loading...

ପିଏମ୍‌-ପୋଷଣକୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୧ ଜୁଲାଇ ୨୦୨୪


ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ଗୁରୁତ୍ୱଦିଅ : ମନ୍ତ୍ରୀ



ସରକାରୀ ବିଦ୍ୟାଳୟରେ ପଢ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ପରିସରରେ ଆଜି ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ୮ ଟି ପର୍ଯ୍ୟାୟରେ ଆସନ୍ତା ଅଗଷ୍ଟ ୭ ତାରିଖ ଯାଏଁ ଚାଲିବ । ଭାରତ ସରକାରଙ୍କ ପିଏମ-ପୋଷଣ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ ସଂଗଠନ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ସମ୍ପର୍କରେ ଆଲୋଚନା କରାଯାଇଛି ।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଓଡ଼ିଶାରେ କିପରି ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇପାରିବ ସେ ନେଇ ଅଭିଭାଷଣ ରଖିଥିଲେ । ଏହାସହ ଅପପୁଷ୍ଟି ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଟି ଜିଲ୍ଲାରୁ ୮୦୦ ଜଣ ପାଚିକା ତଥା ସହାୟିକାଙ୍କୁ ମାଷ୍ଟର ଟ୍ରେନର ଭାବରେ ୮ ଟି ପର୍ଯ୍ୟାୟରେ ଦୁଇଦିନିଆ ପ୍ରଶିକ୍ଷଣ ଦିଆଯିବ । ଏହି ଅବସରରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନେ ଅଂଶଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେ ନେଇ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । 

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ମୁଖ୍ୟ ଶ୍ରୀ ହିମାଂଶୁ ବଳ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଉତ୍କଷ୍ଟମାନ ସାମଗ୍ରୀ ବ୍ୟବହାର କରିବା, ରୋଷେଇ ପ୍ରଣାଳୀ, ଆବର୍ଜନା ପରିଚାଳନା ଏବଂ ପୋଷଣ ଉଦ୍ୟାନର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏଫଏସ୍‌ଏସ୍‌ଏଆଇ ରେ ପଞ୍ଜୀକୃତ ହୋଇଥିବା ସଂସ୍ଥା ଦ୍ୱାରା ଖାଦ୍ୟ ସୁରକ୍ଷା ତାଲିମ୍‌ ଏବଂ ପ୍ରମାଣୀକରଣ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି କିପରି ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାର ସମଗ୍ର ରାଜ୍ୟରେ ପୃଷ୍ଟିହୀନତାର ମୁକାବିଲା ଏବଂ ବିଦ୍ୟାଳୟରେ କିଭଳି ଉପସ୍ଥାପନ ବୃଦ୍ଧି କରାଯାଇ ପାରିବ ଏହି ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ସିଂହ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget