ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୪
କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଏବଂ ପାର୍ବତୀପୁର ଜିଲ୍ଲା ପ୍ରଶାସନ ବାରମ୍ବାର ହସ୍ତକ୍ଷେପ କରି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏହି ଅଞ୍ଚଳର ଗରିବ ଜନସାଧାରଣଙ୍କୁ ବିଭିନ୍ନ ଲୋଭନୀୟ ଜନକଲ୍ୟାଣକାରୀ ଯୋଜନା ଜରିଆରେ ନିଜ ଆଡକୁ ଆକର୍ଷିତ କରି ନେବାପାଇଁ ଆନ୍ଧ୍ର ପ୍ରଶାସନର ଉଦ୍ୟମ ଅବ୍ୟାହତ ରହିଛି । ରାସ୍ତା, ବିଜୁଳି, ପିଇବା ପାଣି, ସ୍ୱାସ୍ଥ୍ୟସେବା, ମାଗଣା ଚାଉଳ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଠାରୁ ଆରମ୍ଭ କରି ପିଲାମାନଙ୍କର ପାଠପଢା ପାଇଁ ବିଭିନ୍ନ ଲୋଭନୀୟ ସ୍କିମ୍ ଜରିଆରେ ଆନ୍ଧ୍ର ଏହି ଲୋକମାନଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛି । ଆଗାମୀ ସାଧାରଣ ନିର୍ବାଚନରେ ଆନ୍ଧ୍ର ସରକାର କୋଟିଆବାସୀଙ୍କୁ ନିଜ ସପକ୍ଷରେ ଅଧିକ ଭୋଟ୍ଦାନ ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସ୍ଥାନୀୟ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ଏ ଦିଗରେ ନିରବ । ରାଜ୍ୟ ସରକାର ମଧ୍ୟ ଉଭୟ ରାଜ୍ୟର ମୁଖ୍ୟସଚିବଙ୍କୁ ନେଇ କୋଟିଆ ସମସ୍ୟାର ସମାଧାନ ପାଇଁ ଯେଉଁ ଉଚ୍ଚସ୍ତରୀୟ ବୈଠକ କରିବା କଥା, ତାହା ଏପର୍ଯ୍ୟନ୍ତ କରିନାହାଁନ୍ତି । ତେଣୁ ଆଗାମୀ ନିର୍ବାଚନରେ ଓଡ଼ିଶାର ସୀମା ସୁରକ୍ଷା ଉପରେ ଆନ୍ଧ୍ରର ହସ୍ତକ୍ଷେପକୁ ବନ୍ଦ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ତୁରନ୍ତ ଦୁଇ ରାଜ୍ୟର ମୁଖ୍ୟ ସଚିବସ୍ତରୀୟ ବୈଠକ କରି ଏହି ମାମଲାରେ ଓଡ଼ିଶାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପତ୍ର ଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଆନ୍ଧ୍ର ସରକାର ବହୁଳ ଭାବରେ କୋଟିଆବାସିଙ୍କୁ ଭୋଟ୍ ଦାନ କରି ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ନିଜର ମାଲିକାନାକୁ ଜାହିର କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ଓଡ଼ିଶା ସରକାର ଉଚିତ୍ ଜବାବ ଦେବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।
Post a Comment