loading...

ଗୀତା କେବଳ ଧର୍ମଶାସ୍ତ୍ର ନୁହେଁ, ଗୀତା ମାନବ ଜୀବନ ପାଇଁ ମାର୍ଗଦର୍ଶନର ଗ୍ରନ୍ଥ-ଶ୍ରୀମଦ ବଳିଆ ଗୀତା କଥା ଉଦ୍‌ଘାଟିତ

ଭୁବନେଶ୍ୱର, ୦୨ ଜାନୁଆରୀ  ୨୦୨୫





ପ୍ରତି ମଣିଷର ଜୀବନ ଏକ ଗୀତା। ଗୀତା ତତ୍ତ୍ୱ ହିଁ ଜୀବନର ତତ୍ତ୍ୱ। ତତ୍ତ୍ୱ ଜାଣିଲେ ଭ୍ରାନ୍ତି ତୁଟିବ। ପ୍ରତି ମଣିଷର ଜୀବନ କୁରୁକ୍ଷେତ୍ରରେ ଆସୁଥିବା ଦ୍ୱନ୍ଦ୍ୱ, ସଂଶୟ ଓ ବିପଦ ସମୟରେ ସଠିକ୍ ଦିଗ୍‌ଦର୍ଶନ ଓ ସମାଧାନ ପାଇବାକୁ ହେଲେ ପ୍ରତ୍ୟେକ ମଣିଷ ଗୀତା ପଢିବା ଦରକାର ବୋଲି ଭାରତର ବିଶିଷ୍ଟ ଆଧ୍ୟତ୍ମିକ ମାର୍ଗଦର୍ଶକ, ସଂସ୍କାରକ ଗୁରୁ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ପାଞ୍ଚ ଦିନିଆ ‘ଗୀତା କଥା’ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ଶ୍ରୀମଦ ବାବା ବଳିଆ କହିଛନ୍ତି ଯେ, ଏକାମ୍ର କ୍ଷେତ୍ର ପବିତ୍ରସ୍ଥଳୀରେ ଗୀତାର ମାର୍ଗଦର୍ଶନ ସମସ୍ତଙ୍କ ଜୀବନ ଯୁଦ୍ଧକୁ ସରଳ ଓ ସଫଳ କରୁ। ଗୀତା କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ଏହା ମାନବ ଜୀବନର ମାର୍ଗଦର୍ଶନର ଗ୍ରନ୍ଥ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ପାଞ୍ଚଜଣ ପତିହରା ମାଆ। ସେହିପରି ଭଗବାନ ଶିଶୁ ଅନନ୍ତଙ୍କ ପାଖରେ ପଞ୍ଚବଟ ବୃକ୍ଷ ବର, ଅଶ୍ୱସ୍ତ, ବେଲ, ନିମ୍ବ ଓ ଅଁଳା ବୃକ୍ଷକୁ ଶିବ ରୂପରେ ପୂଜାର୍ଚ୍ଚନା କରାଯାଇଥିଲା। ପତିହରା ମାଆମାନଙ୍କୁ ସମ୍ମାନ ଓ ବୃକ୍ଷ ତଥା ପରିବେଶ ସମ୍ପର୍କରେ ସଚେତନତା ଲାଗି ଏପରି ନିଆରା ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଗତ କମିଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନୟକ ସ୍ୱାଗତ ଭାଷଣରେ କହିଲେ ଯେ, ଶ୍ରୀମଦ ବାବା ବଳିଆ ୫୦ ବର୍ଷ ହେବ, ଆମ ସମାଜକୁ ନୂତନ ବାର୍ତ୍ତା ଦେଇ ଆସୁଛନ୍ତି। ସେ ଧର୍ମକଥା କହିବା ସହ ସମାଜ ସଂସ୍କାରର ବାର୍ତ୍ତା ଦେଉଛନ୍ତି। ଏହି ବାର୍ତ୍ତାକୁ ସରକାର ଓ ସମାଜ ସହ ସାଧାରଣ ମଣିଷ କାମରେ ଲଗାଇଲେ ଉପକୃତ ହୋଇପାରିବେ।

କାର୍ଯ୍ୟକ୍ରମର ସଂଯୋଜକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପାଞ୍ଚଦିନିଆ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ସେ କହିଥିଲେ ଯେ, ଶ୍ରୀମଦ ବାବା ବୈଷ୍ଣବୀୟ ପଞ୍ଚସଖା ବଳରାମ, ଜଗନ୍ନାଥ, ଅନନ୍ତ, ଅଚ୍ୟୁତ ଓ ଯଶୋବନ୍ତଙ୍କର ମୂର୍ତ୍ତିମନ୍ତ ପ୍ରତୀକ। ଅନନ୍ତ ବଳିଆ ଟ୍ରଷ୍ଟର ବାବାଜୀ ପ୍ରଣବାନନ୍ଦ ଦାସ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ବାବାଜୀ ରାଧେଶ୍ୟାମ ଦାସ, ବାବାଜୀ ପରମାତ୍ମା ଦାସ, ବିଶ୍ୱ ସନାତନ ସେବା ସଂଘ, ଭୁବନେଶ୍ୱରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଆଜି ସକାଳ ୧୦ ଘଟିକା ସମୟରେ ରବୀନ୍ଦ୍ର ମଣ୍ଡପଠାରେ ପରିବେଶ ସମ୍ପର୍କୀୟ ଆଲୋଚନାଚକ୍ରକୁ ଶ୍ରୀମଦ ବାବା ବଳିଆ ଉଦ୍‌ଘାଟନ କରିବେ। ପାଞ୍ଚଦିନ ଧରି ଏହି ଆଲୋଚନାଚକ୍ର ପ୍ରତ୍ୟେହ ସନ୍ଧ୍ୟା ୬ଘଟିକା ସମୟରେ କ୍ରମାନ୍ୱୟନରେ ଚାଲିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget