ଭୁବନେଶ୍ୱର, ୩୦ ଅଗଷ୍ଟ ୨୦୨୪
- ୨୫ ଶହ ଟନ କ୍ଷମତାବିଶିଷ୍ଟ ଏହି କେନ୍ଦ୍ର ପାଇଁ ଖର୍ଚ୍ଚ ହେବ ୭୮.୨୫ କୋଟି ଟଙ୍କା
- ‘ମାଛର ବିକ୍ରୟ ସହିତ ରପ୍ତାନି ସୁବିଧାଜନକ ହୋଇପାରିବ’: ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭାସି ମାଧ୍ୟମରେ ବାଲେଶ୍ୱର ଜିଲ୍ଲା ବସ୍ତା ନିକଟସ୍ଥ ବାହାର୍ଦାଠାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟକର ପାଇକାରୀ ମତ୍ସ୍ୟ ବିକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାତିରାଜ, ମତ୍ସ୍ୟପାଳନ, ପଶୁପାଳନ ଓ ଡେୟାରୀ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ୍ ଲଲନ୍ ସିଂହ, ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ୍, ମତ୍ସ୍ୟପାଳନ, ପଶୁପାଳନ ଓ ଡେୟାରୀ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ୍, ସଂଖ୍ୟାଲଘୁ, ମତ୍ସ୍ୟପାଳନ, ପଶୁପାଳନ ଓ ଡେୟାରୀ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିୟନ୍, ବନ୍ଦର, ପରିବହନ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ଉପସ୍ଥିତ ରହି ଆଭାସି ମାଧ୍ୟମରେ ବକ୍ତବ୍ୟ ରଖିଥିଲେ ।
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ବାହାର୍ଦାଠାରେ ଆୟୋଜିତ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରି କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଫ୍ଆଇଡିଏଫ୍ ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନା ଅଧୀନସ୍ଥ ୧୨୦୦ କୋଟି ଟଙ୍କାର ବିଭିନ୍ନ ମତ୍ସ୍ୟ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହିତ ୩୬୪ କୋଟି ଟଙ୍କା ମୂଲ୍ୟର ପୋତସଂଚାର ଓ ସହାୟତା ପ୍ରଣାଳୀର ଶୁଭାରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ବାହାର୍ଦା ମତ୍ସ୍ୟ ବିକ୍ରୟ କେନ୍ଦ୍ର ନିର୍ମାଣ ସଂପୂର୍ଣ୍ଣ ହେଲେ ରାଜ୍ୟରେ ଉତ୍ପାଦିତ ସାମୁଦି୍ରକ, ଖାରିପାଣି ଓ ଅନ୍ତର୍ଦେଶୀୟ କ୍ଷେତ୍ରରୁୁ ଉତ୍ପାଦିତ ମାଛର ବିକ୍ରୟ ସହିତ ରପ୍ତାନି ସୁବିଧାଜନକ ହୋଇପାରିବ । ଓଡ଼ିଶା ଦେଶର ଚତୁର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ । ଓଡ଼ିଶାର ମତ୍ସ୍ୟ ବ୍ୟବସାୟୀମାନେ ନିଜସ୍ୱ ମାଛ ଓ ମତ୍ସ୍ୟଜାତ ଦ୍ରବ୍ୟ ବିକ୍ରୟ ନିମନ୍ତେ ପଶ୍ଚିମବଙ୍ଗର ଦିଘା ଉପରେ ନିର୍ଭର କରି ଉତ୍ପାଦନ ତଥା ବିକି୍ରରେ ବିିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ବିକ୍ରୟ କେନ୍ଦ୍ର ଫଳରେ ସେମାନଙ୍କର ସୁବିଧା ହେବ ଓ ସେମାନେ ଉପଯୁକ୍ତ ମୂଲ୍ୟ ପାଇବେ । ବାହାର୍ଦା ମତ୍ସ୍ୟ ବିକ୍ରୟ କେନ୍ଦ୍ର ରାଜ୍ୟର ଏକ ଆଦର୍ଶ ପ୍ରକଳ୍ପ ଭାବେ ପରିଗଣିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନା କାର୍ଯ୍ୟକାରୀ ହେଉଥିବା ଦର୍ଶାଇଥିଲେ ଏବଂ ଏହା ଫଳରେ ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବ ବୋଲି ଉଲ୍ଲେଖ କରିଥିଲେ । ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ମଧ୍ୟ ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ସ୍ୱାଗତ ସୂଚନା ଓ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲମ୍ ମଧ୍ୟ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ବାହର୍ଦା ସରକାରୀ କୃଷି ଫାର୍ମ ନିକଟସ୍ଥ ୨୦ ଏକର ପରିମିତ ସ୍ଥାନରେ ଏହି ପାଇକାରୀ ମତ୍ସ୍ୟ ବିକ୍ରୟ କେନ୍ଦ୍ର କରାଯିବା ପାଇଁ କେନ୍ଦ୍ର ସରକାର ପ୍ରଥମ ଦଫାରେ ୭.୫ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୫ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ସଂପୂର୍ଣ୍ଣ ପ୍ରକଳ୍ପର ବ୍ୟୟ ଅଟକଳ ୭୮.୨୫ କୋଟି ଟଙ୍କା ରଖାଯାଇଛି । ଏଥିରୁ କେନ୍ଦ୍ର ସରକାର ୩୦ କୋଟି ଟଙ୍କା ଓ ରାଜ୍ୟ ସରକାର ୪୮.୨୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ପ୍ରକଳ୍ପ ଜୁନ୍ ୨୦୨୬ ସୁଦ୍ଧା ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି । ୨୫ ଶହ ଟନ ମାଛ ବିକ୍ରୟ ସାମର୍ଥ୍ୟ ଥିବା ଏହି ପ୍ରକଳ୍ପ ଫଳରେ ୧୩୨ ଜଣ ମତ୍ସ୍ୟ ବ୍ୟବସାୟୀଙ୍କ ସମେତ ୧୯୦୦ ବ୍ୟବସାୟୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲାଭାନ୍ୱିତ ହେବେ । ଏହା ବ୍ୟତୀତ ଏକ ଲକ୍ଷ ଲୋକ ଉପକୃତ ହେବେ ।
ଏହି ମତ୍ସ୍ୟ ବ୍ୟବସାୟ କେନ୍ଦ୍ରରେ କାର୍ଯ୍ୟାଳୟ, ବିଜ୍ଞାନାଗାର, ଲୋଡ଼ିଂ ଓ ଅନ୍ଲୋଡ଼ିଂ ବ୍ୟବସ୍ଥା, ଶୀତଳୀକରଣ କେନ୍ଦ୍ର, ଜଳଯୋଗ କେନ୍ଦ୍ର, ନିରାପତ୍ତା ବ୍ୟାରେଜ, ପାର୍କିଂ, ଜଳଯୋଗାଣ ଓ ସ୍ୱରେଜ, ଅନବରତ ବିଦୁ୍ୟତ ସଂଯୋଗ ପାଇଁ ଜେନେରେଟର, ସୌରଚାଳିତ ଆଲୋକରେ ସୌନ୍ଦର୍ଯ୍ୟକରଣ, ସୁରକ୍ଷା କାନ୍ଥ ଏବଂ ବୋରେୱଲ୍ ଓ ପାନୀୟ ଜଳ ବ୍ୟବସ୍ଥା ରହିବ । ବିକ୍ରୟ କେନ୍ଦ୍ରରେ ୧୩୨ଟି ପିଣ୍ଡି ବିଶିଷ୍ଟ ୨୨ଟି କ୍ଲଷ୍ଟର ରହିବ ।
Post a Comment