କଲିକତା, ପଶ୍ଚିମବଙ୍ଗରେ ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ ହେବ, କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ହିଂସା ଜାରି ରହିଛି । ପଶ୍ଚିମବଙ୍ଗରେ ପୁଣି ଥରେ ବିଜେପି ଏବଂ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଘଟଣା ସାମନାକୁ ଆସିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିଶନ। ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ଆଲୋଚନାର ବିଷୟ ହୋଇଛି। ସୂଚନା ମୁତାବକ ହାଇକୋର୍ଟଙ୍କ ରାୟ ଆସିବା ପରେ ପଶ୍ଚିମବଙ୍ଗ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏବାବଦରେ ନିର୍ବାଚନ କମିଶନଙ୍କ ସହ ଶୁକ୍ରବାର ଏକ ବୈଠକ କରିଥିଲେ। ଯାହା ପରେ ସୁପ୍ରିମ୍କୋର୍ଟ ଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଥାଉକି, ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ନିମନ୍ତେ ୪୮ ଘଣ୍ଟା ଭିତରେ ପଦକ୍ଷେପ ନେବାକୁ ଏସ୍ଇସିଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ। ଆସନ୍ତା ଜୁଲାଇ ୮ରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ପ୍ରାର୍ଥୀପତ୍ର ଦାଖଲ ଓ ନିର୍ବାଚନ ବେଳେ ଉତ୍ତେଜନା ଆଶଙ୍କା ରହିଛି। ତେଣୁ ଏହି ସମୟରେ ଶୃଙ୍ଖଳା ରକ୍ଷା ନିମନ୍ତେ କେନ୍ଦ୍ରୀୟ ସୁରକ୍ଷା ଫୋର୍ସକୁ ମୁତୟନ କରିବାକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ କଂଗ୍ରେସ ଏମ୍ପି ଅଧିର ରଞ୍ଜନ ଚୌଧୁରୀ କୋର୍ଟକୁ ଯାଇଥିଲେ। ଅବେଦନକୁ ଗୁରୁତର ସହ ନେଇ ଏହା ଉପରେ ଶୁଣାଣି କରିଥିଲେ ଚିଫ୍ ଜଷ୍ଟିସ୍ ଟିଏସ୍ ଶିଭଗ୍ନନମଙ୍କ ଖଣ୍ଡପୀଠ। ୧୩ ତାରିଖରୁ ରାୟ ପ୍ରକାଶ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ସେ କହିଛନ୍ତି-‘ମୁଁ ରାଜ୍ୟପାଳଙ୍କୁ ହିଂସା ବାବାଦରେ ସବୁକିଛି ଅବଗତ କରାଇଛି ।ପଞ୍ଚାୟତ ନିର୍ବାଚନକୁ ନେଇ ଟିଏମସି ନେତାଙ୍କ ସହ ସିଏମ୍ ମମତା ବାନାର୍ଜୀଙ୍କ ବୈଠକକୁ ନେଇ ଟାର୍ଗେଟ୍ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ ଅନ୍ୟମାନଙ୍କୁ ସେମାନଙ୍କ ନାମାଙ୍କନ ଫେରାଇ ନେବା ଏବଂ ଭୋଟ ଲୁଟିବା ପାଇଁ ସେମାନେ ଯୋଜନା କରୁଛନ୍ତି ।
ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେନ୍ସଟିଭ୍ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାକୁ ସମୟ ଲାଗୁଥିବା ପଶ୍ଚିମବଙ୍ଗ ଏସ୍ଇସି କହିଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ବିରୋଧୀ ବିଜେପି ଭିତରେ ସର୍ବଦା କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ବିବାଦ ରହିଥିବା ବେଳେ ଏବେ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିଛି।
Post a Comment