ଭୁବନେଶ୍ୱର, ୨୭ ଫେବୃୟାରୀ ୨୦୨୪
- ସ୍ୱୟମ୍ ଏକ ବୃହତ ଓପନ୍ ଅଲାଇନ କୋର୍ସ, ଯାହା ବହୁ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରୁଛି
- ସେମି-କଣ୍ଡକ୍ଟର ଏବଂ ଏଆଇ ଭଳି ଭବିଷ୍ୟତର ପାଠ୍ୟକ୍ରମ ପ୍ରଦାନ କରିବାର ଯୋଜନା
- ଭବିଷ୍ୟତ ପାଠ୍ୟକ୍ରମ ମାତୃଭାଷାରେ କରିବା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ
- ସମସ୍ତ ଶିକ୍ଷାର୍ଥୀଙ୍କୁ ସର୍ବୋତ୍ତମ ଶିକ୍ଷା ଉପଲବ୍ଧି କରାଇବା ଦିଗରେ ଡିଜିଟାଲ ପଦ୍ଧତିର ବହୁଳ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପ୍ରାଥମିକତା
ଟେକ୍ନୋଲୋଜି ଜରିଆରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଉପଲବ୍ଧ କରାଇବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ଠାରେ ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ମୋଟ ନାମଲେଖା ଅନୁପାତ ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୬୫ ପ୍ରତିଶତ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଅର୍ଥାତ୍ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଯଥାକ୍ରମେ ୩୭ ନିୟୁତ ଏବଂ ୬୬ ନିୟୁତ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଡ଼ିହେବାର ଆକଳନ କରାଯାଇଛି । ସମସ୍ତ ଶିକ୍ଷାର୍ଥୀଙ୍କୁ ସର୍ବୋତ୍ତମ ଶିକ୍ଷାର ଉପଲବ୍ଧି କରାଇବା ଦିଗରେ ଡିଜିଟାଲ ପଦ୍ଧତିର ବହୁଳ ବ୍ୟବହାର ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି । ଏ ଦିଗରେ ସ୍ୱୟମ୍ ହେଉଛି ଶିକ୍ଷା ମନ୍ତ୍ରଣାଳୟର ଏକ ବୃହତ ଓପନ୍ ଅଲାଇନ କୋର୍ସ(ଏମଓଓସି) ପ୍ଲାଟଫର୍ମ, ଯାହା ବହୁ ସଂଖ୍ୟକ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରୁଛି।
ସେ କହିଛନ୍ତି ଯେ ଆମେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରିଥିବା ବେଳେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆପିଢିଙ୍କୁ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ । ଆଗାମୀ ଦିନରେ ଆମର ଅର୍ଥନୀତି ୩୦ରୁ ୩୫ ଟ୍ରିଲିୟନ ଆମେରିକୀୟ ଡଲାର ହେବ । ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବଢିଥିବା ବେଳେ ବିଶେଷ ଭାବରେ ଛାତ୍ରୀଙ୍କ ସଂଖ୍ୟା ବଢିଛି । ଷ୍ଟେମ ଶିକ୍ଷାରେ ୪୩ ପ୍ରତିଶତ ଛାତ୍ରୀ ବଢିଛନ୍ତି, ଯାହା ଦୁନିଆର ସବୁଠୁ ସର୍ବାଧିକ । ଆଗାମୀ ଦିନରେ ପାଠପଢା କଣ ହେବ, ଜ୍ଞାନ ଆବଶ୍ୟକତା କଣ ରହିବ, ପ୍ରତିଯୋଗିତା ପାଇଁ କଣ ଆବଶ୍ୟକତା ପଡିବ, ଏହା ଉପରେ ଚର୍ଚ୍ଚା କରିବା ଦରକାର । ଆଗାମୀ ଦିନରେ ସେମିକଣ୍ଡକର ଓ ଏଆଇ ବଢିବ ଦିଗରେ ସ୍ୱୟମର ବିଶେଷ ଯୋଗଦାନ ରହିବ । ଯୁବପିଢ଼ିଙ୍କ ପାଇଁ ସେମି କଣ୍ଡକ୍ଟର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଭବିଷ୍ୟତ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ ହେବା ଦରକାର, ଯାହା ଦ୍ୱାରା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରାଯାଇପାରିବ, କାରଣ ଉଦ୍ଭାବନର କୌଣସି ଭାଷା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment