ଭୁବନେଶ୍ୱର, ୦୨ ଜାନୁଆରୀ ୨୦୨୫
କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ଦାୟିତ୍ତ୍ଵ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଡ. ପଟ୍ଟନାୟକ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ରିଫାଇନେରୀ ଡିଭିଜନର ମୁଖ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ କାର୍ଯ୍ୟ କରିଆସୁଥିଲେ ।
ମାନବ ସମ୍ବଳ ଏବଂ ଶୈଳ୍ପିକ ସମ୍ପର୍କ କ୍ଷେତ୍ରରେ ଦୀର୍ଘ ୩୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ସହିତ ଡ. ପଟ୍ଟନାୟକ ସାଂଗଠନିକ ବିକାଶ, କର୍ମଚାରୀଙ୍କ ନିୟୋଜନ, ପ୍ରତିଭା ଅଧିଗ୍ରହଣ, ଶିଳ୍ପ ସମ୍ପର୍କ, ଶିକ୍ଷଣ ଓ ବିକାଶ ଏବଂ ମାନବ ସମ୍ବଳ ରଣନୀତି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ହାସଲ କରିଛନ୍ତି । ଖଣି, ବିଶୋଧନାଗାର, ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଡକ୍ଟର ପଟ୍ଟନାୟକଙ୍କର ମଧ୍ୟ ବିଶେଷ ଅଭିଜ୍ଞତା ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଡକ୍ଟର ପଟ୍ଟନାୟକ କାର୍ମିକ ପରିଚାଳନା ଏବଂ ଶୈଳ୍ପିକ ସମ୍ପର୍କ କ୍ଷେତ୍ରରେ ସ୍ନାତକୋତ୍ତର ଏବଂ ପିଏଚଡି ସହ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ।
ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ସାଂଗଠନିକ ଲକ୍ଷ୍ୟ ସହିତ ମେଳ ଖାଉଥିବା ଅଭିନବ କାର୍ଯ୍ୟଶୈଳୀ ଗୁଡ଼ିକର ଉପଯୋଗ ନିମନ୍ତେ ଡ. ତାପସ କୁମାର ପଟ୍ଟନାୟକ ଅଗ୍ରାଧିକାର ଦେଇଥାନ୍ତି । ନାଲକୋରେ ଡ. ପଟ୍ଟନାୟକ ମାନବ ସମ୍ବଳ ବିଭାଗର ଦାୟିତ୍ଵ ବହନ କରିବା ସହ, ପ୍ରତିଭା ଅଧିଗ୍ରହଣ, କର୍ମଚାରୀ ଦକ୍ଷତା ବିକାଶ, ସାଂଗଠନିକ ପ୍ରଭାବଶୀଳତା ଏବଂ ନାଲକୋର ମାନବ ସମ୍ବଳ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀର ଦୀର୍ଘକାଳୀନ ଲକ୍ଷ ହାସଲ ଦିଗରେ କାର୍ଯ୍ୟ କରିବେ ।
ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନାଲକୋ ସିଏମଡି, ଶ୍ରୀ ସଞ୍ଜୟ ଲୋହିୟା, ଆଇଏଏସ୍, ଡକ୍ଟର ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ, ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ନୂତନତା ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି ଯାହାକି ସଂଗଠନର କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ । ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡକ୍ଟର ପଟ୍ଟନାୟକଙ୍କ ଯୋଗଦାନ ନାଲକୋର ନିର୍ଦ୍ଦେଶକ ମଣ୍ଡଳୀକୁ ଆହୁରି ସୁଦୃଢ କରିବ ବୋଲି ସେ ମତ ପ୍ରକଟ କରିଛନ୍ତି ।
Post a Comment