ନୂଆଦିଲ୍ଲୀ, ଦେଶର ରାଜଧାନୀ ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀର ନାଁକୁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଏହାର ନାଁ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀ ରଖାଯାଇଛି। ରାଜଧାନୀ ଦିଲ୍ଲୀର ତିନି ମୂର୍ତ୍ତି ଭବନ ପରିସରରେ ଥିବା ନେହେରୁ ମେମୋରିଆଲ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ସୋସାଇଟି (ଏନ୍ଏମ୍ଏମ୍ଏଲ୍)ର ନାମ ପରିବର୍ତ୍ତନ କରି ଭାରତ ସରକାର ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ସୋସାଇଟି’ ରଖିଛନ୍ତି। ସରକାରଙ୍କ ଏହି ପଦକ୍ଷେପ କୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି ।
ଟିନ ମୂର୍ତ୍ତି ଭବନରେ ଏହି ମ୍ୟୁଜିୟମଟି ରହିଛି। ଗତବର୍ଷ ଏହି ବିଲଡିଂ ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରାଯାଇଥିଲା। ଏହାକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଅଫିସିଆଲ ଘର ଭାବେ ବ୍ୟବହାର କରାଯାଉଥିଲା। ତେବେ ଏହାର ନାଁ ପରିବର୍ତ୍ତନକୁ କଂଗ୍ରେସ ହଜମ କରିପାରିନି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ଜାଣିଶୁଣି ଦେଶର ପ୍ରଥମ ପ୍ରଧାମନ୍ତ୍ରୀଙ୍କ ଅବଦାଦନକୁ ସଙ୍କୁଚିତ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି।
ଖଡଗେ ଟ୍ୱିଟ କରି କହିଛନ୍ତି, “ଯେଉଁମାନଙ୍କର ନିଜର କୌଣସି ଇତିହାସ ନାହିଁ, ସେମାନେ ଏବେ ଅନ୍ୟମାନଙ୍କ ଇତିହାସକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ନାଁ ବଦଳାଇବାକୁ ଯେଉଁ କୁତ୍ସିତ ଉଦ୍ୟମ କରାଯାଉଛି, ତାହା କେବେ ହେଲେ ପଣ୍ଡିତ ଜବାହରଲାଲ ନେହରୁଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିପାରିବ ନାହିଁ। ସେ ଆଧୁନିକ ଭାରତର ସ୍ରଷ୍ଟା ଓ ଗଣତନ୍ତ୍ରର ସାହାସୀ ଅଭିଭାବକ ଥିଲେ। ଏହା କେବଳ ବିଜେପି-ଆରଏସଏସର ଏକଛତ୍ରବାଦ ଶାସନର ଆଭିମୁଖ୍ୟ ଓ ନିମ୍ନ ମାନସିକତାର ପରିଚୟ।” ଜୟରେମ ରମେଶ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱଗୁରୁ ଚିତ୍ରକୁ ତାଚ୍ଛଲ୍ୟ କରିଛନ୍ତି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସର ଏହି ବୟାନଉପରେ ପ୍ରତିକ୍ରିୟା ରଖିଛନ୍ତି। ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ରାଜନୈତିକ ବଦହଜମୀର ଏହା ଏକ ବଡ଼ ଉଦାହରଣ । ସେମାନେ ଗୋଟିଏ ସାଧାରଣ କଥାକୁ ହଜମ କରିପାରୁନାହାନ୍ତି ଯେ ଗୋଟିଏ ବଂଶ ବାହାରେ ମଧ୍ୟ ଏପରି ଆହୁରି ନେତା ଅଛନ୍ତି ଯେଉଁମାନେ ଆମ ଦେଶର ସେବା ଏବଂ ନିର୍ମାଣ କରିଛନ୍ତି। ଅନ୍ୟ ଏକ ଟ୍ୱିଟ୍ ରେ ବିଜେପି ଅଧ୍ୟକ୍ଷ କହିଛନ୍ତି, କଂଗ୍ରେସର ଏକମାତ୍ର ଅବଦାନ ହେଉଛି ପୂର୍ବର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଐତିହ୍ୟକୁ ଲୋପ କରିବା, ଯାହା ଦ୍ୱାରା କେବଳ ଗୋଟିଏ ପରିବାରର ପରମ୍ପରା ବଞ୍ଚିବ।
Post a Comment