loading...

ରାଜ୍ୟ କାର୍ଯ୍ୟାଳୟରେ ‘ବୀର ବାଲ୍ ଦିବସ’ପାଳନ

ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୪




  • ଧର୍ମରକ୍ଷା ପାଇଁ ଜୋରାବର ଓ ଫତେ ସିଂଙ୍କ ବଳିଦାନ ଅବିସ୍ମରଣୀୟ: ମନମୋହନ ସାମଲ
  • ଗୁରୁଦ୍ୱାରରେ ଶ୍ରଦ୍ଧାସୁମନ ଅର୍ପଣ କଲେ ରାଜ୍ୟ ସଭାପତିଙ୍କ ସମେତ ଅନେକ ନେତୃବୃନ୍ଦ
  • ଆଜି ଦେଶବ୍ୟାପୀ ପାଳନ କରାଯାଉଛି ‘ବୀର ବାଲ୍ ଦିବସ
ବୀର ସାହେବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟନ୍ୱିତ କରିଦେଇଥିଲା। ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହେବଜାଦେଙ୍କ ସାହସ ଏବଂ ଆଦର୍ଶ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିଛି। ଦେଶର ସମ୍ମାନ ରକ୍ଷା କରିବା ପାଇଁ ଦଶମ ଶିଖ୍ ଗୁରୁଙ୍କ ମହାନ ଯୋଗଦାନ ଏବଂ ଶିଖ୍ ପରମ୍ପରାର ବଳିଦାନକୁ ଏହି ଦିବସ ମନେ ପକାଇଥାଏ । ଗତ ୨୦୨୨ ମସିହା ଜାନୁଆରୀ ୯ ତାରିଖରେ ଗୁରୁ ଗୋବିନ୍ଦ ସିଂହଙ୍କ ବାର୍ଷିକ ଜନ୍ମ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୬ ତାରିଖକୁ ‘ବୀର ବାଲ୍ ଦିବସ’ ରୂପେ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ଦେଶବ୍ୟାପୀ ଏହି ଦିବସ ପାଳନ କରାଯାଉଛି। ସେମାନଙ୍କ ସାହସକୁ ମନେ ପକାଇ ପ୍ରତିବର୍ଷ ୨୬ ଡିସେମ୍ବରକୁ “ବୀର ବାଲ ଦିବସ’ ଭାବରେ ପାଳନ କରାଯାଉଛି। ଧର୍ମରକ୍ଷା ପାଇଁ ଜୋରାବର ଓ ଫତେ ସିଂଙ୍କ ବଳିଦାନ ଅବିସ୍ମରଣୀୟ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ଏହି ଅବସରରେ ଶ୍ରୀ ସାମଲ ଶିଖ୍ ସମ୍ପ୍ରଦାୟର ଶିଶୁମାନଙ୍କ ସାହସିକତାକୁ ଭୁରଭୁରି ପ୍ରଶଂସା କରିବା ସହ ଭୁବନେଶ୍ୱରର ଖାରବେଳନଗର ସ୍ଥିତ ଗୁରୁଦ୍ୱାରକୁ ଯାଇ ବାଲ୍ ବୀର ଜୋରଦାର ସିଂହ ଓ ଫତେ ସିଂହଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ। 
ଶ୍ରୀ ସାମଲ କହିଥିଲେ ଯେ, ମୋଗଲ ଶାସନ କାଳରେ ଭାରତୀୟ ସନାତନୀଙ୍କ ଉପରେ ଧର୍ମପରିବର୍ତନ ନିମନ୍ତେ ନାନା ପାଶବିକ ଅତ୍ୟାଚାର କରାଯାଉଥିଲା। ମୋଗଲ ସମ୍ରାଟ ଔରଙ୍ଗଜେବ କଳେବଳେ କୌଶଳେ ଅଥବା ତରବାରୀର ତୀକ୍ଷ୍‌ଣ ଧାରରେ ଧର୍ମାନ୍ତରୀକରଣ ପାଇଁ ବାଧ୍ୟ କରୁଥିଲେ। ଯେଉଁମାନେ ଏହାକୁ ଅବମାନନା କରୁଥିଲେ ସେମାନଙ୍କୁ ନୃଶଂସଭାବେ ହତ୍ୟା କରାଯାଉଥିଲା। ୧୭୦୪ ମସିହା ଡିସେମ୍ବର ୨୨ରେ ସିରସା ନଦୀକୂଳରେ ଖାଲସା ଓ ମୋଗଲମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ସମୟରେ ୪୦ ଜଣ ଶିଖ୍ ଦେଢ଼ ଲକ୍ଷ ମୋଗଲ ସେନାଙ୍କ ବିରୋଧରେ ଧର୍ମଯୁଦ୍ଧ ଲଢ଼ିଥିଲେ। ଏହି ଯୁଦ୍ଧରେ ଶିଖ୍ ଧର୍ମଗୁରୁ ଗୋବିନ୍ଦ ସିଂଙ୍କ ୨ ବଡ ପୁଅ ବାବା ଅଜିତ ସିଂ ଓ ବାବା ଜୁଝାର ସିଂଙ୍କ ସମେତ ବାକି ୩୮ ଶିଖ୍ ବୀର ରଣଭୂମିରେ ବୀରଗତି ପ୍ରାପ୍ତ ହୋଇଥିଲେ। ବିବି ଶରନ୍ କୌର ଶହୀଦମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରୁଥିବାବେଳେ ତାଙ୍କୁ ମଧ୍ୟ ଜଳନ୍ତା ଜୁଇ ଭିତରକୁ ଜିଅନ୍ତା ଫିଙ୍ଗି ନିର୍ମମଭାବେ ହତ୍ୟା କରାଯାଇଥିଲା। ଏତିକିରେ ଅଟକି ନଥିଲା ମୋଗଲମାନଙ୍କ ପାଶବିକ ଅତ୍ୟାଚାର। ଧର୍ମପରିବର୍ତନ କରିବାକୁ ବାରଣ କରିଥିବା ଦୁଇ ଶିଶୁ ପୁତ୍ର ୬ ବର୍ଷୀୟ ସାହେବଜାଦା ବାବା ଜୋରାବର ସିଂ ଏବଂ ୯ ବର୍ଷୀୟ ବାବା ଫତେ ସିଂଙ୍କୁ ଥଣ୍ଡା ବୁଜ୍‌ର୍ ଦୁର୍ଗରେ ଦୁଇଦିନ ବନ୍ଦୀ ରଖିବାପରେ ତୃତୀୟ ଦିନ ଇଟା କାନ୍ଥ ଭିତରେ ଜୀବନ୍ତ ସମାଧି ଦିଆଯାଇଥିଲା। କିନ୍ତୁ ଇଟାକାନ୍ଥ ଭାଙ୍ଗିପଡ଼ିବାରୁ ପୁନଶ୍ଚ ଦୁଇ କୋମଳମତି ଶିଶୁଙ୍କର ଗଳାକାଟି ହତ୍ୟାକରି ମୋଗଲ ନିଜର ବର୍ବରତାର ପରିଚୟ ଦେଇଥିଲେ। 
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ପିପିଲି ଗୁଡିଆ ପୋଖରୀ ଠାରେ ଗୁରୁନାନକ ପବ୍ଲିକ ସ୍କୁଲ ଠାରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ବୀର ବାଲ ଦିବସ ଅବସରରେ ଯୋଗ ଦେଇ ଦୁଇ ବୀର ବାଳକଙ୍କ ବୀର ଗାଥା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଓ ସ୍କୁଲର କର୍ମକର୍ତା ମାନେ ଉପସ୍ଥିତ ଥିଲେ।
ସେହିପରି ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ‘ବୀର ବାଲ୍ ଦିବସ’ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ରାଷ୍ଟ୍ର ଧର୍ମର ସୁରକ୍ଷା ପାଇଁ ସହୀଦ ହୋଇଥିବା ମହାପୁରୁଷଙ୍କ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଅମରଜିତ୍ ସିଂହ ଓ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ତଥା ବୀର ବାଲ ଦିବସ ରାଜ୍ୟ ସଂଯୋଜକ ଶ୍ରୀ ସୁରଥ ବିଶ୍ୱାଳ ଯୋଗ ଦେଇଥିଲେ । 
ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ)ମାନସ କୁମାର ମହାନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ସାଂସଦ ପର୍ଶୁ ମାଝୀ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ସିଂ, ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଅରୁଣ ନାୟକ, ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରଦାସ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ବୀର ବାଲ ଦିବସ ଉପଲକ୍ଷେ ସଭା, ଶୋଭାଯାତ୍ରା କରିଛନ୍ତି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget