ଭୁବନେଶ୍ୱର, ୦୨ ଜାନୁଆରୀ ୨୦୨୫
ସମନ୍ୱିତ ଜଳସେଚନ ଓ କୃଷି ଯୋଜନା କାର୍ଯ୍ୟକାରିତା ନିମନ୍ତେ ଶ୍ରେଷ୍ଠ ପାଣି ପଞ୍ଚାୟତଗୁଡ଼ିକୁ ପୁରସ୍କାର
୨୦୨୪ ଡିସେମ୍ବର ୨୨ ତାରିଖରେ ରାଜ୍ୟର ୧୩୬ଟି ଡିଭିଜନରେ ପାଣି ପଞ୍ଚାୟତ ପକ୍ଷ, ୨୦୨୫ର ଶୁଭାରମ୍ଭ ଓ ପାଳନ ପରେ ଆଜି ଜାନୁଆରି ୨ ତାରିଖରେ ରାଜ୍ୟର ୩୦ଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ପକ୍ଷ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୨୯ ଡିସେମ୍ବରରେ ପାଳିତ ହେବାକୁ ଥିବା ଏହି ପାଣି ପଞ୍ଚାୟତ ପକ୍ଷର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ଜାରି ରହିଥିବା ପରିପ୍ରେକ୍ଷୀରେ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ଏବଂ ଏହା ଆଜି ଜାନୁଆରୀ ୨ ତାରିଖକୁ ଅନୁଷ୍ଠିତ ହେବାକୁ ପୁନଃ ନିର୍ଦ୍ଧାରିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ରାଜ୍ୟସ୍ତରୀୟ ଉତ୍ସବ ନିର୍ଦ୍ଧାରିତ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବ |
ସମସ୍ତ ଜିଲ୍ଲାରେ ପାଣି ପଂଚାୟତ ପକ୍ଷ,ପାଣି ପଞ୍ଚାୟତ ସଭ୍ୟ, କୃଷକ ଓ ଅନ୍ୟ ସଂପୃକ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ କୃଷି ଯାନ୍ତ୍ରୀକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ମେଳାର ସମନ୍ୱୟରେ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ବିତର୍କ, ପ୍ରବନ୍ଧ, ପେଣ୍ଟିଂ, କୁଇଜ୍ ଓ ମଡେଲ ପ୍ରତିଯୋଗିତାର ପ୍ରଦର୍ଶନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସମନ୍ୱିତ ଜଳସେଚନ ଓ କୃଷି ଯୋଜନା (ଆଇଆଇଏପି) ପ୍ରଣୟନ ଓ କାର୍ଯ୍ୟକାରିତା ନିମନ୍ତେ ପ୍ରତି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ଗୋଟିଏ ଲେଖାଏଁ ପାଣି ପଞ୍ଚାୟତକୁ ପୁରସ୍କୃତ କରାଯାଇଛି ।
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଭାରତ ସରକାରଙ୍କ ମାନ୍ୟବର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ବ୍ୟତୀତ ବିଭିନ୍ନ ଜିଲ୍ଲାରେ ସାଂସଦ, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ,ବରଗଡ଼ଙ୍କ ସମେତ ଅନୁଗୁଳ, ବରଗଡ଼ ଛେଣ୍ଡିପଦା, ଦେବଗଡ଼, ପଟ୍ଟାଙ୍ଗୀ, କୋରାପୁଟ, ଲକ୍ଷ୍ମୀପୁର, ମାଲକାନଗିରି, ନୂଆପଡ଼ା, ପିପିଲି, ସତ୍ୟବାଦୀ, ରାୟଗଡ଼ା, ବିଷମକଟକ, ନବରଙ୍ଗପୁର, ଚିକିଟି, କେନ୍ଦ୍ରାପଡ଼ା ଆଦିରେ ମାନ୍ୟବର ବିଧାୟକମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଦେବଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାପାଳମାନ ସମ୍ପୃକ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନରେ ସାମିଲ ହୋଇଥିଲେ।
ଜଳ କ୍ଷେତ୍ରରେ ପାଣି ପଞ୍ଚାୟତ ଓ କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା, ଜଳ ପରିଚାଳନାରେ ସମାନତା ଏବଂ ଅନ୍ତର୍ଭୁକ୍ତିକରଣରେ ସୁନିଶ୍ଚିତ ପାଇଁ ପାଣି ପଞ୍ଚାୟତଗୁଡ଼ିକୁ ସଚେତନ କରିବା ପାଇଁ ଏହି ପକ୍ଷ ପାଳନ ଏକ ସୁଯୋଗ ପ୍ରଦାନ କରିଥାଏ । ସୂଚନା,ଶିକ୍ଷା,ଯୋଗାଯୋଗ, ସାମାଜିକ ବ୍ୟବହାର ପରିବର୍ତ୍ତନ ସଂପର୍କିତ ସାମଗ୍ରୀ ଓ ପ୍ରଚାର ପତ୍ର ଏବଂ ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥାରେ ପାଣି ପଞ୍ଚାୟତ ରଥଗୁଡ଼ିକ ଜିଲ୍ଲାର ଜଳ ସଂପଦ ବିଭାଗର ପ୍ରକଳ୍ପ ଅଂଚଳ , ଡିଭିଜନ୍ ଏବଂ ପ୍ରମୁଖ ସ୍ଥାନଗୁଡ଼ିକୁ ପରିକ୍ରମା କରିବା ପରେ ଆଜି ଜିଲ୍ଲା ମୁଖ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପାଣି ପଞ୍ଚାୟତ ପକ୍ଷ ପାଳନ ପରିପ୍ରେକ୍ଷୀରେ ବ୍ୟାନର,ପ୍ରଚାର ପତ୍ର, ଲୋଗୋ, ସ୍ଲୋଗାନ, ଟ୍ୟାଗ୍ ଲାଇନ୍ ବ୍ୟବହାର ସହ କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରସ୍ତୁତ ସଙ୍ଗୀତ ଏବଂ ଶପଥ ଇତ୍ୟାଦି ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।
Post a Comment