loading...

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ପ୍ରଶାସନିକ ସେବା-୨୦୨୦ ବ୍ୟାଚ୍‌ର ୧୨୭ଜଣ ଟ୍ରେନି ଅଫିସର

 ଭୁବନେଶ୍ୱର ୧୬ ନଭେମ୍ବର ୨୦୨୩ 


ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ଏକ ପ୍ରମୁଖ ସେବା ଭାବେ ପରିଗଣିତ । ଏହି ସେବା ପାଇଁ ଯୋଗ୍ୟ ବିବେଚିତ ହେବା ସୌଭାଗ୍ୟର ବିଷୟ । ପ୍ରଶାସନିକ ଅଧିକାରୀଭାବେ ଜନସାଧାରଣଙ୍କ ସେବା କରିବା ପାଇଁ ତଥା ରାଜ୍ୟର ପ୍ରଗତି ଓ ବିକାଶରେ ଏକ ଗୁରୁତ୍ଵପୂର୍ଣ ଭୂମିକା ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ସେଥ‌ିପାଇଁ ସେମାନେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସ‌ହ ନିଜର କାର୍ଯ୍ୟଶୈଳୀରେ ସର୍ବଦା ସ୍ବଚ୍ଛତା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓଡ଼ିଶା ପ୍ରଶାସନିକ ସେବା - ୨୦୨୦ ବ୍ୟାଚ୍‌ର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧୁକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।




ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମ ମାଧ୍ଯମରେ ଟ୍ରେନିଂ ଅଫିସରମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ପ୍ରଶାସନିକ ଅଧୁକାରୀଙ୍କ ଏକ ଗୁରୁଦାୟିତ୍ୱ ରହିଛି ଓ ସେମାନେ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଏବଂ କଲ୍ୟାଣମୂଳକ କାର୍ଯ୍ୟକମ୍ରର ସଫଳ ରୂପାୟନ ଦ୍ୱାରା ଏହାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ କହିଥିଲେ । ବର୍ତମାନର ଡି଼ଜିଟାଲ୍ ଯୁଗରେ ସୂଚନା ପ୍ରଯୁକ୍ତି (ଆଇଟି)ର ବ୍ୟାପକ ବ୍ୟବହାର ଓ ପ୍ରୟୋଗ ଦିଗରେ ପ୍ରଶାସନିକ ଅଧିକାରୀମାନେ ସର୍ବଦା ଯନ୍ତ୍ରଶୀଳ ରହିବା ସହିତ ବିକାଶକୁ ଏକ ନୂତନ ଶିଖରରେ ପହଂଚାଇବାକୁ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ । ଓଡ଼ିଶା ଏକ ବିପୁଳ ସୁଯୋଗ ଓ ସମ୍ଭାବନାର ରାଜ୍ୟ । ସେହି ସମ୍ଭାବନାକୁ ନିଜର ଦକ୍ଷତା, ଦୂରଦୃଷ୍ଟି ମାଧ୍ୟମରେ ରାଜ୍ୟର ଉନ୍ନତି ଓ ବିକାଶରେ ରୂପାନ୍ତରିତ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ କହିଥିଲେ । ରାଜ୍ୟ ଏବଂ ରାଜ୍ୟବାସୀଙ୍କର ସେମାନଙ୍କ ଉପରେ ଥିବା ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଶ୍ରୀ ଦାସ ଅଧିକାରୀମାନଙ୍କୁ କହିଥିଲେ । ଜୀବନର ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଥିବା ଅଧିକାରୀମାନଙ୍କରାଜ୍ୟପାଳ ନିଜର ଶୁଭେଚ୍ଛା ଜଣାଇଥିଲେ ।


କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଓ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟପାଳଙ୍କ ପରାମର୍ଶ ।


ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର ଟ୍ରେନି ଅଫିସରମାନଙ୍କୁ ନିଜର ଦକ୍ଷତା ଓ ସଫଳତା ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବାକୁ ଗୌରବାନ୍ବିତ କରିବାକୁ କହିଥିଲେ I ପ୍ରଶାସନିକ ଅଧିକାରୀଭାବେ ସମସ୍ୟା ସମାଧାନ କରିବାର କଳା ସେମାନଙ୍କୁ ଦକ୍ଷ ଏବଂ ସନ୍ତୋଟ ଅଫିସରଭାବେ ପରିଗଣିତ କରାଇବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼କ୍ଟର ପ୍ରତାପ କୁମାର ମିଶ୍ର ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଦୁଇଜଣ ଟ୍ରେନି ଅଫିସର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ଓ ଅନୁଭୂତି ବର୍ଦ୍ଧନା କରିଥିଲେ। ଏହି ଉତ୍ସବରେ ୧୨୭ଜଣ ଟ୍ରେନିଂ ଅଫିସରଙ୍କ ମଧ୍ୟରେ ୫୫ଜଣ ମହିଳା ଟ୍ରେନି ଅଫିସରଙ୍କ ସମେତ ଏକାଡେମୀର ଅନ୍ୟ ଅଧିକାରୀ ଏବଂ ରାଜଭବନର ଅଧୁକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget