ଭୁବନେଶ୍ୱର, ୨୦ ଫେବୃଆରୀ ୨୦୨୫
ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ସଂପର୍କିତ ଦ୍ରୁତ ସୂଚନା ପ୍ରାପ୍ତି, ଅନୁଧ୍ୟାନ ( ଟ୍ରାକିଂ ) ଏବଂ ବିବରଣୀ ପ୍ରଦାନ( ରିପୋର୍ଟିଂ) ଉପରେ ଏକ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନ ହଲରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସହାୟତା ମିଶନ ଓ ୟୁଏନଡିପି ଅଧୀନରେ ନୀତି ଆୟୋଗ ସହଯୋଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଥିଲା।
ସମନ୍ୱିତ ଯୋଜନା, ଅର୍ଥ ଯୋଗାଣ ଏବଂ ତଦାରଖ ପଦ୍ଧତି ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ କାର୍ୟ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ରଣନୀତି ଆପଣାଇବା ସମ୍ପର୍କରେ ପାରସ୍ପରିକ ଜ୍ଞାନ ଆହରଣ ଏବଂ ଆଲୋଚନା ପାଇଁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ନୀତି ନିର୍ଦ୍ଧାରକ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ଦିନିକିଆ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
ଏହି କର୍ମଶାଳାରେ ନୀତି ଆୟୋଗର ମାନ୍ୟବର ଉପାଧ୍ୟକ୍ଷ ଶ୍ରୀ ସୁମନ ବେରୀ ଯୋଗଦେଇ ତାଙ୍କର ବକ୍ତବ୍ୟରେ ବିକାଶ ବ୍ୟବଧାନକୁ ଦୂର କରିବା, ପ୍ରଶାସନିକ ଢାଞ୍ଚାରେ ଉନ୍ନତି ଆଣିବା ଏବଂ ନିରନ୍ତର ଅର୍ଥ ଯୋଗାଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏକ ପ୍ରମାଣଭିତ୍ତିକ ଏବଂ ବହୁ-ଅଂଶୀଦାର ଆଭିମୁଖ୍ୟର ଜରୁରୀ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।
ନୀତି ଆୟୋଗର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର ସୁବ୍ରମଣ୍ୟମ ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପଠାରୁ ଆରମ୍ଭ କରି ପ୍ରଭାବଶାଳୀ ସ୍ଥାନୀୟ ପ୍ରୟାସ ସଂପର୍କରେ ଆଲୋକପାତ କରିଥିଲେ । ଏସଡିଜି କାର୍ୟ୍ୟକାରୀ କରିବାରେ ଭାରତର ଉଲ୍ଲେଖନୀୟ ସଫଳତା ଉପରେ ଆଲୋଚନା କରିବା ସହିତ ଅଧିକ ସାମୂହିକ ପ୍ରଭାବ ପାଇଁ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସେ ଅନୁରୋଧ କରିଥିଲେ ।
ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀ ମନୋଜ ଆହୁଜା ଉଦଘାଟନୀ ଅଭିଭାଷଣ ପ୍ରଦାନ କରି ଓଡ଼ିଶାର ପ୍ରମୁଖ ଏସଡିଜି ସଫଳତା ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲରେ ଏସଡିଡିର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ନିରନ୍ତର ବିକାଶରେ ତଥ୍ୟ(ଡାଟା)ର ଭୂମିକା ଏବଂ ଶାସନ ପ୍ରକ୍ରିୟାରେ ବିକେନ୍ଦ୍ରୀକରଣର ଗୁରୁତ୍ୱ ରହିଥବା ସଂପର୍କରେ ସେ ପ୍ରକାଶ କରିଥିଲେ ।
ଉନ୍ନୟନ କମିଶନର ତଥା ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ଉପସ୍ଥାପନାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏସଡିଜି କାର୍ୟ୍ୟକାରିତା ଓ ତଦାରଖ ପାଇଁ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏହା ଅଧୀନରେ ପ୍ରମୁଖ ସଫଳତା ଉପରେ ଆଲୋକପାତ କରିବା ସହ ଓଡ଼ିଶାରେ ଏସଡିଜିକୁ ତ୍ୱରାନ୍ୱିତ କରିବା ପାଇଁ ସମନ୍ୱିତ ଯୋଜନା, କାର୍ୟ୍ୟକାରିତା ଏବଂ ତଦାରଖ କରାଯାଉଥିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।
ନୀତି ଆୟୋଗର ବରିଷ୍ଠ ପରାମର୍ଶଦାତା (ଏସଡିଜି) ଶ୍ରୀ ରାଜୀବ କୁମାର ସେନ ସ୍ୱାଗତ ଭାଷଣ ପ୍ରଦାନ କରି ଏହି କର୍ମଶାଳାରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଆଇଜେଡ୍, ଇଣ୍ଡିଆର କଣ୍ଟ୍ରି ଡାଇରେକ୍ଟର ଡ. ଉଲରିକେ ରେଭିୟର ଏସଡିଜିକୁ ତ୍ୱରାନ୍ୱିତ କରିବାରେ ବିଭିନ୍ନ ରାଜ୍ୟରେ ରହୁଥିବା ଆହ୍ୱାନ ଏବଂ ଏହାକୁ ହାସଲ କରିବାର ସୁଯୋଗ ଉପରେ ବକ୍ତବ୍ୟ ରଖିଥିଲେ । ୟୁଏନଡିପି, ଭାରତର ଆବାସିକ ପ୍ରତିନିଧି ଆଞ୍ଜେଲା ଲୁସିଗି ବକ୍ତବ୍ୟ ରଖି ଆନୁଷ୍ଠାନିକ ଢାଞ୍ଚାର ବିକାଶ, ନିରନ୍ତର ବିକାଶ ଲକ୍ଷ୍ୟ ହାସଲକୁ ତ୍ୱରାନ୍ୱିତ କରିବା ପାଇଁ ତଦାରଖ ଓ ପରିଚାଳନା ଢାଞ୍ଚାରେ ଅଧିକ ବିକଶିତ କରିବାର ଆବଶ୍ୟକତା ରହିଥିବା ବିଷୟରେ କହିଥିଲେ ।
କର୍ମଶାଳାରେ ୟୁଏନଡିପି ଦ୍ୱାରା ପରିଚାଳିତ ପ୍ରଥମ ବୈଷୟିକ ଅଧିବେଶନରେ ବିଭିନ୍ନ ନିର୍ଦ୍ଦିଷ୍ଟ ଅଂଚଳଭିତ୍ତିକ ବିକାଶକୁ ସୁଦୃଢ଼ କରିବା ଉପରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କେରଳ, ବିହାର ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିନବ ପଦ୍ଧତି ଏବଂ ସମ୍ପୃକ୍ତ ସ୍ଥାନୀୟ ସରକାରୀ ସ୍ତରରେ ଏସଡିଜିଗୁଡ଼ିକୁ ଅନୁଷ୍ଠାନିକ ରୂପ ଦେବାରେ ଗ୍ରହଣ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ନୀତି ଆୟୋଗ ଏବଂ ଦକ୍ଷତା ବିକାଶ ଆୟୋଗର ଅଧିକାରୀମାନେ ଯଥାକ୍ରମେ ରାଜ୍ୟ ସହାୟତା ମିଶନ ଏବଂ ମିଶନ କର୍ମଯୋଗୀ ଅଧୀନରେ ନିଆଯାଇଥିବା ପଦକ୍ଷେପ ବିଷୟରେ ପାରସ୍ପରିକ ଆଲୋଚନା କରିଥିଲେ ।
କର୍ମଶାଳାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏସଡିଜି ହାସଲରେ ଅର୍ଥ ଯୋଗାଣ ସମ୍ପର୍କିତ ଅଧିବେଶନ ପରିଚାଳନା କରାଯାଇଥିଲା, ଯେଉଁଥିରେ ସମ୍ବଳ ସଂଗ୍ରହର ସର୍ବୋତ୍ତମ ଅଭ୍ୟାସ ଏବଂ ଏସଡିଜି ପଦକ୍ଷେପ ପାଇଁ ଆର୍ଥିକ ଆବଣ୍ଟନ ଏବଂ ନିରନ୍ତରତା ବୃଦ୍ଧି ପାଇଁ ସରକାରୀ-ଘରୋଇ ଭାଗିଦାରିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ହରିୟାଣା, ଓଡ଼ିଶା, ମେଘାଳୟ ଓ ରାଜସ୍ଥାନର ଏସଡିଜି ବଜେଟ୍ ପ୍ରକ୍ରିୟା ଏବଂ ପଦକ୍ଷେପ ସମ୍ପର୍କରେ ଆଲୋଚନା, ରାଜ୍ୟ ନିର୍ଦ୍ଦିଷ୍ଟଭିତ୍ତିରେ ଶିକ୍ଷା ଆହରଣ ଫଳରେ ଅଧିବେଶନର ଗୁରୁତ୍ୱ ବୃଦ୍ଧି କରିଛି । ସ୍ୱେଚ୍ଛାକୃତ ଜାତୀୟ ସମୀକ୍ଷା (ଭିଏନଆର) ଅଧିବେଶନରେ ପୂର୍ବ ସମୀକ୍ଷାରୁ ଜ୍ଞାତ ଶିକ୍ଷା ଉପରେ ଧ୍ୟାନ ଦେଇ ଭାରତର ଆଗାମୀ ତୃତୀୟ ସମୀକ୍ଷା ପରିପ୍ରେକ୍ଷୀରେ ୟୁଏନଆରସିଓ, ନାଗରିକ ସମାଜ ସଂଗଠନ, ଚିନ୍ତାଶୀଳ ବ୍ୟକ୍ତି ଏବଂ ଘରୋଇ କ୍ଷେତ୍ରର ବିଶେଷଜ୍ଞମାନେ ଜ୍ଞାନ ଆଦାନପ୍ରଦାନ କରିଥିଲେ ।
ନିରନ୍ତର ବିକାଶ ଲକ୍ଷ୍ୟ କାର୍ୟ୍ୟସୂଚୀ(ଏଜେଣ୍ଡା) ଏବଂ ୨୦୩୦ ସୁଦ୍ଧା ଦେଶରେ ଏହାର ସଫଳତାକୁ ଆଗେଇ ନେବାରେ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଏବଂ ରାଜ୍ୟମାନଙ୍କର ସହଯୋଗୀ ପ୍ରୟାସ ପ୍ରତି ଭାରତ ସରକାରଙ୍କ ରହିଥିବା ଅଙ୍ଗୀକାରବଦ୍ଧତାକୁ ଫଳପ୍ରସୂ କରିବା ସଂପର୍କରେ ଆଲୋଚନା ସହିତ ଏହି ଜାତୀୟ କର୍ମଶାଳା ଶେଷ ହୋଇଥିଲା ।
Post a Comment