ବେଙ୍ଗାଲୁରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୬ ତାରିଖ ଦିନ ବେଙ୍ଗାଲୁରୁରେ ୩୬.୬ କିଲୋମିଟର ଦୀର୍ଘ ରୋଡ ସୋରେ ଅଂଶଗ୍ରହଣ କରିବେ। ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ସଦସ୍ୟ ପି.ସି.ମୋହନ ବୁଧବାର ଏହି ସୂଚନା ଦେଇଛନ୍ତି। ମେ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ବିଜେପିର ପ୍ରଚାର ଅଭିଯାନରେ ଏହି ରୋଡ ସୋ ଆୟୋଜନ ହେବାକୁ ଥିବା ବେଳେ ଏହା ୧୭ଟି ବିଧାନସଭା ନିର୍ବାଚନ ମଣ୍ଡଳି ଦେଇ ଗତି କରିବ।
ମୋହନଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ୧୦.୧ କିଲୋମିଟର ରୋଡ ସୋରେ ଅଂଶଗ୍ରହଣ କରିବେ। ସେହିପରି ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୨୬.୫ କିଲୋମିଟର ଦୂରତା ଅତିକ୍ରମ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କର କର୍ଣ୍ଣାଟକରେ ଏହା ପ୍ରଥମ ରୋଡ ସୋ ନୁହେଁ। ଏହା ପୂର୍ବରୁ ଏପ୍ରିଲ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ୫.୩ କିଲୋମିଟର ଦୀର୍ଘ ରୋଡ ସୋ ରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ସୋ ମଗଦିରୋଡ, ନିସ୍ ରୋଡ ଜଙ୍କସନ ଓ ସୁମନହଲ୍ଲି ସହିତ ସହରର ବିଭିନ୍ନ ସ୍ଥାନ ଦେଇ ଅତିକ୍ରମ କରିଥିଲା। କର୍ଣ୍ଣାଟକ ବିଧାନସଭା ନିମନ୍ତେ ମେ ୧୦ ତାରିଖ ଦିନ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନର ଭୋଟ ଗଣନା ମେ ୧୩ ତାରିଖରେ ହେବ। ସେହି ଦିନ ରାଜ୍ୟରେ ନୂଆ ସରକାରଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।
Post a Comment