loading...

ଉତ୍କର୍ଷ ଓଡ଼ିଶା ବିକଶିତ ଭାରତ ଗଠନ ଦିଗରେ ଉତ୍‌ପ୍ରେରକ ହେବ – ରାଜ୍ୟପାଳ

ଭୁବନେଶ୍ୱର, ୨୭ ଜାନୁଆରୀ  ୨୦୨୫



ଉତ୍କର୍ଷ ଓଡ଼ିଶା ବିକଶିତ ଭାରତ ଗଠନ ଦିଗରେ ଉତ୍‌ପ୍ରେରକ ହେବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସି.ଆଇ.ଆଇ.)ର ୟଙ୍ଗ୍ ଇଣ୍ଡିଆନସ୍ ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ ଆୟୋଜିତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ମତବ୍ୟକ୍ତ କରିଛନ୍ତି। ଉକ୍ତ ଅଧିବେଶନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ବେଳେ ରାଜ୍ୟପାଳ କହିଥିଲେ ଯେ ବିକଶିତ ଓଡ଼ିଶା ଗଠନ ପାଇଁ ଉତ୍କର୍ଷ ଓଡ଼ିଶା ଏକ ସୁଯୋଗ ସୃଷ୍ଟି କରିବ। ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଓଡ଼ିଶାର ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ ବିଭବ, ସୁବିସ୍ତୃତ ବେଳାଭୂମି ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆସୁଥିବା ନିବେଶକମାନଙ୍କୁ ଆକର୍ଷିତ କରିବାର ମାଧ୍ୟମ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତର ପରିକଳ୍ପନା କରି ପ୍ରୟାସ ଆରମ୍ଭ କରିଛନ୍ତି। ବିକଶିତ ଭାରତର ପ୍ରୟାସକୁ ବିକଶିତ ଗାଁ, ବିକଶିତ ଜିଲ୍ଲା ଏବଂ ବିକଶିତ ରାଜ୍ୟ ସାକାର କରିବ। ଏହି ଅବସରରେ ରାଜ୍ୟପାଳ ପୁଣି କହିଥିଲେ ଯେ ରାଷ୍ଟ୍ର ନିର୍ମାଣ ଓ ଭାରତର ଭବିଷ୍ୟତ ଗଠନରେ ଯୁବ ପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଗତ ଦଶନ୍ଧି ମଧ୍ୟରେ ଭାରତରେ ଯୁବକମାନଙ୍କ ମାନସିକତାରେ ଅନେକ ପରିବର୍ତନ ଆସିଛି। ପୂର୍ବରୁ ଯୁବକମାନେ କେବଳ ଚାକିରୀ ପଛରେ ଧାଉଁଥିଲେ। କିନ୍ତୁ ବର୍ତମାନ ଅନେକ ଯୁବକ ଉଦ୍ୟୋଗୀ ହେବାକୁ ଆଗ୍ରହୀ ହେଉଛନ୍ତି। ବର୍ତମାନ ଦେଶରେ ଷ୍ଟାର୍ଟ ଅପ୍ ସଂଖ୍ୟା ବହୁ ସଂଖ୍ୟରେ ବଢ଼ି ଚାଲିଛି। ସରକାର ମଧ୍ୟ ଏ ଦିଗରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ନୂତନ ଶିକ୍ଷା ନୀତି ଉପରେ ଆଲୋକପାତ କରି ଏହା ଶିକ୍ଷା ଦୃଷ୍ଟି କୋଣକୁ ଅଧିକ ସମ୍ପ୍ରସାରିତ କରିଛି ବୋଲି କହିଥିଲେ। ନୂତନ ଶିକ୍ଷା ନୀତିରେ ଦକ୍ଷତା ବୃଦ୍ଧି, ଇଣ୍ଡଷ୍ଟ୍ରି-ଏକାଡେମିଆ ଆଲୋଚନା ଉପରେ ଗୁରୁତ୍ୱଆରୋପ କରାଯାଇଛି ବୋଲି ରାଜ୍ୟପାଳ ଡ. କମ୍ଭମ୍‌ପାଟି କହିଥିଲେ। ଏହି ଅବସରରେ ୟଙ୍ଗ ଇଣ୍ଡିଆର ରାଷ୍ଟ୍ରୀୟ ଅଧ୍ୟକ୍ଷ ତରଙ୍ଗ ଖୁରାନା ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଆୟୁଷ ଯଶୋରିୟା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget