ଭୁବନେଶ୍ଵର ୨୮ ନଭେମ୍ବର ୨୦୨୩
ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଛାତ୍ର କଂଗ୍ରେସର “ନିଯୁକ୍ତିକ୍ରାନ୍ତି” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ଵର ସାଂଗଠନିକ ଜିଲ୍ଲା ପକ୍ଷରୁ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ଗଜେନ୍ଦ୍ରଙ୍କ ନେତୃତ୍ୱରେ ଭୁବନେଶ୍ଵର ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ନିଯୁକ୍ତିକ୍ରାନ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ନବୀନ ସରକାର ଓଡ଼ିଶାର ବେକାର ଯୁବକଯୁବତୀଙ୍କୁ ପ୍ରତାରିତ କରିଛନ୍ତି । ଗତ ୨୪ ବର୍ଷ ହେଲା ନବୀନ ସରକାର ଦେଇଥିବା ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୂରଣ କରିପାରିଲେ ନାହିଁ । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କର ୨ଲକ୍ଷ ୨୬ ହଜାର ଚାକିରୀ ଖାଲି ପଡ଼ିଥିବା ବେଳେ ଓଡ଼ିଶାରେ ୯ଲକ୍ଷ ପଞ୍ଜିକୃତ ବେକାର ଯୁବକ ଯୁବତୀ ଚାକିରୀ ଅନ୍ଵେଷଣରେ ଘୁରି ବୁଲୁଛନ୍ତି । ଓଡ଼ିଶାର ଶିକ୍ଷାଂଚଳର ଲୋକ ଧୂଳି ଧୂଆଁ ଖାଇ ରୋଗାଗ୍ରସ୍ତ ହେଉଛନ୍ତି । ସେଠିକାର ଜଳବାୟୁ ଓ ବିଶେଷ କରି ପରିବେଶ ସଂପୂର୍ଣ୍ଣ ନଷ୍ଟ ହୋଇଯାଉଛି । ମାତ୍ର ସେଠିକାର ବେକାର ଯୁବକ ଯୁବତୀଙ୍କ ସ୍ବାର୍ଥକୁ ଦୃଷ୍ଟି ଦିଆଯାଉ ନାହିଁ । ଓଡ଼ିଶାରେ ବେସରକାରୀ ଶିଳ୍ପ-ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ ନବୀନ ସରକାରଙ୍କ ମଧୂଚନ୍ଦ୍ରିକାରେ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ଧୂଳିସାତ ହୋଇଯାଉଛି। କାରଣ ଶିକ୍ଷାଂଚଳର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉନାହିଁ । ମାତ୍ର ନବୀନ ସରକାରଙ୍କ ବାହୁଛାୟା ତଳେ ଏହି ଶିଳ୍ପପତିମାନେ ସୁରକ୍ଷିତ ରହିଛନ୍ତି ଏବଂ ଓଡ଼ିଶାକୁ ଲୁଟୁଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ସତର୍କ କରିଦିଆଯାଇଛି ଯେ ଯଦି ଓଡ଼ିଆ ଯୁବକ ଯୁବତୀଙ୍କୁ ଏଥିରେ ୮୦ ପ୍ରତିଶତ ନିଯୁକ୍ତି ନ ମିଳେ ତେବେ ଆଗାମୀ ଦିନରେ ଶିଳ୍ପସଂସ୍ଥା ଗୁଡ଼ିକ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ ଏବଂ ଚକାଜାମ ଆନ୍ଦୋଳନ କରାଯିବ ।
ବିଶେଷକରି ବିମୁଦ୍ରାୟନ ଓ କରୋନା କାରଣରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଗୁଡ଼ିକ କ୍ଷତିଗ୍ରସ୍ତ ଓ ବନ୍ଦ ହୋଇଯିବାରୁ ଆମ ରାଜ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ମାତ୍ର ଦୁର୍ଭାଗ୍ୟର କଥା ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାଁନ୍ତି । ଆମ ରାଜ୍ୟରେ ପୂର୍ବରୁ ଥିବା ସୂତାକଳ, ଲୁଗାକଳ, ତେଲକଳ, ଝୋଟକଳ ଓ ଚିନିକଳ ଗୁଡ଼ିକ ବନ୍ଦ ହୋଇଯାଇଛି । ଗାଁରୁ ସହର ଲକ୍ଷ ଲକ୍ଷ ଯୁବକ ଯୁବତୀ କାମଧନ୍ଦା ଅନ୍ଵେଷଣରେ ଘୂରି ବୁଲୁଛନ୍ତି । ବାଧ୍ଯ ହୋଇ ପଡ଼ୋଶୀ ରାଜ୍ୟକୁ କର୍ମ ସଂସ୍ଥାନ ପାଇଁ ଯାଉଛନ୍ତି ଓ ଦାଦନ ଖଟୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜକୋଷରୁ ୪୫୦ କୋଟି ଟଙ୍କା ଖର୍ଚ୍ଚକରି ଯେଉଁ ବିଜୁ ଯୁବବାହିନୀ ଗଠନ କଲେ ତାହା କେବେଳ ବିଜେଡ଼ି ଦଳର କର୍ମୀପୋଷଣ ପାଇଁ ଉଦ୍ଦିଷ୍ଟ ଥିଲା । ସେ ବିଜୁ ଯୁବବାହିନୀ ଏବେ ବନ୍ଦ ହୋଇଯାଇଛି । ସେହିପରି ୨୦୧୩ ମସିହାରେ ଯେଉଁ ଯୁବନୀତି ବିଜେଡ଼ି ସରକାର କରିଥିଲା ତାହା କେବଳ ପ୍ରହସନ ଥିଲା । ସେହିପରି ନବୀନ ସରକାର ଦ୍ୱାରା ଆୟୋଜିତ “ନିଯୁକ୍ତି ମେଳା”ରେ କେହି ବେକାର ଯୁବକ ଯୁବତୀ ଉପକୃତ ହୋଇନାହାନ୍ତି । କଂଗ୍ରେସ ଅମଳରେ ଗ୍ରାମାଂଚଳର କର୍ମସଂସ୍ଥାନ ଯୋଗାଇବା ପାଇଁ ଯେଉଁ ମହାତ୍ମା ଗାନ୍ଧୀ ନରେଗା ଯୋଜନା ପ୍ରଣୟନ ହୋଇଥିଲା ଏବେ ବିଜୁ ଜନତା ଦଳର ନେତା କର୍ମୀ ଓ ସଂପୃକ୍ତ ସରକାରୀ କର୍ମଚାରୀ ସେହି ଯୋଜନାର ଅର୍ଥକୁ ହଡ଼ପ କରୁଛନ୍ତି । ମଣିଷ ବଦଳରେ ମେସିନ କାମ କରୁଛି । ଏଣୁ ଗ୍ରାମାଂଚଳରେ ଉତ୍କଟ ବେକାରୀ ଦେଖା ଦେଇଛି । ଆମ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ନା ଅଛନ୍ତି ଡାକ୍ତର ନା ସ୍ବାସ୍ଥ୍ୟକର୍ମୀ ନା ଶିକ୍ଷକ ନା ପୋଲିସ୍ ! ସରକାରୀ ଚାକିରୀକୁ ସଙ୍କୁଚିତ କରାଯାଉଛି ଓ ଘରୋଇ କାରଖାନାରେ କୌଣସି ନିର୍ଦ୍ଦିଷ୍ଟ ନିଯୁକ୍ତି ନୀତି ନଥୁବାରୁ ଓଡ଼ିଶାର ଯୁବସମାଜ ଆଜି ହତାଶ । ପାଠ ପଢ଼ି ମଧ୍ଯ ବେକାର । ସରକାରଙ୍କ ଯୁବନୀତି ଏବେ ନିରୁଦ୍ଦିଷ୍ଟ ।
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଏଡିଏମଙ୍କୁ ୬ଦଫା ଦାବି ସମ୍ବଳିତ ନିମ୍ନ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
- ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ସରକାରୀ ପଦବୀକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରାଯାଉ । ସମସ୍ତ ସରକାରୀ ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ପୂରଣ କରାଯାଉ ।
- ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି ଦିଆଯାଉ ।
- ସରକାରୀ ଚାକିରୀରେ ଚୁକ୍ତିଭିତିକ ଓ ଠିକା ନିଯୁକ୍ତି ବାତିଲ କରାଯାଉ ।
- ଯେଉଁ ପ୍ରବାସୀ ଓଡ଼ିଆ, ଓଡ଼ିଶାକୁ ଫେରି ଓଡ଼ିଶାରେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ତୁରନ୍ତ ପ୍ୟାକେଜ କରନ୍ତୁ ।
- ବେକାରୀ ଭତା ୫୦୦୦ ଟଙ୍କା ଦିଆଯାଉ ।
- ୨୪ ବର୍ଷ ଧରି ଅଣଓଡ଼ିଆ ଠିକାଦାରଙ୍କୁ ଦିଆଯାଉଥିବା ପ୍ରାଧାନ୍ୟର ଅନ୍ତ ହେଉ । ଓଡ଼ିଆ ଠିକାଦାରଙ୍କୁ ଉପେକ୍ଷା ନକରି ରାଜ୍ୟ ସରକାର ସେମାନଙ୍କ ଉପରେ ଗୁରୁତ୍ବ ଦିଆଯାଉ ।
ନିଯୁକ୍ତିକ୍ରାନ୍ତ ହେଉଛି ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କର ଯନ୍ତ୍ରଣାର ସ୍ୱର । ତୁରନ୍ତ ନିଯୁକ୍ତିକ୍ରାନ୍ତର ଦାବି ଗୁଡ଼ିକ ନବୀନ ସରକାର ପୂରଣ କରନ୍ତୁ। ନହେଲେ ଛାତ୍ର କଂଗ୍ରେସ ପକ୍ଷରୁ ନିଯୁକ୍ତି କ୍ରାପ୍ତିର ଆନ୍ଦୋଳନକୁ ତୀବ୍ରତର କରାଯିବ । ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ପିସିସି ସଂପାଦକ ଅଭିଳାଷ ମାଣିଆ, ଅଜୟ ସାହୁ, ରଣଜିତ ପାତ୍ର, ନିହାର ବେହେରା, ସଂକୁନା କହଁର, ଜୟଶ୍ରୀ ମହାନ୍ତି, ମହମ୍ମଦ ଗୁଲଫାମ, କାର୍ତିକେଶ୍ୱର କାଣ୍ଡି, ସାଗର ପଟ୍ଟନାୟକ, ସାହାରୁଖ ଖାନ, ସ୍ପନ୍ଦନ ସ୍ପାଇଁ, ନିଆଜୁଲ ଇସଲାମ, ଆର୍ଯ୍ୟାନ ସାସମଲ, ସୁନିଲ ସାହୁ ଗାନ୍ଧୀ, ରାଜଦୀପ ବେହେରା, ଯୁବରାଜ ମହାନ୍ତି, ବଳରାମ ସାହୁ, ଓ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Post a Comment