ଭୁବନେଶ୍ୱର, ୦୩ ଫେବୃଆରୀ ୨୦୨୫
ସାରା ବିଶ୍ୱରେ ପ୍ଲାଷ୍ଟିକ ଏକ ମହାମାରୀର ରୂପ ଧାରଣ କରିସାରିଛି। ଗାଁରୁ ସହର, ସହରରୁ ଜଙ୍ଗଲ, ଜଙ୍ଗଲରୁ ହଦ୍ର, ହ୍ରଦରୁ ମହାସାଗର ଧୀରେ ଧୀରେ ପ୍ଲାଷ୍ଟିକ ତାର କାୟାବିସ୍ତାର କରିଚାଲିଛି। ସମୁଦ୍ର ଗୁଡ଼ିକରେ ଏହି ପ୍ଲାଷ୍ଟିକର କଣିକାଗୁଡ଼ିକୁ ଖାଇ ମାଛମାନେ ବିିଭିନ୍ନ ରୋଗରେ ପଡୁଥିବା ବେଳେ ସହର ଗୁଡ଼ିକରେ ବୁଲା ଗୋରୁଗାଈ, କୁକୁର ପ୍ଲାଷ୍ଟିକଜାତ ଦ୍ରବ୍ୟ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି। ସାଧାରଣ ମଣିଷ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ଲାଷ୍ଟିକ ବ୍ୟବହାର କରି କର୍କଟ ଭଳି ମହାମାରୀ ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। କେବଳ ସେତିକି ନୁହେଁ, ଏହି ପ୍ଲାଷ୍ଟିକ ଏଭଳି ଏକ ପଦାର୍ଥ ଯାହାକି ଶହ ଶହ ବର୍ଷ ମାଟିରେ ପଡ଼ିଲେ ମଧ୍ୟ ତାହା ସହଜରେ ମିଶିନଥାଏ। ମାଟିରେ ପ୍ଲାଷ୍ଟିକ ମିଶିବା ଫଳରେ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥାନ୍ତି ଓ ଜଙ୍ଗଲ ଗୁଡ଼ିକରେ ପ୍ଲାଷ୍ଟିକ ଉପରେ ଯଦି କୌଣସି ଗଛ ଉଠିଲା, ତେବେ ଚେର ମାଟି ତଳକୁ ନଯାଇ ଖାଦ୍ୟ ନପାଇ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ଏହାର କୁପ୍ରଭାବ ଜୀବଜଗତ ଉପରେ ପଡିଥାଏ। ବିଶେଷକରି ବିଭିନ୍ନ ମେଳା ମହୋତ୍ସବରେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରାଯାଇଥାଏ।
ଏହାକୁ ଆଖିଆଗରେ ରଖି ଆସନ୍ତା ଫେବୃଆରୀ ମାସ ୪ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଦର୍ଶକଙ୍କ ଜନସମାଗମ ହୋଇଥାଏ। ଏଥିରେ ମଧ୍ୟ ରାଜ୍ୟ ତଥା ଦେଶରୁ ବହୁ ସାଧୁସନ୍ଥ ମଧ୍ୟ ଯୋଗ ଦେଇଥାନ୍ତି। ଏହି ଖଣ୍ଡଗିରି ମେଳାରେ ଜରି, ବୋତଲ, ପଲଥିନ୍ ଆଦି ବହୁଳ ପରିମାଣରେ ପ୍ଲାଷ୍ଟିକର ବ୍ୟବହାର ହେବାର ଆଶଙ୍କା ରହିଛି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର ବିଏମ୍ସି କମିଶନର ଖଣ୍ଡଗିରି ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ପ୍ରତାପ କୁମାର ସାହୁ ଅନୁରୋଧ କରିଛନ୍ତି। ଏଥିସହିତ ଖଣ୍ଡଗିରି ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀ ଏବଂ ଦର୍ଶକମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ ବଦଳରେ କପଡ଼ା ବ୍ୟାଗ ଧରି ଖଣ୍ଡଗିରି ମେଳାରୁ ବିଭିନ୍ନ ସାମଗ୍ରୀ କିଣନ୍ତୁ ଏବଂ ଯେଉଁ ଗ୍ରାହକ ପ୍ଲାଷ୍ଟିକ ବ୍ୟାଗରେ ଜିନିଷ ନେବା ପାଇଁ କୁହନ୍ତି, ତେବେ ଦୋକାନୀଭାଇମାନେ ତାଙ୍କୁ ଜିନିଷ ନ ଦେବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି।
Post a Comment