ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୪
- ଆଚରଣ ବିଧି ଲାଗୁ ସତ୍ୱେ ମହିଳା ଏସ୍ଏଚଜି ଗ୍ରୁପର ନେତ୍ରୀମାନଙ୍କୁ ବିଦେଶ ଭ୍ରମଣର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର
- କେନ୍ଦୁଝର ଜିଲ୍ଲା ବଡବିଲର ବିଜେପି କାର୍ଯ୍ୟକର୍ତା ଶ୍ରୀ କିଷାନ ସିଂହଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣରେ ସଂପୃକ୍ତ ବିଜେଡି କର୍ମୀକୁ ପୋଲିସ ଛାଡି ଦେଇଛି
- ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ସରକାରୀ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ
ସରକାରୀ କଳ,ବଳ, ହିଂସା ପ୍ରୟୋଗ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବିଜେଡି: ଡ.ଲେଖାଶ୍ରୀ |
“ଆଦର୍ଶ ଆଚରଣ ବିଧି” ଲାଗୁ ହେବା ପରେ ମଧ୍ୟ ରାଜ୍ୟ ସରକାର ମହିଳା ଏସ୍ଏଚଜି ଗ୍ରୁପର ନେତ୍ରୀମାନଙ୍କୁ ବିଦେଶ ଯାତ୍ରାର ବ୍ୟବସ୍ଥା କରିଛନ୍ତି । ଯାହା ଖୋଲାଖୋଲି “ଆଦର୍ଶ ଆଚରଣ ବିଧି”ର ଉଲଘଂନ । ଏସ୍ଏଚଜି ଗ୍ରୁପର ମହିଳାଙ୍କୁ ବିଜେଡି ସରକାର ଗତ ୨୩ତାରିଖରେ ଏକ୍ସପେଣ୍ଡିଟୁର (ଓଟଡିସି) ନାଁରେ ଦୁବାଇ ନେଇ ବୁଲାଇଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜୁ ଜନତା ଦଳ ଏସ୍ଏଚଜି ମହିଳାଙ୍କୁ ପ୍ରଲୋଭନ ଦେଖାଇ କର୍ମୀଭଳି କାର୍ଯ୍ୟ କରାଇବା ପାଇଁ ଏଭଳି କାର୍ଯ୍ୟ କରିଛି । ବିଜେଡି ଏଭଳି ହୀନ କାର୍ଯ୍ୟ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁ ।ନ ଗ୍ରହଣ କରନ୍ତୁ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି ।
ପ୍ରତ୍ୟେକ ନିର୍ବାଚନ ଭଳି ବିଜୁ ଜନତା ଦଳ କଳ, ବଳର ଅପବ୍ୟବହାର କରିବା ଆରମ୍ଭ କଲାଣି । ଗତ ନିର୍ବାଚନରେ ଓଡ଼ିଶାରେ ୧୮ଟି ରାଜନୈତିକ ହତ୍ୟା ହୋଇଥିଲା । ହିଂସା, ମାରପିଟ୍ରେ ଗଣତନ୍ତ୍ରରେ କୌଣସି ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ବଡ ବଡ କଥା କହି ମହାପୁରୁଷ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ନିଜ ଦଳର ଲୋକମାନେ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ବିଭିନ୍ନ ଜାଗାରେ ମାରପିଟ୍ କରିବା ଆରମ୍ଭ କରିଛନ୍ତି । ଉଦାହରଣ ସ୍ୱରୂପ, କେନ୍ଦୁଝରର ବଡବିଲ ଶ୍ରୀରାମନଗରର ବିଜେପିର କର୍ମୀ ଶ୍ରୀ କିଷାନ ସିଂହଙ୍କ ଉପରେ ମରଣାନ୍ତ୍ରକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର କର୍ମୀ ଇଶ୍ୱର ନାଇଡୁ, ବିଜୟ ସାହୁ ଏବଂ ତାଙ୍କ ସହ ଆଉ ଦୁଇ ଜଣ । ଏହି ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାମଲା ପରେ ଏମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଯେ, ସେମାନେ ବିଜୁ ଜନତା ଦଳ କର୍ମୀ ବୋଲି ଜାଣିଲା ପରେ ତାଙ୍କୁ ପୋଲିସ ଛାଡି ଦେଇଛି । ଏଥିରୁ ସ୍ପଷ୍ଟ ପୋଲିସ, ପ୍ରଶାସନ ବିଜୁ ଜନତା ଦଳର କର୍ମୀ ଓ ଗୁଣ୍ଡାମାନଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି । ଏଭଳି ପରିସ୍ଥିତିରେ ଅବାଧ ଓ ଭୟମୁକ୍ତ ନିର୍ବାଚନ ହେଲାଭଳି ଲାଗୁ ନାହିଁ । ୨୦୨୪ ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ଡ.ଲେଖାଶ୍ରୀ ।
ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର ରଞ୍ଜନ ସେଠୀ, ଓଏଏସ୍ ସ୍ନେହାରତନ ମହାନ୍ତି, ଉପଜିଲ୍ଲାପାଳ ପ୍ରଶାନ୍ତ ରାୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳକ ପ୍ରକାଶ ରାଉଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।
ସେହିପରି ଭଦ୍ରକ ଜିଲ୍ଲାର ପିଇଓ ରାଜେନ୍ଦ୍ର ପ୍ରଧାସ ଦାସ, ନିରଞ୍ଜନ ଶଙ୍ଖୁଆ, ରାଜକିଶୋର ଦାସ, ବବ୍ରୁ ବାହନ ମଲ୍ଲିକ, ପିୟୁସକାନ୍ତି ଦାସ, ସର୍ବେଶ୍ରୀ ପଟ୍ଟନାୟକ, କମଳାକାନ୍ତ କର, ଧୀରେନ୍ଦ୍ର ନାୟକ, ଜେଇ ପ୍ରଭାତ ବେହେରା, ବିଶ୍ୱଜିତ୍ ଦାସ, ଗୋବିନ୍ଦ ସାମଲ, ଜାଡୁ ଟୁଡୁ, ଅମିୟ କୁମାର ପଲେଇ, ବିଏଲଏଫ ସଭାପତି ମାନସୀ ପାଢ଼ୀ, ମିଶନଶକ୍ତିର ବ୍ଲକ ପ୍ରୋଗ୍ରାମ ସଭାପତି ଷ୍ଟାଲିନ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।
ଗଞ୍ଜାମର ବ୍ଲକ ଏଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବ୍ଲକ ଜେଇ ପ୍ରକାଶ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାତ୍ର, ସୁନୀତା କୁମାରୀ ଦାସ, ଏସ୍ ଶଙ୍କର ନାରାୟଣ ସୁବୁଧି, ଶରତ କୁମାର ମଲ୍ଲ, ମିନତୀ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।
ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ଏମାନଙ୍କୁ ରାଜ୍ୟ ସରକାର ଜାଣିଶୁଣି ବ୍ୟବହାର କରୁଥିବାର ଅନେକ ନଜିର ରହିଛି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Post a Comment