ଭୁବନେଶ୍ୱର, ୧୦ ଜୁଲାଇ ୨୦୨୪
- ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ କରି ଜନ ସଚେତନତା ଉପରେ ଗୁରୁତ୍ୱ
- ରାଜ୍ୟସ୍ତରୀୟ ଆକ୍ସନ ପ୍ଲାନ କାର୍ଯ୍ୟକାରିତା ଓ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ
ରାଜ୍ୟରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସଂପର୍କରେ ବ୍ୟପକ ଜନସଚେତନତା ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା , ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଇଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ମହାନଗର ନିଗମର କମିଶନରମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା, ସମସ୍ତ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଡେଙ୍ଗୁ ରୋଗର ସ୍ଥିତି ସଂପର୍କରେ ସମୀକ୍ଷା କରିବା ସହ ଏହି ରୋଗ ନବ୍ୟାପିବା ପାଇଁ କି କି ପଦକ୍ଷେପ ନିଆ ଯାଇଛି ସେ ସଂପର୍କରେ ସବିଶେଷ ସମୀକ୍ଷା କରି ଏଥି ନିମନ୍ତେ ସଂପୃକ୍ତ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଜ୍ୟସ୍ତରରେ ଆକ୍ସନ ପ୍ଲାନ୍ ଓ ଏସଓପି ରହିଛି । ଆକ୍ସନ ପ୍ଲାନ୍ ଅନୁସାରେ କାର୍ଯ୍ୟ କରିବା ସହ ଏସଓପି ଅନୁପାଳନକୁ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ରାଜ୍ୟରେ ଡ଼େଙ୍ଗୁ ରୋଗର ସ୍ଥିତି ସଂପର୍କରେ ସୂଚନା ଦେଇ ତଥ୍ୟ ଉପସ୍ଥାପନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୧୨୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୭୪ ଟି ଭୁବନେଶ୍ୱର ମହାନଗର ନିଗମ ଅଂଚଳର । ଜୁନ ମାସରେ ଆଜି ସୁଦ୍ଧା ୩୪,୪୭୬ ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ଅଦ୍ୟାବଧି ୨୬ ଟି ଜିଲ୍ଲାରୁ ୪୬୩ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନୁଗୁଳ, ଦେବଗଡ, ନୂଆପଡା ଓ ସୁବର୍ଣ୍ଣପୁର ଜିଲ୍ଲାରେ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଚଳିତ ଜୁନ ମାସ ସୁଦ୍ଧା ଏ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁରେ ମୃତ୍ୟୁ ବରଣ କରିଥିବା କୌଣସି ରିପୋର୍ଟ ଆସିନାହିଁ । ତେବେ ଡେଙ୍ଗୁ ଭୂତାଣୁ ଏଡିସ୍ ମଶା ସଂକ୍ରାମକ କାମୁଡା ଦ୍ୱାରା ଲୋକଙ୍କୁ ସଂକ୍ରମିତ କରୁଥିବାରୁ ଚଳିତ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଏ ଦିଗରେ ବ୍ୟାପକ ଜନ ସଚେତନର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ୟୁଟ୍ୟୁବ୍ ବ୍ୟବହାର ସମେତ ଅନ୍ୟ ସାମାଜିକ ଗଣମାଧ୍ୟମ, ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ , ମୁଦ୍ରଣ, ବୈଦ୍ୟୁତିକ ଗଣମାଧ୍ୟମ ଆଦି ବ୍ୟବହାର ଜରିଆରେ ବ୍ୟାପକ ପ୍ରଚାର ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ବୈଠକରେ ବିଭିନ୍ନ ବିଭାଗ ତରଫରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ବିଜ୍ଞାପିତ ଅଂଚଳ ମ୍ୟୁନସିପାଲିଟି ଓ ମହାନଗର ନିଗମ ଅଂଚଳରେ ବିଭିନ୍ନ ଗୋଷ୍ଠୀ ସହଯୋଗିତାରେ ସହରାଂଚଳ ଟ୍ୟାକ୍ସ ଫୋର୍ସ ଟିମ ଗଠନ କରିବାକୁ ଗୁରୁତ୍ୱ ଦିଆଯିବା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହ ପଡି ରହୁଥିବା ପ୍ଲାଷ୍ଟିକ ବ୍ୟାଗ୍, କପ୍, ନଡିଆକତା ଆଦିକୁ ହଟାଇବା ଏବଂ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପ୍ରାର୍ଥନା ସଭା ସମୟରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଆବାସିକ ବିଦ୍ୟାଳୟ ଗୁଡିକରେ ମଶାରୀ ବ୍ୟବହାରକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମହିଳା ଓ ଶିଶୁ ବିଭାଗ ତରଫରୁ ଅଂଙ୍ଗନବାଡି କର୍ମୀମାନଙ୍କୁ ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସମନ୍ୱୟ ରଖି ମହିଳା ଓ ପିଲାମାନଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସଂପର୍କରେ ସଚେତନ କରିବା ଏବଂ ମଶା ବଂଶ ବୃଦ୍ଧି ସ୍ଥାନ ଚିହ୍ନଟ କରି ଏହାର ଉତ୍ସ ନଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । କୃଷି ବିଭାଗ ତରଫରୁ “ଆମ କୃଷି” କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ମଶା ପ୍ରତି ସଚେତନ ରହିବା ସହ ବ୍ୟବହାରିକ ପରିବର୍ତ୍ତନ, ନିର୍ଦ୍ଦିଷ୍ଟ ଜଳାଶୟରେ ମଶା ଲାର୍ଭା ନଷ୍ଟ କରୁଥିବା ମାଛ ଛାଡିବା ଉପରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ନିଆଯିବା ସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ପାଢୀ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ ।
ସେହିପରି ଶିଳ୍ପ ବିଭାଗ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଓ ପଛୁଆ ବର୍ଗ ବିଭାଗ ତରଫରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ସମ୍ମଳିତ ପ୍ରୟାସ ଜାରି ରହିବାକୁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଂଚାୟତିରାଜ ପ୍ରତିନିଧି, ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସ୍ତରରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି କୌଣସି ସ୍ଥାନରେ ବେଶୀ ଦିନ ପାଣି ଜମି ନରହେ, ସେଥିପାଇଁ ସପ୍ତାହରେ ଥରେ “ ଡ୍ରାଏ ଡେ” ବିଭିନ୍ନ ସ୍ତରରେ ପାଳନ କରାଯାଉଥିବା ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ସମସ୍ତ ବିଭାଗ ଓ ଜନସାଧାରଣଙ୍କ ସହଯୋଗରେ ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ଏବଂ ସଚେତନତା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
Post a Comment