାହାଡ଼ିଆ ଅଞ୍ଚଳକୁ ଯାଇପାରିବେ। ସେମାନଙ୍କ ଦାବି ଅନୁସାରେ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଆଗମନ ଯୋଗୁଁ ସେମାନଙ୍କ ବାସସ୍ଥଳୀ ସଂକୁଚିତ ହେଉଛି । ଏଣୁ ସେମାନଙ୍କୁ ପହାଡ଼ିଆ ଅଂଚଳରେ ରହିବାକୁ ଅନୁମତି ଦିଆଯାଉ । କିନ୍ତୁ ଏହାକୁ ନାଗା ଓ କୁକି ଆଦିବାସୀମାନେ ବିରୋଧ କରୁଛନ୍ତି । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖାଦେଇଛି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget