ଚେନ୍ନାଇ, ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ମୁକ୍ତିଲାଭ କଲେ ରାଜ୍ୟରେ ହିଂସା ହୋଇପାରେ। ଏଥିପାଇଁ ଭିତିରି ଯୋଜନା ଚାଲିଛି। ଏନେଇ ତାମିଲନାଡୁକୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ମେ ୫ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବାକୁ ଥିବା ବେଳେ ତାମିଲନାଡୁରେ ଆନ୍ଦୋଳନ କରିବାକୁ ଯୋଜନା ହେଉଥିବା ଗୁଇନ୍ଦା ବିଭାଗ ସୂଚାଇଛି। କେରଳରେ ହିନ୍ଦୁ ଯୁବତୀମାନଙ୍କ ଧର୍ମ ପରିବର୍ତ୍ତନ କରି କିଭଳି ସେମାନଙ୍କୁ ISISIରେ ଭର୍ତ୍ତି କରିବାକୁ ସିରିଆ ଓ ଆଫଗାନିସ୍ତାନ ପଠାଯାଉଛି ତାହା ହିଁ ଫିଲ୍ମର ବିଷୟବସ୍ତୁ। କେରଳରେ ୩୨ ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରାଯାଇ ISISIରେ ଭର୍ତ୍ତି କରାଯାଇଥିବା ଫିଲ୍ମରେ ଦାବି କରାଯାଇଛି।
ଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ `ଦ କେରଳ ଷ୍ଟୋରୀ' ସିନେମାର ପ୍ରିମିୟର କରାଯାଇ ଥିଲା । ମଙ୍ଗଳବାର ଏବିଭିପି ତରଫରୁ ଏହାକୁ ନେଇ ଏକ କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା। ଏହି ଫିଲ୍ମର ପ୍ରିମିୟରକୁ ବିରୋଧ କରିଥିଲେ ବାମପନ୍ଥୀ ଛାତ୍ର ସଂଗଠନ। ତେବେ ବିବାଦ ମଧ୍ୟରେ ଏବିଭିପି ଏହି ଫିଲ୍ମର ସ୍କ୍ରିନିଂ ଜେଏନୟୁ ଅଡିଟୋରିୟମରେ କରିଥିଲା। ମେ ୫ ତାରିଖରେ ସୁଦିପ୍ତୋ ସେନ୍ଙ୍କ ନର୍ଦ୍ଦେଶିତ 'ଦ କେରଳ ଷ୍ଟୋରୀ' ରିଲିଜ୍ ହେବାକୁ ଯାଉଛି।
ତେବେ ‘ଦି କେରଳ ଷ୍ଟୋରୀ’କୁ ନେଇ ବିବାଦ ଉପୁଜିବାର କାରଣ ହେଲା ଏଥିରେ ଥିବା ତଥ୍ୟ ଭ୍ରମାତ୍ମକ ବୋଲି କୁହାଯାଉଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହାକୁ ସମାଲୋଚନା କରି ହିଂସା ଉସ୍କାଇବା ପାଇଁ ଏଭଳି କରାଯାଇଛି ବୋଲି କହିଛନ୍ତି। ସେହିପରି କଂଗ୍ରେସ ସାଂସଦ ଶଶି ଥରୁର ଫିଲ୍ମକୁ ରାଜ୍ୟକୁ ଭୁଲ୍ ଭାବେ ଚିତ୍ରଣ କରାଯାଇଛି ବୋଲି ସେ କହିଛନ୍ତି। ଫିଲ୍ମକୁ ଅତିରଞ୍ଜିତ କରାଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ବିଜେପି କେରଳ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି। ରାଜ୍ୟ ବିଜେପି ଅଧ୍ୟକ୍ଷ କେ. ସୁରେନ୍ଦ୍ରନ କହିଛନ୍ତି ଯେ ପିନରାୟୀ ବିଜୟନ ଦୋମୁହାଁ ନୀତି ଆପଣାନ୍ତି। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ତାଙ୍କର ବାକ୍ ସ୍ୱାଧୀନତା ନୀତିକୁ ସମାଲୋଚନା କରିଛି ବିଜେପି। ସୂଚନା ଥାଉକି ଫିଲ୍ମର ନିର୍ଦ୍ଦେଶ ସୁଦିପ୍ତ ସେନ୍ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଅମୃତପାଲ। ଏଥିରେ ଅଦାହ ଶର୍ମା, ଯୋଗୀତା ବିହାନୀ, ସିଦ୍ଧି ଇନ୍ଦାନୀ ଓ ସୋନିଆ ବଲୱାନୀ ରହିଛନ୍ତି। ଅନ୍ୟପଟେ ଫିଲ୍ମ କେନ୍ଦ୍ର ଫିଲ୍ମ ପ୍ରମାଣନ ବୋର୍ଡ ପକ୍ଷରୁ ଗ୍ରେଡ୍ ‘ଏ’ ସାର୍ଟିଫିକେଟ୍ ମିଳିଥିବା ବେଳେ ଏହାର ୧୦ଟା ସିନକୁ କାଟି ଦେଇଛି ସେନ୍ସର ବୋର୍ଡ।
ଫିଲ୍ମ ନିର୍ଦ୍ଦେଶକ ସୁଦିପ୍ତୋ ସେନ କହିଛନ୍ତି , ଫିଲ୍ମ କରିବା ପୂର୍ବରୁ ପ୍ରଥମେ ମୁଁ ଖୁବ୍ ରିସର୍ଚ୍ଚ କରିଛି। ଏହା ରାଜ୍ୟ ବିରୋଧରେ ନୁହେଁ , ଆତଙ୍କବାଦ ବିରୋଧରେ। ସେନ୍ କହିଛନ୍ତି , ମୁଁ ମାସ ମାସର ରିସର୍ଚ୍ଚ ପରେ ଏହି ଗୁରୁତର ବିଷୟ ଉପରେ ଫିଲ୍ମ କରିଛି।
Post a Comment