October 2024

ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୪


ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି 

ପବିତ୍ର କାଳିପୂଜା ଏବଂ ଧନ-ଧାନ୍ୟ, ସୁଖ-ସମୃଦ୍ଧି, ସଦ୍ଭାବ – ସୈାହାର୍ଦ୍ଦ୍ୟ ଓ ଆଲୋକର ମହାପର୍ବ ଦୀପାବଳି ଅବସରରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି ।

ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୪


 ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଶପଥ ପାଠ କରାଇଲେ ମୁଖ୍ୟ ଶାସନ ସଚିବ



ଭାରତର ସ୍ୱାଧୀନତା ସମୟରେ ଜାତୀୟ ସଂହତିରେ ପ୍ରମୁଖ ଅବଦାନ ରଖିଥିବା ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ “ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରାଯାଉଛି । ଏହି  ଦିବସ  ଆମର ଏକତା, ଅଖଣ୍ଡତା ରକ୍ଷା ସହିତ ଦେଶର ନିରାପତ୍ତା ପ୍ରତି ବିପଦକୁ ମୁକାବିଲା କରିବା ପାଇଁ ଆମ୍ଭମାନଙ୍କର ଅନ୍ତର୍ନିହିତ ଶକ୍ତି ଏବଂ  ସହନଶୀଳତାକୁ  ସୁନିଶ୍ଚିତ କରିବା ନିମନ୍ତେ  ପୁନଃ ପ୍ରତିବଦ୍ଧ ହେବା ପାଇଁ ସ୍ୱତନ୍ତ୍ର ଅବସର ଦେଇଥାଏ ।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ  ବିଭିନ୍ନ ବିଭାଗରେ “ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ” କରାଯାଇଛି ।  ଆଜି ପୂର୍ବାହ୍ନ ୧୧  ଘଣ୍ଟା ସମୟରେ ମୁଖ୍ୟ ଶାସନ ସଚିବ  ଶ୍ରୀ ମନୋଜ ଆହୁଜା ଯୋଗଦେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ । ସମସ୍ତେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ସମର୍ପିତ ରହିବା  ସହ ଦେଶବାସୀଙ୍କ ମଧ୍ୟରେ ଏହି ସନ୍ଦେଶ ପ୍ରସାର ପାଇଁ ପ୍ରଯତ୍ନ କରିବା ତଥା ଦେଶର ଆଭ୍ୟନ୍ତରୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ  ଯୋଗଦାନ କରିବାକୁ ଶପଥ କରିଥିଲେ । 

            ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଭିନ୍ନ ଶାଖାର ଅତିରିକ୍ତ ଶାସନ ସଚିବ, ବରିଷ୍ଠ ଅଧିକାରୀ, ଉପ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ଲୋକସେବା ଭବନସ୍ଥିତ ବିଭିନ୍ନ କାର୍ଯ୍ୟାଳୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଇଛି ।


ଭୁବନେଶ୍ୱର,  ୩୧ ଅକ୍ଟୋବର ୨୦୨୪



 ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ଶ୍ରାଦ୍ଧ ବାର୍ଷିକୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ କଂଗ୍ରେସ ଭବନ ପରିସରରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ସ୍ଥିତ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ପିସିସି ପକ୍ଷରୁ କଂଗ୍ରେସ ନେତାଗଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମହମ୍ମଦ ମୋକିମ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଜୟରାମ ପାଙ୍ଗୀ, ସମୀର କୁମାର ରାଉତରାୟ, ଚିନ୍ମୟ ପ୍ରସାଦ ବେଉରା, କିଶୋର ଜେନା, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ଚିନ୍ମୟ ସୁନ୍ଦର ଦାସ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ସନତ ଦାସ, ଅମୀୟ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ବିଶ୍ୱଜିତ ଦାଶ, ନଜିବୁର ରହମନ ଖାଁ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ପ୍ରଶାନ୍ତ ଚମ୍ପତି, ଆଲୋକ ମହାନ୍ତି, ନିକୁଞ୍ଜ ପଶାୟତ, ସୁଧାଂଶୁ ମହାନ୍ତି, ମାସୁଦ ଅଲ୍ଲୀ, ମିହିର ଆଚାର୍ଯ୍ୟ, ସଂଜୟ ମିଶ୍ର, ବିନୋଦ ପାଣି, ମୋଟରାଜ ଡୁଙ୍ଗଡୁଙ୍ଗ, ସଂଜୟ ରାଉତ, ବିଜୟ ଦ୍ୱିବେଦୀ, ଖଗେଶ୍ୱର ମଲ୍ଲିକ, ଦେବେନ୍ଦ୍ର ଦାସ, ସନ୍ତୋଷ ମହାନ୍ତି, ଶରତ ଚନ୍ଦ୍ର ସେଠୀ, ଛବି ମହାନ୍ତି, ବସନ୍ତ ପଣ୍ଡା, ରଞ୍ଜନ ଭୋଇ, କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ଆନୁଷ୍ଠାନିକ ଭାବେ ଏକ ନୂତନ ପାସେଞ୍ଜର ହଲ୍ଟ ଯାତ୍ରୀ ମାନଙ୍କୁ ସମର୍ପିତ କରାଯାଇଅଛି ଯାହା ଏହି ଅଞ୍ଚଳର ପରିବହନ ଭିତ୍ତିଭୂମିରେ ଏକ ଉଲ୍ଲେଖନୀୟ ଉନ୍ନତି ଘଟାଇଛି। ଅଟ୍ରି ପାସେଞ୍ଜର ହଲ୍ଟ ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱରର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବେଗୁନିଆର ମାନ୍ୟବର ବିଧାୟକ ଶ୍ରୀ ପ୍ରଦିପ କୁମାର ସାହୁ ଓ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ. ଏସ. ବଜୱାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି |

ଅଟ୍ରି ଏହାର ଉସ୍ମ ପ୍ରସବଣ ଝରଣା ଜଳ ପାଇଁ ପ୍ରସିଦ୍ଧ ଏବଂ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଅଛି ଯାହା ଏହି ନୂତନ ହଲ୍ଟକୁ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ପରିଦର୍ଶକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯାତାୟାତ ସୁବିଧା ପ୍ରଦାନ କରିବ | ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ଦଶପଲ୍ଲା-ଭୁବନେଶ୍ୱର ମେମୁ ପ୍ରଥମ ଟ୍ରେନ ଭାବେ ରହଣି ପ୍ରଦାନ କରିଛି |

ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣ ସମୟରେ ରେଳମନ୍ତ୍ରୀଙ୍କୁ ଉପସ୍ଥାପନ କରିଥିବା ଅଞ୍ଚଳର ଜନସାଧାରଣଙ୍କ ଦାବୀ ତଥା ଆକାଂକ୍ଷା ପୂରଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି |

ଅଟ୍ରି ପାସେଞ୍ଜର ହଲ୍ଟ ନିର୍ମାଣ କ୍ଷେତ୍ରରେ ପ୍ରାୟ ₹58 ଲକ୍ଷ ଟଙ୍କା ବ୍ୟୟ କରାଯାଇଅଛି ଯେଉଁଥିରେ 467 ମିଟର ଦୈର୍ଘ୍ୟ ପ୍ଲାଟଫର୍ମ, ଛଅ ଗୋଟି ଛୋଟ ଯାତ୍ରୀ ଆଶ୍ରୟସ୍ଥଳୀ ଏବଂ 30 ଜଣଙ୍କ ବସିବା କ୍ଷମତା ବିଶିଷ୍ଟ ଛଅ ଗୋଟି ବେଞ୍ଚ ଉପଲବ୍ଧ ଅଛି | ଏହା ସହିତ ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଭ୍ରମଣ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ 14 ଟି ଲାଇଟ ପୋଷ୍ଟ, ଏକ ନଳକୂଅ ଏବଂ ଏକ ବୁକିଂ କାଉଣ୍ଟର ସୁବିଧା ଗୁଡିକ ଅନ୍ତର୍ଭୁକ୍ତ ଅଛି |

ଏହି ବିକାଶ ସ୍ଥାନୀୟ ପର୍ଯ୍ୟଟନକୁ ବୃଦ୍ଧି କରାଇବା ସହିତ ଉକ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଉନ୍ନତ ଗମନାଗମନ ସଂଯୋଗ ଯୋଗାଇବ ଏବଂ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ସକରାତ୍ମକ ଯୋଗଦାନ ଦେବ ବୋଲି ଆଶା କରାଯାଉଛି |

ତୁରନ୍ତ ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ତିନି ଗୋଟି ଟ୍ରେନ ରହଣି ପାଇଁ ବ୍ୟବସ୍ଥା କରାଯାଇଅଛି | ଏହି ଟ୍ରେନ୍ ଗୁଡିକ ହେଉଛି ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ, ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ଏବଂ ପୁରୀ-ଦଶପଲ୍ଲା-ପୁରୀ ମେମୁ  ପାସେଞ୍ଜର ଟ୍ରେନ |

ଭଦ୍ରକରୁ ଛାଡୁଥିବା 08555/08556 ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ ଅଟ୍ରିରେ ପୂର୍ବାହ୍ନ 10ଘ.36ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.37ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଦଶପଲ୍ଲା ଠାରୁ ଏହି ଟ୍ରେନ ଅଟ୍ରି ଠାରେ ସନ୍ଧ୍ୟା 5ଘ.55ମି.ରେ ପହଞ୍ଚି ସନ୍ଧ୍ୟା 5ଘ.56ମି.ରେ ଭଦ୍ରକ ଅଭିମୁଖେ ଯାତ୍ରା କରିବ |

ଭୁବନେଶ୍ୱରରୁ ଛାଡୁଥିବା 08429/08430 ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ମେମୁ ଅଟ୍ରିରେ ପୂର୍ବାହ୍ନ 10ଘ.51ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.52ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଏହି ଟ୍ରେନ ଅଟ୍ରି ଠାରେ ସନ୍ଧ୍ୟା 5ଘ.14ମି.ରେ ପହଞ୍ଚି ସନ୍ଧ୍ୟା 5ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ |

ପୁରୀରୁ ଛାଡୁଥିବା 08423/08424 ପୁରୀ-ଦଶପଲ୍ଲା-ପୁରୀ ମେମୁ ଅଟ୍ରି ଠାରେ ସନ୍ଧ୍ୟା 7 ଘ.40 ମି.ରେ  ପହଞ୍ଚି ସନ୍ଧ୍ୟା 7 ଘ.41 ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଏହି ଟ୍ରେନ ଅଟ୍ରି ଠାରେ ସକାଳ 7 ଘ.52 ମି.ରେ ପହଞ୍ଚି ସକାଳ 7 ଘ.53 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



ପରିଚୟ କି ପ୍ରତିଷ୍ଠା ପାଇଁ ନୁହେଁ, ବରଂ ଭଲ ସାହିତ୍ୟର ପ୍ରସାରଣ ପାଇଁ ଜଣେ ଲେଖକ ଉଦ୍ୟମ କରିବା ଆବଶ୍ୟକ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖକ ତଥା ଅନୁବାଦକ ଡ. ପ୍ରମୋଦ କୁମାର ପରିଡ଼ା ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି । ‘ମୋ ସୃଜନ ମୋ ଜୀବନ’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ଡ. ପରିଡ଼ା କହିଛନ୍ତି ଯେ ସୃଜନ ଜୀବନଠାରୁ ବଡ଼ ହୋଇ ନ ପାରେ, ଏଥିରେ ଜୀବନବୋଧ ରହିଥାଏ । ଡ. ପରିଡ଼ା ତାଙ୍କ ସୃଜନଯାତ୍ରାର ବିବରଣୀ ଦେଇ ତାଙ୍କ ଲେଖକୀୟ ଜୀବନର ପ୍ରେରଣା ଭାବରେ ନିଜର ଅଧ୍ୟାପକ, ବନ୍ଧୁବୃନ୍ଦ ଓ ରେଭେନ୍ସା କଲେଜର ଉଦାହରଣ ଦେଇଥିଲେ । 

ପ୍ରସିଦ୍ଧ କବି ପ୍ରଫେସର ଡ. ସୌଭାଗ୍ୟ କୁମାର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଡ. ନନ୍ଦ କିଶୋର ବିଶ୍ୱାଳ, ଡ. ପ୍ରଦୀପ୍ତ କୁମାର ବାରିକ, ଆଭାସ ବରାଳ ପ୍ରମୁଖଙ୍କ ପ୍ରଶ୍ନର ଉତ୍ତର ଡ. ପରିଡ଼ା ଦେଇଥିଲେ । ତରୁଣ ଲେଖକ ଅଂଶୁମାନ ସାହୁ ‘ଏ ମାସର କଥାକାର’ ଭାବରେ ଯୋଗଦେଇ ସ୍ୱରଚିତ ଗଳ୍ପ ପାଠ କରିଥିଲେ । 

ପରେ ଡ. ଅଭୟ ନାରାୟଣ ନାୟକ ଓ ନିରୁପମା କରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମହେନ୍ଦ୍ର କୁମାର ମଲ୍ଲିକ, ପ୍ରବୀଣା ପରିଡ଼ା, ବିଧୁଭୂଷଣ ତ୍ରିପାଠୀ, ରଜନୀକାନ୍ତ ପଟ୍ଟନାୟକ, ଅଲେଖ ଚରଣ ରାଉତ, ସୁଜାତା ମହାପାତ୍ର, କ୍ଷଣପ୍ରଭା ମହାନ୍ତି, ଚକ୍ରଧର ଦାଶ, ପୂର୍ଣ୍ଣାନନ୍ଦ ମହାନ୍ତି, ପୁଷ୍ପଲତା ମିଶ୍ର, ଜୟନାରାୟଣ ନନ୍ଦ, ପ୍ରକାଶ ଚନ୍ଦ୍ର ବେହେରା, ପୁଷ୍ପଲତା ମିଶ୍ର ପତି, ମିହିରକାନ୍ତି ଦାଶ, ଚନ୍ଦନ ପଣ୍ଡା, ମାନିନୀ ଜେନା, ଜୟଶ୍ରୀ ପଟ୍ଟନାୟକ, ସୁଷମା ଦାଶ, ସୁବ୍ରତ ରଥ, ସତ୍ୟରଞ୍ଜନ ପରିଡ଼ା ପ୍ରମୁଖ କବିତା ପାଠ କରିଥିଲେ । ଡା. ଜୀବନକୃଷ୍ଣ ମିଶ୍ର ଆରମ୍ଭରେ ବେଦପାଠ କରିଥିବାବେଳେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪


  “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି”



ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗତକାଲି ମଙ୍ଗଳବାର  ସକାଳେ ଭିଜିଲାନ୍‌ସ ଭୁବନେଶ୍ୱର ଡିଭିଜନ୍‌ ତରଫରୁ ଏକ ରାଜ୍ୟସ୍ତରୀୟ ଶୋଭାଯାତ୍ରା ତଥା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ ଭବନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ  ଭିଜିଲାନ୍‌ସ  ଆରକ୍ଷୀ ନିରୀକ୍ଷକ  ଶ୍ରୀ ସଂଜୟ କୁମାର କୌଶଳ ଯୋଗଦେଇ ପତାକା ଦେଖାଇ ଶୋଭାଯାତ୍ରା ତଥା ପଦଯାତ୍ରାର ଶୁଭାରମ୍ଭ   କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ, ଭିଜିଲାନ୍‌ସ ଭୁବନେଶ୍ୱର ଡିଭିଜନ୍‌ ଶ୍ରୀମତୀ ଅନୁପମା ଜେମ୍‌ସ୍‌, ଆରକ୍ଷୀ ଅଧିକ୍ଷକ, ଭିଜିଲାନ୍‌ସ ସେଲ ଡିଭିଜନ, କଟକ ଶ୍ରୀ ଏମ୍‌. ରାଧାକ୍ରୀଷ୍ଣ, ଡିଆଇଜି, ସିବି  ଶ୍ରୀ ଆର୍‌. ପ୍ରକାଶ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରା ଶେଷ ପର୍ଯ୍ୟନ୍ତ ସଚେତନତାରେ ସାମିଲ ହୋଇଥିଲେ ।  

ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଓଡ଼ିଶା ସ୍କେଟିଂ ଏକାଡେମୀ,ଭୁବନେଶ୍ୱରର ଛାତ୍ରଛାତ୍ରୀ ଯୋଗଦେଇ ରାଜ ଭବନ ଛକଠାରୁ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ  ରିଜର୍ଭ ଅଫିସ୍‌, ପୋଲିସ କମିସନରେଟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଭିଜିଲାନ୍ସ ଡିଭିଜନ ତରଫରୁ ଭିଡିଓ ଓ୍ୱାଲ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦୁର୍ନୀତି ନିବାରଣ ସଚେତନତା ବାର୍ତ୍ତା ପ୍ରଚାର ସହିତ ଛାତ୍ରଛାତ୍ରୀମାନେ ବ୍ୟାନର, ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଦୁର୍ନୀତିକୁ ନା କହିବା,  ଲାଞ୍ଚ ଦେବା ଓ ନେବା ଏକ  ଆଇନଗତ ଧର୍ତ୍ତବ୍ୟ  ଅପରାଧ, ଦୁର୍ନୀତି ମୁକ୍ତ ସମାଜ ଗଠନ କରିବା, ଶପଥ ନେଇ ଦୁର୍ନୀତିକୁ ଲୋପ କରିବା ଭଳି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । 

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



  • ନିର୍ବାଚନକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସଂପାଦିତ କରିବା ପାଇଁ ରାଜ୍ୟ କର୍ମଶାଳା ଅନୁଷ୍ଠିତ
  • ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତାଲିକା ଘୋଷଣା

 ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରୀୟ ପାର୍ଟି। ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ । ଭାରତୀୟ ଜନତା ପାର୍ଟିର ମୂଳ ମନ୍ତ୍ର ହେଉଛି “ସେବା ହିଁ ସଂଗଠନ” ଏବଂ ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା। ପ୍ରତି ୬ବର୍ଷରେ ସମସ୍ତଙ୍କୁ ପୁନର୍ବାର ଆଉ ଥରେ ସଦସ୍ୟ ହେବା ପାଇଁ ସୁଯୋଗ ଦିଆଯାଏ । ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟୀର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇ ପ୍ରଥମେ “ପ୍ରାଥମିକ ସଦସ୍ୟତା ଅଭିଯାନ” ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ସମାଜର ସବୁବର୍ଗର ଓ ସବୁସ୍ତରର ଲୋକଙ୍କୁ ସାମିଲ କରାଯାଇ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରାଯାଇଛି । ଏବେ ସୁଦ୍ଧା ଅନଲାଇନରେ ୫୦ ଲକ୍ଷ ସଦସ୍ୟ ବିଜେପି ସହିତ ଯୋଡି ହୋଇ ସାରିଛନ୍ତି ଏବଂ ଅଫଲାଇନରେ ସଦସ୍ୟ ଯୋଡିବା ପ୍ରକ୍ରିୟା ଜାରୀ ରହିଛି । ବର୍ତମାନ ସକ୍ରିୟ ସଦସ୍ୟ ଅଭିଯାନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସଂପାଦିତ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି କହିଛନ୍ତି ।

କର୍ମଶାଳା ସଂପର୍କରେ ସୂଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ, ଆଜିଠାରୁ ସକ୍ରିୟ ସଦସ୍ୟତା ଅଭିଯାନ ଆରମ୍ଭ ହେଲା। ନଭେମ୍ବର ୫ ତାରିଖରେ ସକ୍ରିୟ ସଦସ୍ୟତାର ସୂଚୀ ପ୍ରସ୍ତୁତ କରାଯିବ। ଏହା ପରେ ଆସନ୍ତା ନଭେମ୍ବର ୨୫ ତାରିଖ ଦିନ ସକ୍ରିୟ ସଦସ୍ୟର ଦ୍ୱିତୀୟ ସୂଚୀ ପ୍ରକାଶ ପାଇବ ଏବଂ ସକ୍ରିୟ ସଦସ୍ୟମାନେ ପାର୍ଟିର ବିଭିନ୍ନ ଦାୟିତ୍ୱ ଓ ପଦପଦବୀରେ ରହିବେ। ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ସ୍ଥାନୀୟ ସମିତି ବା ବୁଥସ୍ତରୀୟ ନିର୍ବାଚନ ପ୍ରକ୍ରିୟା । ବୁଥଠାରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ପ୍ରଦେଶ ଏବଂ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ କମିଟିମାନର ଗଠନ ପ୍ରକ୍ରିୟା ଆଗାମୀ ଦୁଇ ମାସ ଧରି ଚାଲିବ । ଏଥି ପାଇଁ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ହୋଇସାରିଛି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡା.ସମ୍ବିତ ପାତ୍ର, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଦସ୍ୟତା ପ୍ରଭାରୀ ଅଶୋକ ମିଶ୍ର ପ୍ରମୁଖ ଥିଲେ । ଏହି ଅବସରରେ ପ୍ରାଥମିକ ସଦସ୍ୟ, ସକ୍ରିୟ ସଦସ୍ୟ ଓ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ସାଧାରଣ ସଂପାଦକମାନେ ଉପସ୍ଥିତ ଥିଲେ ।

ରାଜ୍ୟ ରିଟର୍ଣ୍ଣିଂ ଅଫିସର ତଥା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ସହଯୋଗ କରିବା ପାଇଁ ତିନି ଜଣଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଏବଂ ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି । ସେହିପରି ଆଜି ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନାମ ତାଲିକା ଘୋଷଣା କରାଯାଇଛି । ସେମାନେ ହେଲେ ଅନୁଗୁଳ - ନାଉରୀ ନାୟକ; ବଲାଙ୍ଗୀର- ଭବେନ୍ଦ୍ର ପଣ୍ଡା; ବାଲେଶ୍ୱର- ନିହାର ରଞ୍ଜନ ମୋଦି; ବରଗଡ- ଗୋଲକ ପ୍ରସାଦ ମହାପାତ୍ର; ଭଦ୍ରକ- ଆଶୁତୋଷ ପରିଡା; ଭୁବନେଶ୍ୱର- ଜଜ୍ଞଶ୍ୱର ବାବୁ; ବୌଦ୍ଧ- ଭଗବାନ ମହାନ୍ତି; କଟକ ସଦର- ଲକ୍ଷ୍ମଣ ପଣ୍ଡା; କଟକ- ସୁଦୀପ୍ତ ରାୟ; ଦେବଗଡ- କାଳନ୍ଦୀ ସାମଲ; ଢେଙ୍କାନାଳ- ସ୍ମୃତି ପଟ୍ଟନାୟକ; ଗଜପତି- କାଳିରାମ ମାଝୀ; ଗଞ୍ଜାମ- ପ୍ରତାପ ମିଶ୍ର; ଘୁମୁସର- ସରୋଜ ସାବତ; ଜଗତସିଂହପୁର- ବିଷ୍ଣୁ ଦାସ; ଯାଜପୁର- ଇଆର. ଜ୍ଞାନଦେବ ବେଉରା; ଝାରସୁଗୁଡା- ଧୀରେନ୍ ସେନାପତି; କଳାହାଣ୍ଡି- ପର୍ଶୁରାମ ମାଝୀ; କନ୍ଧମାଳ- ପ୍ରକାଶ ମଙ୍ଗରାଜ; କେନ୍ଦ୍ରାପଡା- ବିନୋଦ ଦାସ; କେନ୍ଦୁଝର- ସଞ୍ଜୀବ୍ ମହାନ୍ତି; ଖୋର୍ଦ୍ଧା- ସମୀର ଦାସ; କୋରାପୁଟ- ରମେଶ ଚନ୍ଦ୍ର ସାହୁ; ମାଲକାନଗିରି- ଅରୁଣ ଭଟ୍ଟମିଶ୍ର; ବାରିପଦା- ଜୀବନ ପ୍ରଦୀପ ଦାସ; ରାଇରଙ୍ଗପୁର- ସୀପ୍ରା ବାଜପେୟୀ; ନବରଙ୍ଗପୁର- ହିମାଂଶୁ ମେହେର; ନୟାଗଡ- ପବିତ୍ର ଦାସ; ନୂଆପଡା- ଗୋବିନ୍ଦ ଜୈନ୍‌; ପୁରୀ- ବିଶେଶ୍ୱର ଟୁଡୁ; ରାୟଗଡା- ଦେବେନ୍ଦ୍ର ମହାନ୍ତି; ସମ୍ବଲପୁର- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର; ସୁବର୍ଣ୍ଣପୁର- ସୁରେଶ୍ୱର ଶତପଥୀ; ସୁନ୍ଦରଗଡ- ଦୀନେଶ୍ ଜୈନ୍‌; ବଣାଇ- ଜୀବନ ସାହୁ; ପାନପୋଷ- ବଟକିଶୋର ମିଶ୍ର ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌)ର ୨୦୨୪ ବ୍ୟାଚର ବି.ଫାର୍ମ ଓ ଏମ୍‌.ଫାର୍ମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୁଧବାର ଏକ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ସୁଦାମ ଚନ୍ଦ୍ର ସି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କୁ ଏହି ବୃତିଗତ ଶିକ୍ଷାକୁ କିପରି ଆପଣେଇ ସେଥିରେ ଉତ୍କର୍ଷ ଲାଭ କରିପାରିବେ ସେ ବିଷୟରେ ମତ ରଖିଥିଲେ। ସେମାନେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି ବୋଲି ସେ କହିଥିଲେ। ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ। ଶୃଙ୍ଖଳା, ସଚ୍ଚୋଟତା, ନୈତିକତା ଓ ସମୟାନୁବର୍ତିତା ଉପରେ ସବୁବେଳେ ଗୁରୁତ୍ୱ ଦେବା ଛାତ୍ରଛାତ୍ରୀମାନଙ୍କ କର୍ତବ୍ୟ ବୋଲି ପ୍ରଫେସର ସି କହିଥିଲେ।

ଏସ୍‌ପିଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡକ୍ଟର) ଦିବ୍ୟଜ୍ୟୋତି ଦାସ କହିଥିଲେ ଯେ ଜ୍ଞାନ ଆହରଣ ଓ ଶିକ୍ଷା ଗ୍ରହଣ ନିମନ୍ତେ ଏକ ଉଦ୍ଦେଶ୍ୟ ରହିବା ଉଚିତ୍‌। କେବଳ ଶିକ୍ଷା ଗ୍ରହଣ କରିବା ଛାତ୍ରଛାତ୍ରୀ ମାନଙ୍କର ମୂଳ ଲକ୍ଷ୍ୟ ହେବା ଜରୁରୀ ନୁହେଁ ବରଂ ସେମାନେ ଏହି ବୃତିଗତ ଶିକ୍ଷା ବିଷୟରେ ଅବଗତ ହେବା ଜରୁରୀ। ଫାର୍ମାସି ଓ ବାୟୋଟେକ୍‌ନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ। କୌଣସି କାରଣ ବଶତଃ ଫାର୍ମାସିଷ୍ଟ ଭୁଲ୍ କଲେ ତାର ପ୍ରଭାବ ସମାଜ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ପଡିଥାଏ। 

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଏସ୍‌ପିଏସ୍‌ର ଫାର୍ମାସ୍ୟୁଟିକ୍ ବିଭାଗ ର ମୁଖ୍ୟ ପ୍ରଫେସର (ଡକ୍ଟର) ସୁବ୍ରତ ମଲ୍ଲିକ ଯୋଗ ଦେଇ କହିଥିଲେ ଯେ ଏହି ନୂତନ ବର୍ଷର ଫାର୍ମାସୀ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକ୍ଷେତ୍ରର ଆଗାମୀ ଭବିଷ୍ୟତ। ସେମାନେ ନିଜର ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳକୁ ପ୍ରୟୋଗ କରି ବହୁତ କିଛି ନୂତନ ଉଦ୍ଭାବନ କରିପାରିବେ । ସେମାନେ ଏହି ବୃତିଗତ ଶିକ୍ଷାକୁ ଚୟନ କରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ । 

ଏସ୍‌ପିଏସ୍‌ର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର )ଦୁର୍ଗାମାଧବ କର କାର୍ଯ୍ୟକ୍ରମର ବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି ବୃତିଗତ ଶିକ୍ଷା ଓ ପରୀକ୍ଷା ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର)ସୁଜାତା ମହାପାତ୍ର। 

ଏହି ଅବସରରେ ଏସ୍‌ପିଏସ୍‌ର ପ୍ରଫେସର (ଡକ୍ଟର ) ଲକ୍ଷ୍ମୀଧର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶକ୍ତି କେତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



■ ଅଣସଂରକ୍ଷିତ ଜନସାଧାରଣ ବିଶେଷ ଟ୍ରେନ ଭୁବନେଶ୍ୱର ରୁ ବିଶାଖାପାଟନମ୍ ଅଞ୍ଚଳ ମଧ୍ୟରେ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା କରାଇବ |

■ ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ବିଭିନ୍ନ ଅଞ୍ଚଳର ଯାତ୍ରୀମାନେ ଟ୍ରେନ ସେବାର ଉନ୍ନତ ସଂଯୋଗ ପାଇବେ |


ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଥିବା ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ 29 ଅକ୍ଟୋବରରୁ 15 ନଭେମ୍ବର 2024 ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଅଣସଂରକ୍ଷିତ ଜନସାଧାରଣ ବିଶେଷ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି |

08536 ବିଶାଖାପାଟନମ୍-ଭୁବନେଶ୍ୱର ଜନସାଧାରଣ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ମଧ୍ୟାହ୍ନ 12 ଘଟିକାରେ ଛାଡି ଭିଜିଆନଗରମ୍ ଏବଂ ବ୍ରହ୍ମପୁର ଦେଇ ସନ୍ଧ୍ୟା 7ଘ.45 ମି.ରେ ଭୁବନେଶ୍ୱରରେ ପହଞ୍ଚିବ | ଫେରିବା ମାର୍ଗରେ 08535 ଭୁବନେଶ୍ୱର-ବିଶାଖାପାଟନମ୍ ଜନସାଧାରଣ ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ରାତ୍ରି 10ଘ.30ମି.ରେ ଛାଡି ସକାଳ 08ଘ.45ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ |

ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଏହି ଜନସାଧାରଣ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ଇଛାପୁରମ୍, ସୋମପେଟା, ପଲାସା, ନୌପଡ଼ା, ଶ୍ରୀକାକୁଲମ୍ ରୋଡ୍, ପୋନ୍ଦୁରୁ, ଚିପୁରୁପାଲ୍ଲୀ, ବିଜୟନଗରମ୍, କୋଟାଭାଲାସା ଏବଂ ଶିହ୍ମIଚଳମ ଷ୍ଟେସନ ମାନଙ୍କ ଠାରେ ରହଣି କରିବ |

ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଏଲଏଚବି ରେକ୍ ସହିତ ଚଳାଚଳ କରିବ ଏବଂ ଏହି ଟ୍ରେନ୍ ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଥିବା ଅଞ୍ଚଳ ମାନଙ୍କରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସୁବିଧା ପ୍ରଦାନ କରିବ ଯାହାଦ୍ୱାରା ପୂଜା ଭିଡ଼ ସମୟରେ ନିୟମିତ ଟ୍ରେନ ମାନଙ୍କରେ ଉପୁଜୁଥିବା ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ସେମାନେ ଏହି ଟ୍ରେନ ର ସୁବିଧା ପାଇ ପାରିବେ |


ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



ପୂର୍ବତଟ ରେଳପଥ ଏହାର ସମସ୍ତ ଭାଗିଦାରୀ, ହିତାଧିକାରୀ ଏବଂ ଯୋଗାଣକାରୀଙ୍କ ସହିତ ଏକ କଥୋପକଥନ ଅଧିବେଶନ ଆୟୋଜନ କରିଛି ଯାହାଦ୍ୱାରା ଗ୍ରାହକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆଣିବା ସହ ଉଭୟ ରେଳବାଇ ଏବଂ ଶିଳ୍ପର ପ୍ରଗତିରେ ତଥା ଅଭିବୃଦ୍ଧିରେ ସାହାଯ୍ୟ କରିବା ସହିତ ସେମାନଙ୍କର ମତାମତ, ଅଭିଯୋଗର ସମାଧାନ ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ଯାହାକି ଉଭୟ ରେଳବାଇ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ସ୍ୱଚ୍ଛତା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ |

ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ହିତାଧିକାରୀଙ୍କ ସହ ହୋଇଥିବା ସମସ୍ତ କାରବାରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା |  ଅଂଶଗ୍ରହଣକାରୀମାନେ ଅଭିଯୋଗର ଫଳପ୍ରଦ ସମାଧାନ ଏବଂ ସାମଗ୍ରୀ ଏବଂ ସେବା କ୍ରୟରେ ତଥା ଚୁକ୍ତିନାମା ବୁଝାମଣାରେ ନ୍ୟାୟପୂର୍ଣ୍ଣ ଅଭ୍ୟାସ ସୁନିଶ୍ଚିତ କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା |

ରେଳବାଇର କାରବାର କରିବା ସମୟରେ ବିଶ୍ୱାସ ସୃଷ୍ଟି କରିବା ସହ ରେଳବାଇ ଏବଂ ଏହାର ହିତାଧିକାରୀଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମିଶ୍ର କହିଥିଲେ | ଏହି ବୈଠକ ଖୋଲା ସଂଳାପ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ଯାହା ପୂର୍ବତଟ ରେଳପଥର ସହଭାଗୀମାନଙ୍କର ଆବଶ୍ୟକତାକୁ ଭଲ ଭାବରେ ବୁଝାମଣା ଓ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ସହାୟକ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ଇସ୍ପାତ କାରଖାନା, ବନ୍ଦର ଏବଂ ବ୍ୟାଙ୍କିଙ୍ଗ୍ ଭଳି ଶିଳ୍ପ ସଂସ୍ଥା ମାନଙ୍କ ସହିତ କଣ୍ଟ୍ରାକ୍ଟର ଏବଂ ଯୋଗାଣକାରୀ ଏବଂ ବିଭିନ୍ନ ହିତାଧିକାରୀ ମାନେ ସକ୍ରିୟ ଅଂଶଗ୍ରହଣ ରିଥିଲେ | ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ପାରସ୍ପରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଉପସ୍ଥିତ ସଂସ୍ଥା ମାନଙ୍କର ପ୍ରତିନିଧି ମାନେ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଦେଇଥିଲେ |

ପୂର୍ବତଟ ରେଳପଥ ଏହାର ସମସ୍ତ କାରବାରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ନୀତିକୁ ସମର୍ଥନ କରିବାକୁ ସର୍ବଦା ପ୍ରତିବଦ୍ଧ ରହିଥାଏ ଏବଂ ଏହାର ଅଂଶୀଦାରମାନଙ୍କ ସହ ସହଯୋଗ ପାଇଁ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ସୁନିଶ୍ଚିତ କରିଥାଏ |

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



 ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ରାଜଧାନୀର ଦୁଇଟି ହସ୍ପିଟାଲ୍‌ରେ ଥିବା ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି। ଦୀପାବଳି ପୂର୍ବରୁ ଅସୁସ୍ଥ ମଣିଷଙ୍କୁ ନୂତନ ଜୀବନ ଦେବାର ଏହି ଉଦ୍ୟମକୁ ବଳବତର ରଖିଛି ସମ୍ମମ୍‌।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ୫୯ ବର୍ଷୀୟ ଅଲେଖ ପ୍ରସାଦ ପରିଡା ମସ୍ତିଷ୍କରେ ଗୁରୁତର ଆଘାତ (ବ୍ରେନ୍ ଷ୍ଟ୍ରୋକ୍‌)ର ସମସ୍ୟା ନେଇ ଗତ ୨୭ ତାରିଖ ଦିନ ରାତିରେ ସମ୍ମମ୍‌ରେ ଭର୍ତି ହୋଇଥିଲେ। ତେବେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ସହିତ ବ୍ରେନ୍ ଷ୍ଟେମ୍ ରିଫ୍ଲେକ୍ସ ପରୀକ୍ଷା ଅର୍ଥାତ୍ ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା କରାଯାଇଥିଲା। ତେବେ ଏହି ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିବା ପରେ ଏକ ଆପ୍‌ନିଆ ଟେଷ୍ଟ ମଧ୍ୟ କରାଯାଇଥିଲା ଯେଉଁଥିରେ ସେ ବ୍ରେନ୍ ଡେଡ୍ ହୋଇଯାଇଥିବା ଜଣାପଡ଼ିଥିଲା ବୋଲି ତାଙ୍କୁ ଚିକିତ୍ସା କରୁଥିବା ସମ୍ମମ୍‌ର କ୍ରିଟିକାଲ୍ କେୟାର ମେଡିସିନ୍‌ର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଆଲୋକ ପାଣିଗ୍ରାହୀ ସୂଚନା ଦେଇଥିଲେ। 

ବ୍ରେନ୍ ଡେଡ୍ ହୋଇଯିବା ପରେ ତାଙ୍କର ଅଂଗଦାନ ନିମନ୍ତେ ପରିବାରକୁ ଅନୁରୋଧ କରାଯାଇଥିଲା ଏବଂ ପରିବାରବର୍ଗ ମଧ୍ୟ ଏଥି ନିମନ୍ତେ ଇଚ୍ଛା ପ୍ରକାଶ କରିବା ପରେ ବୁଧବାର ତାଙ୍କ ଶରୀରର ଦୁଇଟି ଅଂଗକୁ ରାଜଧାନୀର ଦୁଇଟି ହସ୍ପିଟାଲ୍‌କୁ ପଠାଯାଇଥିବା କହିଛନ୍ତି ସମ୍ମମ୍‌ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୋମନାଥ ଜେନା।

ହସ୍ପିଟାଲରେ ତୃତୀୟ ଥର ପାଇଁ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଂଗଦାନ ପ୍ରକ୍ରିୟା ସଂପନ୍ନ କରାଯାଇଥିବା ବେଳେ ଏହି ପ୍ରକ୍ରିୟାକୁ ୩୦ ତମ ପର୍ଯ୍ୟନ୍ତ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ। ଅଂଗଦାନ ପ୍ରକ୍ରିୟାକୁ ବହୁ ମାତ୍ରାରେ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ମଧ୍ୟରେ ଏ ଦିଗରେ ସଚେତନତା ଆଣିବା ସମ୍ମମର ଲକ୍ଷ୍ୟ ବୋଲି ଡକ୍ଟର ଦାଶ କହିଛନ୍ତି। 

ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ୨୦୨୩ ଜୁନ୍ ମାସରେ ସମ୍ମମ୍‌ରେ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତି ପ୍ରସେନ୍‌ଜିତ ମହାନ୍ତିଙ୍କ ଶରୀରରୁ ଏକା ସଂଗେ ୫ ଟି ଅଂଗ ବାହାର କରାଯାଇ କଟକ ସମେତ ରାଜ୍ୟ ବାହାର ନୁଆଦିଲ୍ଲୀ ଓ କୋଲ୍‌କାତାର ହସ୍ପିଟାଲକୁ ମଧ୍ୟ ପଠାଯାଇ ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ଓ ସେମାନେ ନୂତନ ଜୀବନ ପାଇଥିଲେ ବୋଲି ଡକ୍ଟର ଦାଶ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ମୃତ ପ୍ରସେନ୍‌ଜିତଙ୍କ ପତ୍ନୀ ମୃଦୁମଞ୍ଜରୀଙ୍କୁ ମଧ୍ୟ ସମ୍ମମ୍‌ର ରେଡିଓଲୋଜି ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। 

ସେହିପରି ୯ ମାସର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ୨୦୨୪ ମାର୍ଚ୍ଚ ମାସରେ ପୁଣି ଥରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ମହାଭୋଇଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ମୁମ୍ବାଇ ଓ କୋଲକାତାରେ ଚିକିତ୍ସାଧୀନ ଥିବା ଦୁଇଜଣ ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଥିଲା ବୋଲି ସେ କହିଛନ୍ତି। 

ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ସମସ୍ତ ନିୟମାବଳୀକୁ ଅନୁସରଣ କରାଯାଇ ଏହି ଅଂଗଦାନ ପ୍ରକ୍ରିୟା ସମ୍ପନ୍ନ କରାଯାଉଥିବା ଡକ୍ଟର ଦାଶ କହିଛନ୍ତି। 

ଏହି ଅଂଗଦାନ ପ୍ରକ୍ରିୟା ଅନେକ ଗୁରୁତର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିବାରେ ସହାୟକ ହେଉଥିବା ବେଳେ ଏହି କାର୍ଯ୍ୟକୁ ତୁଲାଇବାରେ ଅଗ୍ରଣୀ ଭୂମିକା ସମ୍ମମ୍ ନେଇଛି ବୋଲି କହିଛନ୍ତି ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର। ଏହି ପ୍ରକ୍ର୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪



ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ଚାରୋଟି ଟ୍ରେନର ସାମୟିକ ରହଣି ବ୍ୟବସ୍ଥା, ସାମୟିକ ଭାବେ ସାତଟି ଟ୍ରେନର ରହଣି ସମୟ ବୃଦ୍ଧି |

          ଯାତ୍ରୀମାନଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀ ପୂଜା ଏବଂ ଉର୍ତ୍ସ ମହୋତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ ଚାରିଟି ଟ୍ରେନର ରହଣି ପ୍ରଦାନ କରିବା ଏବଂ ସାତଟି ଟ୍ରେନର ରହଣି ସମୟ ବୃଦ୍ଧି କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।

ସାମୟିକ ରହଣି ବ୍ୟବସ୍ଥା:

12892/12891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ଏକ୍ସପ୍ରେସ, 12704/12703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ, 12822/12821 ପୁରୀ-ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ ଏବଂ 18046/18045 ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନ ଗୁଡିକର କେନ୍ଦୁଆପଦା ଷ୍ଟେସନ ଠାରେ 8 ଓ 9 ନଭେମ୍ବର 2024 ଦିନ କେନ୍ଦୁଆପଦା ଷ୍ଟେସସନ ଠାରେ ସାମୟିକ ରହଣି ବ୍ୟବସ୍ଥା କରାଯାଇଅଛି |

କେନ୍ଦୁଆପଦା ଠାରେ ରହଣି ସମୟ ବୃଦ୍ଧି ବ୍ୟବସ୍ଥା:

18022/18021 ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ, 18038/18037 ଯାଜପୁର କେନ୍ଦୁଝର ରୋଡ-ଖଡ଼ଗ୍ପୁର- ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ, 08556/08555 ନୟାଗଡ଼ ଟାଉନ୍-ଭଦ୍ରକ୍-ନୟାଗଡ଼ ଟାଉନ୍ ମେମୁ ବିଶେଷ ଟ୍ରେନ, 08412/08411 ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ମେମୁ ବିଶେଷ ଟ୍ରେନ, 08416/08415 ପୁରୀ-ଜଳେଶ୍ୱର-ପୁରୀ ମେମୁ ବିଶେଷ ଟ୍ରେନ, 08454/08453 କଟକ-ଭଦ୍ରକ-କଟକ ମେମୁ ବିଶେଷ ଟ୍ରେନ ଏବଂ 08438/08437 କଟକ-ଭଦ୍ରକ-କଟକ ମେମୁ ବିଶେଷ ଟ୍ରେନ 8 ଓ 9 ନଭେମ୍ବର 2024 ଦିନ କେନ୍ଦୁଆପଦା ଷ୍ଟେସନ ଠାରେ ସାମୟିକ ଭାବରେ 02 ମିନିଟ୍ ପରିବର୍ତ୍ତେ 05 ମିନିଟ୍ ରହଣି ଦେବାକୁ ନିଷ୍ପତ୍ତି ନିଆଯାଇଅଛି |

ଭୁବନେଶ୍ୱର,  ଅକ୍ଟୋବର ୨୦୨୪




ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କ ଅତୁଳନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ପୁରସ୍କୃତ କରିଛନ୍ତି | ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ ଦୁର୍ଘଟଣାକୁ ରୋକିବାରେ, ଉଭୟ ମାନବ ଜୀବନ ରକ୍ଷା କରିବା ଏବଂ ଟ୍ରେନ୍ ଚଳାଚଳର ଧାରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା |

ଏହି ଉତ୍ସବରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା, ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରେଳପଥ ମଧ୍ୟରେ ସୁରକ୍ଷା ପ୍ରତି ସାମୂହିକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ |

ବିଶାଖାପାଟଣାର ମୁଖ୍ୟ ଟ୍ରାଫିକ୍ ଇନ୍ସପେକ୍ଟର ଶ୍ରୀ ଜି. ଶ୍ରୀଧର; ସମ୍ବଲପୁର ନିକଟ ସରଲା ଆରଓଏଚ (ROH) ର ଟେକ୍ନିସିଆନ-I ଶ୍ରୀ ସୁଶାନ୍ତ କୁମାର ଗିରି ଏବଂ ବିଜୟନଗରମ ଟେକ୍ନିସିଆନ-II ଶ୍ରୀ ଭି ରାମକୃଷ୍ଣଙ୍କୁ ସେମାନଙ୍କର ତୀବ୍ର କାର୍ଯ୍ୟକାରିତା ପାଇଁ ପୁରସ୍କୃତ କରାଯାଇଥିଲା |  ଟ୍ରେନଗୁଡିକର ନିରାପଦ ଏବଂ ଦକ୍ଷ ଚଳାଚଳ ସୁନିଶ୍ଚିତ କରିବାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟେମେନ, OHE ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମକୁ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ପ୍ରଶଂସା କରିଛନ୍ତି |  ମହାପ୍ରବନ୍ଧକ ସେମାନଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଯାତ୍ରୀମାନଙ୍କ ପାଇଁ ସୁଗମ ତଥା ନିରାପଦ କାର୍ଯ୍ୟର ଲକ୍ଷ୍ୟକୁ ଦୃଢ଼କରି ସେମାନଙ୍କ କର୍ତ୍ତବ୍ୟରେ ଆନ୍ତରିକତା ଏବଂ ସତର୍କତା ବଜାୟ ରଖିବାକୁ ସମସ୍ତ ରେଳ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ |  

ପ୍ରତ୍ୟେକ କର୍ମଚାରୀଙ୍କ ପରିଶ୍ରମ ଆମର ରେଳ ନେଟୱାର୍କର ସୁରକ୍ଷା ତଥା ନିରାପତ୍ତା ପାଇଁ ସହାୟକ ହୋଇଥାଏ ବୋଲି ଶ୍ରୀ ଫୁଙ୍କୱାଲ କହିଛନ୍ତି |  ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଯାତ୍ରା ଜାରି ରଖିବା ପାଇଁ ଆମେ ସଜାଗ ରହିବା ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ |  

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୂତନ ଜ୍ଞାନକୌଶଳର ଉପଯୋଗ କ୍ରମେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ ଦେଇଛନ୍ତି । କୌଶଲ୍ୟାଗଙ୍ଗଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୪ ଦିନିଆ ମତ୍ସ୍ୟଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପରୋକ୍ତ ମର୍ମରେ ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା ଲକ୍ଷ୍ୟରେ ପ୍ରାଣୀସଂପଦ ବିକାଶ, ମତ୍ସ୍ୟଚାଷ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ ଏବଂ ଉଦ୍ୟାନଚାଷ ଜରିଆରେ ମହିଳା ସଶକ୍ତିକରଣକୁ ବିସ୍ତୃତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ମହିଳା ପ୍ରଶିକ୍ଷାର୍ଥୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ରମେ ଗ୍ରାମପଞ୍ଚାୟତ ପୁଷ୍କରିଣୀଗୁଡ଼ିକରେ ବାୟୋଫ୍ଲକ୍‌ ତଥା ଅନ୍ୟାନ୍ୟ ମାଛଚାଷ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଯଥେଷ୍ଟ ଲାଭବାନ୍‌ କରାଇବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ପ୍ରକାଶ କରିଥିଲେ । 

ମନ୍ତ୍ରୀ ଶ୍ରୀ ମଲ୍ଲିକ କୌଶଲ୍ୟାଗଙ୍ଗସ୍ଥିତ ମାଛ ଜାଅæôଳ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ କାର୍ପ ମାଛ ଜାଅæôଳ. ଗୁଣ୍ଡ ଜାଆଁଳ ଉତ୍ପାଦନ, ହାଚେରୀର ବିକାଶ, ରଙ୍ଗୀନ ମାଛଚାଷ ଇତ୍ୟାଦି ନେଇ ଅବଗତ ହୋଇଥିଲେ । ଚଳିତ ଆର୍ଥିକ ବର୍ଷରେ ମାଛ ଜାଆଁଳ କେନ୍ଦ୍ରରେ ଏ ଯାବତ୍‌ ୩୮ କୋଟି ଗୁଣ୍ଡ ଜାଆଁଳ ରେକର୍ଡ ଉତ୍ପାଦନ ହୋଇଥିବାରୁ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଅନୁରୂପ ଭାବରେ ଶ୍ରୀ ମଲ୍ଲିକ ପ୍ରାୟ ୩୧ କିସମର ରଙ୍ଗୀନ ମାଛ ଉତ୍ପାଦନ ହେଉଥିବା ଜାଣି ଖୁସି ପ୍ରକଟ କରିଥିଲେ । 

ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ପରିଦର୍ଶନ ସମୟରେ ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ଦେବାନନ୍ଦ ଭଞ୍ଜ, ଉପନିର୍ଦ୍ଦେଶକ (ତାଲିମ) ଜଗଦୀଶ ଚନ୍ଦ୍ର ପଣ୍ଡା, ମତ୍ସ୍ୟ ସମବାୟ ସମିତି ମହାସଂଘର ଉପନିର୍ଦ୍ଦେଶକ ଏସ୍‌. ଏସ୍‌. ସିଂହ, ନିର୍ବାହୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିରଜା ପ୍ରସାଦ ଦ୍ୱିବେଦୀ, ସହକାରୀ ମତ୍ସ୍ୟ ଅଧିକାରୀ ଅରୋଶ୍ରୀ ବିଶ୍ୱାଳ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏନ୍‌. ସି. ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪




ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 27 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତ୍ରାକରିବ |


•       ନଭେମ୍ବରର ଶେଷ ସପ୍ତାହ ପର୍ଯ୍ୟନ୍ତ 18 ଯୋଡି, ନଭେମ୍ବରର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ 02 ଯୋଡି ଏବଂ ଡିସେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ 05 ଯୋଡି ଟ୍ରେନ ଚଳାଚଳ କରିବ |

•       ପୁରୀ ଏବଂ ବିଶାଖାପାଟନମରୁ ଯଥାକ୍ରମେ ଜୟନଗର ଏବଂ ଦାନପୁରକୁ ଅତିରିକ୍ତ ସ୍ପେଶାଲ୍ ଟ୍ରେନ |

•       ଷ୍ଟେସନ୍ ଏବଂ ପ୍ଲାଟଫର୍ମରେ ଯାତ୍ରୀ ଭିଡ଼ ପରିଚାଳନା ପାଇଁ ପୂର୍ବତଟ ରେଳପଥ ବିଶେଷ ପଦକ୍ଷେପ ନେଇ ଆରପିଏଫ୍ ଏବଂ ବାଣିଜ୍ୟିକ ଏବଂ ପରିଚାଳନା କର୍ମଚାରୀମାନଙ୍କୁ ନିୟୋଜିତ କରିଛି |

•       ନିୟମିତ ଟ୍ରେନ୍ ପ୍ରତିକ୍ଷ୍ୟ ସୂଚୀ ଦେଖାଦେଲେ ସ୍ୱତନ୍ତ୍ର ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି |


କାଳୀ ପୂଜା ଏବଂ ଛଟ ପୂଜା ସମୟରେ ଯାତ୍ରୀଙ୍କ ଚାହିଦାକୁ ପୂରଣ କରିବା ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛି ଯାହା ନଭେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ |  ନିୟମିତ ଟ୍ରେନ ମାନଙ୍କରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ଏହା ଏକ ବିକଳ୍ପ |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 27 ଟି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳପ୍ରଣତାକୁ ଚଳାଚଳ କରୁଅଛି | ତନ୍ମଧ୍ୟରୁ ମଧ୍ୟରୁ 18 ଟି ଯୋଡି ସ୍ୱତନ୍ତ୍ର ଟ୍ରେନ ନଭେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ 2 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର, 2024 ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ 7 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଡିସେମ୍ବର 2024 ପର୍ଯ୍ୟନ୍ତ ଚଳାଚଳ କରିବ ଚାଲିବ | ଏହା ବ୍ୟତୀତ ଦୁଇ ଯୋଡି ସ୍ୱତନ୍ତ୍ର ଟ୍ରେନ ବିହାରର ଦାନାପୁର (ପାଟନା) ଏବଂ ଜୟନଗରକୁ ଯାତ୍ରା କରିବ |

ଏହି ବିଶେଷ ଟ୍ରେନ ଦ୍ୱାରା ପୂର୍ବତଟ ରେଳପଥ ମଧ୍ୟରୁ ପ୍ରାୟ 600 ଟ୍ରିପ ସ୍ୱତନ୍ତ୍ର ଟ୍ରେନ କାଳୀ ପୂଜା ଏବଂ ଛଟ ପୂଜା ସମୟର ଦେଶର ବିଭିନ୍ନ ପ୍ରଣତାକୁ ଯାତ୍ରା କରିବ | ଅତିରିକ୍ତ ଭାବରେ, 14 ଟି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ରେଳପଥର ପରିସୀମା ମଧ୍ୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ କୁ ମଧ୍ୟ ଯାତ୍ରା କରୁଅଛି ଯାହାକି ଗୁରୁତ୍ୱପୂର୍ଣ୍ଣ ସହର ଏବଂ ରାଜ୍ୟଗୁଡ଼ିକୁ ସଂଯୋଗ କରି ଟ୍ରେନ ସେବା ବୃଦ୍ଧି କରାଇ ଅଛି ଏବଂ ଏହି ଉଚ୍ଚ ଚାହିଦା ମଧ୍ୟରେ ନିୟମିତ ଟ୍ରେନ୍ ସେବା ଉପରେ ଯାତ୍ରୀ ଭାରକୁ ହ୍ରାସ କରିବାର ପ୍ରୟାସ କରାଯାଇଅଛି |

ଯାତ୍ରୀମାନଙ୍କୁ ଜାତୀୟ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍ (NTES), ପୂର୍ବତଟ ରେଳପଥର ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ରେଳ ଷ୍ଟେସନରେ PRS ଅନୁସନ୍ଧାନ କାଉଣ୍ଟର ଭଳି ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଏହି ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟସୂଚୀ ଏବଂ ଉପଲବ୍ଧତା ସୂଚନା ପାଇବା ପାଇଁ ଯାତ୍ରୀ ମାନଙ୍କୁ କୁହାଯାଇଅଛି | ଏକ ସୁଗମ ଏବଂ ଅସୁବିଧାମୁକ୍ତ ଟ୍ରେନ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବାକୁ ଏଗୁଡିକ ପ୍ରକୃତ-ସମୟ ସୂଚନା ପ୍ରଦାନ କରିବ |

ପୂର୍ବତଟ ରେଳପଥ ଏହାର ଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ତଥା ଦକ୍ଷ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ରହିଥାଏ, ବିଶେଷତ ଉତ୍ସବ ଋତୁ ସମୟରେ ଯେତେବେଳେ ଯାତ୍ରା ଚାହିଦା ଚରମ ସୀମାରେ ଥାଏ |

ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଧାନବାଦ୍ ଏବଂ ଯଶୋବନ୍ତପୁରକୁ ଚଳାଚଳ କରୁଥିବାବେଳେ ପୁରୀରୁ ପାଟନା, ନିଜାମୁଦ୍ଦିନ, ଉଧନା (ସୁରଟ), କୋଲକାତା, ଗ୍ୱାଲିଅର, ସାନ୍ତ୍ରାଗାଛି, ଶାଲିମାର ଏବଂ ଭଞ୍ଜପୁର (ବାରିପଦା) ପର୍ଯ୍ୟନ୍ତଚଳାଚଳ କରୁଛି | ସେହି ଭଳି ସମ୍ବଲପୁରରୁ ଏରୋଡ; ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ, ଶାଲିମାର ଏବଂ ଆରାକୁ ପର୍ଯ୍ୟନ୍ତ ମଧ୍ୟ ବିଶେଷ ଟ୍ରେନ ଚଳାଚଳ କରୁଅଛି | ଏହା ବ୍ୟତୀତ ବ୍ରହ୍ମପୁର ରୁ ନନ୍ଦେଡ, ସିକନ୍ଦରାବାଦ, ସୁରଟ ଏବଂ ତିରୁପତିକୁ ବିଶେଷ ଟ୍ରେନ ଚଳାଚଳ କରୁଥିବାବେଳେ ଶ୍ରୀକାକୁଲମ୍ ଠାରୁ ସିକନ୍ଦରାବାଦ, ତିରୁପତି ଏବଂ କଟକରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ବିଶେଷ ଟ୍ରେନ ଚଳାଚଳ କରୁଅଛି |

ଏଗୁଡିକ ବ୍ୟତୀତ, ବିହାରରେ ଛଟ ପୂଜା ପାଇଁ ପୁରୀ ଏବଂ ବିଶାଖାପାଟନମ୍ ଠାରୁ ଯଥାକ୍ରମେ ଜୟନଗର ଏବଂ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଯୋଜନା କରାଯାଇଛି |  ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ପ୍ରମୁଖ ଷ୍ଟେସନରୁ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି :


•       ଭୁବନେଶ୍ୱରରୁ ଧାନବାଦ୍ (ଝାଡଖଣ୍ଡ) ଏବଂ ଯଶୋବନ୍ତପୁର (ବେଙ୍ଗାଲୁରୁ),

•       ପୁରୀରୁ ପାଟନା ଏବଂ ଜୟନଗର (ବିହାର), ନିଜାମୁଦ୍ଦିନ (ଦିଲ୍ଲୀ), ଉଦନା (ସୁରଟ), ଗ୍ୱାଲିଅର (ମଧ୍ୟପ୍ରଦେଶ), କୋଲକାତା, ସାନ୍ତ୍ରାଗାଛି ଏବଂ ଶାଲିମାର (ପଶ୍ଚିମବଙ୍ଗ) ଏବଂ ଭଞ୍ଜପୁର (ବାରିପଦା),

•       ସମ୍ବଲପୁରରୁ ଏରୋଡ (କେରଳ),

* ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ (କେରଳ), ଶାଲିମାର, ଦାନାପୁର (ବିହାର) ଏବଂ ଆରାକୁ,

* ବ୍ରହ୍ମପୁରରୁ ନନ୍ଦେଦ (ମହାରାଷ୍ଟ୍ର), ସିକନ୍ଦରାବାଦ ଏବଂ ସୁରଟ (ଗୁଜୁରାଟ),

* ଶ୍ରୀକୁକୁଲମ୍ ରୁ ସିକନ୍ଦରାବାଦ ଏବଂ ତିରୁପତି,

* କଟକରୁ ହାଇଦ୍ରାବାଦ |


ଦିପାବଳୀ ଏବଂ ଛଟ ପୂଜା ସମୟରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ଯାଉଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଅତିରିକ୍ତ ସୁବିଧା ଯୋଗାଇବ, ଯାହା ଦ୍ୱାରା ସମସ୍ତେ ନିରାପଦରେ ଏବଂ ଠିକ୍ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ |


ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ରାଜ୍ୟରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ତା ପ୍ରଭାବରେ ଆଗାମୀ ସମୟରେ ରାଜ୍ୟରେ ସୃଷ୍ଟି କରିପାରେ ବିସ୍ଫୋଟକ ପରିସ୍ଥିତି ଭୋଟର ମାନଙ୍କୁ ନିଜଆଡକୁ ଆକର୍ଷିତ କରିବା ପାଇଁ  ମାଗଣା ଯୋଜନା କରି ଦେଶର ଅର୍ଦ୍ଧେକ ରାଜ୍ୟ ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି ।ବେରୋଜଗାରୀ ବୃଦ୍ଧି ସହିତ ରାଜ୍ୟ ଋଣ ଭାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜ୍ୟରେ  ଋଣଭାରକୁ ନେଇ  ଏବେ ଉଠିଛି ପ୍ରଶ୍ନ  ସମାଜବାଦୀ ପାର୍ଟି ଏନେଇ ଉଦବେଗ ପ୍ରକାଶ କରିଛି ।ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ ସରକାରଙ୍କୁ ଋଣଭାର ବଢିବା ପ୍ରସଙ୍ଗରେ କଡା ସମାଲୋଚନା କରିବା ସହିତ ସରକାର ଶିଳ୍ପପତିଙ୍କ ବଦଳରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାମ କରନ୍ତୁ ବୋଲି କହିଛନ୍ତି। 

ପାର୍ଟି ମୁଖପାତ୍ର  ପ୍ରଦିପ ମିଶ୍ର ଗଣ ମାଧ୍ୟମ କୁ ସୂଚନା ଦେଇ କହିଛନ୍ତିଯେ  ଋଣ ଭାରରେ ବୁଡିଗଲାଣି ଓଡିଶା ବଢ଼ି ଚାଲିଛି ମୁଣ୍ଡ ପିଛା ଋଣଭାର  କିନ୍ତୁ ସରକାର ଓଡିଶା ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି  ରାଜ୍ୟର ରଣ ଭାର ହ୍ରାସ କରିବା ପାଇଁ ସରକାର କଣ କଣ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି  lରାଜ୍ୟ ସରକାରଙ୍କ ଆର୍ଥିକ ସୁପରିଚାଳନା ପାଇଁ କେଉଁ ବାବଦ ରେ କେତେ ଋଣ ହୋଇଛି  ସରକାର ରାଜ୍ୟ ବାସୀଙ୍କୁ ସ୍ପଷ୍ଟ କରିବା ଉଚିତ । ୨୦୦୦ ପୂର୍ବରୁ ରାଜ୍ୟର ଆର୍ଥିକ ଅବସ୍ଥା ବହୁ ଖରାପ  ଥିଲା  କୌଣସି ସଂସ୍ଥା ରାଜ୍ୟକୁ ଋଣ ଦେବାକୁ ପ୍ରସ୍ତୁତ ନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର କରିବା ପରେ ତାଙ୍କ ନେତୃତ୍ବରେ  ଆର୍ଥିକ ବ୍ୟବସ୍ଥାର ସୁପରିଚାଳନା ଯୋଗୁଁ ଓଡିଶା କୁ ଅନେକ ପୁରସ୍କାର ମିଳିଛି ସତ କିନ୍ତୁ ରାଜ୍ୟ ବାସୀଙ୍କୁ ମାଡି ବସିଛି ଋଣର ବୋଝ।

କେନ୍ଦ୍ର  ସରକାର ସବୁ ରାଜ୍ୟକୁ ଦେଉଥିବା ନୂଆ ଋଣ ପ୍ରକ୍ରିୟାରେ  ରାଜ୍ୟ ମାନେ ନେଉଥିବା ଋଣ ୫୦ ବର୍ଷରେ ସୁଝିଲେ ମଧ୍ୟ ସୁଧ ଦେବାକୁ ପଡିବ ନାହିଁ । ରାଜ୍ୟ ସରକାର ଭୋଟ ବ୍ୟାଙ୍କ ପାଇଁ ବିଭିନ୍ନ ମାଗଣା ଯୋଜନାରେ ଅର୍ଥ ଖର୍ଚ୍ଚ କରିଛନ୍ତି ସେଥିପାଇଁ ରାଜ୍ୟ ଲକ୍ଷ ଲକ୍ଷ କୋଟି ଋଣ ବୋଝ ବୋହୁଛି l ରାଜ୍ୟର ଅର୍ଥନୈତିକ ଅବସ୍ଥାରେ ଅଭିବୃଦ୍ଧି ହେବା ସହ ଋଣ ଧାରଣ କ୍ଷମତା ଓ ମୁଣ୍ଡ  ପିଛା ଋଣରେ ବୃଦ୍ଧି ପାଇବା ସ୍ବାଭାବିକ, କିନ୍ତୁ ମୁଣ୍ଡପିଛା ଆୟର ଅଭିବୃଦ୍ଧି  ମୁଣ୍ଡ ପିଛା ଋଣରେ ଅଭିବୃଦ୍ଧି ଠାରୁ ଯଦି ଅଧୂକ ହୁଏ, ତେବେ ରଣର ପୋଷଣୀୟତା ରହିଥାଏ  କିନ୍ତୁ ଓଡିଶା ଏହା ବିପରୀତ । ଆୟ କମ ଓ ଖର୍ଚ୍ଚ ଅଧିକ ଯୋଗୁ  ଆଗାମୀ ଦିନରେ ଶ୍ରୀଲଙ୍କା ପରି  ପରିସ୍ଥିତି ହେବାକୁ ଅଧିକ ସମୟ ଲାଗିବ ନାହିଁ । ଭାରତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ କରାଯାଇଛି ଦେଶର ଜଟିଳ ଆର୍ଥିକ ପରିସ୍ଥିତିର ମୁକାବିଲା ପାଇଁ ଭାରତ ସରକାର ୨୦୦୩ରେ ଏକ ଆଇନ ପ୍ରଣୟନ କରିଥିଲେ ଯାହାର ନାମ ଆର୍ଥିକ ଦାଇତ୍ୱବୋଧ ଏବଂ ପରିଚାଳନା ଅଧିନିୟମ ରଖାଯାଇଥିଲା ।ଏହି ଆଇନର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ନିଅଣ୍ଟକୁ ୩.୦ ପ୍ରତିଶତ (ମୋଟ ଆୟର) ଏବଂ ରାଜସ୍ୱ ନିଅଣ୍ଟକୁ ଶୂନକୁ ହ୍ରାସ କରିବା। ବଜେଟର ନିଅଣ୍ଟକୁ ସୀମିତ କରି କେନ୍ଦ୍ର ଏବଂ ରାଜ୍ୟ ନେଇଥିବା ଋଣକୁ  ଭାରକୁ ହ୍ରାସ କରିବା ଏହି ଆଇନର ଲକ୍ଷ୍ୟ ଥିଲା। 

୨୦୦୪-୫ ଆର୍ଥିକ ବର୍ଷରେ ଦେଶର ସମସ୍ତ ରାଜ୍ୟର ଋଣ ପରିମାଣ ସେମାନଙ୍କ ଜିଡିପିର ପ୍ରାୟ ୩୨.୨ ପ୍ରତିଶତ ଥିଲାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଋଣ ଭାର ସମାନ ରହିଥିଲା କିନ୍ତୁ ଋଣର ପରିମାଣ ଏବଂ ରାଜ୍ୟ ଅନୁଯାୟୀ ଋଣ ଭାରରେ  ମାତ୍ରାଧିକ ବୃଦ୍ଧି ଘଟିଛି ୨୦୦୫  ରେ  ଯେଉଁଠାରେ ରାଜ୍ୟଗୁଡିକର ମୋଟ ବକେୟା ଋଣ ୧୦.୧୪  ଲକ୍ଷ କୋଟି ଥିଲା ମାର୍ଚ୍ଚ ୨୩-୨୪  ରେ ଏହି ପରିମାଣ ୬୯.୪୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ସେହିପରି  ଓଡିଶାରେ ୪.୫ ଗୁଣ ବୃଦ୍ଧି ପାଇଛି ।

ମିଳିଥିବା ତଥ୍ୟ ଅନୁଯାଇ ୩୧ ମାର୍ଚ୍ଚ ୨୦୨୨ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ଥୂବା ବେଳେ, ମୁଣ୍ଡ ପିଛା  ବାର୍ଷିକ ଆୟ ଆୟ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି। ୧୯୯୯-୨୦୦୦ ମୁଣ୍ଡ ପିଛା ଆୟ ମୁଣ୍ଡ ପିଛା ରଣରେ ୨.୬ ଗୁଣ ଥିବା ବେଳେ ବର୍ତ୍ତମାନ ମୁଣ୍ଡ ପିଛା ଆୟ ମୁଣ୍ଡ ପିଛା ଋଣର 6. ୮ଗୁଣ ଅଛି ମହାଲେଖାକାରଙ୍କଠାରୁ ମିଳିଥିବା ହିସାବ ଅନୁସାରେ ୨୦୨୧- ୨୨ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୯୭୨୦୪.୯୮ କୋଟି ଟଙ୍କା ଏହା ଘରୋଇ ଉତ୍ପାଦର ୧୪.୭ ପ୍ରତିଶତ ଅଟୋ ବଜାରରରୁ ଋଣ ୨୮୫୫୮.୭ କୋଟି,ନାବାର୍ଡରୁ ୧୬୭୩୬ କୋଟି, ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ୬୫୨୫.୩୮କୋଟି,ଭାରତ ସରକାରଙ୍କ ଠାରୁ ୧୮୫୦୭ କୋଟି ସାଧାରଣ ଭବିଷ୍ୟନିଧୂ ପାଣ୍ଠିରୁ ୨୪୭୧୯.୯୨ କୋଟି,ଅନ୍ୟାନ୍ୟ ଏଲଆଇସି,  ଜିଆଇସି, ଆରଇସି ଠାରୁ ସରକାର ୨୧୫୭.୨୨ କୋଟି ଋଣ ଆଣିଛନ୍ତି।

ଏବେ ରାଜ୍ୟରେ ବିଜେପି ସରକାର ଆସିଛି ଏବଂ ବିଗତ ୪ ମାସ ଭିତରେ ରାଜ୍ୟ ୧୪,୦୦୦ କୋଟି  ନୂଆ ଋଣ କରିସାରିଲେଣିlଏଥିସହ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କିଛି ମାସ ପରେ ଅତିରିକ୍ତ ବଜେଟ୍ ପ୍ରସ୍ତୁତି ଲାଗି କସରତ ଆରମ୍ଭ କରିଛନ୍ତି । ଅତିରିକ୍ତ ବଜେଟ୍ ଲାଗି ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତାବ ଆହ୍ବାନ କରାଯାଇଛି  ଚଳିତ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଗୁଡିକର ଅତିରିକ୍ତ ବଜେଟ ତାଲିକା ମାଗିଛି ଏହାର ତର୍ଜମା କରି ସରକାର  ଆସନ୍ତା ନଭେମ୍ବରରେ ନିଲାମ ପ୍ରକ୍ରିୟାରେ ରାଜ୍ୟକୁ ଋଣ ଆଣିବେ ବୋଲି ଯୋଜନା କରିଛନ୍ତି  ଏହା ଦ୍ୱାରା ସାଧାରଣ ଜନତାଙ୍କ ଉପରେ ଋଣ ବୋଝ ବଢ଼ିଯିବ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି lଗୋଟେ ପଟେ ରାଜ୍ୟରେ ବେରୋଜଗାରୀ,ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ବୃଦ୍ଧି ଉତ୍କଟ ଥିବା ବେଳେ ମାଗଣା ଯୋଜନା ଓ ଟଙ୍କାବଣ୍ଟା ରାଜନୀତି ବନ୍ଦ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି ବେରୋଜଗାରୀ ସମସ୍ୟାର ସମାଧାନ କରିବା ସହିତ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନକଲେ  ଆଗାମୀ ଦିନରେ ଓଡିଶାର ଅର୍ଥନୈତିକ ସ୍ଥିତି ଭୁଶୁଡି ପଡିବ ବୋଲି  ପାର୍ଟି ପକ୍ଷରୁ କୁହାଯାଇଛି l


ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ଭୁବନେଶ୍ୱରସ୍ଥିତ ମିଲିଟାରୀ ଷ୍ଟେସନଠାରେ ସୈନିକ ଏବଂ ତାଙ୍କ ପରିବାର ବର୍ଗଙ୍କ ସହ ଦୀପାବଳି ପାଳିଛନ୍ତି ରାଜ୍ୟପାଳ ରଘୁବର ଦାସ। ମଙ୍ଗଳବାର ଦିନ ମିଲିଟାରୀ ଷ୍ଟେସନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ସମସ୍ତଙ୍କ ପରିବାରର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଥିଲେ। ଦୀପାବଳି ଅବସରରେ ସେନା ଓ ତାଙ୍କ ପରିବାର ଗହଣକୁ ଆସି ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଥିଲେ। ଉପସ୍ଥିତ ସୈନିକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଲୋକମାନେ ପରିବାର ସହିତ ଦୀପାବଳି ମନାଉଥିବା ବେଳେ ଆପଣମାନଙ୍କ ମଧ୍ୟରୁ ଅନେକ ନିଜ ପରିବାର, ବନ୍ଧୁ ପରିଜନଠାରୁ ଦୂରରେ ରହି ରାଷ୍ଟ୍ରର ସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ଦୀପାବଳୀ ହେଉଛି ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ । ଦେଶର ବାହାଦୂର ଯବାନମାନଙ୍କ ପାଇଁ ଆମ ଗୌରବଶାଳୀ ଦେଶ ସୁରକ୍ଷିତ ରହିଛି। ଯେକେହି ଆମ ଦେଶ ପ୍ରତି ଆଙ୍ଗୁଳି ଉଠାଇଲେ ଆମ ଯବାନମାନେ ତାର ଉଚିତ୍ ଜବାବ ଦେବେ ବୋଲି ରାଜ୍ୟପାଳ କହିଥିଲେ। ଷ୍ଟେସନ କମାଣ୍ଡର ତଥା ଛତିଶ୍‌ଗଡ଼ ଓ ଓଡ଼ିଶା ସବ୍‌-ଏରିଆର କମାଣ୍ଡର ବ୍ରିଗେଡିୟର ଅମନ ଆନନ୍ଦ ଭି.ଏସ୍‌.ଏମ୍‌. ଉକ୍ତ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ସୈନିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ବାର୍ତାଳାପ କରିବା ସହ ଦୀପାବଳି ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର, ଗୋପାଳପୁର, ବାଲେଶ୍ୱରରେ ଅବସ୍ଥାପିତ ସଶସ୍ତ୍ର ବଳରେ ସେବାରତ ଅଧିକାରୀ / କର୍ମଚାରୀ ଓ ସେମାନଙ୍କର ପରିବାର, ଅବସରପ୍ରାପ୍ତ ସେନା ଅଧିକାରୀ, ଏନ୍‌.ସି.ସି. କ୍ୟାଡେଟ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



  • ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ
  • ଦୁର୍ନୀତି କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ଏବେ ୫୦ ପ୍ରତିଶତରୁ ଅଧିକ, ଆୟବହିର୍ଭୁତ ସମ୍ପତ୍ତିରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ
  • ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍‌ପି ପଦବୀ ଓ ୨୪ ଟି ନୂତନ
  • ଡିଏସ୍‌ପି ପଦବୀ ବୃଦ୍ଧି କରାଯିବ, ଦୁର୍ନୀତି ନିବାରଣ କ୍ଷେତ୍ରରେ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ଦୁର୍ନୀତି ବିରୋଧୀ ଅଭିଯାନ ଦୀର୍ଘସ୍ଥାୟୀ ହେବା ଆବଶ୍ୟକ, ତାହେଲେ ଦୁର୍ନୀତିଖୋରଙ୍କ ପାଇଁ ଏହା ଏକ Detterent ହୋଇପାରିବ-ମୁଖ୍ୟମନ୍ତ୍ରୀ

ଆଜି ଭୁବନେଶ୍ବର ଲୋକସେବା ଭବନ କନ୍‌ଭେନ୍‌ସନ ହଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ  ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ୍ୟ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡିବ ନାହିଁ, ଧିରେ ଧିରେ ଏହା ବ୍ୟକ୍ତିଗତ ସ୍ତରରେ ଓ ସମାଜ ସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ। ଭାରତୀୟ ସମାଜରେ ଦୁର୍ନୀତିର କୁପ୍ରଭାବ ଯେ କେତେ ଥିଲା, ଏହା ଜାଣିବାକୁ ରକେଟ ବିଜ୍ଞାନର ଜ୍ଞାନ ଆବଶ୍ୟକତା ନାହିଁ। ଏ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସାଧାରଣ ସଭାରେ କହିଥିଲେ ଯେ ମୁଁ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀ ମାତ୍ର ୧୫ ପଇସା ପାଉଛି। ଏଠାରେ ପ୍ରଶ୍ନ ହୁଏ, ଯେ ବାକି ୮୫ ପଇସା କାହା ପକେଟକୁ ଯାଉଥିଲା। ଏହାର ଉତ୍ତର ଆପଣମାନେ ସମସ୍ତେ ଜାଣିଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁର୍ନୀତି ନିବାରଣ ବିଭାଗର ଆଜି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ଏବଂ ଆୟବହିର୍ଭୁତ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ। ଆମ ସରକାର ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି କରି ଓଡିଶା ଭିଜିଲାନ୍ସକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍‌ପି ପଦବୀ ଓ ୨୪ ଟି ନୂତନ ଡିଏସ୍‌ପି ପଦବୀ ବୃଦ୍ଧି କରାଯିବ। ଏସବୁ ପଦବୀ ଗୁଡିକ ଭିଜିଲାନସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବ। ତଦନ୍ତ ଏବଂ ଅନୁସନ୍ଧାନରେ ସହାୟତା କରିବା ପାଇଁ ୧୬ ଜଣ ସବ୍‌ଇନସିପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହା ସହିତ ଆଗାମୀ ଦିନରେ  ୨୪ ଜଣ ଚାଟାର୍ଡ ଆକାଉଣ୍ଟାଟ ଓ ବ୍ୟାଙ୍କିଙ୍ଗ ଓ ସାଇବର ବିଶେଷଜ୍ଞ ମଧ୍ୟ ବିଭାଗରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନ ହୋଇଛି। ଭିଜିଲାନ୍ସ ଟିମର ଗତିଶୀଳତା ବୃଦ୍ଧି କରିବା ପାଇଁ ୧୩୫ଟି ନୂତନ ମୋଟରସାଇକେଲ, ୧୫୦ଟି ନୂତନ ଡେସ୍କଟପ/ଲାପଟପ ଯୋଗାଇ ଦିଆଯିବ ଏଥି ସହିତ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର ନିର୍ଦ୍ଦେଶାଳୟ ମଧ୍ୟରେ ପ୍ରତିଷ୍ଠା କରାଯିବ। 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୨୦୧୪ରେ ଯେତେବେଳେ ପ୍ରଥମଥର ପାଇଁ ପାଇଁ ପାର୍ଥିତ୍ଵ କରିଥିଲେ ସେ ସମୟରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ। ବିଭିନ୍ନ ଦୁର୍ନୀତି ଓ ସ୍କାମ୍‌ରେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଦେଶ ବୁଡି ରହିଥିଲା।  ସାଧାରଣ ଜନତା ଏହି ଦୁର୍ନୀତିର ଭାରରେ ଅଣନିଶ୍ବାସୀ ହୋଇଯାଇଥିଲେ।

୨୦୧୪ରେ ଶାସନ ଡୋରୀ ହାତକୁ ନେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ହିଁ ଆରମ୍ଭ କରିଦେଇଥିଲେ ଦୁର୍ନୀତି ବିରୋଧରେ ମହାସଂଗ୍ରାମ। ଯାହା ଆଜିବି ଚାଲୁ ରହିଅଛି। ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଆଜି ଦିଲ୍ଲୀରୁ ଯେଉଁ ସହାୟତା ରାଶି ହିତାଧିକାରୀଙ୍କ ପାଖକୁ ଆସୁଛି ଏହା ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଡିବିଟି ମାଧ୍ୟମ ହେଉଛି ଦୁର୍ନୀତି କୁ ରୋକିବା ପାଇଁ ପ୍ରମୁଖ ଅସ୍ତ୍ର। ଆଜି ଦୁର୍ନୀତିଖୋର ଯେତେ ବଡ ହୋଇଥାଉ ନା କାହିଁକି। ତା ପାଇଁ ଦୁଇଟି ସ୍ଥାନ ରହିଛି। ଜେଲ୍‌ ଅଥବା ବିଦେଶ। ବିଦେଶରେ ବି ସେମାନେ ସୁରକ୍ଷିତ ନୁହନ୍ତି। ଆଇନ୍‌ ବଳରେ ଦେଶକୁ ଆଣି ଜେଲ୍‌ ପଠାଇବାର ସବୁ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି। 

ମୋଦୀଜୀଙ୍କ ନେତୃତ୍ବ ଓ ଦିଗଦର୍ଶନରେ ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ମଧ୍ୟ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ଶାସନର ମୁଖ୍ୟ ଲକ୍ଷ୍ୟ ଭାବେ ଗ୍ରହଣ କରି ଏହା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। 

ଦୁର୍ନୀତିଖୋରଙ୍କୁ କଡା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ। କର୍କଟ ରୋଗକୁ ଠିକ୍‌ କରିବାକୁ ହେଲେ ଯେଭଳି ପ୍ରଭାବିତ ସ୍ଥାନକୁ ସର୍ଜରୀ ମାଧ୍ୟମରେ କାଢିବାକୁ ପଡେ ଠିକ୍ ସେହିଭଳି ସଭ୍ୟ ସମାଜରୁ ଦୁର୍ନୀତିଖୋରଙ୍କୁ ବାହାର କରି ଜେଲ୍‌କୁ ପଠାଇବାର ବ୍ୟବସ୍ଥା ରହିଛି। ଆମ ସରକାର ଆସିବାର ୧୪୦ ଦିନ ମଧ୍ୟରେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି। ଏ ସବୁ ଆୟବହିର୍ଭୁତ ସମ୍ପତ୍ତି ସେମାନେ ସାଧାରଣ ଜନତାଙ୍କ ଟଙ୍କାରେ ଠୁଳ କରିଥିଲେ। ବିଭିନ୍ନ ଭିତ୍ତିଭୂମି କାମ ସବୁ ନିମ୍ନମାନର ହେଉଥିଲା। ସରକାରୀ ଅର୍ଥ ବାଟ ମାରଣା ହେଉଥିଲା। କେବଳ ମୁଖ୍ୟ ଯନ୍ତ୍ରୀ ନୁହେଁ ବିଭିନ୍ନ ବର୍ଗର ପ୍ରାୟ ୨୦ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। 

ସେକାଳ ପଖାଳ ଆଉ ନାହିଁ । ଦୁର୍ନୀତି ଆଜି ଦୁର୍ନୀତିଖୋରଙ୍କ ପାଇଁ ଇତିହାସ ହୋଇ ସାରିଛି। ଦୁର୍ନୀତି ବିରୋଧରେ ଲଢେଇ କେବଳ ଲୋକସେବା ଭବନ ଅଥବା ରାଜଧାନୀ ଭୁବନେଶ୍ବରରେ ସୀମିତ ନରହି ତୃଣମୂଳ ପର୍ଯ୍ୟନ୍ତ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତାପନ୍ନ କରାଯାଇଛି। ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନଙ୍କ ହାତ ଖୋଲା ରଖା ଯାଇଛି। ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଆମ ସରକାର ଉଭୟ ଟପ ଡାଉନ ଓ ବଟମ ଅପ୍‌ ଆଭିମୁଖ୍ୟ କାର୍ଯ୍ୟକାରୀ କରିଛନ୍ତି। ଦୁର୍ନୀତି ବିରୋଧରେ କେବଳ ଗୋଟିଏ ଦୁଇଟି କିମ୍ବା ଅଳ୍ପ କିଛି ଲୋକଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ଏହି ଅଭିଯାନ ଦୀର୍ଘସ୍ଥାୟୀ ଭାବେ ଚାଲିବା ଦରକାର। ତାହେଲେ ଯାଇ ଦୁର୍ନୀତିଖୋରଙ୍କ ନିଦ ହଜି ଯିବ ଏବଂ ସେମାନଙ୍କ ମନରେ ଦୁର୍ନୀତି ପାଇଁ ଜେଲ୍‌ର ଭୟ ରହିବ। ତାହେଲେ ଦୁର୍ନୀତିଖୋରଙ୍କ ପାଇଁ ଏହା ଏକ Detterent ହେବ। ଆମ ସରକାର ଦୁର୍ନୀତିର ସମ୍ଭାବନାକୁ ହ୍ରାସ କରିବା ପାଇଁ ସବୁସ୍ତରରେ ଆବଶ୍ୟକ ପଦକ୍ଷପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ସେ ପୁଣି କହିଥିଲେ ଯେ ଦୁର୍ନୀତିର ଚେର ଆଜି ରାଜ୍ୟରେ ମଜଭୁତ୍ ହେଇଯାଇଛି। ଏହାକୁ ଗୋଟିଏ ଦିନ ବା ମାସ ବା ବର୍ଷରେ ବନ୍ଦ କରିହେବ ନାହିଁ। ଏଥିପାଇଁ ନିରନ୍ତର ସଂଗ୍ରାମ ଚାଲିବା ଦରକାର। ଉପସ୍ଥିତ ଅଧିକାରୀ ମାନଙ୍କୁ ଉଦାହାରଣ ଦେଇ କହିଥିଲେ ଯେ ଆମେ ଯଦି ସାଧୁତାର ସହ କର୍ତ୍ତବ୍ୟ ପାଳନ କରୁଥିବା ତେବେ ଆମେ ମଧ୍ୟ ଅନ୍ୟ ପାଇଁ ଉଦାହାରଣ ହେବା, ପ୍ରଶଂସନୀୟ ହେବା। ବାତ୍ୟା ଦାନା ସମୟରେ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିଥିବା ରାଜନଗରର ଆଶା କର୍ମୀ ଶିବାନୀ ମଣ୍ଡଳ ହେଉଛନ୍ତି ତାର ଜ୍ବଳନ୍ତ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୨୦୨୯ ମସିହା ମଧ୍ୟରେ ଭାରତ ବର୍ଷର ୫ଟି ସମୃଦ୍ଧ ରାଜ୍ୟ ମଧ୍ୟରେ ଓଡିଶାକୁ ସ୍ଥାନିତ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ। ଏହା ସମ୍ଭବ ହେବ ଆପଣ ସମସ୍ତଙ୍କ ସହଯୋଗରେ। ଅତୀତର ସମୃଦ୍ଧ ଓଡିଶାକୁ ସ୍ମରଣ କରି ୨୦୩୬ରେ ବିକଶିତ ଓଡିଶା ଗଠନ ପାଇଁ ଆମକୁ ଆଗକୁ ବଢିବାକୁ ପଡିବ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ୍ ଭାବେ  କୋରାପୁଟ  ଡିଭିଜନକୁ, ଶ୍ରେଷ୍ଠ ୟୁନିଟ୍ ଭାବେ ବଲାଙ୍ଗିର ଡିଭିଜନକୁ, ଶ୍ରେଷ୍ଠ ତଦନ୍ତକାରୀ ଅଫିସର  ଭାବେ ବାଲେଶ୍ବର ଡିଭିଜନର ଡିଏସ୍‌ପି ଦୁଷ୍ମନ୍ତ କୁମାର ନାୟକ, ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଫିସର ଭାବେ ବ୍ରହ୍ମପୁର ଡିଭିଜନର ଶ୍ରୀମତୀ ସବିତାଞ୍ଜଳି ନାୟକ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ବରର ହେମନ୍ତ କୁମାର ସ୍ବାଇଁ ଙ୍କୁ ପୁରସ୍କୃତ କରିଥିଲେ। 

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ। ଦୁର୍ନୀତି ରୋକିବା ପାଇଁ ଆମକୁ ସରକାରୀ ସିଷ୍ଟମରେ ପରିବର୍ତ୍ତନ ଆଣିବା ଦରକାର। ସବୁଥିରେ ସ୍ବଚ୍ଛତା ରହିବା ଦରକାର ଏବଂ ନାଗରିକ ମାନଙ୍କୁ ସରକାରୀ ସିଷ୍ଟମ ସହ ଯୋଡିବା ଦରକାର। ତାହେଲେ ଯାଇ ଦୁର୍ନୀତି କମିବ। ଆଗାମୀ ଦିନରେ  ଗୁଡ୍ ଗଭର୍ଣ୍ଣାନ୍ସ ଓ ଦୁର୍ନୀତି ମୁକ୍ତ ସରକାରର ୨୦୩୬ ବିକଶିତ ଓଡିଶା ଗଠନରେ ବହୁ ଅବଦାନ ରହିବ ବୋଲି ସେ କହିଥିଲେ । 

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ କୁମାର ଜେଠୱା ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଆଜିର ଏହି ଦୁର୍ନୀତି ବିରୋଧରେ ଶପଥ ପାଠର ଗୁଞ୍ଜରଣ ଗର୍ଜନରେ ପରିଣତ ହେବ। କାରଣ ଏଥିରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରୁ ସମସ୍ତେ ଯୋଡି ହୋଇଛନ୍ତି। ଚଳିତ ବର୍ଷ ‘ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି’ ବିଷୟ ବସ୍ତୁ ଉପରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ରାଜ୍ୟର ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଓ ଗରିବ ଲୋକଙ୍କ ମୁହଁରେ ହସ ଆଣିବା ପାଇଁ ଦୁର୍ନୀତି ବିରୋଧରେ ନିରନ୍ତର ଲଢେଇର ଆବଶ୍ୟକତା ରହିଛି। ଏହି ଲଢେଇ କେବଳ ଓଡିଶା ଭିଜିଲାନ୍ସ ବିଭାଗର ନୁହେଁ ଏହା ଆମ ସମସ୍ତଙ୍କର ଲଢେଇ। 

ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅସୀତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ, ଆଭାସୀ ମାଧ୍ୟମ ରେ ସମସ୍ତ ଜିଲାପାଳ,ବରିଷ୍ଠ ପୋଲିସ ଅଧିକାରୀ, ଭିଜିଲାନ୍ସ ଅଧିକାରୀ, ପୂର୍ବତନ ବରିଷ୍ଠ ଅଧିକାରୀ, ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍‌ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋମବାର ଦିନ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨, ଫୁଲନଖରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଉତ୍ସବର ଆୟୋଜନ କରାଯାଇଥିଲା।

ଶନିବାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଆୟୋଜିତ ହ୍ୱାଇଟ୍ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ହିପୋକ୍ରାଟିକ୍ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ଶପଥ ନେଇଥିଲେ। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଏହା କେବଳ ଏକ କୋଟ ନୁହେଁ ବରଂ ପ୍ରତି ଡାକ୍ତରର ପ୍ରଥମ ପରିଚୟ ଅଟେ ବୋଲି କହିଥିଲେ। ତେଣୁ ଏହାକୁ ପିନ୍ଧି ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ଅଧ୍ୟୟନରେ ମନୋନିବେଶ କରିବା ସହ ସମାଜ ସେବା ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ନେଇ ଉତମ ଡାକ୍ତର ହେବା ପାଇଁ ବାର୍ତା ଦେଇଥିଲେ । 

ଏହି ଅବସରରେ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୋମବାର ଦିନ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ ଫୁଲନଖରା କ୍ୟାମ୍ପସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଥମ ବ୍ୟାଚ ତଥା ୨୦୨୪-୨୫ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ହ୍ୱାଇଟ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ଆପ୍ରୋନ୍ ପ୍ରଦାନ କରାଯାଇଥିଲା। 

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ନଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଆପ୍ରୋନ୍ ପ୍ରଦାନ କରାଯିବା ଦ୍ୱାରା ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ବିଷୟରେ ସେମାନଙ୍କୁ ସଚେତନ କରାଯାଇଛି। 

ଭରସା, ବିଶ୍ୱାସ, ଶକ୍ତି, ନୈତିକତା, ସହନଶୀଳତା ଓ ସମୟାନୁବର୍ତିତା ଭଳି ଗୁଣକୁ ଗୋଟିଏ ଡାକ୍ତର ନିଜ ଭିତରେ ସଦାସର୍ବଦା ଗୁରୁତ୍ୱ ଦେବା ଜରୁରୀ ବୋଲି ପ୍ରଫେସର ମହାନ୍ତି କହିଥିଲେ। 

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କହିଥିଲେ ଯେ ଡାକ୍ତର ହେବାର ସ୍ୱପ୍ନ ନେଇ ଆସିଥିବା ଏହି ଛାତ୍ରଛାତ୍ରୀମାନେ ନିଜର ଦାୟିତ୍ୱକୁ କିପରି ସୁଚାରୁ ରୂପେ ତୁଲାଇବେ ତାହା ଜାଣିବା ଆବଶ୍ୟକ। ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି କହିବା ସହ ସେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଯୋଗ ଦେଇ କହିଥିଲେ ଯେ ପ୍ରତି ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଦିନଟି ହେଉଛି ଗୁରୁତ୍ୱପୂର୍ଣ୍ଣ। ସେମାନେ ଏହି ଆପ୍ରୋନ୍ ପିନ୍ଧିବା ପରେ ଏହାର ମହତ୍ୱ ଓ ଦାୟିତ୍ୱ ବିଷୟରେ ଜାଣିବା ଆବଶ୍ୟକ। ଡାକ୍ତରୀ ବୃତିରେ ଆଚାର ଓ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ସେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ନୂତନ ବର୍ଷର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ସିଦ୍ଧାର୍ଥ ଗୌତମ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪





“ସତ୍ୟ ନିଷ୍ଠାର ସଂସ୍କୃତିରୁ ରାଷ୍ଟ୍ରର ସମୃଦ୍ଧି”, ଚଳିତ ବର୍ଷର ସତର୍କତା ସଚେତନତା ସପ୍ତାହ ପାଳନର ମୂଳମନ୍ତ୍ର |



ସତ୍ୟ ନିଷ୍ଠାର ସଂସ୍କୃତିରୁ ରାଷ୍ଟ୍ରର ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପୂର୍ବାହ୍ନରେ ରେଳପଥର ମୁଖ୍ୟାଳୟରେ ରେଳ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସତ୍ୟନିଷ୍ଠ ଓ ଅଖଣ୍ଡତାର ଶପଥ ଗ୍ରହଣ କରାଇଛନ୍ତି କରିଥିଲେ | ଏହି ସଚେତନତା ସପ୍ତାହ ରେଳବାଇ କାର୍ଯ୍ୟର ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ନୈତିକ ଆଚରଣକୁ ଲକ୍ଷ୍ୟ କରି ଭିଜିଲାନ୍ସ ସଚେତନତା ସପ୍ତାହ 2024 ର ପ୍ରାରମ୍ଭକୁ ସୂଚିତ କରୁଛି |

ସତର୍କତା ସଚେତନତା ଶପଥ ଗ୍ରହଣ ସମାରୋହରେ ରେଳ କର୍ମଚାରୀମାନେ ସେମାନଙ୍କର ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମ୍ଭାବ୍ୟତା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପ୍ରତିଶୃତି ଦେଇଥିଲେ | ଏହି ଶପଥଗ୍ରହଣ ଉତ୍ସବରେ ଲାଞ୍ଚ କାରବାର ନକରିବା, ସଚ୍ଚୋଟତା ସହିତ ସମସ୍ତ କାର୍ଯ୍ୟ କରିବା, ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ଏବଂ ଅଖଣ୍ଡତା ପ୍ରଦର୍ଶନ କରିବାରେ ଉଦାହରଣ ଦେଇ ଆଗେଇ ନେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା | କର୍ମଚାରୀମାନଙ୍କୁ ମଧ୍ୟ ଉପଯୁକ୍ତ ଅଧିକାରୀଙ୍କୁ ଦୁର୍ନୀତି ଘଟଣା ଜଣାଇବାକୁ ଉତ୍ସାହିତ କରାଯାଇଥିଲା |

ସତର୍କତା ସଚେତନତା ସମାବେଶକୁ ସମ୍ବୋଧିତ କରି ଶ୍ରୀ ଫୁଙ୍କୱାଲ ଦର୍ଶାଇଛନ୍ତି ଯେ ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପାଇଁ ଦୁର୍ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ହୋଇ ରହିଛି |  ଦୁର୍ନୀତିର ପ୍ରଭାବଶାଳୀ ମୁକାବିଲା ପାଇଁ ସରକାରୀ ଏବଂ ବେସରକାରୀ କ୍ଷେତ୍ର ତଥା ନାଗରିକଙ୍କ ସମେତ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ |  ସେ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ସର୍ବୋଚ୍ଚ ସଚ୍ଚୋଟତା ଏବଂ ଅଖଣ୍ଡତା ପ୍ରତି ପ୍ରତିବଦ୍ଧ ହେବା ଆବଶ୍ୟକ, ଯାହାଦ୍ୱାରା ଦୁର୍ନୀତି ବିରୋଧରେ ସାମୂହିକ ସଂଗ୍ରାମକୁ ମୁକାବିଲା କରାଯାଇ ହେବ |  

ଅକ୍ଟୋବର 28 ରୁ  2 ନଭେମ୍ବର, 2024 ପର୍ଯ୍ୟନ୍ତ ପାଳନ କରାଯାଉଥିବା ଭିଜିଲାନ୍ସ ସଚେତନତା ସପ୍ତାହରେ ରେଳ କର୍ମଚାରୀ, ଜନସାଧାରଣ ଏବଂ ରେଳ ବ୍ୟବହାରକାରୀଙ୍କୁ ଅଖଣ୍ଡତାର ଗୁରୁତ୍ୱ ବିଷୟରେ ସଚେତନତା କରାଇବା ଉଦ୍ଦେଶ୍ୟରେ ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜନ କରାଯାଇଅଛି | ସତର୍କତା ସଚେତନତା ସପ୍ତାହରେ ଆୟୋଜନ କରାଯାଉଥିବା କାର୍ଯ୍ୟକଳାପ ମାନଙ୍କ ସେମିନାର ଆୟୋଜନ, ସର୍ବସାଧାରଣ କେନ୍ଦ୍ରରେ ବ୍ୟାନର ଏବଂ ପୋଷ୍ଟର ଲଗାଇ ସଚେତନତା ସୃଷ୍ଟି କରାଇବା, ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା, ରେଳ କର୍ମଚାରୀ ଏବଂ ଉପଭୋକ୍ତାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ବ୍ୟାପକ ପରିକଳ୍ପନା କରାଯାଇଛି |

ଏହି ଶପଥ ଗ୍ରହଣ ସମାରୋହରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା ଏବଂ ମୁଖ୍ୟ ଭିଜିଲାନ୍ସ (ସତର୍କତା) ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ସମେତ ରେଳପଥର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ | ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ରେଳପଥର ଉପମୁଖ୍ୟ ସତର୍କତା ଅଧିକାରୀମାନେ ପରିଚାଳନା କରିଥିଲେ |

ପୂର୍ବତଟ ରେଳପଥ ସର୍ବଦା ଅଖଣ୍ଡତା ଏବଂ ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ଜାରି ରଖିଛି ଯାହାକି ରେଳ କର୍ମଚାରୀ ମାନଙ୍କ ସହ ଜନ ସମୁଦାୟ ମଧ୍ୟରେ ନୈତିକ ଆଚରଣ ପ୍ରତି ଏକ ବ୍ୟାପକ ଆନ୍ଦୋଳନକୁ ପ୍ରେରଣା ଦେବାକୁ ଅନବରତ ଭାବେ ଚେଷ୍ଟା କରିଆସୁଅଛି |


ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ଅକ୍ଟୋବର ୨୮ରୁ  ଆଗାମୀ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନସ୍ଥିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସଚେତନତା ଶପଥପାଠ କରିଥିଲେ । ଚଳିତ ବର୍ଷ ଏହି ସପ୍ତାହ ପାଳନର ପ୍ରସଙ୍ଗ ରହିଛି- ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି । ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମନୋଜ କୁମାର ମହାନ୍ତି କେନ୍ଦ୍ରୀୟ ସତର୍କତା ଆୟୋଗ ନିର୍ଦ୍ଦେଶରେ ପାଳନ କରାଯାଉଥିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହ  କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା,  ସମସ୍ତେ  କାର୍ଯ୍ୟକୁ ସାଧୁତା ଓ ସ୍ୱଚ୍ଛତାର ସହ ସଂପାଦନ କରିବା, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ସୃଷ୍ଟି କରିବା ସଂପର୍କରେ ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ଆଜି ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସାମାଜିକ ପ୍ରତିବଦ୍ଧତାର ପ୍ରଦର୍ଶନ ନେଇ ଶପଥ ପାଠ କରିଛନ୍ତି ।

ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ରାଜ୍ୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ମର୍ମରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ । ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଦୁର୍ନୀତି ଏକ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଭାବେ ଆଇନ ଅନୁମୋଦିତ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ । ନିଜ ଆଚରଣ ଓ କର୍ତ୍ତବ୍ୟ ସଂପାଦନରେ ସାଧୁତା ଅବଲମ୍ବନ ସହ ଦୁର୍ନୀତି ଓ ଲାଞ୍ଚ ଦେବା ଓ ନେବା ଭଳି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ବୋଲି ସମସ୍ତେ ସଂକଳ୍ପ ନେଇଥିଲେ । 

ଆଜିର ଏହି ଶପଥ ପାଠ ଉତ୍ସବରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂହ, ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣି, ଉପଶାସନ ସଚିବ ଶ୍ରୀ ଏସ୍‌.କେ. କଲାମୁଦ୍ଦିନ୍‌, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମତେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୪



ଲୋକନୀତି ନିର୍ଦ୍ଧାରଣରେ ଲୋକଙ୍କ ଭାଗୀଦାରି ରହୁ: ଓମ୍‍ ବିର୍ଲା

 ଦେଶ ଓ ରାଜ୍ୟରେ ସରକାର ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିବା ଲୋକନୀତିରେ ସାଧାରଣ ଲୋକଙ୍କ ଭାଗୀଦାରି ରହିବା ଉଚିତ ବୋଲି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି । ଆଜି କିଟ୍‍ ସ୍କୁଲ୍‍ ଅଫ୍‍ ପବ୍ଲିକ୍‍ ପଲିସି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିର୍ଲା କହିଲେ, ଲୋକଙ୍କ ସାମାଜିକ, ଆର୍ଥିକ ଉନ୍ନତିରେ ଦେଶ ଓ ରାଜ୍ୟର ସମୃଦ୍ଧି ନିର୍ଭର କରେ । ସମାଜର ସବୁ ବର୍ଗର ଲୋକଙ୍କୁ ଯେପରି ସମାନ ଅଧିକାର ମିଳିପାରିବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟପୂର୍ଣ୍ଣ ବିତରଣ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ଲୋକନୀତି ପ୍ରସ୍ତୁତ କରାଯିବା ଉଚିତ । ବିଭିନ୍ନ ସମୟରେ ସରକାର, ଘରୋଇ ସଂସ୍ଥା ଓ ଶିଳ୍ପ ସମୂହ ନୀତି ନିର୍ଦ୍ଧାରଣ କରିଥାନ୍ତି । ଏଥିରେ ସାଧାରଣ ଲୋକଙ୍କ ଯେତେ ପରିମାଣରେ ଯୋଗଦାନ ରହିବ ସେହି ଆଇନ ଓ ନୀତି ବାସ୍ତବ କ୍ଷେତ୍ରରେ ସେତେ ସଫଳ ହୋଇପାରିବ । ସରକାର ଲୋକଙ୍କ ପାଇଁ ଆଇନ୍‍ ଓ ନୀତି ପ୍ରଣୟନ ସମୟରେ ସାଧାରଣ ଲୋକ ଆଗଭର ହୋଇ ସେମାନଙ୍କ ମତାମତ ଦେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ଏକ ଭଲ ଚିନ୍ତାଧାରାରୁ ଏକ ଭଲ ନୀତି ନିର୍ଦ୍ଧାରଣ ହୋଇପାରେ । ବିକଶିତ ଓଡ଼ିଶା ଗଠନରେ ଏଭଳି ଭଲ ଚିନ୍ତାଧାରାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ କିଟ୍‍ ସ୍କୁଲ୍‍ ଅଫ୍‍ ପବ୍ଲିକ ପଲିସିର ଯୋଗଦାନ ରହିବ ବୋଲି ସେ ଆଶା ପୋଷଣ କରିଥିଲେ । ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଥିରେ ଯୋଗଦେଇ କହିଲେ, ସରକାର ଯେତେବେଳେ ଯୋଜନା ପ୍ରସ୍ତୁତ କରନ୍ତି ସେତେବେଳେ କୌଣସି ଜଣେ ବ୍ୟକ୍ତି ପାଇଁ ନୁହେଁ, ସମୂହ ବିକାଶ ନିମନ୍ତେ ନୀତି ପ୍ରସ୍ତୁତ କରିଥାନ୍ତି । ତେବେ ନୀତି ନିର୍ଦ୍ଧାରଣରେ କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ପ୍ରୟାସ ଜାରି ରହିବ ବୋଲି କହିଥିଲେ । ଓଡ଼ିଶା ଆଇନ, ଅବକାରୀ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ କହିଲେ, ଏକ ଉତ୍ତମ ଲୋକନୀତି ହେଉଛି ଏକ ଉତ୍ତମ ସରକାରର ପରିଚୟ । ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରାଯାଇଥାଏ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ଅଚ୍ୟୁତ ସାମନ୍ତ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ବତୀଘର । ଶ୍ରୀ ସାମନ୍ତ ଯାହା ଆଜି ହାସଲ କରିଛନ୍ତି ତାହା ହାସଲ କରିବା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ । ଲୋକନୀତି ହେଉଛି କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ । ସମାଜର ସବୁଠାରୁ ତଳସ୍ତରର ଲୋକଙ୍କ ନିକଟରେ ଯେପରି ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରିବ ତାହାକୁ ଦୃଷ୍ଟିରେ ଲୋକନୀତି ପ୍ରସ୍ତୁତ ହେବା ଦରକାର । ଏଭଳି ନୀତି ପ୍ରସ୍ତୁତ ହେବା ଦରକାର ଯେଉଁଠି ସରକାର ଅପେକ୍ଷା ସାଧାରଣ ଲୋକଙ୍କ ଭାଗୀଦାରି ଅଧିକ ରହିଥିବ ବୋଲି ସେ କହିଥିଲେ । ସ୍ୱାଗତ ଭାଷଣ ଦେବା ସହ ଶ୍ରୀ ସାମନ୍ତ କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଉପରେ ସୂଚନା ଦେଇ କହିଲେ, ଏହା ଏକ ବର୍ଷିଆ ପାଠ୍ୟକ୍ରମ ହୋଇଥିବା ବେଳେ ଏଥିରେ ନଲେଜ ପାର୍ଟନର ଅଛନ୍ତି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଇଣ୍ଡିଆନ୍‍ କାଉନ୍‍ସିଲ୍‍ ଅଫ୍‍ ୱାର୍ଲଡ ଆଫାୟାରସ (ଆଇସିଡବ୍ଲୁଏ) ଓ ଇଟାଲିର ଟରେନ୍‍ସ୍ଥିତ ୟୁନାଇଟେଡ୍‍ ନେସନ୍‍ସ ସିଷ୍ଟମ୍‍ ଷ୍ଟାଫ୍‍ କଲେଜ (ୟୁଏନ୍‍ଏସ୍‍ଏସ୍‍ସି) ।

ଅନ୍ୟମାନଙ୍କ ମଧ୍ୟରେ ଇକ୍ୱେଡରର ପ୍ରାକ୍ତନ ଉପରାଷ୍ଟ୍ରପତି ଓଟୋ ରାମନ, ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ତଥା ଅଭିନେତା ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ, ଆସିଡବ୍ଲୁଏର ଅତିରିକ୍ତ ସଚିବ ନୂତନ କପୁର ମହାୱାର, ୟୁଏନ୍‍ ରେସିଡେଣ୍ଟ ସଂଯୋଜକ ଶୋମ୍ବି ସାର୍ପ, ଇଟାଲିସ୍ଥିତ ୟୁଏନ୍‍ଏସ୍‍ଏସ୍‍ସି ନିର୍ଦ୍ଦେଶକ ଡ. ଜାଫର ଯାଭନ, ନୂଆଦିଲ୍ଲୀସ୍ଥିତ ଏସିଆ ସୋସାଇଟି ପଲିସି ଇନ୍‍ଷ୍ଟିଚ୍ୟୁଟ୍‍ର ନିର୍ଦ୍ଦେଶକ ଅକ୍ଷୟ ମାଥୁର, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, କୁଳପତି ପ୍ରଫେସର ଶରଣଜିତ ସିଂହ ଓ କିଟ୍‍ ସ୍କୁଲ୍‍ ଅଫ୍‍ ଲ’ର ପ୍ରଫେସର ଏମେରିଟସ୍‍ ଏନ୍‍ ଏଲ୍‍ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୪



  • ବାତ୍ୟା ମୁକାବିଲା ଓ ସୁପରିଚାଳନା ପାଇଁ ମୁଖ୍ୟମନ୍ତୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୁରା ଟିମ୍‌କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
  • କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି 
  • ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱଭାବିକ କରିବା ପାଇଁ ଯୁଦ୍ଧକାଳନୀ ଭିତିରେ ଉଦ୍ୟମ କରୁଛନ୍ତି
  • କ୍ଷତିଗ୍ରସ୍ତଙ୍କ ଆର୍ଥିକସ୍ଥିତି ପ୍ରଭାବିତ ନ ହେବାକୁ ଗୁରୁତ୍ୱ ଦିଆଯାଉଛି

 ବାତ୍ୟା “ଦାନା”ର ମୁକାବିଲା ରାଜ୍ୟ ସରକାର ଯେଉଁଭଳି ଭାବେ ମିଳିତ ପ୍ରୟାସ କଲେ ତାହା ପ୍ରଶଂସନୀୟ ଅଟେ। ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, ସରକାରୀ ଅଧିକାରୀ, ଏନ୍‌ଡିଆରଏଫ, ଏସ୍‌ଡିଆରଏଫ, ଅଗ୍ନିଶମ ବିଭାଗ, ଉଦ୍ଧାରକାରୀ ଦଳ, ବିଭିନ୍ନ ସାମାଜିକ ସଂଗଠନମାନେ ମିଳିମିଶି ବାତ୍ୟା “ଦାନା”ର ମୁକାବିଲା ଏବଂ ପରିଚାଳନା କରିଛନ୍ତି। ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ମଧ୍ୟ ନିଜ ନିଜ ଅଂଚଳରେ ରହି ପ୍ରଶାସନ ଏବଂ ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି । ଓଡ଼ିଶାର ସରକାର ଯେଉଁଭଳି ଭାବେ ବିଭିନ୍ନ ଜିଲ୍ଲାରେ ବାତ୍ୟା ପରିଚାଳନା କଲେ ତାହା ବିଶ୍ୱସ୍ତରୀୟ। ଏଭଳି ବାତ୍ୟା ପରିଚାଳନା ସମଗ୍ର ବିଶ୍ୱରେ ସର୍ବୋକୃଷ୍ଟ କହିଲେ ଅତୁକ୍ତି ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

ଶ୍ରୀ ସାମଲ କହିଛନ୍ତି, ବାତ୍ୟା ପୂର୍ବରୁ ଆଗୁଆ ଯୋଜନା ପ୍ରସ୍ତୁତ କରାଯାଇ ତାହାକୁ ସଠିକ କାର୍ଯ୍ୟକାରୀ କରାଗଲା । ପ୍ରତ୍ୟେକଟି ଜୀବନର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା । ‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ୱ ଦିଆଯାଇ ତଳିଆ ଓ ଅସୁରକ୍ଷିତ ଅଂଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତର କରଗଲା । ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ପରିବେଷଣକୁ ପ୍ରାଧାନ୍ୟ ଦିଆଯିବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି।

ବିଜେପି ସରକାର “ଦାନା” ବାତ୍ୟାଜନିତ କ୍ଷୟକ୍ଷତି ଭରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ରାସ୍ତାଘାଟ ସଫା କରି ଯୋଗାଯୋଗ ପୁନଃକ୍ଷମ କରିବା, ବିଜୁଳି ଓ ପାନୀୟ ଜଳକୁ ଲୋକଙ୍କ ପାଖକୁ ପହଂଚାଇବା ଉପରେ ବର୍ତମାନ ଗୁରୁତ୍ୱ ଦିଆଯାଉଛି। ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱଭାବିକ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳନୀ ଭିତିରେ ପ୍ରୟାସ ଜାରି ରଖିଛନ୍ତିି। ଏହି ବାତ୍ୟାରେ ଅଧିକାଂଶ ସ୍ଥାନରେ ବହୁ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି। ଏସବୁର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବାତ୍ୟାଯୋଗୁ କ୍ଷତିଗ୍ରସ୍ତ ଲୋକଙ୍କ ଆର୍ଥିକ ସ୍ଥିତି ଯେପରି ପ୍ରଭାବିତ ନ ହେବ, ସେସବୁ ଉପରେ ରାଜ୍ୟରେ ବିଜେପି ସରକାର ଗୁରୁତ୍ୱ ଦେଉଛନ୍ତି। ଏନେଇ ମୁଖ୍ୟମନ୍ତୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୁରା ଟିମ୍‌କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି।

ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୪



  • ଦେଶବାସୀଙ୍କୁ ଅନୁପ୍ରାଣିତ କରୁଛି ମନ କି ବାତ କାର୍ଯ୍ୟକ୍ରମ: ମନମୋହନ ସାମଲ
  • ଓଡିଶାର ସଂସ୍କୃତି, ଐତିହ୍ୟ, ପରଂପରା, କଳାକୁ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ
  • ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱ ନେତୃତ୍ୱକୁ କୋଣାର୍କ ଚକ୍ର ତଳେ ଏକାଠି କରିଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ଆଜିର ଡିଜିଟାଲ ଯୁଗରେ ଆନିମେସନ ଜରିଆରେ ବିଶ୍ୱର କୋଣ କୋଣକୁ କୋଣାର୍କ ଏବଂ ଓଡ଼ିଶୀ ନୃତ୍ୟକୁ ପହଂଚାଇବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି
  • ବିକଶିତ ଓଡିଶା ଗଠନ ପାଇଁ ମୋଦି ସରକାର ବଦ୍ଧପରିକର

 ଭାରତୀୟ ସଂସ୍କୃତି, ପରଂପରା, ଐତିହ୍ୟ, କଳା, ଭାଷା ଆଦି ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ପ୍ରତ୍ୟେକ ଭାରତୀୟଙ୍କୁ ଗୈାରବ୍ୱାନିତ କରିଛନ୍ତି ଦେଶର ନେତୃତ୍ୱ ନେଉଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଭଗବାନ ବିର୍ସା ମୁଣ୍ଡା, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀକୁ ପାଳନ କରିବା ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ସ୍ୱତନ୍ତ୍ରତାକୁ ପୁଣି ଥରେ ସାମ୍ନାକୁ ଅଣିଛନ୍ତି । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆସନ୍ତା ୩୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା “ରନ୍ ଫର୍ ୟୁନିଟି”ରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଆଜି ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି । ବିଶ୍ୱ ନେତୃତ୍ୱ ନେବା ପାଇଁ ଭାରତବର୍ଷ ଆଜି ପ୍ରସ୍ତୁତ। ବିକଶିତ ଭାରତ ଗଠନ ପାଇଁ ଆମେ ଯାତ୍ରା ଆରମ୍ଭ କରିଦେଇଛୁ । ଏହି ସମୟରେ ଆମେ ଅନେକ ଚ୍ୟାଲେଂଜର ସମ୍ମୁଖୀନ ହେବା । ବିଶେଷ ଭାବେ ସୁଚନା ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପଟେ ଆନିମେସନ ଦୁନିଆରେ ଭାରତର ପ୍ରାଧାନ୍ୟ ବଢି ଚାଲିଥିବାବେଳେ ଅନ୍ୟପଟେ ଡିଜିଟାଲ ଆରେଷ୍ଟ” ଭଳି ଭୟଭୟତାକୁ ସମ୍ମୁଖିନ କରି ସମସ୍ୟାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରଂପରା, କଳାକୁ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱ ନେତୃତ୍ୱକୁ କୋଣାର୍କ ଚକ୍ର ତଳେ ଏକାଠି କରିଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ଆଜିର ଡିଜିଟାଲ ଯୁଗରେ ଆନିମେସନ ଜରିଆରେ ବିଶ୍ୱର କୋଣ କୋଣକୁ କୋଣାର୍କ ଓ ଓଡିଶୀ ନୃତ୍ୟକୁ ପହଂଚାଇବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ବିକଶିତ ଓଡିଶା ଗଠନ ପାଇଁ ମୋଦି ସରକାର ବଦ୍ଧପରିକର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଜନଆନ୍ଦୋଳନରେ ପରିଣତ ହୋଇଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୫ତମ ସଂସ୍କରଣକୁ ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୯ ନମ୍ବର ୱାର୍ଡରେ ରାଜ୍ୟ ସଭାପତି ଶ୍ରୀ ସାମଲ ଶୁଣିଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ସ୍ଥାନୀୟ କର୍ପୋରେଟର ଅପରୂପ ରାଉତ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ।

‘ମନ କି ବାତ’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, କ୍ରୀଡା, ପର୍ଯ୍ୟଟନ, ସଂସ୍କୃତି ସମେତ ସ୍ୱାବଲମ୍ବୀ ଭାରତ ଗଠନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି । ଏହା ୧୪୦କୋଟି ଦେଶବାସୀଙ୍କୁ ନିଶ୍ଚିତ ଅନୁପ୍ରାଣିତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୪



ଆଜି ଅପରାହ୍ଣରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ‘ଦାନା’ର ପ୍ରଭାବ  ଏଥି ଜନିତ ଲଗାଣ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା  ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଚାଲିଥିବା ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ ।  ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗ, ଏସ୍‌ଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।  କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ସଦ୍ୟତମ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ  । 

ରାଜସ୍ୱ ମନ୍ତ୍ରୀ ଶ୍ରୀ ପୁଜାରୀ ଜିଲ୍ଲାଓ୍ୱାରୀ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ପୁନଃ ସଂଯୋଗୀକରଣ, ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଲୋକମାନଙ୍କର ଅବସ୍ଥା ଓ ବାତ୍ୟା କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିଥିଲେ । 

        ବାତ୍ୟା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ ସୋନ ନଦୀରେ ଅଧିକ ଜଳ ପ୍ରବାହିତ ହେବା ଯୋଗୁଁ ତଳିଆ  ଅଂଚଳରେ ପାଣି ପଶିବା ହେତୁ ଲୋକେ ପ୍ରଭାବିତ ହୋଇଥିଲେ ।  ଗତ କାଲି ରାତିରୁ ନଦୀଗୁଡିକରେ କ୍ରମାଗତ ଭାବେ ଜଳସ୍ତର କମିବା ଫଳରେ ସ୍ଥିତିରେ ସୁଧାର ଆସିଛି ।  କେତେକ ଜିଲ୍ଲାରେ  ଚାଷ ଜମିରେ ନଇଁ ପଡିଥିବା  ବିଦ୍ୟୁତ ଖୁଣ୍ଟଗୁଡିକର ପୁନଃ ସଂସ୍ଥାପନ କାର୍ଯ୍ୟ ଜାରି ରହିଛି । ଭଦ୍ରକ ଜିଲ୍ଲାରେ  ୨୧୮ ଟି ବିଦ୍ୟୁତ ଖୁଣ୍ଟ  ପ୍ରଭାବିତ ହୋଇଥିବା ବେଳେ  ସେଥି ମଧ୍ୟରୁ ୧୯୧ ଟିକୁ  ପୁନଃ ବ୍ୟବସ୍ଥିତ ହୋଇସାରିଛି ।   ଓଡ୍ରାଫ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଅନ୍ୟ କେତେକ ଯାଗାରେ ଗଛ ଡାଳ କାଟି ଅପସାରଣ ଓ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।   ଭଦ୍ରକରେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଅଧିକାଂଶ ଲୋକ ଘରକୁ ଯାଇ ସାରିଥିଲେ   ସୁଦ୍ଧା ଏବେ ମଧ୍ୟ କେତେକ ଅଂଚଳରୁ  ପାଣି କମିନି ଏବଂ ଏବେ ବି ଅନେକ ଜଳ ଘେରି ମଧ୍ୟରେ ରହିଛନ୍ତି । ସେଥି ପାଇଁ ଏବେ ମଧ୍ୟ ୪୨୬ ସ୍ଥାନରେ ରହିଥିବା ୨୫,୭୦୯ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଅଛି । ପରିସ୍ଥିତିକୁ ଦେଖି ଶୁଖିଲା  ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।  ଭଦ୍ରକରେ  ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ  କ୍ଷେତ୍ର ପରିଦର୍ଶନ କରିବା ସହ ଆଜି ସମୀକ୍ଷା ବୈଠକ କରି  ଜିଲ୍ଲାର ସ୍ଥିତି ଅନୁଧ୍ୟାନ ପୂର୍ବକ  କରି ପୁନରୁଦ୍ଧାର  କାର୍ଯ୍ୟ  ଜାରି ରଖିଛନ୍ତି  ।  

ଆଗାମୀ ନଭେମ୍ବର ୨ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ହୋଇଥିବା ଫସଲ କ୍ଷତି ଏବଂ ବାତ୍ୟା  କ୍ଷୟକ୍ଷତି ବିବରଣୀ ଏସ୍‌ଆରସିଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରାକ ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟରେ ରାଜ୍ୟସ୍ତରୀୟ ବିଭିନ୍ନ ବିଭାଗର  ସଚିବ ଏବଂ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାପାଳମାନଙ୍କୁ  ସହାୟତା କରିବା ପାଇଁ ଜିଲ୍ଲାକୁ ଯାଇଥିବା  ଅଭିଜ୍ଞ ଆଇଏସ ଅଧିକାରୀ, ପୁଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଆରକ୍ଷୀ ଅଧିକ୍ଷକ, କ୍ଷେତ୍ରସ୍ତରରେ  କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ  ରାଜସ୍ୱ ମନ୍ତ୍ରୀ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ ।  

ଆଗାମୀ ଅକ୍ଟୋବର ୨୯ ତାରିଖରେ  ଓସଡମା ତରଫରୁ  ବିପର୍ଯ୍ୟୟ ପ୍ରସ୍ତୁତି  ଦିବସ ଓ ଜାତୀୟ ବିପର୍ଯ୍ୟୟ  ପ୍ରଶମନ ଦିବସ ପାଳନ କରାଯିବାକୁ ଥିବା ବେଳେ  ଏଥିରେ ୧୯୯୯ ମହାବାତ୍ୟା  ସମୟର ଦୁଃଖଦ  ସ୍ମୃତି ଠାରୁ ଆରମ୍ଭ କରି  ଏହା ମଧ୍ୟରେ ବିଭିନ୍ନ ବର୍ଷରେ ଓଡ଼ିଶା ସମ୍ମୁଖୀନ ହୋଇଥିବା ବିଭିନ୍ନ ବାତ୍ୟା ଏବଂ ଘଟିଯାଇଥିବା ବାତ୍ୟା ‘ଦାନା’ ର ସଫଳ ମୁକାବିଲା ପର୍ଯ୍ୟନ୍ତ ଅନୁଭୂତି  ଆଲୋଚନା ହେବ ।  ଆଗାମୀ ଦିନରେ ଆମର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମନ୍ତ୍ରୀ  ଶ୍ରୀ ପୁଜାରୀ  ମତ ଦେବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ ।  

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବାତ୍ୟା ମୁକାବିଲାରେ ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ   ବିଭିନ୍ନ ବିଭାଗ, ସଂପୃକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅଗ୍ନିଶମ ବିଭାଗ, ଏନଡିଆରଏଫ୍, ଓଡ୍ରାଫ  ସମେତ  ଓ ସଂପୃକ୍ତ ବିଭିନ୍ନ ଗୋଷ୍ଠୀ,ଅନୁଷ୍ଠାନ ଓ ଅଂଚଳର ଜନସାଧାରମାନଙ୍କୁ  ଧନ୍ୟବାଦ ଜଣାଇଥିଲେ ।  ସମସ୍ତଙ୍କ ସମିଳିତ ପ୍ରୟାସରେ  ଏହି  ବାତ୍ୟା ମୁକାବିଲା  ପ୍ରସ୍ତୁତି ଓ ପୁନରୁଦ୍ଧାର  କାର୍ଯ୍ୟ ସଫଳତାର ସହିତ କରାଯାଇଥିବା  ଉନ୍ନୟନ କମିଶନର  ଶ୍ରୀମତୀ ଗର୍ଗ  ପ୍ରକାଶ କରିଥିଲେ । 

ଗ୍ରାମ୍ୟ ଉନ୍ନୟନ, ସୂଚନା ଓ  ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ସଞ୍ଜୟ କୁମାର ସିଂ  ବାତ୍ୟା ଦାନାର ମୁକାବିଲା ପ୍ରସ୍ତୁତି ଓ ପୁନରୁଦ୍ଧାର ସଂପର୍କିତ  ବିଭିନ୍ନ ସଫଳ କାହାଣୀକୁ ନେଇ ଏକ ପ୍ରାମାଣିକ ଚଳଚିତ୍ର ପ୍ରସ୍ତୁତ କରିବାକୁ  ପ୍ରସ୍ତାବ ଦେଇଥିଲେ । 

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ପରିଦର୍ଶନ ପରେ ତୁରନ୍ତ  କ୍ଷୟକ୍ଷତି ଆକଳନ ପାଇଁ ସବୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର  ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ।  

ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



 କର୍କଟ ରୋଗର ନିର୍ଣ୍ଣୟ, ପୂର୍ବାନୁମାନ ଓ ଚିକିତ୍ସା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଥିବା ମଲିକ୍ୟୁଲାର ହେମାଟୋଲଜି କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ସଂପର୍କରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଠାରେ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

‘ମଲିକ୍ୟୁଲାର ହେମାଟୋଲଜି- ଦି ଫ୍ୟୁଚର ୱି ଆର୍ ଲିଭିଂ ଇନ୍‌’ ଶୀର୍ଷକ ଏହି କଂଟିନ୍ୟୁଇଂ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ଗତ ବୁଧବାର ଦିନ ହାଇବ୍ରିଡ୍ ମୋଡ୍‌ରେ ଆୟୋଜିତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଡାକ୍ତର ଓ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ। 

ସିଏମ୍‌ଇରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ମୁଖ୍ୟତଃ ଆଡ୍‌ଭାନ୍ସଡ ମଲିକ୍ୟୁଲାର ଟେଷ୍ଟ ସମେତ ପଲିମେରାସ ଚେନ୍ ରିଆକ୍ସନ୍ (ପିସିଆର୍‌), ଫ୍ଲୁରୋସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (ଫିସ୍‌) ସାଇଟୋଜେନେଟିକ୍ସ, ସାଙ୍ଗେର ସିକ୍ୱେନ୍ସିଂ ଏବଂ ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (ଏନ୍‌ଜିଏସ୍‌) ଭଳି ପ୍ରକ୍ରିୟା ଯାହାକି ହେମାଟୋଲୋଜି, ଅଙ୍କୋଲୋଜି ଏବଂ ଅନ୍ୟାନ୍ୟ ରୋଗ କ୍ଷେତ୍ରରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

କର୍କଟ ରୋଗର ପରୀକ୍ଷଣ, ପୂର୍ବାନୁମାନ ଏବଂ ଚିକିତ୍ସା ବିଷୟରେ ନିଷ୍ପତି ନେବା ଦିଗରେ ମଲିକ୍ୟୁଲାର ହେମାଟୋଲଜି ଅନେକ ସହାୟକ ହେଉଛି ବୋଲି ହେମାଟୋଲୋଜି ରିସର୍ଚ୍ଚ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପ୍ରଫେସର (ଡାକ୍ତର) ହରପ୍ରସାଦ ପତି ଏହି ସିଏମ୍‌ଇରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ। 

ଓଡ଼ିଶାର ପ୍ରାୟ ସମସ୍ତ ହସ୍ପିଟାଲ୍ ଏବଂ ଲ୍ୟାବ ଏହି ପରୀକ୍ଷା ନିମନ୍ତେ ଓଡ଼ିଶା ବାହାରର ଲ୍ୟାବରେ ସହାୟତା ନିଆଯାଉଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ରାଜ୍ୟର ପ୍ରଥମ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଯେଉଁଠାରେ କି ଏନ୍‌ଜିଏସ୍ ପରୀକ୍ଷଣ ସୁବିଧା ବର୍ତମାନ ଉପଲବ୍ଧ ଅଟେ। 

ମଲିକ୍ୟୁଲାର ଏବଂ ଜେନୋମିକ୍ସ ପରୀକ୍ଷଣ ଖୁବ୍ ଜଟିଳ ଏବଂ ଏଥିପାଇଁ କେବଳ ଅତ୍ୟାଧୁନିକ ଲାବୋରେଟୋରୀ ବ୍ୟବସ୍ଥା ନୁହେଁ ବରଂ ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ରହିଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ର ଦ୍ୱାରା ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଚିକିତ୍ସା ନିମନ୍ତେ ଲାଭଜନକ ହେବ ବୋଲି ବକ୍ତାମାନେ କହିଛନ୍ତି। 

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଏକ ପ୍ରମୁଖ ଅଂଗ ହୋଇଥିବା ବେଳେ ଏହାର ମେଡିକାଲ୍ କଲେଜର ଏକାଡେମିକ ବ୍ୟବସ୍ଥା ଖୁବ୍ ଉନ୍ନତ ଯାହାର ସୁବିଧା ଜନସାଧାରଣ ଅନେକ ମାତ୍ରାରେ ପାଇପାରୁଛନ୍ତି। ଆୟୋଜିତ ସିଏମ୍‌ଇ ହେଉଛି ଏହି ଶିକ୍ଷାନୁଷ୍ଠାନର ଶୈକ୍ଷିକ ଉତ୍କର୍ଷତାର ପ୍ରମାଣ ବୋଲି ପ୍ରଫେସର ପତି କହିଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ପାଲଟିଥିବା ଏହି ହସ୍ପିଟାଲ୍ ହେଉଛି ପ୍ରଥମ ଅନୁଷ୍ଠାନ ଯେଉଁଠାରେ କି ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ (କାର-ଟି ସେଲ) ଥେରାପି ବ୍ୟବହାର କରି ଜଣେ ଯୁବ ରକ୍ତକର୍କଟ ରୋଗୀଙ୍କର ସଫଳ ଚିକିତ୍ସା ହୋଇପାରିଛି। ହସ୍ପିଟାଲରେ ଏପର୍ଯ୍ୟନ୍ତ ୭୦ ରୁ ଊର୍ଦ୍ଧ୍ୱ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍ (ବିଏମ୍‌ଟି) ସଫଳତାର ସହ ହୋଇପାରିଛି ବୋଲି ସେ କହିଥିଲେ। 

ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲୋଜିର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଥିଲେ ଯେ ସଂପୃକ୍ତ ରୋଗୀଙ୍କୁ କାର-ଟି ସେଲ୍ ଚିକିତ୍ସା ଉପଲବ୍ଧ କରିବା କ୍ଷେତ୍ରରେ ହସ୍ପିଟାଲ୍‌ର ସମସ୍ତ ବିଭାଗର ସହଯୋଗ ମିଳିଥିଲା। ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଆମକୁ କିଛି କିଛି ନୂତନ ଶିକ୍ଷା ମିଳୁଛି ବୋଲି ସେ କହିଥିଲେ। 

ହସ୍ପିଟାଲ୍‌ର ମଲିକ୍ୟୁଲାର ଜେନୋମିକ୍ସର ଲ୍ୟାବ୍‌ର ମୁଖ୍ୟ ଡାକ୍ତର ଶିଭାଙ୍ଗୀ ହାରନ୍‌ଖେଡକର ଏହି କାର୍ଯ୍ୟକ୍ରମର ସଂପାଦକ ଥିଲେ। 

ସିଏମ୍‌ଇରେ ହସ୍ପିଟାଲର ଲାବୋରେଟୋରୀର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ରାଜଶ୍ରୀ ପାଣିଗ୍ରାହୀ, ମେଡିକାଲ୍ ଅଙ୍କୋଲୋଜିର ମୁଖ୍ୟ ପ୍ରଫେସର (ଡାକ୍ତର) ସୌମ୍ୟ ସୁରଥ ପଣ୍ଡା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର, ଲ୍ୟାବ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଭୋଳ ଏବଂ ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନେ ଯୋଗ ଦେଇଥିଲେ।

ଭୁବନେଶ୍ୱର, ୨୬ ନଭେମ୍ବର ୨୦୨୪



ଓଡ଼ିଶା ଗସ୍ତରେ ଆସିଥିବା ଭାରତ ସରକାରଙ୍କ ଆନ୍ତଃ ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍‌ ଆଜି ଅପରାହ୍ଣରେ  ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଓଡ଼ିଶାରେ ସଂଘଠିତ ହୋଇଯାଇଥିବା ବାତ୍ୟା ‘ଦାନା’ ସଂପର୍କିତ କ୍ଷୟକ୍ଷତି  ଆକଳନ ଓ ସଦ୍ୟତମ ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପିକେ ରାଏଙ୍କ ନେତୃତ୍ୱରେ ଆସିଥିବା ଏହି କେନ୍ଦ୍ରୀୟ ଦଳ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ଓଡିଶା ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କରିଥିଲେ । ଆନ୍ତଃ ମନ୍ତ୍ରାଳୟ ଟିମର ସଦସ୍ୟମାନେ ଗତକାଲି ନଭେମ୍ବର ୨୫ ତାରିଖରୁ ଆସି ବାତ୍ୟା ‘ଦାନା’ ପ୍ରଭାବରେ ଅଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ କରିଥିଲେ । 

ଆଜି ଲୋକସେବା  ଭବନରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୁଖ୍ୟ ସାଧାରଣ ପରିଚାଳକ  ଡଃ. କମଳ ଲୋଚନ ମିଶ୍ର ବାତ୍ୟା ‘ଦାନା’ କ୍ଷୟକ୍ଷତି ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ବାତ୍ୟା ପୂର୍ବରୁ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର  ରାଜସ୍ୱ ମନ୍ତ୍ରୀ, ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ଦ୍ୱାରା ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା, ସେ ସଂପର୍କରେ ଉପସ୍ଥାପନ କରିବା ସହ ଜିଲ୍ଲାସ୍ତରରେ ପ୍ରସ୍ତୁତି, ବାରଂବାର ସମୀକ୍ଷା ବୈଠକ,  ଜିଲ୍ଲାମାନଙ୍କୁ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗର ଟିମ୍ ମୁତୟନ ଠାରୁ ଆରମ୍ଭ କରି ବାତ୍ୟା ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ, ରିଲିଫ ପରିଚାଳନା, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟ ସଂପର୍କରେ ଡଃ. ମିଶ୍ର  କେନ୍ଦ୍ରୀୟ ଟିମ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ  ବାତ୍ୟା ପରିପ୍ରେକ୍ଷୀରେ ଜଳ ସଂପଦ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିବା ସହିତ ଆଗାମୀ ଦିନରେ ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ଉପକୂଳକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ ଲୁଣାବନ୍ଧ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବା ସଙ୍ଗେ ସଙ୍ଗେ  ରାଜ୍ୟର  ବିପର୍ଯ୍ୟୟ ଭିତ୍ତିଭୂମି ସୁଦୃଢ଼ ପାଇଁ ପଦକ୍ଷେପ ସଂପର୍କରେ  ପ୍ରକାଶ କରିଥିଲେ । 

ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ  ସଚିବମାନେ ଯୋଗଦେଇ  ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ସେସବୁର ମରାମତି,  ବିଦ୍ୟୁତ ଖୁଣ୍ଟ ନଷ୍ଟ ଓ ବିଦ୍ୟୁତ ପୁନଃ ସଂସ୍ଥାପନ, ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ, ଫସଲ କ୍ଷୟକ୍ଷତି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ତରଫରୁ କ୍ଷୟକ୍ଷତି ଆଦି ସଂପର୍କରେ  ଅବଗତ କରିବା ସହ ଅନ୍ୟ କ୍ଷୟକ୍ଷତି ସଂପର୍କରେ ବିଶଦ୍ ଆଲୋଚନା କରିଥିଲେ । 

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ପାଣିପାଗ ବିଭାଗର ଆକଳନ ଅନୁସାରେ ଆମେ ଚଳିତ ବାତ୍ୟାରେ ପବନର ବେଗ ୧୦୦ ରୁ ୧୨୦ କି.ମି. ପ୍ରତି ଘଣ୍ଟା ବେଗକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିଲୁ । ଓଡ଼ିଶା ପାଇଁ ଏହାଠାରୁ ଯଥେଷ୍ଟ ଅଧିକ ତୀବ୍ର ବେଗର ପବନ ସହିବା ଭଳି ସହନଶୀଳ ସ୍ଥାୟୀ ସୁଦୃଢ଼ ଭିତ୍ତିଭୁମି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।  ଏଥି ପାଇଁ ସହଯୋଗ ନିମନ୍ତେ  ସେ  ଆନ୍ତଃ ମନ୍ତ୍ରାଳୟ ଟିମର ସହଯୋଗ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ।  ଆନ୍ତଃ ମନ୍ତ୍ରାଳୟ ଟିମର ମୁଖ୍ୟ ଶ୍ରୀ ରାୟ ବାତ୍ୟା ‘ଦାନା’ ମୁକାବିଲା ପ୍ରସ୍ତୁତି  ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ  ଓଡ଼ିଶାର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।  

   ପ୍ରକାଶ ଥାଉକି, ଏହି ବୈଠକ ପୂର୍ବରୁ  ଆଜି ଅପରାହ୍ଣରେ  ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ        ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହିତ ଆଲୋଚନା କରିଥିଲେ । 


Powered by Blogger.
Javascript DisablePlease Enable Javascript To See All Widget