ଭୁବନେଶ୍ୱର, ୨୯ ଡିସେମ୍ବର ୨୦୨୪
ଲଘୁଚାପ ଜନିତ ଅଦିନିଆ ବର୍ଷାରେ ୨୧ଟି ଜିଲ୍ଲାରେ ଧାନ ଓ ଅଣଧାନ ଫସଲ ପ୍ରଭୃତି ବ୍ୟାପକ ଭାବେ ନଷ୍ଟ ହୋଇଛି। ଫସଲହାନୀ ଓ ଋଣଭାରରେ ଇତି ମଧ୍ୟରେ ୬ଜଣ ଚାଷୀ ଆତ୍ମହତ୍ୟା କଲେଣି। ସରକାର ସମ୍ବେଦନଶୀଳ ହେବା ପରିବର୍ତ୍ତେ କ୍ଷେତ୍ରସ୍ତରର ଦୁଃସ୍ଥିତି ଅଦ୍ୟାବଧି ସମାଧାନ କରିବାର ଠିକଣା ବାଟ ବାହାରକଲେ ନାହିଁ। କୃଷି,ସମବାୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ଓ ରାଜସ୍ୱମନ୍ତ୍ରୀ ଚାଷୀଙ୍କୁ ଦେଉଥିବା ପ୍ରତିଶ୍ରୃତିରେ କୌଣସି ସତ୍ୟତା ଓ ତାଳମେଳ ରହୁନାହିଁ। ମୁଖ୍ୟମନ୍ତ୍ରୀ ଗତକାଲି ଚଳିତ ମାସ ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ସ୍ଥଳେ କ୍ଷେତ୍ରସ୍ତରର ବିଭାଗୀୟ ଅଧିକାରୀଙ୍କର ଦେଖାନାହିଁ। ରାଜ୍ୟର ସମସ୍ତଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିଶେଷ କରି ବୀମା କରିଥିବା ଏବଂ ବୀମା ନ କରିଥିବା ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀ ସହାୟତା ପାଇବା ପାଇଁ କୃଷି ରକ୍ଷକ ଆପ୍ କିମ୍ବା ହେଲ୍ପ ଲାଇନ୍ ୧୪୪୪୭ରେ ଆବେଦନ କରିବା ପାଇଁ ୭୨ ଘଣ୍ଟା ମହଲତ ଦେଇଛନ୍ତି। ଇତି ମଧ୍ୟରେ ଆଜି ଡିସେମ୍ବର ୨୯ତାରିଖରେ ସୂଚନା ଦେବାର ୭୨ ଘଣ୍ଟା ପୁରି ଯାଉଛି। ଖରିଫରେ ରାଜ୍ୟର ୨୧ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଫସଲବୀମା ପାଇଁ ପଞ୍ଜିକୃତ କରିଥିଲେ। କିନ୍ତୁ ଗତକାଲି ସନ୍ଧ୍ୟା ସୁଦ୍ଧା ମାତ୍ର ଆପ୍ରେ ୧ଲକ୍ଷ ୨୬ହଜାର ଚାଷୀ ଆବେଦନ କରିଛନ୍ତି। ଫସଲଉଦ୍ଧାର ପାଇଁ ଅସହାୟ ଭିତରେ ଥିବା ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସରକାର ଏହି ଦିଗରେ ସେପରି ସଚେତନ କରିନାହାନ୍ତି। ଯେଉଁମାନେ ଆବେଦନରୁ ବଞ୍ôଚତ ହେବେ ସେହି ଚାଷୀ ସହାୟତା ପାଇବେ କିପରି? ସବୁ ଚାଷୀଙ୍କ ପାଖରେ ମୋବାଇଲ୍ ନାହିଁ। ଗ୍ରାମାଞ୍ଚଳରେ ବହୁ ସମୟ ବିଦ୍ୟୁତକାଟ୍ ହେଉଛି। ରିଚାର୍ଜ୍ୟ କରିବା ସମ୍ଭବପର ନୁହେଁ। ଆଉ ଯେଉଁ ଆପ୍ ନମ୍ବରଟି ଜାରି କରାଯାଇଛି ଅନେକ ସମୟରେ ଏହା ଅଚଳ। ଏଥିରେ କେତେଦୂର ଚାଷୀ ଆବେଦନ କରିପାରିବେ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କଳାରୁ କୈଫୟତ ତଲବ କରାଯାଇଛି। ଯାହାର ଏକ ପ୍ରମାଣ ଗତକାଲି କୃଷି ଓ ରାଜସ୍ୱମନ୍ତ୍ରୀ ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବା ବେଳେ ସରକାର ଓ ପ୍ରଶାସନର ଚରମ ଅବ୍ୟବସ୍ଥା ସ୍ପଷ୍ଟପ୍ରମାଣିତ କରିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ଉପନିବନ୍ଧକ ସମବାୟ ସମିତି ସମୁହ, ରାୟଗଡ଼ା ରୋକଠୋକ୍ ଉପମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ଦେଇଛନ୍ତି ଯେ, ଏହି ହେଲ୍ପ ଲାଇନ୍ କ’ଣ ଆମେ ଜାଣିନାହୁଁ। ତାହାହେଲେ ଚାଷୀ କିପରି ଜାଣିବେ ବୋଲି କଂଗ୍ରେସ ଏହାର ସ୍ପଷ୍ଟିକରଣ ଚାହିଁଛି।
ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ହିତ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୀମା ସହାୟତା ପାଇବା ନିମନ୍ତେ ଆବେଦନ ତାରିଖକୁ ଆଉ ୩ ଦିନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ କ୍ଷେତ୍ରସ୍ତରର ଅଧିକାରୀମାନେ କ୍ଷୟକ୍ଷତିର ପୁନଃ ସଠିକ୍ ଆକଳନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମା ଏବଂ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାରପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Post a Comment