ଭୁବନେଶ୍ୱର, ୩୦ ଅଗଷ୍ଟ ୨୦୨୪
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବଣ୍ଡା ଆଦିମ ଜନଜାତିର ପ୍ରଥମ ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ରାଜ୍ୟପାଳ ରଘୁବର ଦାସ ସମ୍ବର୍ଦ୍ଧିତ କରିଛନ୍ତି। ତା୩୦.୦୮.୨୦୨୪ରିଖ ଶୁକ୍ରବାର ସନ୍ଧ୍ୟାରେ ରାଜଭବନଠାରେ ରାଜ୍ୟପାଳ ଶ୍ରୀ ଦାସ କୃତୀ ଛାତ୍ର ମଙ୍ଗଳାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ଏବଂ ମଙ୍ଗଳାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ମଙ୍ଗଳାଙ୍କ ସହିତ କଥାବାର୍ତା ବେଳେ ତାଙ୍କର ବାପା, ମାଆ, ପରିବାର, ଚଳଣି ଏବଂ ଶିକ୍ଷା ସଂପର୍କରେ ରାଜ୍ୟପାଳ ପଚାରି ବୁଝିଥିଲେ। ବିଭିନ୍ନ ଅସୁବିଧା ସତ୍ତ୍ୱେ ମଙ୍ଗଳାଙ୍କର ଦୃଢ଼ ମନୋବଳ ଏବଂ ପରିଶ୍ରମ ତାଙ୍କୁ କେବଳ ସଫଳତାର ରାସ୍ତା ଦେଖାଇ ନାହିଁ; ବରଂ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ରାଜ୍ୟପାଳ କହିଥିଲେ। ଶୁକ୍ରବାର ଦିନ ମଙ୍ଗଳା ଏମ୍.କେ.ସି.ଜି ହସ୍ପିଟାଲ ଓ ମେଡିକାଲ କଲେଜରେ ଏମ୍.ବି.ବି.ଏସ୍. ପାଠ୍ୟକ୍ରମ ପାଇଁ ନାମ ଲେଖାଇଛନ୍ତି ଜାଣି ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ ଏବଂ ନିଜର ଲକ୍ଷ ହାସଲ ଦିଗରେ ଆଗେଇ ଯିବାକୁ ପ୍ରେରଣା ଦେଇଥିଲେ। ଏତଦ୍ବ୍ୟତୀତ ରାଜ୍ୟପାଳ ମଙ୍ଗଳାଙ୍କର ଏପରି କୃତିତ୍ୱ ପାଇଁ ଅନନ୍ୟ ଭୂମିକା ଗ୍ରହଣ କରିଥିବା ତାଙ୍କର ଶିକ୍ଷକ ଉତ୍କଳ କେଶରୀ ଦାସଙ୍କ ସହିତ ବାର୍ତାଳାପ କରିବା ସହ ସାଧୁବାଦ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ ମଙ୍ଗଳା ମୁଦୁଲି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଡବେଲ ଗ୍ରାମର ହାଡ଼ି ମୁଦୁଲି ଏବଂ ଶ୍ରୀମତୀ ମଙ୍ଗୁଳି ମୁଦୁଲିଙ୍କର ସୁପୁତ୍ର ଅଟନ୍ତି। ସେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ ମୁଦୁଲିପଡ଼ା ବାଳକ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିବା ବେଳେ ବୋଲଦିଆଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।
Post a Comment