May 2025

ଭୁବନେଶ୍ୱର, ୩୧ ମଇ ୨୦୨୫




ଯାତାୟତ ପରିବହନ ବ୍ୟବସ୍ଥା ମାନବ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଅଟେ। କିନ୍ତୁ ଏହା ଛାତ୍ର ସମାଜକୁ ଅତ୍ୟନ୍ତ ପ୍ରଭାବିତ କରିଛି। ଗରିବ ଏବଂ ମଧ୍ୟବିତ ଛାତ୍ରଛାତ୍ରୀ ମାନଙ୍କୁ ଏ ବ୍ୟବସ୍ଥାରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଜଣେ ଛାତ୍ର କିମ୍ବା ଜଣେ ଛାତ୍ରୀ ବସ କିମ୍ବା ରେଳ ମାଧ୍ୟମରେ ଗୋଟିଏ ପରୀକ୍ଷା ଦେବାପାଇଁ ଦୂରଦୂରନ୍ତକୁ ଯିବାକୁ ହେଲେ ତାକୁ ଅଧିଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କେବଳ ସେତିକି ନୁହେଁ। ନିଜ ଅଞ୍ଚଳରୁ ସହରାଞ୍ଚଳକୁ ଗୋଟିଏ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ନିମନ୍ତେ ଆସିବାପାଇଁ ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କୁ ବସଭଡ଼ା ଏବଂ ରେଳଭଡ଼ା ଦେଇ ଆସିବାକୁ ପଡ଼ିଥାଏ। ଜଣେ ମଧ୍ୟମ ଏବଂ ଗରୀବ ଶ୍ରେଣୀର ଛାତ୍ର ଓ ଛାତ୍ରୀଙ୍କୁ ଏହି ନିତିଦିନିଆ ଭଡ଼ା ଦେଇ ଯିବା ଆସିବା କରିବା ସମ୍ଭବପର ନୁହେଁ। ଆଜିର ଛାତ୍ର ସମାଜ ଆସନ୍ତା କାଲିର ଦେଶ ଏବଂ ରାଜ୍ୟର ଭବିଷ୍ୟତ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଉଚିତ। ଏହି କ୍ଷେତ୍ରରେ ଛାତ୍ର କଂଗ୍ରେସର ଦାବି ହେଉଛି ରାଜ୍ୟରେ ସରକାରୀ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯାତାୟତ ବ୍ୟବସ୍ଥାକୁ ସଂପୂଣ୍ଣ ମାଗଣା କରାଯାଉ ଏବଂ ବେସରକାରୀ କ୍ଷେତ୍ରରେ ୫୦ ପ୍ରତିଶତ ଛାଡ଼ କରାଯାଉ। ଆସନ୍ତା ଜୁନ ମାସ ୧୦ ତାରିଖ ସୁଦ୍ଧା ରାଜ୍ୟରେ ଏହି ନୀୟମ ଲାଗୁ କରାନଗଲେ ଛାତ୍ର କଂଗ୍ରେସ ରାଜ୍ୟର କୋଣ ଅନୁକୋଣରେ ଏହି ଦାବିକୁ ନେଇ ରାଜ୍ୟ ସରକାର ବିରୁଦ୍ଧରେ ବିକ୍ଷୋଭ କରିବ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ପୂବ ର୍ତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ, ପ୍ରଦେଶ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ବିଶ୍ୱାଳ, ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ନିହାର ରଞ୍ଜନ ବେହେରା ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର, ୩୧ ମଇ ୨୦୨୫



  • କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପଛରେ କିଏ? ପ୍ରଦେଶ କଂଗ୍ରେସ 
  • ଦୁର୍ନୀତିକୁ ଓଡ଼ିଶା ସରକାର ନୀତି କରିଛନ୍ତି – କଂଗ୍ରେସ 

ଗତ ଦୁଇଦିନ ତଳେ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ଘରୁ ଦୁଇକୋଟି ୫୭ ଲକ୍ଷ ୨୯ ହଜାରୁ ଅଧିକ ଟଙ୍କା ଠାବ କରିବା ସହିତ ୧୫ କୋଟି ଟଙ୍କାର ସମୁଦାୟ ସମ୍ପତ୍ତି ଆକଳନ ହୋଇଥିବାର ସୂଚନା ଦେଇଛନ୍ତି। ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଉପସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଏ ସରକାରକୁ ବର୍ଷେ ହେବାକୁ ଆଉ ୧୨ଦିନ ବାକିଅଛି। ସରକାରର ପ୍ରଥମ ବର୍ଷରେ ଉଭୟ ମନ୍ତ୍ରୀ, ଯନ୍ତ୍ରୀ, ସଚିବ ଓ ବାବୁମାନେ ଖୋଲମଖୁଲା ଦୁର୍ନୀତି କରିବାରେ ଲାଗିପଡ଼ିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗି। ଖାଲି ଏହି ବାବୁ ଜଣଙ୍କ ନୁହଁନ୍ତି। ପ୍ରତିଦିନ ଜନସାଧାରଣ ଯେଉଁ ସରକାରୀ ଅଫିସକୁ ଯିବେ ବଟି ନଦେଲେ କାମନାହିଁ। ସରକାର ଆସିବା ପୂର୍ବରୁ ଓଡ଼ିଶାବାସୀଙ୍କୁ ପ୍ରତଶ୍ରୁତି ଦେଇଥିଲେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ସରକାର ହେବ ଏବଂ ଦୁର୍ନୀତିମୁକ୍ତ ସରକାର ହେବ ବୋଲି କିନ୍ତୁ ଏବେ ଓଡିଶାରେ ଦୁର୍ନୀତିଯୁକ୍ତ ଏକ ସରକାର ଚାଲିଛି ଯାହାର ଏକମାତ୍ର କାମ ହେଉଛି ଓଡ଼ିଆ ଲୋକଙ୍କ ଶୋଷଣ କରିବା, ଓଡ଼ିଶାକୁ ଲୁଟ କରିବା। କେନ୍ଦ୍ରୀୟ ସ୍ତରରେ ସରକାରୀ ବାବୁମାନେ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି। ନରେନ୍ଦ୍ର ମୋଦି ଯେଉଁ ଇଡିର କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି ସେହି ଇଡି କାର୍ଯ୍ୟାଳୟର ଜଣେ ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୨୦ଲକ୍ଷ ଟଙ୍କା ଖଣି ଦୁର୍ନୀତି ମାମଲାର ରଫା ଦଫା କରିବା ପାଇଁ ବଟି ନେଉଥିବା ସମୟରେ ସିବିଆଇ ଦ୍ୱାରା ଗିରଫ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାରୀ ଅଧିକାରୀ ଓ ମନ୍ତ୍ରୀ ବହୁ ମାତ୍ରାରେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ଡବଲ ଇଞ୍ଜିନ ସରକାରରେ ଡବଲ ଦୁର୍ନୀତି। କଂଗ୍ରେସର ଦାବି ହେଉଛି ୧୨ ମାସର ସରକାର ରହିଲା ପରେ ମଧ୍ୟ ଏହି ବ୍ୟକ୍ତି ଏତେ ଦୁର୍ନୀତିଖୋର ହୋଇଥିଲେ ମଧ୍ୟ କାଣିଚାଏ ଖବର ମନ୍ତ୍ରୀ ଓ ସଚିବଙ୍କ ପାଖରେ ଥିଲା କି ନାହିଁ? କାର୍ଯ୍ୟାନୁଷ୍ଠାନ କାହିଁକି ଏତେ ବିଳମ୍ବ। ଏଣୁ ଏ ସରକାର ତୁରନ୍ତ ସଚିବଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। 

ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ବର୍ଷ ବର୍ଷ ଧରି ଦୁର୍ନୀତି କରୁଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନୂଆ ସରକାର ପ୍ରଥମ ଦିନର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରଥମ ବର୍ଷ କାର୍ଯ୍ୟକାଳ ସରିବା ଉପରେ ଦୁର୍ନୀତିଗ୍ରସ୍ତଙ୍କ ଚିଠା ଗଲା କୁଆଡ଼େ? ନା ସେମାନଙ୍କ ପାଖରୁ ମୋଟା ଅଙ୍କର ପାଣ୍ଠି ଦଳ ପାଇଁ ସଂଗ୍ରହ କରିବା ସହିତ ବିଭାଗୀୟ ମନ୍ତ୍ରୀ ଓ ଶାସନମୁଖ୍ୟଙ୍କ ଭିତରେ ବାଂଟ ହୋଇଗଲାକି ବୋଲି ସେ ପ୍ରଶ୍ନ କରିଛନ୍ତି। ଦୁର୍ନୀତି କରି କୋଟି କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତି କେବଳ ଚାକିରୀ କାଳର ଶେଷଦିନରେ ହିଁ ଧରାପଡ଼ୁଛି ବାକିତକ ଦିନ ସରକାର ଓ ଭିଜିଲାନ୍ସ ବିିଭାଗ କ’ଣ ଘୁଙ୍ଗୁଡ଼ି ମାରୁଛନ୍ତି ବୋଲି ସେ ପରିହାସ କରି କହିଛନ୍ତି। ଏ ସରକାର ଦୁର୍ନୀତି କରୁଥିବା ବ୍ୟକ୍ତିମାନଙ୍କୁ ନିଜ ବେକରେ ମାଳା କରି ପିନ୍ଧୁଛନ୍ତି। କାରଣ ଏମାନଙ୍କୁ କୋଟି କୋଟି ଟଙ୍କାର ଚାନ୍ଦାର ଆବଶ୍ୟକତା ଅଛି। ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ଏମାନଙ୍କ ଏଜେଣ୍ଡାରେ ନାହିଁ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ରାଜନୈତିକ ସଚିବ ସୁଧାଂଶୁ ଦେଓ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୩୧ ମଇ ୨୦୨୫




ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଭୁବନେଶ୍ଵର ଠାରେ ‘ଇଣ୍ଡଷ୍ଟ୍ରି ୪.୦: ସ୍ମାର୍ଟ ମାଇନିଙ୍ଗ ଆଣ୍ଡ ମାନୁଫ୍ୟାକ୍ଚରିଙ୍ଗ’ ନାମକ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବିଶେଷ କରି, ଇଣ୍ଡଷ୍ଟ୍ରି ୪.୦ ର ଜ୍ଞାନ କୌଶଳ ବ୍ୟବହାର କରି ସ୍ମାର୍ଟ ଆଲୁମିନିୟମ ଉତ୍ପାଦନର ସଦ୍ୟତମ ଧାରା ଉପରେ ବିସ୍ତୃତ ଆଲୋଚନା ତଥା ପର୍ଯ୍ୟାଲୋଚନା କରିବା ଲାଗି ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସ୍ୱୟଂଚାଳିତ ଉତ୍ପାଦନ, ଏଆଇ, ଆଇଓଟି, ବିଗ୍ ଡାଟା, ଏବଂ ଡାଟା ଆନାଲିଟିକ୍ସ ମାଧ୍ୟମରେ ଦେଶରେ ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ ଶିଳ୍ପ ପ୍ରତିନିଧି, ଟେକ୍ନୋକ୍ରାଟ୍ , ଶିକ୍ଷାବିତ ଏବଂ ଷ୍ଟାର୍ଟ-ଅପ କମ୍ପାନୀ ମାନେ ଏହି ସମ୍ମିଳନୀରେ ଏକତ୍ରିତ ହୋଇଥିଲେ ।  

ଏହି ସମ୍ମିଳନୀକୁ ଉଦ୍ଘାଟନ କରି, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଦକ୍ଷତା ଏବଂ ପ୍ରତିଯୋଗିତାମୂଳକତା ଅଭିବୃଦ୍ଧି ପାଇଁ ଇଣ୍ଡଷ୍ଟ୍ରି ୪.୦ ପ୍ରଯୁକ୍ତିବିଦ୍ୟା ଉପଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ସିଂହ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବାରେ ଷ୍ଟାର୍ଟ-ଅପ୍ସ ଏବଂ 'ମେକ୍ ଇନ୍ ଇଣ୍ଡିଆ' ପ୍ରୟାସ ଭଳି ସରକାରଙ୍କ ନୀତି ଶିଳ୍ପ ଗୁଡ଼ିକୁ କିପରି ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସଫଳ ହୋଇଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ବିଶ୍ଵର ଚତୁର୍ଥ ବୃହତ ଅର୍ଥନୀତି ଭାବରେ ଭାରତ ଦୃଢ଼ ନିବେଶ ଏବଂ ଭିତ୍ତିଭୂମି ଅଭିବୃଦ୍ଧି ହାସଲ କରିବାକୁ ଯାଉଅଛି, ଯାହା କୋର ଏବଂ ଉତ୍ପାଦନ ସମ୍ବନ୍ଧୀୟ ଶିଳ୍ପର ଦ୍ରୁତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ପିଆଣ୍ଡଟି) ସ୍ୱାଗତ ଭାଷଣ ପ୍ରଦାନ କରି ଇଣ୍ଡଷ୍ଟ୍ରି ୪.୦ କିପରି ସ୍ୱୟଂଚାଳିତତା, ଏଆଇ ଏବଂ ଆଇଓଟି ଦ୍ୱାରା ପରିଚାଳିତ ହେଉଅଛି ବର୍ଣ୍ଣନା କରିଥିଲେ ଯାହା ଉତ୍ପାଦନ ଏବଂ ଶିଳ୍ପ କାର୍ଯ୍ୟରେ ପରିବର୍ତ୍ତନକାରୀ ମୂଲ୍ୟ ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ। ବେଦାନ୍ତ ଆଲୁମିନିୟମ ଲିମିଟେଡର ସିଇଓ ଶ୍ରୀ ରାଜୀବ କୁମାର ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲର ବ୍ୟବସାୟ ପରିବର୍ତ୍ତନ ଏବଂ ଡିଜିଟାଲ୍ ସମାଧାନ ମୁଖ୍ୟ ଶ୍ରୀ ସରଜିତ ଝା ଅଧିବେଶନରେ ଭର୍ଚୁଆଲ୍ ମୋଡ ରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଏବଂ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ, ନାଲକୋର ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା ଏବଂ ନିର୍ଦ୍ଦେଶକ (ମାନବସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ, ମଧ୍ୟ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ।

ଇଣ୍ଡଷ୍ଟ୍ରି ୪.୦ ପରିଦୃଶ୍ୟରେ ଉଦୀୟମାନ ଧାରା ଏବଂ ରଣନୀତି ଉପରେ ଆଲୋଚନା ନିମନ୍ତେ ସେଲ୍, ଟାଟା ଷ୍ଟିଲ୍, ବେଦାନ୍ତ, ଡେଲଏଟ୍ ଇଣ୍ଡିଆ, ଇୱାଇ-ପାର୍ଥେନନ୍, ଏବଂ ମ୍ୟାକକିନ୍ସେ ଆଣ୍ଡ୍ କମ୍ପାନୀର ପ୍ରତିନିଧିମାନେ ସମ୍ମିଳନୀରେ ବିଶିଷ୍ଟ ବକ୍ତା ଭାବରେ ଅଂଶଗ୍ରହଣ କରିଥିଲେ।

ଏହି ସମ୍ମିଳନୀ ପାରସ୍ପରିକ ଜ୍ଞାନ ଆଦାନପ୍ରଦାନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ଇଣ୍ଡଷ୍ଟ୍ରି ୪.୦ କୁ ତ୍ୱରାନ୍ୱିତ କରିବା ପାଇଁ ରଣନୀତିକ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା, ଯେଉଁଥିରେ ଏଆଇ ଏବଂ ଡାଟା ଆନାଲିଟିକ୍ସ ଉପରେ ଟେକ୍ନୋକ୍ରାଟ୍ ଅଧିବେଶନ ଏବଂ ପ୍ୟାନେଲ୍ ଆଲୋଚନା ଅନ୍ତର୍ଭୁକ୍ତ ଥିଲା। ଟେକ୍ନୋକ୍ରାଟ୍, ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଧାତୁ କ୍ଷେତ୍ର ଏବଂ ସହଯୋଗୀ ଶିଳ୍ପର ପ୍ରତିନିଧିମାନେ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଯୁକ୍ତିବିଦ୍ୟା ଜ୍ଞାନ ଆଦାନପ୍ରଦାନ କରିଥିଲେ।


ଭୁବନେଶ୍ୱର,  ମଇ ୨୦୨୫




ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ )ରେ ଏସ୍‌ଏଚ୍‌ଏମ୍‌, ଅମୁଲ୍ ଇଣ୍ଡିଆ ଓ ୱାର୍ଲ୍ଡ ଟ୍ରେଡ୍ ସେଂଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅମୁଲ୍ କୁକିଙ୍ଗ - ୨୦୨୫ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। 
ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର କର୍ମଜୀବି ମହିଳା, ଗୃହଣୀ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ରୋଷେଇ ପ୍ରତି ରୁଚି ରଖିଥିବା ପ୍ରତିଭା ଓ ଦକ୍ଷତାକୁ ଉତ୍ସାହିତ କରିବା ନିମନ୍ତେ ଏହି ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। 
‘ଫ୍ରମ ଟେବୁଲ ଟୁ ଟ୍ରେଡ୍‌’ ପ୍ରସଙ୍ଗ ରହିଥିବା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଅମୁଲ୍‌ର ଯେକୌଣସି ଉତ୍ପାଦକୁ ବ୍ୟବହାର କରି ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍‌ପିଏଆର୍‌ସି ପ୍ରାଇଭେଟ୍ ଲିମିଟେଡ୍‌ର କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ଶ୍ରୀମତି ଶୁଭ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ଦକ୍ଷତା ଗୁଡିକର ବିକାଶ କରିବା ସହ ନିଜର ଲକ୍ଷ୍ୟ ଓ ସ୍ୱପ୍ନକୁ ପୂରଣ କରିବା ଦିଗରେ ପ୍ରଚେଷ୍ଟା କରିବା ଜରୁରୀ ବୋଲି ସେ ପ୍ରତିଯୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ। 
ସେହିପରି ଡବ୍ଲ୍ୟୁଟିସି ଭୁବନେଶ୍ୱର ମହିଳା ଫୋରମର ପରାମର୍ଶଦାତା ଡକ୍ଟର ରିନା ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରୋଷେଇ ହେଉଛି ଏକ କଳା। ମହିଳାମାନଙ୍କର ମଧ୍ୟରେ ବିଭିନ୍ନପ୍ରକାର ପ୍ରତିଭା ରହିଛି। ଆଜିକାଲି କେବଳ ମହିଳା ନୁହେଁ ବରଂ ପୁରୁଷମାନେ ମଧ୍ୟ ରୋଷେଇ କରିବାକୁ ଖୁବ୍ ପସନ୍ଦ କରନ୍ତି। ତେଣୁ ଏହି ଅଭିନବ ପ୍ରୟାସ ଦ୍ୱାରା ମହିଳାମାନେ ଭଲ ଉଦ୍ୟୋଗୀ ଏବଂ ସେଫ୍ ହୋଇପାରିବେ ବୋଲି ଡକ୍ଟର ରାଉତରାୟ କହିଥିଲେ। 
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅମୁଲ୍ ଇଣ୍ଡିଆର ଭୁବନେଶ୍ୱର ଜୋନର ଜୋନାଲ ଇନ୍‌ଚାର୍ଜ ଶ୍ରୀ ବିଶ୍ୱଜିତ୍ କୁମାର ଯୋଗ ଦେଇ ଏଭଳି ସ୍ୱତନ୍ତ୍ର ପ୍ରୟାସ ଦ୍ୱାରା ମହିଳାମାନେ ବେଶ ଉପକୃତ ହୋଇପାରିବେ ବୋଲି କହିଥିଲେ। 
ସୋଆ ଏସ୍‌ଏଚଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। 
ଡବ୍ଲ୍ୟୁଟିସି ଭୁବନେଶ୍ୱର ମହିଳା ଫୋରମର ସଂଯୋଜକ ଶ୍ରୀମତି ଜ୍ୟୋସ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 
ଏହି କାର୍ଯ୍ୟକ୍ରମରେ ସେଫ୍ ବିଶ୍ୱଜିତ୍ ମହରାଥୀ ମୁଖ୍ୟ ବିଚାରକ ଥିବା ବେଳେ ଶ୍ରୀମତି ପାୟଲ ରାଉତରାୟ ଓ ଏସ୍‌ଏଚ୍‌ଏମ୍‌ର ସେଫ୍ ସତ୍ୟ ଶୋଭନ ଲେଙ୍କାଙ୍କ ସମେତ ବିଭିନ୍ନ ଫ୍ରୁଡ ବ୍ଲଗରମାନେ ବିଚାରକ ଭାବେ ଯୋଗ ଦେଇ ସୁସ୍ୱାଦ୍ୟ ଖାଦ୍ୟକୁ ପରଖିବା ସହ ଖାଦ୍ୟ ପରିବେଷଣର ଶୈଳୀ ଏବଂ ଉପସ୍ଥାପନା ଉପରେ ଅନୁଧ୍ୟାନ କରି କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଭୁବନେଶ୍ୱର, ୩୦ ମଇ ୨୦୨୫



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୫ର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନୀତ ହୋଇଛି। 

ଟାଇମ୍ସ ଅଫ୍ ଇଣ୍ଡିଆ ସମ୍ବାଦପତ୍ର ପକ୍ଷରୁ ପରିଚାଳିତ ଏହି ସର୍ଭେରେ ଦେଶର ୧୭୫ ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଥିଲା। 

ସେହିପରି ଦେଶର ଶ୍ରେଷ୍ଠ ୧୨୫ଟି ଘରୋଇ ଇଞ୍ଜିନିୟରିଂ କଲେଜ ଏହି ସର୍ଭେର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆଇଟିଇଆର ଦେଶର ୨ୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଶ୍ରେଷ୍ଠ ଭାବେ ସ୍ଥାନୀତ ହୋଇଛି। 

୨୦୨୪ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା। 

ସେହିପରି ଚଳିତ ବର୍ଷ ର‌୍ୟାଙ୍କିଙ୍ଗରେ ଗବେଷଣା କ୍ଷେତ୍ରରେ ଆଇଟିଇଆର ଦେଶର ୩୦ଟି ଅନୁଷ୍ଠାନ ମଧ୍ୟରେ ତୃତୀୟ ସ୍ଥାନ ଏବଂ ପ୍ଲେସ୍‌ମେଂଟରେ ୪ର୍ଥ ସ୍ଥାନ ହାସଲ କରିଛି। 

ସୂଚନା ଯୋଗ୍ୟ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍ ) ର‌୍ୟାଙ୍କିଙ୍ଗ ୨୦୨୪ ରେ ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି। ୨୦୨୨ରେ ସୋଆକୁ ନାକ ପକ୍ଷରୁ ଏ ପ୍ଲସ ପ୍ଲସ୍ ପୁନଃସ୍ୱୀକୃତି ମିଳିଥିବା ବେଳେ ୟୁଜିସି ପକ୍ଷରୁ କ୍ୟାଟେଗୋରୀ ୧ ଗ୍ରେଡେଡ୍ ଅଟୋନୋମୀର ମାନ୍ୟତା ମିଳିଛି।

ଭୁବନେଶ୍ୱର, ୩୦ ମଇ ୨୦୨୫



  • ମୌସୁମୀ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା, ବର୍ଦ୍ଧିତ ସମନ୍ୱୟ ଏବଂ ସକ୍ରିୟ ତଦାରଖ  |
  • ସମସ୍ତ ରେଳ ନେଟୱର୍କରେ ବ୍ୟାପକ ନିରାପତ୍ତା ଅଭିଯାନ  |

ମୌସୁମୀ ପ୍ରସ୍ତୁତି ଅଭ୍ୟାସର ଏକ ଅଂଶ ଭାବରେ ପୂର୍ବତଟ ରେଳପଥ ଏହାର ସାଙ୍କେତିକ ପ୍ରଣାଳୀର ନିରବଚ୍ଛିନ୍ନ କାର୍ଯ୍ୟ ଏବଂ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ସୁରକ୍ଷିତ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଏବଂ ଆଗୁଆ ନିରାପତ୍ତା ପଦକ୍ଷେପଗୁଡ଼ିକର ଏକ ଶୃଙ୍ଖଳା କାର୍ଯ୍ୟକାରୀ କରିଛି | ଜଳ ନିଷ୍କାସନ ପରିଚାଳନା, ପାଟ୍ରୋଲିଂ, ସିଗନାଲିଂ ଯାଞ୍ଚ ଓ ପାଣିପାଗ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ବାସ୍ତବ-ସମୟ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି |

ମୌସୁମୀ ପରିସ୍ଥିତିର ମୁକାବିଲା କରିବା ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି |  ମୌସୁମୀ ସମୟରେ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ନିରାପତ୍ତା ବ୍ୟବସ୍ଥା ଏବଂ ମୌସୁମୀ ଋତୁରେ ଟ୍ରେନଗୁଡ଼ିକର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିଛି:


 ଉନ୍ନତ ଡ୍ରେନେଜ୍ ପରିଚାଳନା: ସୁଗମ ଜଳ ପ୍ରବାହ ସୁନିଶ୍ଚିତ କରିବା ପାଇଁ ୟାର୍ଡ ଡ୍ରେନ୍ ସଫା କରିବା ଏବଂ କ୍ୟାଚ୍ ୱାଟର ଡ୍ରେନ୍ ଏବଂ ପାର୍ଶ୍ୱ ଡ୍ରେନ୍ ରୁ ବାଧା ଦୂର କରିବା |


ଟ୍ରାକ୍ ଏବଂ ସଙ୍କେତ ନିର୍ଭରଯୋଗ୍ୟତା: ସମ୍ଭାବ୍ୟ ଟ୍ରାକ୍ ସର୍କିଟ୍ ବିଫଳତା ପାଇଁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ପୂର୍ବରୁ ସମାଧାନ କରାଯାଇଛି |  ଟ୍ରାକ୍ ଏବଂ ସିଗନାଲିଂ ଅଧିକାରୀଙ୍କ ଦ୍ୱାରା ମିଳିତ ଯାଞ୍ଚ ସମୟୋଚିତ ପ୍ରତିକାରମୂଳକ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିଛି |


ଆକ୍ସଲ୍ କାଉଣ୍ଟର ସଂସ୍ଥାପନ: ଅନବରତ ସାଙ୍କେତିକ ପ୍ରଣାଳୀ ବଜାୟ ରଖିବା ପାଇଁ ଜଳବନ୍ଦୀ-ପ୍ରବଣ ଅଞ୍ଚଳରେ କର୍ମଚାରୀ ନିୟୋଜିତ ଓ ସତର୍କତା ଓ ନିରାପତ୍ତା ଜନିତ ସାମଗ୍ରୀ ଗଛିତ ରଖିବା |


ସ୍ୱତନ୍ତ୍ର ମୌସୁମୀ ପାଟ୍ରୋଲିଂ: ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଜଗୁଆଳୀ ନିୟୋଜିତ କରିବା |   ସମ୍ଭାବ୍ୟ ବିପଦ ଚିହ୍ନଟ କରିବା ଏବଂ ଟ୍ରେନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପ୍ରବଳ ବର୍ଷା ସମୟରେ ସେକ୍ସନାଲ ଗ୍ୟାଙ୍ଗମ୍ୟାନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଅଛି |


ପୂର୍ବ ତଟ ରେଳପଥ ଏହାର କାର୍ଯ୍ୟକ୍ଷେତ୍ରରେ ନିମ୍ନଲିଖିତ ନିର୍ଦ୍ଦିଷ୍ଟ ପ୍ରୋଟୋକଲ କାର୍ଯ୍ୟକାରୀ କରି ଏହାର କର୍ମଚାରୀମାନଙ୍କୁ ସଜାଗ ରଖିଛି ଏବଂ ଆପଦକାଳୀନ ପ୍ରସ୍ତୁତିକୁ ବୃଦ୍ଧି କରିଛି | ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି...


  • ଭିତ୍ତିଭୂମି ଉପରେ ନିରନ୍ତର ନଜର: ରେଳ ବ୍ରିଜ୍, ଟ୍ରାକ୍, ୟାର୍ଡ ଏବଂ ସିଗନାଲିଂ ସିଷ୍ଟମର ନିକଟତମ ତଦାରଖ |
  • ଜରୁରୀକାଳୀନ ସାମଗ୍ରୀର ପ୍ରସ୍ତୁତି: ପ୍ରମୁଖ ସ୍ଥାନଗୁଡ଼ିକରେ ପଥର, ବାଲାଷ୍ଟ, ବାଲି ଏବଂ ଅନ୍ୟାନ୍ୟ ମୌସୁମୀ ସଂରକ୍ଷଣ ସାମଗ୍ରୀର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଛି | ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ପ୍ରସ୍ତୁତ ରଖାଯାଇଛି |
  • ବନ୍ୟା ଏବଂ ଜଳ ପରିଚାଳନା: ସେତୁର ଜଳପଥରୁ ଉଦ୍ଭିଦ ଏବଂ କାଦୁଅ ସଫା କରିବା; ରାଜ୍ୟ ଜଳସେଚନ ବିଭାଗ ସହିତ ସମନ୍ୱୟ ରକ୍ଷାକରି କେନାଲ ଏବଂ ଟ୍ୟାଙ୍କ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଅଛି |
  • ବିପର୍ଯ୍ୟୟ ପ୍ରତିକ୍ରିୟା ପ୍ରୋଟୋକଲ୍: ବନ୍ୟାପ୍ରବଣ ଅଞ୍ଚଳରେ ପ୍ରକୃତ ସମୟ ମନିଟରିଂ ଏବଂ ଶୀଘ୍ର ପ୍ରତିକ୍ରିୟା ପାଇଁ ପୂର୍ବତଟ ରେଳପଥ ନିୟନ୍ତ୍ରଣ କାର୍ଯ୍ୟାଳୟ ଏବଂ ବିପର୍ଯ୍ୟୟ ପରିଚାଳନା ସେଲ୍ ଦିନ-ରାତି ସତର୍କ ରହିଛି |


ଏହା ବ୍ୟତୀତ, ଭାରତୀୟ ରେଳବାଇ ବାସ୍ତବ ସମୟ ପାଣିପାଗ ସତର୍କତା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସହିତ ଏବଂ ଡ୍ୟାମ୍ ଜଳ ଛାଡ଼ିବା ସମ୍ପର୍କରେ ସମୟୋପଯୋଗୀ ଅପଡେଟ୍ ପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ସମନ୍ୱୟରେ ରହିଛି | ପାଣିପାଗ ସତର୍କତା ପରେ ସତର୍କତାମୂଳକ ପଦକ୍ଷେପ ତୁରନ୍ତ ସକ୍ରିୟ କରାଯାଏ |

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ୍ ମୌସୁମୀ ପ୍ରସ୍ତୁତି ଏବଂ ଦିବାରାତି ସତର୍କତା ସମୀକ୍ଷା କରିଛନ୍ତି |  ଯେକୌଣସି ବର୍ଷାଜନିତ ଘଟଣା ଘଟିଲେ ଶୀଘ୍ର କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯାହା ଦ୍ୱାରା ଯାତ୍ରୀ ସୁରକ୍ଷା ଏବଂ ନିରବଚ୍ଛିନ୍ନ ରେଳ ପରିଚାଳନା ସୁନିଶ୍ଚିତ ହେବ |

ତଦନୁସାରେ, ମୌସୁମୀ ଆରମ୍ଭ ହେବା ପୂର୍ବରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି | ବର୍ଷା ଜଳର ମୁକ୍ତ ପ୍ରବାହ ସୁନିଶ୍ଚିତ କରିବା ପାଇଁ କ୍ୟାଚ୍ ୱାଟର ଡ୍ରେନ୍ ଏବଂ ପାର୍ଶ୍ୱ ଡ୍ରେନ୍ ଗୁଡ଼ିକୁ ପଙ୍କ, ଗଛଲତା ଏବଂ ଅନ୍ୟାନ୍ୟ ବାଧାରୁ ମୁକ୍ତ କରାଯାଇଛି | ସେତୁର ଜଳପଥଗୁଡ଼ିକ ଗଛଲତା ଏବଂ ଅନ୍ୟାନ୍ୟ ବାଧାରୁ ମୁକ୍ତ କରାଯାଇଛି | ରେଳ ପ୍ରଭାବିତ ଟ୍ୟାଙ୍କ ଏବଂ କାର୍ଯ୍ୟଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ସ୍ତରରେ ରାଜ୍ୟ ଜଳସେଚନ ବିଭାଗ ଅଧିକାରୀଙ୍କ ସହିତ ସମନ୍ୱୟ ବୈଠକ କରାଯାଉଛି | ସୁରକ୍ଷା ଏବଂ ନଦୀ ଜଳ ନିଷ୍କାସନ କାର୍ଯ୍ୟ ଭଲ ଅବସ୍ଥାରେ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ମରାମତି କରାଯାଇଛି | କେନାଲ କ୍ଷେତ୍ରରେ ପୂର୍ଣ୍ଣ ଯୋଗାଣ ସ୍ତର (FSL) ଏବଂ ସେତୁ କ୍ଷେତ୍ରରେ ବିପଦ ସ୍ତର (DL) ପାଟ୍ରୋଲମ୍ୟାନ୍, ଷ୍ଟେସନାରୀ ୱାଚମ୍ୟାନ୍ ଏବଂ ଲୋକୋ ପାଇଲଟ ମାନଙ୍କୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ପାଇଁ ଆବଟମେଣ୍ଟ୍ ସଂଲଗ୍ନ ପ୍ରତ୍ୟେକ ଘାଟରେ ଉଜ୍ଜ୍ୱଳ ଲାଲ ପଟି ସହିତ ରଙ୍ଗ କରାଯାଇଛି |

ଦୁର୍ବଳ ପାହାଡିଆ ଅଞ୍ଚଳରେ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ବିପଦକୁ କମ କରିବା ପାଇଁ ଏକ ସକ୍ରିୟ ପ୍ରୟାସରେ ପୂର୍ବତଟ ରେଳପଥ କୋଟ୍ଟାଭାଲସା-କିରାଣ୍ଡୁଲ୍ ଲାଇନ ଏବଂ କୋରାପୁଟ-ରାୟଗଡା ଲାଇନ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ମାର୍ଗରେ ଏହାର ସତର୍କତାମୂଳକ ପଦକ୍ଷେପଗୁଡ଼ିକୁ ତୀବ୍ର କରିଛି | ପ୍ରମୁଖ ପରିଚାଳନା ମଧ୍ୟରେ ଭୂସ୍ଖଳନ ଏବଂ ପଥର ଖସିବା ଅଟକାଇବା ପାଇଁ ଢାଲ ସହିତ ସୁରକ୍ଷାମୂଳକ ଜାଲ ସ୍ଥାପନ, ନିୟମିତ ଭୂତାତ୍ତ୍ୱିକ ଯାଞ୍ଚ ଏବଂ ଢାଲ ଅସ୍ଥିରତାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ପାଇଁ ଉନ୍ନତ ମନିଟରିଂ ସିଷ୍ଟମ ନିୟୋଜନ ଅନ୍ତର୍ଭୁକ୍ତ | ଏହା ସହିତ, ବର୍ଷା ଋତୁରେ ରକ୍ଷଣାବେକ୍ଷଣ ଦଳଗୁଡ଼ିକ ଉଚ୍ଚ ସତର୍କତାରେ କାର୍ଯ୍ୟକରୁଛନ୍ତି ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରୋଟୋକଲକୁ ସୁଦୃଢ଼ କରାଯାଇଛି | ଏହି ପଦକ୍ଷେପଗୁଡ଼ିକ ଭୂଖଣ୍ଡ ମାଧ୍ୟମରେ ଯାତ୍ରାକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଆହ୍ୱାନ ହୋଇଥିବାବେଳେ ରେଳବାଇର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି |   

ମୌସୁମୀ ଆସିବା ସହିତ ଭାରତୀୟ ରେଳବାଇ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା, କାର୍ଯ୍ୟକ୍ଷମ ଦକ୍ଷତା ବଜାୟ ରଖିବା ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ବୃଦ୍ଧି କରିବା ପାଇଁ ଏହାର ପ୍ରତିବଦ୍ଧତାରେ ଅଟଳ ରହିଛି | ସତର୍କତା ଯୋଜନା, ସକ୍ରିୟ ସୁରକ୍ଷା ପ୍ରୋଟୋକଲ ଏବଂ ପାଣିପାଗ ଏବଂ ସ୍ଥାନୀୟ ସରକାରୀ ସଂସ୍ଥାଗୁଡ଼ିକ ସହିତ ନିରନ୍ତର ସମନ୍ୱୟ ମାଧ୍ୟମରେ ପୂର୍ବତଟ ରେଳପଥ ମୌସୁମୀ ସମ୍ବନ୍ଧୀୟ ଚ୍ୟାଲେଞ୍ଜଗୁଡ଼ିକୁ ପରିଚାଳନା କରିବା ପାଇଁ ସୁସଜ୍ଜିତ | ଏହି ବ୍ୟାପକ ପ୍ରୟାସଗୁଡ଼ିକ ପ୍ରତିକୂଳ ପାଗ ପରିସ୍ଥିତିରେ ମଧ୍ୟ ସମଗ୍ର ଦେଶରେ ନିରାପଦ ଏବଂ ନିରବଚ୍ଛିନ୍ନ ଟ୍ରେନ ସେବା ପ୍ରଦାନ କରିବା ପାଇଁ ସଂଗଠନର ପ୍ରସ୍ତୁତିକୁ ସୁଦୃଢ଼ କରିଥାଏ |

ବୁର୍ଲା, ୩୦ ମଇ ୨୦୨୫




  • ଓଡ଼ିଶାର ଡାକ୍ତର ଓଡ଼ିଶାରେ ଚିକିତ୍ସା ସେବାରେ ରହିଲେ ହିଁ ରାଜ୍ୟ ୧ ନମ୍ବର ହେବ- ଧର୍ମେନ୍ଦ୍ର ପ୍ରଧାନ
  • ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ  ନିର୍ମିତ ଏହି ହସ୍ପିଟାଲରେ ୫୮ ଟି ଆଇସିୟୁ ଶଯ୍ୟା ସହିତ ମୋଟ୍ ୨୭୨ଟି ଶଯ୍ୟା ଅଛି
  • ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ଲୋକମାନେ ହେବେ ଉପକୃତ
  • ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହି ହସ୍ପିଟାଲ ଅଗ୍ରଣୀ ଭୂମିକା ନିର୍ବାହ କରିବ 
  • ଭିମସାରର ପୁନଃବିକାଶ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର 
  • ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ, ଲୋକଙ୍କ ସ୍ୱାସ୍ଥ୍ୟକୁ  ଠିକ୍ ରଖିବାର  ମୂଳ ପ୍ରୟୋଗଶାଳା ହେଉଛି ଭିମସାର୍
  • ଭିସୁଟ୍ ଓ ଭିମସାର ମିଶି ଏକ ମଲ୍ଟି ଡିସିପ୍ଲିନାରୀ କୋର୍ସ କରିବା ପାଇଁ ଦେଲେ ପରାମର୍ଶ  
  • ଭିମସାରରେ ମେଡିଟେକ୍, ବାୟୋଟେକ୍, ଏଆଇ ଏନେବଲ୍ଡ୍ ଟ୍ରିଟମେଣ୍ଟ ଭଳି ଅତ୍ୟାଧୁନିକ ମେଡିକାଲ ପଦ୍ଧତି ଆରମ୍ଭ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ 
  • ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ  
  • ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସମ୍ବଲପୁର ବିଧାୟକ କାର୍ଯ୍ୟକ୍ରମରେ ପ୍ରମୁଖ ଉପସ୍ଥିତ 

ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରି ପାଇଁ ବାହାରକୁ ନଯାଇ ଓଡ଼ିଶାରେ ଡାକ୍ତରୀ ସେବା କରିବା ଆବଶ୍ୟକ । ଡାକ୍ତରୀ ପିଲାମାନେ ଏହିଭଳି ମନ ବଳାଇଲେ ହିଁ ଆମ ରାଜ୍ୟ ଏକ ନମ୍ବର ହୋଇପାରିବ ବୋଲି ଗୁରୁବାର  ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ(ଭିମସାର୍), ବୁର୍ଲା ପରିସରରେ ସୁପର ସ୍ପେସାଲିଟି ହସ୍ପିଟାଲକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ  ନିର୍ମିତ ଏହି ହସ୍ପିଟାଲରେ ୫୮ ଟି ଆଇସିୟୁ ଶଯ୍ୟା ସହିତ ମୋଟ୍ ୨୭୨ଟି ଶଯ୍ୟା ଅଛି । ଏହି ସୁପର୍ ସ୍ପେସାଲିଟି ହସ୍ପିଟାଲରେ ୟୁରୋଲଜି, ନେଫ୍ରୋଲଜି, ନ୍ୟୁରୋଲଜି, ନ୍ୟୂରୋସର୍ଜରୀ, ପେଡିଆଟ୍ରିକ୍ସ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଡେରୋଲଜି, ଏଣ୍ଡୋକ୍ରାଇନୋଲଜି ଏବଂ କ୍ଲିନିକାଲ୍ ହେମାଟୋଲଜି ସମେତ ନଅଟି ସୁପର୍ ସ୍ପେସାଲିଟି ବିଭାଗ ରହିବ । ଲୋକାର୍ପିତ ସୁପର ସ୍ପେସାଲିଟି ହସ୍ପିଟାଲ ଦ୍ୱାରା ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ସଂଲଗ୍ନ ଅଞ୍ଚଳ ଗୁଡିକରେ ରହୁଥିବା ଲୋକମାନେ ଏହି ପ୍ରକଳ୍ପ ଦ୍ୱାରା ଅତ୍ୟନ୍ତ ଲାଭବାନ ହେବେ । ସିକିଲ୍ ସେଲର ରୋଗୀମାନଙ୍କ ପାଇଁ ଏହି ହସ୍ପିଟାଲ ନୂତନ ସୁଯୋଗ ସୃଷ୍ଟି କରିବ । ରୋଗୀମାନଙ୍କୁ ଅତ୍ୟାଧୁନିକ ସମସାମୟିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହି ସୁପର ସ୍ପେସାଲିଟି ହସ୍ପିଟାଲ ଅଗ୍ରଣୀ ଭୂମିକା ନିର୍ବାହ କରିବ । ସମାଜର ଅନ୍ତିମ ଶ୍ରେଣୀର ଲୋକମାନଙ୍କୁ ସୁପର୍ ସ୍ପେସାଲିଟି ଚିକିତ୍ସା ସୁବିଧା ଯୋଗେଇବା ଦିଗରେ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଭିମସାର୍ ସମେତ ଆଇଆଇଏମ, ସମ୍ବଲପୁର, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଓପନ ୟୁନିଭର୍ସିଟି, ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟ ପରି ଅନୁଷ୍ଠାନ ଅଛି, ଯାହା ସମ୍ବଲପୁରର ବିଶେଷତ୍ୱ । ଭିମସାର ମେଡିକାଲରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ମେଡିକାଲ ବିଜ୍ଞାନ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଭିସୁଟ୍ ଓ ଭିମସାର ମିଶି ଏକ ମଲ୍ଟି ଡିସିପ୍ଲିନାରୀ କୋର୍ସ କରିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ ।  

ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟକୁ  ଠିକ୍ ରଖିବାର  ମୂଳ ପ୍ରୟୋଗଶାଳା ହେଉଛି ଭିମସାର୍ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ହେଲେ ରାଜ୍ୟରେ ଭିମସାର ଭଳି ଅନୁଷ୍ଠାନରୁ ପାଠ ପଢୁଥିବା ଡାକ୍ତର ଛାତ୍ରଛାତ୍ରୀମାନେ ବାହାର ରାଜ୍ୟରେ ଚାକିରି ନକରି ଆମ ରାଜ୍ୟରେ ଚାକିରି କରିବା ଦରକାର । ତେବେ ଯାଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ । ଭିମସାର  ପରିସରରେ ଏକ ୟୁନିଟାରୀ ଡେଣ୍ଟାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ବଜେଟରେ ଘୋଷଣା କରିଛନ୍ତି । ଭିମାସରର ପୁନଃବିକାଶ ପାଇଁ ମାଷ୍ଟର ପ୍ଲାନ୍ କରିବା ପାଇଁ ସରକାରଙ୍କ ଯୋଜନାରେ ରହିଛି ।  ଭିମସାରରେ ମେଡିଟେକ୍, ବାୟୋଟେକ୍, ଏଆଇ ଏନେବଲ୍ଡ୍ ଟ୍ରିଟମେଣ୍ଟ ଭଳି ଅତ୍ୟାଧୁନିକ ମେଡିକାଲ ପଦ୍ଧତି ସହ ଗଣାତ୍ମକ ଶିକ୍ଷା, ସୁଶାସନ ମଡେଲ ଏବଂ ଷ୍ଟାର୍ଟଅପ ଦୁନିଆକୁ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ । ଏହାର ଭିତ୍ତିଭୂମିର ବିକାଶ ପାଇଁ  ସମସ୍ତଙ୍କ ପରାମର୍ଶ ନେବା ସହ ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କର୍ମଶାଳାର ଆୟୋଜନ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


ଭୁବନେଶ୍ୱର, ୩୦ ମଇ ୨୦୨୫



  • ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ : କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ହେବା ଦିଗରେ ପ୍ରୟାସରତ : କେନ୍ଦ୍ର କୃଷି ମନ୍ତ୍ରୀ
  • ଓଡ଼ିଶାରେ ଧାନ, ଆମ୍ବ, ଜୈବିକ ଚାଉଳ, ହଳଦୀର ଗୁଣବତ୍ତାକୁ ଉଚ୍ଚ ପ୍ରଶଂସା କଲେ କେନ୍ଦ୍ର ଶ୍ରୀ ଶିବରାଜ ସିଂ ଚୌହାନ
  • ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍‌ ସହାୟତା ରାଶି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ପିଏମ କିଷାନ ଏବଂ ସିଏମ କିଷାନ୍‌ ଦ୍ୱାରା ୪୮ ଲକ୍ଷ ଚାଷୀ ପରିବାର ଉପକୃତ ହୋଇପାରିଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ବରିଷ୍ଠ ଅଧିକାରୀ ଓ କୃଷି ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ । 

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଆଜି ଠାରୁ ସାରା ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଦେଶର ୨ହଜାର ୧୭୦ଟି ସ୍ଥାନରେ କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚାଷୀଙ୍କ ସହ ମତବିନିମୟ କରୁଛନ୍ତି । ସେମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛନ୍ତି ।

ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦର ଦେଶର କୃଷି କ୍ଷେତ୍ର ଅଧିକ ସମୃଦ୍ଧ ହେଉ ବୋଲି କାମନା କରି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ, ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ। ଚାଷୀମାନେ ଦେଶର ଖାଦ୍ୟାନ୍ନ ଭଣ୍ଡାର ଭରୁଛନ୍ତି । ଚାଷୀମାନଙ୍କ ଘର ମଧ୍ୟ ଯେପରି ଖାଲି ନରହିବ, କୃଷି ଲାଭଜନକ ବେଉସା ହେବ ଏବଂ ସେମାନେ ନିଜ ଫସଲର ଲାଭଜନକ ମୂଲ୍ୟ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଆଜି ଦେଶରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି । ଧାନ, ଗହମ ହେଉ କିମ୍ବା ମକା, ସବୁ ଖାଦ୍ୟ ଶସ୍ୟ ଦେଶରେ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ତେବେ ଏତିକିରେ ସୀମିତ ନରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ହେବା ଦିଗରେ ପ୍ରୟାସରତ ରହିଛି । ଦେଶର ୧୪୫ କୋଟିରୁ ଅଧିକ ଲୋକଙ୍କ ପେଟ ଭରିବା ସହିତ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଖାଦ୍ୟଶସ୍ୟ ଓ ପନିପରିବା ପଠାଇବା ଲାଗି ଦେଶର ଚାଷୀଙ୍କୁ ସକ୍ଷମ କରିବାକୁ ହେବ ବୋଲି ଶ୍ରୀ ଚୌହାନ କହିଥିଲେ ।

କେନ୍ଦ୍ର କୃଷି ମନ୍ତ୍ରୀ ଆହୁରି କହିଥିଲେ, ଚାଷୀଙ୍କ ଉତ୍ପାଦନ ବଢ଼ାଇବା ସହିତ ଖର୍ଚ୍ଚ କମାଇବା ଲାଗି ମଧ୍ୟ ପଦକ୍ଷେପ ନିଆଯିବା ଜରୁରୀ। ସେଥିପାଇଁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍‌ କାର୍ଡ ଜରିଆରେ କୃଷି ଋଣ ଉପରେ ୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ଦେଉଛନ୍ତି । ରାଜ୍ୟ ସରକାରଙ୍କ ଭାଗ ମିଶିଲେ ଏହି ରିହାତି ଶୂନ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । କୃଷି କ୍ଷେତ୍ର ପାଇଁ ଳସେଚନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ଓଡ଼ିଶା  ସରକାର ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଯୋଜନା ପ୍ରସ୍ତୁତ କରିବା ସ୍ୱାଗତଯୋଗ୍ୟ। ଶ୍ରୀ ଚୌହାନ କହିଥିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହେଉଥିବା ଫସଲ ପାଇଁ କ୍ଷତିପୂରଣ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ କରାଯାଇଛି । ଓଡ଼ିଶାରେ ଧାନ, ଆମ୍ବ, ଜୈବିକ ଚାଉଳ, ହଳଦୀ ଆଦିର ଗୁଣବତ୍ତାକୁ ସେ ପ୍ରଂଶସା କରିଥିଲେ। 

ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବାକୁ ଚାଷୀମାନଙ୍କୁ ଆହ୍ୱାନ କରି ଶ୍ରୀ ଚୌହାନ କହିଥିଲେ, ପରୀକ୍ଷାଗାରରେ ବୈଜ୍ଞାନିକମାନଙ୍କୁ ଚାଷୀଙ୍କ ସହ ଯୋଡ଼ିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି । କେବଳ ଆଇସିଏଆର ନିକଟରେ ଥିବା ୧୬ହଜାରରୁ ଅଧିକ କୃଷି ବୈଜ୍ଞାନିକ ଚାଷୀଙ୍କ ସହ ମତବିନିମୟ କରିବା ଲାଗି ପ୍ରସ୍ତୁତ ରହିଛନ୍ତି । ବୈଜ୍ଞାନିକ ଓ ଚାଷୀଙ୍କ ମଧ୍ୟରେ ସଂଗମ ହୋଇପାରିଲେ କୃଷି କ୍ଷେତ୍ରରେ ଆହୁରି ସମୃଦ୍ଧି ଆସିପାରିବ। ଅଧିକ ଦ୍ରୁତ ଗତିରେ ଫସଲ ଉତ୍ପାଦନ ବୃଦ୍ଧି ହୋଇପାରିବ । ଏହି ଅଭିଯାନରେ ବୈଜ୍ଞାନିକମାନେ ପ୍ରତି ଗାଁକୁ ଯାଇ ସେଠାରେ ପ୍ରାକୃତିକ ଓ ଭୌଗଳିକ ସ୍ଥିତି ଅନୁଯାୟୀ କୃଷି ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବେ ଏବଂ ସେମାନଙ୍କର ସମସ୍ୟା ବିଷୟରେ ତଥ୍ୟ ସଂଗ୍ରହ କରି ସେଗୁଡ଼ିକର ସମାଧାନ ଯୋଗାଇଦେବେ ବୋଲି ଶ୍ରୀ ଚୌହାନ କହିଥିଲେ ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାରୁ ଆରମ୍ଭ ହେବା ଗୌରବର ବିଷୟ। ସେ ଏହି ଅଭିଯାନର ସଫଳତା କାମନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ବିକଶିତ ଭାରତ ସଂକଳ୍ପ ଅଭିଯାନ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।  ସେ ଆହୁରି କହିଥିଲେ, ଦିନକୁ ଦିନ ଚାଷ ଜମି ସଂକୁଚିତ ହେଉଥିବାରୁ ଚିରାଚରିତ ପଦ୍ଧତିରେ ଚାଷ କରି ଅଧିକ ଫସଲ ଅମଳ କରିବା ସମ୍ଭବ ନୁହେଁ। ନୂତନ କୃଷି ଜ୍ଞାନକୌଶଳ ସହାୟତାରେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ହେବ। ଭାରତ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଓଡ଼ିଶା ମଧ୍ୟ ଧାନ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି । କିନ୍ତୁ ପନିପରିବା, ଡାଲି, ତୈଳବୀଜ, ଅଣ୍ଡା ଇତ୍ୟାଦି ପାଇଁ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏ ଦିଗରେ ଅଧିକ ପ୍ରୟାସ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଏମଏସପିରେ କିଣାଯାଉଛି । ରାଜ୍ୟ ସରକାର ଏଥିପାଇଁ ୮୦୦ ଟଙ୍କାର ଇନପୁଟ୍‌ ସହାୟତା ଦେଉଛନ୍ତି । ସେହିପରି ରାଜ୍ୟରେ ପିଏମ କିଷାନ ଏବଂ ସିଏମ କିଷାନ ଯୋଜନା କାର୍ଯ୍ୟକାରୀ କରାଯାଇ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହାଦ୍ୱାରା ରାଜ୍ୟର ୪୮ ଲକ୍ଷରୁ ଅଧିକ ଚାଷୀ ପରିବାର ଉପକୃତ ହୋଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ଠାରେ ଏକ ଆମ୍ବ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ୧୨ ଜୁନ୍‌ ପର୍ଯ୍ୟନ୍ତ ଚାଲିବାକୁ ଥିବା ୧୫ ଦିନିଆ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଦେଶର ୧୬ ହଜାର ବୈଜ୍ଞାନିକଙ୍କୁ ନେଇ ୨୧୭୦ଟି ଦଳ ଗଠନ କରାଯାଇଛି । ଏହି ବୈଜ୍ଞାନିକମାନେ ଗାଁକୁ ଗାଁ ଯାଇ ପ୍ରାୟ ଦେଢ଼ କୋଟି କୃଷକମାନଙ୍କ ସହ ଭାବ ବିନିମୟ କରିବେ। ଗୋଟିଏ ଦଳ ଗୋଟିଏ ଦିନରେ ୨ଟି ଗ୍ରାମ ପରିଦର୍ଶନ କରିବେ। ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଜଳ, ମୃତ୍ତିକାର ପୋଷକ ତତ୍ତ୍ୱ ଏବଂ ଅନ୍ୟାନ୍ୟ କାରକ, କେଉଁ ଫସଲ ବୁଣାଯିବା ଉଚିତ, କେଉଁ ପ୍ରକାର ରହିବା ଉଚିତ, ସାରର କେତେ ସନ୍ତୁଳିତ ବ୍ୟବହାର କରାଯିବା ଉଚିତ, ପ୍ରାକୃତିକ ଚାଷ ସହିତ ଡାଲି ଏବଂ ତୈଳବୀଜ ଚାଷ ଉପରେ କୃଷକମାନଙ୍କ ସହ ଆଲୋଚନା କରାଯିବ। ବୈଜ୍ଞାନିକମାନେ ସିଧାସଳଖ ବାର୍ତ୍ତାଳାପ ମାଧ୍ୟମରେ କୃଷକମାନଙ୍କ ବ୍ୟବହାରିକ ସମସ୍ୟାର ସମାଧାନ କରିବେ। କୃଷି କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଅଧିକ ଗବେଷଣାର ଦିଗ ମଧ୍ୟ ସ୍ଥିର କରାଯିବ।


ଭୁବନେଶ୍ୱର, ୩୦ ମଇ ୨୦୨୫




ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ଗତ କାଲି ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ବୈଠକରେ ପଞ୍ଚାୟତିରାଜ  ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍‌. ଏନ୍‌ , ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । 

ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ପାନୀୟଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ସବୁ ଗାଁକୁ  ପିଇବା ପାଣି ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି । ସମସ୍ତଙ୍କ ପାଇଁ ପିଇବା ପାଣି ସୁବିଧା କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ତଥା ଜିଲ୍ଲାପାଳମାନେ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ନିଷ୍ଠାର ସହ ନିର୍ବାହ  କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।

ସବୁ ଗାଁଙ୍କୁ ଏବଂ ଘର ଘରକୁ କିପରି ପାନୀୟ ଜଳ ପହଞ୍ଚିବ, ସେଥିପାଇଁ ରାଜ୍ୟର କଣ କଣ ଯୋଜନା ରହିଛି ( ଷ୍ଟେଟ୍ ସାଚୁରେସନ ପ୍ଲାନ),  ସେ ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବିଶଦ୍ ଭାବେ ଉପସ୍ଥାପନ କରାଯାଇଥିଲା ।

ବୈଠକରୁ ଜଣାଯାଇଛି ଯେ,  ରାଜ୍ୟରେ ଭୂତଳ ଜଳଭିତ୍ତିକ ବୋର କୂପ, ଓଭରହେଡ୍ ଟାଙ୍କି, ଆବଣ୍ଟିତ ପାଇପ ଲାଇନ୍‌, କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ ଜରିଆରେ ଏକକ ଗାଁ  ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ (ସିଙ୍ଗଲ୍ ଭିଲେଜ୍ ପିଡବ୍ଲୁଏସ୍ ପ୍ରୋଜେକ୍ଟ)  କାର୍ଯ୍ୟକାରୀ କରାଯାଉଛି । ଏଥିରେ ଅଦ୍ୟବଧି ୧୮,୬୭୭ ଟି ପ୍ରକଳ୍ପ ସଂସ୍ଥାପିତ ହୋଇଥିବା ବେଳେ ୧୨୮୯ ନିର୍ମଣାଧିନ ରହିଛି । ୧୬ ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୯୧ ଟି ନିର୍ମାଣଧୀନ ରହିଛି  ।  ସେହିପରି ୪୮୫୫ଟି ସୋଲାର ପ୍ରକଳ୍ପ ସରିଥିବା ବେଳେ ୩୬୫୨ଟି କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି  । ଜୁନ୍‌ ୨୦୨୫ ସୁଦ୍ଧା ୨୩୮ ଟି ଏବଂ ଅକ୍ଟୋବର ସୁଦ୍ଧା ୭୫୨ ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଗାମୀ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି । ନିର୍ମାଣଧୀନ ଥିବା ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ପର୍ଯ୍ୟାୟ କ୍ରମେ ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ଜିଲ୍ଲାରେ ନର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଓ ସଂପୂର୍ଣ୍ଣ ହେବାକୁ ଥିବା ଧାର୍ଯ୍ୟ ସମୟ ସଂପର୍କରେ ଆଲୋଚନା କରାଯାଇଥିଲ। ।  

ବିଭିନ୍ନ ନିର୍ମାଣକାରୀ ସଂସ୍ଥାକୁ ପାନୀୟ ଜଳ ପ୍ରକଳ୍ପ ଶେଷ କରିବାକୁ କାର୍ଯ୍ୟାଦେଶ ଦିଆଯାଇଛି ଓ ସେମାନଙ୍କ ସହିତ ଚୁକ୍ତି କରାଯାଇଛି । ବିଭିନ୍ନ ପ୍ରମୁଖ ମେଗା ପାନୀୟ ଜଳ ପ୍ରକଳ୍ପରୁ  କେଉଁ ବ୍ଲକର କେଉଁ ଗ୍ରାମ ସବୁ  ଉପକୃତ ହେଉଛନ୍ତି,  ସେ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । 

ବିଭିନ୍ନ ପାନୀୟଜଳ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ପାଇଁ ରହୁଥିବା ବିଦ୍ୟୁତ ଶକ୍ତି  ସଂଯୋଗୀକରଣ ସମସ୍ୟା, ପରିବେଶ ମଞ୍ଜୁରୀ ସଂପର୍କିତ କାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଜଳ ସଂପଦ ବିଭାଗ, ରାଜସ୍ୱ ବିଭାଗ, ରେଳ ବିଭାଗ, ଜାତୀୟ ରାଜପଥ ସଂପର୍କିତ ସମସ୍ୟାର ସମାଧାନ ପାଇଁ ସହଯୋଗର ଆବଶ୍ୟକତା ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି  । ଅନ୍ୟ ପକ୍ଷରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ପାଇଁ  ଯେଉଁ ଯେଉଁ ସମସ୍ୟା ରହୁଛି,  ସେ ସଂପର୍କରେ ପ୍ରତି ମାସରେ ଜିଲ୍ଲାସ୍ତରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ନିୟମିତ ସମୀକ୍ଷା କରାଯାଉଥିବା ଜିଲ୍ଲାପାଳମାନେ ପ୍ରକାଶ କରିଥିଲେ । ବିଭାଗ ତରଫରୁ ଏ ନେଇ ନିୟମିତ ଭାବରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଉଥିବା ବିଭାଗୀୟ ନିର୍ଦ୍ଦେଶକ ପ୍ରକାଶ କରିଥିଲେ  । 

ମୁଖ୍ୟ ଶାସନ ସଚିବ ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ଓ ଅନ୍ୟ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ ନିମନ୍ତେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କୁ ପରାମର୍ଶ  ଦେବା ସହ ବିଡିଓମାନଙ୍କ ସଂପୃକ୍ତିକୁ ଗୁରୁତ୍ୱ ଦେଇଥିଲେ । ଆହୁରି ମଧ୍ୟ ବୈଠକରେ  ଜିଲ୍ଲାରେ ଭାରତ ସରକାରଙ୍କ ‘ଜଳ ଜୀବନ ମିଶନ’ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା । 

ବୈଠକ ପରେ ପରେ ବିଭାଗର କମିଶନର ତଥା  ଶାସନ ସଚିବ ଏବଂ ବିଭାଗୀୟ ନିର୍ଦ୍ଦେଶକ ଦ୍ୱୟ  ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ସମସ୍ୟା ଓ ସମାଧାନ ସଂପର୍କରେ ଜିଲ୍ଲାଓ୍ୱାରୀ ଆଲୋଚନା କରିଥିଲେ ।  


ଭୁବନେଶ୍ୱର,  ମଇ ୨୦୨୫




୨୦୨୫ ବର୍ଷ ପାଇଁ  ବନ୍ୟା ପ୍ରସ୍ତୁତି ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯ।ଇଛି । ବୈଠକରୁ ଜଣାଯାଇଛି ଯେ, ବନ୍ୟା ପରିଚାଳନା ପାଇଁ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବନ୍ୟା ନିୟନ୍ତ୍ରଣ କକ୍ଷଗୁଡ଼ିକ ୧ ଜୁନ୍ ୨୦୨୫ ରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚବିଶ ଘଣ୍ଟିଆ (୨୪x୭) କାର୍ଯ୍ୟକ୍ଷମ ହେବ ଏବଂ ତତ୍ ସହିତ ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗ,ସେଚସଦନ କାର୍ଯ୍ୟାଳୟ ଏବଂ ରାଜ୍ୟ ଜଳତତ୍ତ୍ଵ ତଥ୍ୟ କେନ୍ଦ୍ର ),୮ମ ମହଲା  ,ରାଜୀବ ଭବନରେ ମଧ୍ୟ ଏହି ବନ୍ୟା ନିୟନ୍ତ୍ରଣ କକ୍ଷ ଗୁଡିକ ସକ୍ରିୟ ରହିବ । 

ଜିଲ୍ଲା ପ୍ରଶାସନ ଏବଂ ଜଳସମ୍ପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବରେ ସମସ୍ତ ନଦୀ ବନ୍ଧ ଗୁଡିକୁ   ସମ୍ପୃକ୍ତ ଜିଲ୍ଲାପାଳ ଓ ଲୋକ ପ୍ରତିନିଧି ମାନଙ୍କ ସହ ମିଶି ଯାଞ୍ଚ କରିଛନ୍ତି । କ୍ଷେତ୍ର ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ ବନ୍ଧଗୁଡ଼ିକ ଭଲ ଅବସ୍ଥାରେ ଅଛି । ଯଦିଓ ୨୦୨୪ ବନ୍ୟା ସମୟରେ କୌଣସି ପ୍ରକାରର ଘାଇ ହୋଇନଥିଲା,  କିନ୍ତୁ ପୂର୍ବ ବର୍ଷ ମାନଙ୍କର ଘାଇ ସ୍ଥାନଗୁଡ଼ିକୁ ସ୍ଥାୟୀ ଭାବରେ ପୁନରୁଦ୍ଧାର କରାଯାଇଛି ଏବଂ ଏହି ସ୍ଥାନ ଗୁଡିକୁ ବନ୍ୟା ସମୟରେ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଖାଯିବ ।  ନଦୀ ଏବଂ ଜଳ ନିଷ୍କାସନ ପ୍ରଣାଳୀ (ଡ୍ରେନେଜ ଚ୍ୟାନେଲ)ରେ ଥିବା ସମସ୍ତ ଅବରୋଧ ତଥା  କଫର ଡ୍ୟାମ ଗୁଡିକ  ୧୫ ଜୁନ୍ ସୁଦ୍ଧା ହଟାଯିବ । ସମସ୍ତ ବୃହତ ଏବଂ ମଧ୍ୟମ ଜଳଭଣ୍ଡାରର ଗେଟଗୁଡ଼ିକର ମକ୍ ଡ୍ରିଲ୍ କରାଯାଇ ବନ୍ୟା ନିୟନ୍ତ୍ରଣ ପାଇଁ ଜଳଭଣ୍ଡାରର ଗେଟ ଗୁଡିକର ଯାଞ୍ଚ ଭଲ ଭାବରେ ନିରୀକ୍ଷଣ କରି କାର୍ଯ୍ୟକ୍ଷମ କରାଯାଇଅଛି। ଯେକୌଣସି ଘାଇ ଏବଂ ଘଳିଆ ଗୁଡ଼ିକର ପ୍ରତିରୋଧ କରିବା ପାଇଁ କ୍ଷେତ୍ର ବିଭାଗ ଦ୍ୱାରା  ଆବଶ୍ୟକୀୟ ସାମଗ୍ରୀ ଯଥା:-ବାଲି,ଖାଲି ସିମେଣ୍ଟ ବସ୍ତା,ବଲ୍ଲା,ବାଉଁଶ ଇତ୍ୟାଦି ଆବଶ୍ୟକ ପରିମାଣରେ ମହଜୁଦ ରଖାଯାଇଅଛି । ତତ ସହିତ ଜେନେରେଟର,ଜେସିବି,ଏକ୍ସକାଭେଟର, ଟ୍ରକ,ଟିପର, ଟ୍ରାକ୍ଟର,କଟର, ପାଣି ଟ୍ୟାଙ୍କର୍ ଇତ୍ୟାଦି ନିକଟସ୍ଥ ଗ୍ରାମ ମାନଙ୍କରେ ବ୍ୟବହାର ନିମନ୍ତେ ରଖାଯାଇଛି । ପ୍ରତିଦିନ ଜଳସଂପଦ ବିଭାଗ ,କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ପାଣିପାଗ ବିଭାଗ, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସହ ସମନ୍ଵୟ ରକ୍ଷା କରାଯାଇ  ବର୍ଷା ତଥା ବନ୍ୟାର ପୂର୍ବାନୁମାନ ବିବରଣୀ ନିୟମିତ ଭାବରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଯିବା ପାଇଁ ବ୍ୟବସ୍ଥା କରାଯାଇଅଛି । ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ସହିତ ଜଡିତ ପ୍ରତ୍ୟେକ ଡିଭିଜନର ଦୁଇଜଣ ଅଧିକାରୀଙ୍କୁ  ଯୋଗାଯୋଗ କରିବା ପାଇଁ  ମୋବାଇଲ୍ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ । ସୁଚାରୁରୂପେ  ବନ୍ୟା ପରିଚାଳନା ପାଇଁ ମାନକ ପରିଚାଳନା ପଦ୍ଧତି (ଏସଓପି)  ପାଳନ କରାଯିବ ବୋଲି ଅନୁଷ୍ଠିତ ବୈଠକରୁ ଜଣାଯାଇଛି । ୨୦୨୫ ବର୍ଷରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସତର୍କତାର ସହିତ କାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇଥିଲେ । 


ଭୁବନେଶ୍ୱର,  ମଇ ୨୦୨୫



  • ଆରଆଇଡିଏଫ୍  ଋଣ ବିତରଣରେ  ଓଡ଼ିଶା ଦେଶରେ  ପ୍ରଥମ
  • ସଂପୂର୍ଣ୍ଣ ହୋଇଥିବା ବିଭିନ୍ନ  ଉଲ୍ଲେଖନୀୟ ପ୍ରକଳ୍ପ ସଂପର୍କରେ ଉପସ୍ଥାପନ
  • ଅନ୍ୟ ସମସ୍ତ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ

୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମୀଣ ଭିତ୍ତିଭୂମି  ବିକାଶ ପାଣ୍ଠି (ଆରଆଇଡିଏଫ)ର  ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଆଜି ଲୋକସେବା  ଭବନସ୍ଥିତ ସମ୍ମିଳନୀ କକ୍ଷରେ  ଉନ୍ନୟନ କମିଶନର ତଥା ଅତିରିକ୍ତ  ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ଆରଆଇଡିଏଫ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା, ସଫଳତା ଓ କାର୍ଯ୍ୟ ଅଗ୍ରଗତି  ଆଦି ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମୀକ୍ଷା କରି  ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକର  ତ୍ୱରାନ୍ୱିତ କରିବାକୁ  ସେ ସଂପୃକ୍ତ ସମସ୍ତ ବିଭାଗମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।  

ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସମେତ  ଗ୍ରାମୀଣ ଭିତ୍ତିଭୂମି  ବିକାଶ ପାଣ୍ଠି ଉପଯୋଗ କରୁଥିବା ଜଳ ସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ  ଆଦି ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ନାବାର୍ଡ, ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ (ସିଜିଏମ) ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଆହୂତ ଏହି ବେଠକରେ ଆର.ଆଇ.ଡି.ଏଫ୍ ପାଣ୍ଠି ଅଧିନରେ ୨୦୨୪-୨୫ ବର୍ଷରେ ଏହି ପାଣ୍ଠି ଉପଯୋଗ କରୁଥିବା ବିଭିନ୍ନ ବିଭାଗର କାର୍ଯ୍ୟ ସଫଳତା ଅନୁଧ୍ୟାନ କରାଯାଇଥିଲା । 

ଗ୍ରାମୀଣ ଭିତ୍ତିଭୂମି  ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ନାବାର୍ଡଠାରୁ ୩୮୩୬.୩୪ କୋଟି ଟଙ୍କାର ଆରଆଇଡିଏଫ୍ ଋଣ ହସଲକରି ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ।  

  କାର୍ଯ୍ୟକାରୀ ହୋଇଥିବା ଉଲ୍ଲେଖନୀୟ ପ୍ରକଳ୍ପ ମଧ୍ୟରୁ ଜଣାଯାଇଛି ଯେ, ଜଳ ସଂପଦ ବିଭାଗ ଜରିଆରେ ଗଞ୍ଜାମ ଜିଲ୍ଲାର ରାମନଦୀରେ ଜକମେରୀପଲ୍ଲୀଠାରେ ନିର୍ମିତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ୩୪.୯୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଛି । ଏହି ପ୍ରକଳ୍ପ ଦିଗପହଣ୍ଡି ବ୍ଲକର ୧୧ଟି ଗ୍ରାମର ୧୬,୫୦୦ ଲୋକଙ୍କୁ ପାନୀୟ ଜଳ ସୁବିଧା ଯୋଗାଇଦେବ । ସେହିପରି ଜଳ ସଂପଦ ବିଭାଗ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ସେଚାଂଚଳ ଉନ୍ନୟନ୍ନ ମାଧ୍ୟମରେ ନିର୍ମିତ ଅନ୍ୟ ବହୁ ଉଲ୍କେଖନୀୟ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଥିବା ସଂପର୍କରେ  ଉପସ୍ଥାପନ କରାଯାଇଥିଲା । 

          ଅନ୍ୟ ବିଭିନ୍ନ ବିଭାଗ ଜରିଆରେ ଶେଷ ହୋଇଥିବା ଉଲ୍କେଖନୀୟ  ପ୍ରକଳ୍ପ ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ଅନୁଗୋଳ ଜିଲ୍ଲାର ହରିପୁର, ଉଦୟପୁର ରାସ୍ତାରେ ୩୯.୮୯ କୋଟି ଟଙ୍କା ବ୍ୟୟରେ  ୫୧୧ ମିଟର ବିଶିଷ୍ଟ ହରିପୁର ନାଳା ଉଚ୍ଚସେତୁ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ୫ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ମାଲକାନଗିରି ଜିଲ୍ଲାରେ ଜାତୀୟ ରାଜପଥ-୩୨୬-ରୁ କୋକିନାଡ଼ାଠାରୁ ପେଟାରୋଡ୍ ପର୍ଯ୍ୟନ୍ତ ୬.୮୦ କିମି. ରାସ୍ତା ନିର୍ମାଣ, ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଜରିଆରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଗ୍ରାମରେ ୧୧୩.୯୮ କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି, ଯାହା ଦ୍ୱାରା ୯ ଟି ଗ୍ରାମପଞ୍ଚାୟତର ପ୍ରାୟ ୮୫୦୦ ରୁ ଊର୍ଦ୍ଧ୍ଵ ଜନ ସାଧାରଣ ଉପକୃତ ହେବେ । କୃଷି ବିଭାଗ ଜରିଆରେ ଏକାଧିକ ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଆଖିଦୃଷ୍ଟିଆା ମାଇକ୍ରୋ ରିଭର ଲିଫ୍ଟ (ଜଳନିଧି-୨) ସଂପର୍କରେ ଆଲୋଚନା କରାଯାଇଥିଲା ।

ନୂଆ ପ୍ରସ୍ତାବ ଓ ବିଭିନ୍ନ କାରଣରୁ ବାଦ୍ ଦିଆଯାଇଥିବା ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଥିଲା ।  ନାବାର୍ଡ କର୍ତ୍ତୃପକ୍ଷ ଆର.ଆଇ.ଡି.ଏଫ୍ ପାଣ୍ଠି ଉପଯୋଗ ସଂପର୍କରେ ସେମାନଙ୍କର ପର୍ଯ୍ୟବେକ୍ଷଣ ଉପସ୍ଥାପନ କରି ପ୍ରକଳ୍ପ କାର୍ଯ୍ୟକାରିତାରେ ବିଭିନ୍ନ ବିଭାଗର କାର୍ଯ୍ୟ ସନ୍ତୋଷଜନକ ଥିବା ପ୍ରକାଶ କରିଥିଲେ । ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ତୃତୀୟ ପକ୍ଷ ମୂଲ୍ୟାୟନ କରାଯାଉଥିବାରୁ  ପ୍ରକଳ୍ପଗୁଡିକର ଗୁଣାତ୍ମକମାନ ବଜାୟ ରହୁଥିବା ପ୍ରକାଶ କରିଥିଲେ । 

ବୈଠକରେ ଅଣୁ ଜଳସେଚନ ପାଣ୍ଠି (ମାଇକ୍ରୋ ଇରିଗେସନ ଫଣ୍ଡ) ଅଧିନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୩୪୨୫ ଟି ପ୍ରକଳ୍ପ ପାଇଁ ୧୫୦.୮୯ କୋଟି ଟଙ୍କାର ଋଣ ଭାରତ ସରକାରଙ୍କ ଠାରୁ ଅନୁମୋଦନ ମିଳିଥିବା ଜଣାଯାଇଛି ଏବଂ ନାବାର୍ଡକୁ ଏଥି ପାଇଁ ଶୀଘ୍ର ଋଣ ମଂଜୁର କରିବାକୁ ପରାମର୍ଶ ଦିଆଯାଇଛି ।  ସେହିପରି ମତ୍ସ୍ୟ ଓ ଜଳ ଚାଷ ଭିତ୍ତିଭୂମି ଉନ୍ନୟନ ପାଣ୍ଠି  (ଏଫ ଆଇଡି ଏଫ୍‌) ଅଧିନରେ ୯ ଟି ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରଯାଇଥିଲା ।  

  ଆର.ଆଇ.ଡି.ଏଫ୍ ପାଣ୍ଠି ଅଧିନରେ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ବଜେଟରେ ପ୍ରାବଧାନ,  କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ଅଦ୍ୟାବଧି ଖର୍ଚ୍ଚ ଆଧାରରେ ନାବାର୍ଡକୁ ଅଧିକ ଅର୍ଥ ମଞ୍ଜୁରି ପାଇଁ ପରାମର୍ଶ ଦିଆଯାଇଛି । 


ଭୁବନେଶ୍ୱର,  ମଇ ୨୦୨୫




ରାଜ୍ୟ ଏବଂ ବିଶେଷ ଭାବେ ମହିଳାଙ୍କ ବିକାଶ ପାଇଁ ଓଡିଶାବାସୀ ବିଜୁ ଜନତା ଦଳକୁ ଯଥେଷ୍ଟ ସମୟ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷ ଧରି ବିଜେଡି ନେତାମାନେ ରାଜ୍ୟକୁ ବିକାଶ ପରିବର୍ତେ ବିନାଶ ଆଡକୁ ନେଇଯାଇଥିଲେ । ବିଜେଡିର ଗର୍ବ ଓ ଅହଂକାରର ପତନ ଘଟାଇ ଗତ ସାଧାରଣ ନିର୍ବାଚନରେ ରାଜ୍ୟବାସୀ ଶକ୍ତ ଜାବୁଡା ଦେବା ପରେ ବି ତାଙ୍କ ଦୋଷ ଯାଉନାହିଁ । ନିଜର ଶାସନ କାଳରେ ମହିଳାଙ୍କୁ କେବଳ ଭୋଟବ୍ୟାଂକ କରି ରାଜନୀତି କରୁଥିବା ବିଜେଡିର ଅସଲ ଚେହେରା ପଦାରେ ପଡିଯାଇଛି । ମହିଳା ସଶକ୍ତିକରଣ ବହୁ ଦୂର କଥା, ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା କାରଣରୁ ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶାର ସ୍ଥାନ ସମଗ୍ର ଦେଶରେ ପ୍ରଥମ ଥିଲା । ନାରୀ ନିର୍ଯ୍ୟାତନାର ଏନ୍ତୁଡିଶାଳ ହେଉଛି ବିଜେଡି ବୋଲି କାହାକୁ ଅଛପା ନାହିଁ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିଜ ଶାସନ କାଳରେ ବିଜେଡି ଯାହା କରିପାରିନଥିଲା, ତାହା ପ୍ରଥମ ଥର ପାଇଁ ସରକାର ଗଠନ କରିଥିବା ବିଜେପିର ମାତ୍ର ୧୧ ମାସ ଶାସନ କାଳରେ ସମ୍ଭବ ହୋଇଯାଉଥିବା ଦେଖି ବିଜେଡି ନେତ୍ରୀ ଆଜି ବିଳିବିଳେଇବା ଆରମ୍ଭ କରିଦେଇଛନ୍ତି, ଯାହାକି ବିଜେଡି ପାଇଁ ସ୍ୱାଭାବିକ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

କଥାରେ ଅଛି, “ଯାହା ନହେଲା ବାଲ୍ୟକାଳେ, ତାହା କି ହେବ ବୃଦ୍ଧ କାଳେ ?” ଜ୍ଞାନ ନଥାଇ, କିଛି ନ ଜାଣି, ଖାଲି ବଖାଣିବା ଏବଂ ମିଛଠାରେ ଚିତ୍କାର କରିବା ହେଉଛି ବିଜେଡି ନେତୃବୃନ୍ଦଙ୍କ ପୁରୁଣା ଅଭ୍ୟାସ । ବିନା କୈାଣସି ତଥ୍ୟ ବା ସତ୍ୟ ଆଧାରରେ ଆକ୍ଷେପ କରିବା ହେଉଛି ବିଜେଡି ନେତା ଓ ନେତ୍ରୀଙ୍କ ପୁରୁଣା ରୋଗ । ନୂଆ କରି ବିଜେଡିର ନେତ୍ରୀ ସାଜିଥିବା ଲେଖାଶ୍ରୀ ବା କେମିତି ଏଥିରୁ ବାଦ ପଡିବେ? ମହିଳାଙ୍କୁ ସବୁବେଳେ ପ୍ରତାରଣା, ପ୍ରବଂଚ୍ଛନା ଓ ଅସମ୍ମାନ କରିଆସୁଥିବା ବିଜେଡିର ନେତ୍ରୀ ଦୟାକରି ନିଜ ଅଭ୍ୟାସରୁ ନିବୃତ ରହି ମାଁ ଓ ଭଉଣୀଙ୍କୁ ସମ୍ମାନ ଦେବା ଶିଖନ୍ତୁ ବୋଲି ଡା.ବିଶ୍ୱାଳ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ତଥ୍ୟ ଆଧାରରେ ଓଡିଶା ଆଜି ଧାର୍ଯ୍ୟ ଲକ୍ଷ୍ୟର ୯୩ ପ୍ରତିଶତ ହାସଲ କରି ଏକ ନମ୍ବର ସ୍ଥାନ ହାସଲ କରିଛି । ବାସ୍ତବରେ ବିଜେପି ସରକାରର ସଫଳତା ଏବଂ ମହିଳାଙ୍କ ବିକାଶ ପ୍ରତି ପ୍ରତିବଦ୍ଧତାକୁ ନେଇ ବିଜେଡି ନେତ୍ରୀ ଅସହିଷ୍ଣୁ ହୋଇପଡିଛନ୍ତି । ସମଗ୍ର ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲକ୍ଷପତି ଦିଦି ଯୋଜନାର ସଫଳତା ଏବଂ ଓଡିଶାର ମାଁ ଓ ଭଉଣୀମାନେ ସର୍ବାଧିକ ଉପକୃତ ହୋଇଥିବାର ଜାଣି ବିଜେଡି ନେତ୍ରୀ ଇର୍ଷାନ୍ୱିତ ହୋଇପଡିଛନ୍ତି । ରାଜ୍ୟର ମାଁ ଓ ଭଉଣୀଙ୍କ ବିକାଶକୁ ସହି ପାରୁନାହାନ୍ତି । ବାସ୍ତବରେ ଲକ୍ଷପତି ଦିଦି ସଂପର୍କରେ ସବୁ ତଥ୍ୟ ଜାଣି ବି ଅଜଣା ହେବାର ନାଟକ ଲେଖାଶ୍ରୀ ଅତି ସୁନ୍ଦର ଭାବେ କରିପାରୁୁଛନ୍ତି । ଯାହାକି ରାଜ୍ୟର ମାଁ ଓ ଭଉଣୀଙ୍କ ବିକାଶ ପ୍ରତି କେବଳ ତାତ୍ସଲ୍ୟ ବୋଲି ଡା.ବିଶ୍ୱାଳ କହିଛନ୍ତି ।

ଭୁବନେଶ୍ୱର,  ମଇ ୨୦୨୫



ଦେଶରେ ରକ୍ତ କର୍କଟ ରୋଗ ବୃଦ୍ଧି ପାଉଥିବା ବେଳେ ଶିଶୁମାନେ ମଧ୍ୟ ଅଧିକ ମାତ୍ରାରେ ଏଭଳି ଜଟିଳ ବ୍ୟାଧୀରେ ପୀଡ଼ିତ ହେଉଛନ୍ତି। ୧ ବର୍ଷରୁ ୧୦ବର୍ଷ ବୟସର ଶିଶୁ ରକ୍ତ କର୍କଟ ଅର୍ଥାତ୍ ଲ୍ୟୁକେମିଆରେ ପୀଡ଼ିତ ହେଉଛନ୍ତି। ତେବେ ଠିକ୍ ସମୟରେ ରୋଗର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ରକ୍ତ କର୍କଟକୁ ପରାସ୍ତ କରାଯାଇ ପାରୁଛି। ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଦୁଃରାଧ୍ୟ ବ୍ୟାଧିକୁ ପରାଜିତ କରିବାର ମାତ୍ରା ଢ଼େର ଅଧିକ। ଶିଶୁମାନଙ୍କ ମଧ୍ୟରେ ଲ୍ୟୁକେମିଆ ସଂଖ୍ୟା ଯଦିଓ ବୃଦ୍ଧି ପାଉଛି ତେବେ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ରୁ ୯୦ ପ୍ରତିଶତ ଶିଶୁ ଏହି ଜଟିଳ ରୋଗକୁ ପରାଜିତ କରିପାରୁଛନ୍ତି ବୋଲି କହିଛନ୍ତି ବିଶିଷ୍ଟ ରକ୍ତକର୍କଟ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ। 

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲଜି, ହେମାଟୋ-ଅଙ୍କୋଲଜି, ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ ଏବଂ ସେଲ୍ୟୁଲାର ଥେରାପି ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ବିଶ୍ୱ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭାଗୀୟ ମୁଖ୍ୟ ପ୍ରଫେସର ସାମଲ କହିଛନ୍ତି ଯେ ପ୍ରଦୂଷଣ, ବିକୀରଣ ଏବଂ ରାସାୟନିକ ସାରର ବ୍ୟବହାର ଯୋଗୁଁ ରକ୍ତ କର୍କଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ପ୍ରତ୍ୟେକ ବର୍ଷ ୮୦ ହଜାରରୁ ୧ ଲକ୍ଷ ଲୋକ ନୂତନ ଭାବେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ବର୍ଷକୁ ମୃତ୍ୟୁ ସଂଖ୍ୟା ପ୍ରାୟ ୭୦ ହଜାର ବୋଲି ପ୍ରଫେସର ସାମଲ କହିଛନ୍ତି। 

ଦୀର୍ଘ ଦିନ ଧରି ଜ୍ୱର ରହିବା, ଶରୀରରେ ହେମୋଗ୍ଲୋବିନ୍‌, ଟୋଟାଲ୍ ଲ୍ୟୁକୋସାଇଟ୍ କାଉଂଟ (ଟିଏଲ୍‌ସି), ପ୍ଲେଟେଲେଟ କମିଯିବା, କଳା ଦାଗ ସୃଷ୍ଟି ହେବା ଏବଂ ରକ୍ତସ୍ରାବ ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ରକ୍ତ ନମୁନା ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ଶିଶୁମାନଙ୍କ କ୍ଷେତ୍ରରେ ୮ ରୁ ୧୦ ଦିନ ଜ୍ୱର ଲାଗି ରହିବା ସହ ଶରୀରରେ ପୀଡ଼ା ହେଲେ ରକ୍ତ ପରୀକ୍ଷା ଓ ଚିକିତ୍ସା କରାଇନେବା ଉଚିତ୍ ବୋଲି ପ୍ରଫେସର ସାମଲ କହିଛନ୍ତି। 

ରକ୍ତ କର୍କଟର ଚିକିତ୍ସା ନିମନ୍ତେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ, ହାପ୍‌ଲୋ ଟ୍ରାନ୍ସପ୍ଲାଂଟ ଏବଂ ସିମରିକ୍ ଆଂଟିଜେନ୍ ରିସେପ୍ଟର ଟି ସେଲ (କାର ଟି) ଥେରାପି ଭଳି ଅତ୍ୟାଧୁନିକ ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ଥିବା ପ୍ରଫେସର ସାମଲ କହିଛନ୍ତି। 

ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ରକ୍ତ କର୍କଟ ଭଳି ସମସ୍ୟାକୁ ଏଡ଼ାଇବା ଏବଂ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ପଦ୍ଧତି ସହ ପ୍ରାଣାୟାମ୍ ଏବଂ ପ୍ରାକୃତିକ ଉପାୟ ଅବଲମ୍ବନ କରି ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ପରାମର୍ଶ ଦେଇଥିଲେ। 

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଓ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସମୀର ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍‌ର ଗୋଟିଏ ଛାତ ତଳେ ରକ୍ତ କର୍କଟ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସେବା ଉପଲବ୍ଧ ବୋଲି କହିଥିଲେ।

ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସା ନିମନ୍ତେ କ୍ଲିନିକାଲ୍ ହେମାଟୋଲଜି ବିଭାଗ ସହିତ ବ୍ଲଡ ସେଂଟର ଆଣ୍ଡ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌, ପାଥୋଲଜି, ବାୟୋକେମିଷ୍ଟ୍ରୀ, କ୍ରିଟିକାଲ୍ କେୟାର ବିଭାଗ ଏବଂ ଲ୍ୟାବ ହେମାଟୋଲଜି, ଜେନେଟିକ୍‌ସ ଆଣ୍ଡ ମଲିକ୍ୟୁଲାର ଲ୍ୟାବ, ବୋନ ମ୍ୟାରୋ ଟ୍ରାନ୍ସପ୍ଲାଂଟ ୟୁନିଟ, ନର୍ସିଂ ବିଭାଗ, ଇନ୍‌ଫେକ୍ସନ୍ କଂଟ୍ରୋଲ ୟୁନିଟ ମିଳିତ ଭାବେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି। ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ ଯେଉଁଠାରେ କି ଗୋଟିଏ ଛାତ ତଳେ ଏ ସମସ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି। 

କାର୍ଯ୍ୟକ୍ରମରେ ନର୍ସିଂ ସୁପରିନ୍‌ଟେଣ୍ଡେଂଟ ଶ୍ରୀମତି ମୀନତି ମିଶ୍ର ଏବଂ ଡିଜିଏମ୍ ଶ୍ରମତି ପୁଷ୍ପାଞ୍ଜଳୀ ରାଉତ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ରକ୍ତ କର୍କଟକୁ ପରାସ୍ତ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।

ଭୁବନେଶ୍ୱର,  ମଇ ୨୦୨୫



  • ସୋଆ ପରିଚାଳିତ ଆଇଟିଇଆର୍‌, ଏସ୍‌ଏନ୍‌ଆଇଏଲ୍ ଏବଂ ଆଇବିସିଏସ୍ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ, ଆଇନ’ ଓ ମ୍ୟାନେଜମେଂଟ କଲେଜ 
  • ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ୫ଟି ବିଭାଗ ଓଡ଼ିଶାରେ ଏକ ନମ୍ବର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇଞ୍ଜିନିୟରିଂ, ଆଇନ୍ ଏବଂ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନକୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷା କେନ୍ଦ୍ର ଭାବେ ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି। 

ଟାଇମ୍ସ ନାଓ ପକ୍ଷରୁ କୋଲକାତା ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ – ଇଷ୍ଟ ୨୦୨୫ ଅବସରରେ ସୋଆର ୩ଟି ଶିକ୍ଷାନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର), ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)କୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ କରାଯାଇଛି। 

ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋଲୋଜି, କାର୍ଡିଓଲୋଜି ଆଣ୍ଡ କାର୍ଡିଆକ୍ ସର୍ଜରୀ, ୟୁରୋଲୋଜି, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗ ଗୁଡ଼ିକୁ ଓଡ଼ିଶାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ବିଭାଗ ଭାବେ ସମ୍ମାନ ପ୍ରଦାନ କରାଯାଇଛି। 

ବଲିଉଡ୍ ଅଭିନେତ୍ରୀ ନିମ୍ରତ କୌର ଏହି ସମ୍ମାନଗୁଡ଼ିକୁ ପ୍ରଦାନ କରିଥିବା ବେଳେ ଏହି ଅବସରରେ ଟାଇମ୍‌ସ ନେଟୱର୍କ ଡିଜିଟାଲ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ପୂଜା ସେଟ୍ଟୀ, ବଲିଉଡ୍ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପରମବ୍ରତ ଚାଟାର୍ଜୀ, ଚଳଚ୍ଚିତ୍ର ନିର୍ମାତା ଶ୍ରୀମତି ନନ୍ଦିତା ରାୟ, ଶ୍ରୀ ଶିବ ପ୍ରସାଦ ମୁଖାର୍ଜୀ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ରହି ସୋଆର ଏହି ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିଥିଲେ। ଏହି ଅବସରରେ ଟାଇମ୍ସ ନେଟୱାର୍କର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ଶ୍ରୀ ବିମାନ ଦତ ଉପସ୍ଥିତ ଥିଲେ।

ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍ସ ଓ ଇଣ୍ଡଷ୍ଟ୍ରୀ ଏନ୍‌ଗେଜମେଂଟ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏବଂ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଅତିଥିମାନଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। 

ସୂଚନା ଯୋଗ୍ୟ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍ ) ର‌୍ୟାଙ୍କିଙ୍ଗ ୨୦୨୪ ରେ ଆଇଟିଇଆର ଦେଶର ଶ୍ରେଷ୍ଠ ୨୬ତମ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏବଂ ଏସ୍‌ଏନ୍‌ଆଇଏଲ୍ ଦେଶର ଶ୍ରେଷ୍ଠ ୯ମ ଆଇନ୍ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। 

ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ବିଭିନ୍ନ ଉନ୍ନତିମୂଳକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଟାଇମ୍‌ସ ନାଓ ବିଜନେସ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଭୁବନେଶ୍ୱର, ୨୯ ମଇ ୨୦୨୫




ଶିକ୍ଷାଗତ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ, କିଟ୍ ବିଶ୍ୱବିଦ୍ୟାଳୟ, ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ମଧ୍ୟରେ ଦୁଇଟି ଅଲଗା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏବଂ ନୌସେନା ସ୍ତ୍ରୀ କଲ୍ୟାଣ ସଂଘର ସଭାପତି ଶଶି ତ୍ରିପାଠି ଏବଂ ନୌସେନା ଶିକ୍ଷା ଅଧିକାରୀ କମୋଡୋର ଏସଏମ ଉରୁଜ ଆଥାର ସ୍ୱାକ୍ଷର କରିଛନ୍ତି।

ଏହା ବୁଝାମଣାପତ୍ର ଅନୁସାରେ କିଟ୍‍ ବିଶ୍ୱବିଦ୍ୟାଳୟରେ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାର ପିଲାଙ୍କ ପାଇଁ ଛାତ୍ରବୃତ୍ତି, ଟ୍ୟୁସନ୍‍ ଫି ଛାଡ ଏବଂ ବିଭିନ୍ନ ପାଠ୍ୟକ୍ରମରେ ସିଟ୍‍ ସଂରକ୍ଷିତ ରଖାଯିବ। ସେମାନଙ୍କ ପିଲାଙ୍କ ପାଇଁ ଏମବିବିଏସ ପାଠ୍ୟକ୍ରମରେ ଦୁଇଟି ସିଟ୍‍ ପାଇଁ ୧୦ ପ୍ରତିଶତ ଟ୍ୟୁସନ୍‍ ଫି ଛାଡ, ବିଡିଏସ ଏବଂ ବିଏସସି ନର୍ସିଂରେ ୫ଟି ସିଟ୍‍ ସଂରକ୍ଷଣ, ବିଟେକ (କମ୍ପ୍ୟୁଟର ବିଜ୍ଞାନ ଏବଂ ଆନୁସଙ୍ଗିକ ପାଠ୍ୟକ୍ରମ)ରେ ୪ଟି ସିଟ୍‍ ସଂରକ୍ଷଣ ଏବଂ କାର୍ଯ୍ୟରତ ନୌସେନା ଅଧିକାରୀଙ୍କ ପିଲାମାନଙ୍କ ପାଇଁ ଅନ୍ୟ ସମସ୍ତ ଅଣ-ଡାକ୍ତରୀ ପାଠ୍ୟକ୍ରମରେ ୫୦ ପ୍ରତିଶତ ଇନ୍‍ଷ୍ଟିଚ୍ୟୁସନାଲ୍‍ ଫି ଛାତ୍ରବୃତ୍ତି ସହ ସେମାନଙ୍କୁ ଆବଶ୍ୟକ ସିଟ୍‍ ପ୍ରଦାନ କରାଯିବ।

ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ତଟରକ୍ଷୀର କୋଷ୍ଟଗାର୍ଡ ୱେଲଫେୟାର ଆଣ୍ଡ ୱେଲ୍‍ନେସ୍‍ ସଂଘ ମଧ୍ୟରେ ଅନ୍ୟଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏଥିରେ ମଧ୍ୟ ଭାରତୀୟ ତଟରକ୍ଷୀରେ କର୍ମଚାରୀଙ୍କ ପିଲାଙ୍କ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟରେ ଇନ୍‍ଷ୍ଟିଚ୍ୟୁସନାଲ୍‍ ଫି ଉପରେ ୧୦ ପ୍ରତିଶତ ବୃତ୍ତି ସହ ଏମ୍‍ବିବିଏସ୍‍ ପାଠ୍ୟକ୍ରମରେ ୨ଟି, ବିଡିଏସ୍‍ରେ ୫ଟି, ବିଏସ୍‍ସି ନର୍ସିଂରେ ୫ଟି ସିଟ୍‍ ସଂରକ୍ଷିତ ରଖାଯିବ। ଏହା ବ୍ୟତୀତ କମ୍ପ୍ୟୁଟର୍‍ ସାଇନ୍‍ସ ଓ ତତ୍‍ ସମ୍ପର୍କିତ ଅନ୍ୟାନ୍ୟ ବିଟେକ୍‍ ପାଠ୍ୟକ୍ରମରେ ୪ଟି ସିଟ୍‍ ସେମାନଙ୍କ ପାଇଁ ସଂରକ୍ଷିତ ରହିବ। ଅନ୍ୟାନ୍ୟ ସମସ୍ତ ଅଣ-ଡାକ୍ତରୀ ପାଠ୍ୟକ୍ରମରେ ସେମାନଙ୍କ ପିଲାଙ୍କ ପାଇଁ ଇନ୍‍ଷ୍ଟିଚ୍ୟୁସନାଲ୍‍ ଫି ଉପରେ ୫୦ ପ୍ରତିଶତ ବୃତ୍ତି ପ୍ରଦାନ କରାଯିବ।

ଏହି ସହଯୋଗ କିଟ୍ ର ଜାତୀୟ ସେବା ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପ୍ରତିପାଦିତ କରୁଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି। ଏହି ବୁଝାମଣା ହେଉଛି ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ପ୍ରତି ସମ୍ମାନ ଓ ଶିକ୍ଷା ମାଧ୍ୟମରେ ଅନ୍ତର୍ଭୁକ୍ତିମୂଳକ ବିକାଶ ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

ଭୁବନେଶ୍ୱର,  ମଇ ୨୦୨୫




  • ଧାନ ସମେତ ଅନ୍ୟାନ୍ୟ ୧୭ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କଲେ ରାଜ୍ୟ ସଭାପତି
  • କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧପରିକର
  • ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ପାଇଁ ଏମଏସପି ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ

ଚାଷୀମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଚାଷୀର ପ୍ରଗତିରେ ଦେଶର ପ୍ରଗତି । କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଜେପି ବଦ୍ଧପରିକର । ଏହାକୁ ହୃଦୟଙ୍ଗମ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଦେଶ ଶାସନର ଦାୟୀତ୍ୱ ନେବା ପରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟୀତ୍ୱ ନେବା ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୧୩୧୦ ଟଙ୍କା ଥିଲା । ମୋଦି ସରକାରଙ୍କ ୧୧ ବର୍ଷର ଶାସନ ଭିତରେ ଏହାକୁ କ୍ରମାଗତ ଭାବେ ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ଓ ଗ୍ରେଡ୍ ଏ ଧାନ ର ମୂଲ୍ୟ ୨୩୮୯ କରାଯିବା ନିଷ୍ପତି ଚାଷୀକୁଳ ପାଇଁ ଆଶ୍ୱସ୍ଥି ଆଣିଦେଇଛି। ସେହିପରି ଆଜି କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ସୁଧ ରିହାତି ବଜାୟ ରଖିବା ପାଇଁ ନିଷ୍ପତି ନିଆଯାଇଛି। ଦେଶରେ ୭.୭୫ କୋଟିରୁ ଅଧିକ ଚାଷୀ କିଷାନ କ୍ରେଡିଟ୍ କାର୍ଡ ଉପରେ ନିର୍ଭରଶୀଳ ଥିବାବେଳେ ସେମାନଙ୍କୁ ବିନା କୌଣସି ଗ୍ୟାରେଂଟିରେ ମାତ୍ର ୪ପ୍ରତିଶତ ସୁଧରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଏହା କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କ ପାଇଁ ଏକ ବଡ ଲାଭ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତି ଅନୁଯାୟୀ ଧାନ ସମେତ ଅନ୍ୟାନ୍ୟ ୧୭ଗୋଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି। କୃଷକଙ୍କୁ ସଶକ୍ତ କରୁଛନ୍ତି ମୋଦି ସରକାର। ଆଜିର ଏହି ନିଷ୍ପତିକୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଓଡ଼ିଶାର ପ୍ରମୁଖ ଫସଲ ଧାନ ହୋଇଥିବାରୁ ଏହାର ଫାଇଦା ଓଡ଼ିଶାର ଚାଷୀମାନେ ଭରପୁର ନେବେ। ଆଜିର ଏହି ନିଷ୍ପତି ଫଳରେ ଧାନର ଏମଏସପି ୬୯ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପିଛା ୨୩୬୯ ଟଙ୍କା ଏବଂ “ଏ” ଗ୍ରେଡ ଧାନର ମୂଲ୍ୟ କ୍ୱିଂଟାଲ ପିଛା ୨୩୮୯ ଟଙ୍କା ହୋଇଛି। ସେହିପରି ହରଡ ଡାଲି କି୍ୱଂଟାଲ ପିଛା ୪୫୦ ଟଙ୍କା ବୃଦ୍ଧି ହୋଇ ୮୦୦୦ ଟଙ୍କା, ମୁଗ କି୍ୱଂଟାଲ ପିଛା ୮୬ ଟଙ୍କା ବୃଦ୍ଧି ୮୭୬୮ ଟଙ୍କା, ଚିନା ବାଦାମ କି୍ୱଂଟାଲ ପିଛା ୪୮୦ ଟଙ୍କା ବୃଦ୍ଧି ୭୨୬୩ ଟଙ୍କା, ସୁର୍ଯ୍ୟମୁଖୀ ବୀଜ ଏମଏସପିରେ ୪୪୧ ଟଙ୍କା ବୃଦ୍ଧି କରାଯାଇ ୭୭୨୧ ଟଙ୍କା, ଜୱାର (ହାଇବ୍ରିଡ୍‌) କି୍ୱଂଟାଲ ପିଛା ୩୨୮ ଟଙ୍କା ବୃଦ୍ଧି ହୋଇ ୩୬୯୯ ଟଙ୍କା, ଜୱାର (ମାଲଦାଣ୍ଡି) କି୍ୱଂଟାଲ ପିଛା ୩୨୮ ଟଙ୍କା ବୃଦ୍ଧି ହୋଇ ୩୭୪୯ ଟଙ୍କା, ବାଜରା କି୍ୱଂଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ୨୭୭୫ ଟଙ୍କା, ରାଗୀ କି୍ୱଂଟାଲ ପିଛା ୫୯୬ ଟଙ୍କା ବୃଦ୍ଧି ୪୮୮୬ ଟଙ୍କା, ମକା କି୍ୱଂଟାଲ ପିଛା ୧୭୫ ଟଙ୍କା ବୃଦ୍ଧି ୨୪୦୦ ଟଙ୍କା, ସୋୟାବିନ କ୍ଷେତ୍ରରେ ୪୩୬ ଟଙ୍କା ବୃଦ୍ଧି କରାଯାଇ ୫୩୨୮ ଟଙ୍କା, ରାଶି କ୍ଷେତ୍ରରେ ୫୭୯ ଟଙ୍କା ବୃଦ୍ଧି କରାଯାଇ ୯୮୪୬ ଟଙ୍କା, ନାଇଜରସିଡ କ୍ଷେତ୍ରରେ ୮୨୦ଟଙ୍କା ବୃଦ୍ଧି କରାଯାଇ ୯୫୩୭ ଟଙ୍କା, ମଧ୍ୟମ ଆକାର କପାର ଏମଏସପି ୫୮୯ ଟଙ୍କା ବୃଦ୍ଧି କରାଯାଇ ୭୭୧୦ ଏବଂ ଲମ୍ବା କପାର ଏମଏସପି ୫୮୯ ଟଙ୍କା ବୃଦ୍ଧି କରାଯାଇ ୮୧୧୦ ଟଙ୍କା କରାଯାଇଛି । ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ପାଇଁ ଏମଏସପି ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି।

ଭୁବନେଶ୍ୱର,  ମଇ ୨୦୨୫



ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅରୁଣାଚଳ ପ୍ରଦେଶର ଇଟାନଗରସ୍ଥିତ ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଆନୁଷ୍ଠାନିକ ଭାବରେ ଶ୍ରୀ ସମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିପାଇଁ ହିମାଳୟାନ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ପରିଷଦ ଏବଂ ପରିଚାଳନା ବୋର୍ଡ ଶ୍ରୀ ସାମନ୍ତଙ୍କ ନାମ ସୁପାରିଶ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ଶ୍ରୀ ସମନ୍ତଙ୍କୁ ସମ୍ମାନଜନକ ଡକ୍ଟର ଅଫ୍ ଲେଟରସ୍ ଡିଗ୍ରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶର ଶିକ୍ଷା, ଗ୍ରାମୀଣ ନିର୍ମାଣ, ସଂସଦୀୟ ବ୍ୟାପାର, ପର୍ଯ୍ୟଟନ ଏବଂ ପାଠାଗାର ବିଭାଗ ମନ୍ତ୍ରୀ ପାସାଙ୍ଗ ଦୋର୍ଜୀ ସୋନା, ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ ଗୋଏଲ, କୁଳପତି ପ୍ରଫେସର (ଡ) ପ୍ରକାଶ ଦିବାକରଣଙ୍କ ସମେତ ବହୁ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତି, ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ ।

ଭୁବନେଶ୍ୱର,  ମଇ ୨୦୨୫



ଦେଶରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆଣ୍ଡ ମ୍ୟାନେଜେମେଂଟ ଆକାଉଂଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏମ୍‌ଏଆଇ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି।

ଆଇସିଏମ୍‌ଏଆଇ ଭୁବନେଶ୍ୱର ପକ୍ଷରୁ ଏହାର ବରିଷ୍ଠ ଅଧିକାରୀ ଶ୍ରୀ ହେମନ୍ତ କୁମାର ବିଶ୍ୱାଳ ସୋଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। 

ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ନିମନ୍ତେ ସୋଆ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି। ସେହିଭଳି ଶ୍ରୀ ନାୟକଙ୍କ ଔଦ୍ୟୋଗିକତା ଯାତ୍ରା ଏବଂ ସମାଜ ପ୍ରତି କିଛି କରିବାର ପ୍ରତିବଦ୍ଧତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଆଇସିଏମ୍‌ଏଆଇ ପକ୍ଷରୁ ପ୍ରଶଂସା କରାଯାଇଛି।

ଭୁବନେଶ୍ୱର,  ମଇ ୨୦୨୫



ସମାଜର ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା କରିବା ପାଇଁ ଅଧିକାରୀମାନେ ସମସ୍ତ ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ସଂପର୍କରେ ଭଲଭାବରେ ଜାଣନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୨୮ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍‌ମିନିଷ୍ଟ୍ରେସନରେ ତାଲିମ ନେଉଥିବା ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ରାଜ୍ୟପାଳ କହିଥିଲେ ଯେ ଅଧିକାରୀମାନେ କେବଳ ସେମାନଙ୍କ ବିଭାଗ ସହ ଜଡ଼ିତ ଯୋଜନା ମଧ୍ୟରେ ନିଜକୁ ସୀମିତ ରଖିବା ଉଚିତ୍ ନୁହେଁ। ସମସ୍ତ ଯୋଜନା ସଂପର୍କରେ ବିଶଦଭାବେ ଜାଣିଥିଲେ ଜନ ସାଧାରଣଙ୍କୁ ଅବଗତ କରାଯାଇ ପାରିବ ଏବଂ ସେମାନେ ଏହା ଦ୍ୱାରା ବିଶେଷଭାବେ ଉପକୃତ ହୋଇପାରିବେ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସରାକରୀ ଯୋଜନା ରହିଛି, ଯାହା ଶ୍ରମିକ, ମହିଳା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଆଦି ସମସ୍ତ ବର୍ଗ ପାଇଁ ଉଦ୍ଦିଷ୍ଟି। ଏ ସବୁ ଯୋଜନା କିପରି ହିତାଧିକାରୀଙ୍କ ପାଖରେ ପହଂଚିବ ଏବଂ ସେମାନେ କିପରି ଏହାର ସୁଫଳ ପାଇପାରିବେ ତାହାର ଉପଯୁକ୍ତ ତଦାରଖ କରିବାକୁ ରାଜ୍ୟପାଳ ଅଧିକାରୀମାନଙ୍କୁ କହିଥିଲେ। ଗୋପବନ୍ଧୁ ଏକାଡ଼େମୀ ଅଫ୍ ଆଡମିନିଷ୍ଟ୍ରେସନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ସମସ୍ତ ଉନ୍ନୟନ ଓ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ସଂକଳନ ପୂର୍ବକ ବୁକ୍‌ଲେଟ୍ ପ୍ରସ୍ତୁତ କରି ଶିକ୍ଷାନବୀଶମାନଙ୍କୁ ବିତରଣ କରିବାକୁ ରାଜ୍ୟପାଳ କହିଥିଲେ।

ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ କହିଥିଲେ ଯେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଛାତ୍ରବୃତ୍ତି, ଆଇନଗତ ସହାୟତା ପ୍ରଦାନ, କ୍ଷତିପୂରଣ, ଆନ୍ତଃଜାତି ବିବାହ ସହାୟତା ପ୍ରଦାନ, ଅସୁରକ୍ଷିତ ଜନଜାତି ଗୋଷ୍ଠୀ ପାଇଁ ବୀମା ବ୍ୟବସ୍ଥା ଭଳି ସୁବିଧା ପାଇବା ନିଶ୍ଚିତ କରାଇବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ସହକାରୀ ଶ୍ରମ ଅଧିକାରୀଙ୍କୁ ସମ୍ବୋଧିତ କରି ରାଜ୍ୟପାଳ ସେମାନଙ୍କୁ ଶ୍ରମିକଙ୍କ ଅଧିକାରର ରକ୍ଷକଭାବେ ଅଭିହିତ କରିଥିଲେ। ଶ୍ରମ ଆଇନ୍‌ର ପାଳନ, ଶ୍ରମିକମାନଙ୍କୁ ନ୍ୟାୟୋଚିତ ମଜୁରୀ ପ୍ରଦାନ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ ନିଶ୍ଚିତ କରାଇବା, ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ତଥା ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସେମାନେ କ୍ରିୟାଶୀଳ ଭୂମିକା ନିଭାଇବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ୬୩ ଜଣ ସହକାରୀ ଶ୍ରମ ଅଧିକାରୀ ଏବଂ ୨୭ ଜଣ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଯୋଗଦେଇଥିଲେ ଏବଂ ରାଜ୍ୟପାଳ ପ୍ରତ୍ୟେକ ଅଧିକାରୀଙ୍କ ସହ ବ୍ୟକ୍ତିଗତ ଭାବେ ଭାବ ବିନିମୟ କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗୋପବନ୍ଧୁ ଏକାଡ଼େମୀ ଅଫ୍ ଆଡମିନିଷ୍ଟ୍ରେସନର ଅତିରିକ୍ତ ନିର୍ଦ୍ଦେଶକ ଶିବ ନାରାୟଣ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ।

ଭୁବନେଶ୍ୱର,  ମଇ ୨୦୨୫



ଆଜି ସାମାଜିକ ଅନୁଷ୍ଠାନ “ଭଏସ ଏଗେନଷ୍ଟ ହେଟ” ଏବଂ ସାହିତ୍ୟ ପତ୍ରିକା ଅକ୍ଷର ପକ୍ଷରୁ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଗୀତ ଗୋବିନ୍ଦ ସଦନ ଠାରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ନେହେରୁ: ଅପପ୍ରଚାର ବନାମ ବାସ୍ତବତା ପ୍ରସଙ୍ଗରେ ମଧ୍ୟ ପ୍ରଦେଶ ଭୋପାଳରୁ ଭାରତର ସୁନାମଧନ୍ୟ ସାମ୍ବାଦିକ, ଗବେଷକ ଏବଂ ଲେଖକ ତଥା ପ୍ରସିଦ୍ଧ ପୁସ୍ତକ “ନେହେରୁ ମିଥକ ଏବଂ ସତ୍ୟ” ର ଲେଖକ ଶ୍ରୀ ପିୟୁସ ବୋବେଲେ ଉଦ୍‌ବୋଧନ ଦେଇଥିଲେ। ପ୍ରଥମେ ଶ୍ରୀ ବୋବେଲେଙ୍କୁ ଓଡ଼ିଶାର ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ବୋବେଲେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତୀୟ ଲୋକତନ୍ତ୍ରରେ ସମାନତାର ଭାବନାକୁ ପଣ୍ଡିତ ନେହେରୁ ହିଁ ଯୋଡ଼ିଥିଲେ। ସମ୍ବିଧାନ ପ୍ରସ୍ତୁତ ସମୟରେ ଆରକ୍ଷଣର ବ୍ୟବସ୍ଥା କରି ପଣ୍ଡିତ ନେହେରୁ ଅନସୂଚିତ ଜାତି ଓ ଜନଜାତିଙ୍କୁ ସମାଜରେ ଉପଯୁକ୍ତ ଅଧିକାର ଦେବାପାଇଁ ଗୁରୁତ୍ୱ ଦେଇଥିଲେ। ପଣ୍ଡିତ ନେହେରୁ ଜମିଦାରୀ ପ୍ରଥାର ଉଚ୍ଛେଦ କରି ଚାଷୀଙ୍କୁ ସେମାନଙ୍କର ଜମିର ଅଧିକାର ଦେବାର ବ୍ୟବସ୍ଥା କଲେ। ଦେଶର କ୍ଷୁଦ୍ର ଚାଷୀ ପଛୁଆ ବର୍ଗ, ଦଳିତ ଓ ଆଦିବାସୀ ବର୍ଗର ଅଟନ୍ତି। ଜମିଦାରୀ ଉଛେଦ ଫଳରେ ସେମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଜବୁତ ହୋଇପାରିଲେ। ଶିକ୍ଷା, କୃଷି, ଜଳସେଚନ ଏବଂ ଉଦ୍ୟୋଗ କ୍ଷେତ୍ରରେ ପଣ୍ଡିତ ନେହେରୁ ବିପ୍ଳବ ଆଣିଥିଲେ। ବିଶେଷକରି କାରିଗରୀ ଶିକ୍ଷାପାଇଁ ପଣ୍ଡିତ ନେହେରୁ ବଡ଼ ବଡ଼ ଅନୁଷ୍ଠାନ ସ୍ଥାପନ କଲେ ଯାହା ଫଳରେ ସେଠାରେ ଶିକ୍ଷାଲାଭ କରି ଛାତ୍ରଛାତ୍ରୀମାନେ ଭାରତରେ ସ୍ଥାପନ ହୋଇଥିବା ବଡ଼ ବଡ଼ ଶିଳ୍ପସଂସ୍ଥାମାନଙ୍କରେ ନିଯୁକ୍ତି ପାଇଲେ। ଏହାଦ୍ୱାରା ମଧ୍ୟମ ବର୍ଗର ଲୋକମାନଙ୍କର ବହୁ ଉନ୍ନତି ହେଲା। ନେହେରୁଙ୍କର ଆର୍ଥିକ ଏବଂ ସାମାଜିକ ବ୍ୟବସ୍ଥାରେ ପଛୁଆବର୍ଗ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସମସ୍ତ ବର୍ଗର ଲୋକେ ନ୍ୟାର୍ଯ୍ୟ ଅଧିକାର ପାଇଲେ। 

ନେହେରୁ ନବଭାରତର ନିର୍ମାଣ କରିଛନ୍ତି। ନେହେରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତୀ ଆଣିବାପାଇଁ ଏମ୍ସର ପ୍ରତିଷ୍ଠା କରିଥିଲେ। ବିଶେଷକରି ତାଙ୍କର ପ୍ରଧାନମନ୍ତ୍ରୀତ୍ୱରେ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ପାଇଁ ଅଧ୍ଚଳ ପ୍ରାଧାନ୍ୟ ଦେଉଥିଲେ। ଧର୍ମ, ବର୍ଣ୍ଣ, ଜାତି, ଆଞ୍ଚଳିକବାଦ ବ୍ୟତିତ ଏକ ଧର୍ମନିରପେକ୍ଷ ଏବଂ ଉନ୍ନତ ରାଷ୍ଟ୍ରର ସ୍ୱପ୍ନ ଦେଖୁଥିଲେ ଏବଂ ସେ ଦିଗରେ ବଳିଷ୍ଠ ପଦକ୍ଷେପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଥିଲେ ଯେ ଓଡ଼ିଶାକୁ ପଣ୍ଡିତ ନେହେରୁଙ୍କ ଅବଦାନ ଅତୁଳନୀୟ। ସେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା କରିଥିଲେ। ସେହିଭଳି ପାରଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲପ୍ଲାଂଟ ମଧ୍ୟ ନେହେରୁଙ୍କ ଅବଦାନ। ହୀରାକୁଦ ବନ୍ଦରର ଉଦ୍‌ଘାଟନ କରି ସେ କହିଥିଲେ ଯେ ଏହା ଭାରତବର୍ଷର ମନ୍ଦିର। ଓଡ଼ିଶାର ସାଧାରଣଜନତାଙ୍କର ମଙ୍ଗଳପାଇଁ ଏ ନଦୀବନ୍ଧ ଯୋଜନା ଉର୍ଦ୍ଦିଷ୍ଟ। ଓଡ଼ିଶା ମନ୍ଦିରମାଳିନୀ ରାଜ୍ୟ। ଏଥି ସହ ଆଉ ଏକ ମନ୍ଦିର ଯୋଡ଼ି ହୋଇଛି। ପଣ୍ଡିତ ନେହେରୁ ତାଙ୍କର ଜୀବନର ଅନ୍ତିମ ବାର୍ତ୍ତାରେ କହିଥିଲେ ଯେ ଓଡ଼ିଶା ଏକ ଛୋଟରାଜ୍ୟ କିନ୍ତୁ ଏହି ରାଜ୍ୟର ଲୋକମାନଙ୍କର ହୃଦୟ ବଡ଼। 

“ଭଏସ ଏଗେନଷ୍ଟ ହେଟ”ର ଆବାହକ ଶ୍ରୀ ମାନସ ଚୌଧୁରୀ କହିଥିଲେ ଯେ ଏବେ ଭାରତବର୍ଷର ନିର୍ମାତାଙ୍କ ନାମରେ ମିଥ୍ୟା ଅଭିଯୋଗ ଯୋଡ଼ି ଦିଆଯାଉଛି। ଶାସନ ଗାଦିରେ ବସି ରହିବାପାଇଁ ଧାର୍ମିକ ଅସହିଁଷ୍ଣୁତାକୁ ଉସୁକା ଯାଉଛି। ଏ ସରକାର ନିଜର ଅପାରଗତକୁ ଘୋଡ଼ାଇବାକୁ ଯାଇ ସବୁ ଦୋଷ ନେହେରୁଙ୍କ ମୁଣ୍ଡରେ ଲଦି ଦେଉଛନ୍ତି। ନେହେରୁଙ୍କର ଦିଗଦର୍ଶନ, ଆଦର୍ଶ ଓ ଚିନ୍ତାଧାରାକୁ ଗ୍ରହଣ କରି “ଭଏସ ଏଗେନଷ୍ଟ ହେଟ” ଆଜି ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବାପାଇଁ ସଂଗ୍ରାମ କରୁଛି। ଅକ୍ଷରର ସମ୍ପାଦକ ଶ୍ରୀ ଅମିୟ ପାଣ୍ଡବ କହିଥିଲେ ଯେ ଆଜିର ଦିନରେ ନେହେରୁଙ୍କ ବିଚାରଧାରା ପ୍ରତି ଗୈରିକ ସଂଗଠନ ଭୟଙ୍କର ଆକ୍ରମଣ କରୁଛନ୍ତି। ଯାହା ଦେଶପାଇଁ ବିପଦ। ଆଜିର ଯୁବ ସମାଜ ନେହେରୁଙ୍କର ଆଦର୍ଶର ଅନୁପ୍ରାଣିିତ ହୋଇ ଦେଶ ଗଠନ କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ। 

ସଂଗଠନର ବରିଷ୍ଠ ସଦସ୍ୟ ଏହି କାର୍ଯ୍ୟକ୍ରମରେ ପାରମ୍ଭିକ ଭାଷଣ ଦେଇଥିଲେ। ସଂଗଠନର ସଦସ୍ୟ ମିହିର ଅହମ୍ମଦ ଅଲ୍ଳୀ, ରାଖଲ ପଟ୍ଟନାୟକ, ରାହୁଲ ମହାନ୍ତି ଓ ମହମ୍ମଦ ପରଭେଜ ପ୍ରମୁଖ ଅତିଥି ଶ୍ରୀ ବୋବେଲେ ଏବଂ ପିସିସି ସଭାପତି ଶ୍ରୀ ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ବକାର ନଟବର ଖୁଂଟିଆ, ପ୍ରଫେସର ବିଜୟ ବହିଦାର, ଅର୍ଥନୀତିଜ୍ଞ ଡ. ଭରତ ବେହେରା, ୟାସିର ନୱାଜ, ରଣଜିତ ପାତ୍ର, ମହମ୍ମଦ ଇମଦାଦ, ମନୋଜ ରାଉତ, ମନୋଜ ବିଶ୍ୱାଳ, ପଲ୍ଲବ ଲିମା, ମିଲନ ପଟ୍ଟନାୟକ, ଶିଶିର ରଥ, ଆକାଶ ଭୂୟାଁ,ଆଶିଷ ମହନ୍ତ, ସ୍ୱାଗତ କର, ନିହାର ବେହେରା, ତାପସ ସେଠୀ, ରଣଜିତ ସେନାପତି, ସଂଜୟ ତ୍ରିପାଠୀ, ସମ୍ବୁ ପାଣିଗ୍ରାହ. ପ୍ରଶାନ୍ତ ଶତପଥି, ଶ୍ରିୟାସ୍ମିତା ପଣ୍ଡା, ବିଜୟାନନ୍ଦ ଚାଉଳିଆ, ସୁବ୍ରତ ଗଡ଼ନାୟକ, ଲିପିକା ପାତ୍ର, ସୁଶ୍ରୀ ମହାନ୍ତି, କୁସୁମ ପ୍ରଧାନ, ଜୟଶ୍ରୀ ପାତ୍ର, ବିରଞ୍ôଚ ବାରିକ ପ୍ରମୁଖ ବହୁ ଯୁବକ ଓ ଛାତ୍ର ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷର ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଭୁବନେଶ୍ୱର,  ମଇ ୨୦୨୫



ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଜଳ ସଂପଦ ବିଭାଗର ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ବୃହତ୍, ମଧ୍ୟମ, କ୍ଷୁଦ୍ର ଜଳ ସେଚନ, ଉଠା ଜଳସେଚନ, ମେଗା ଲିଫ୍ ସଂପର୍କିତ ବିଭିନ୍ନ କାର୍ଯ୍ୟ ସହିତ ନିର୍ମାଣାଧିନ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ବୈଠକରେ ସମୀକ୍ଷା କରି ଉନ୍ନୟନ କମିଶନର ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପ ଏବଂ ଯୋଜନାରେ ଅନ୍ତର୍ଭୁକ୍ତ କାର୍ଯ୍ୟଗୁଡ଼ିକୁ ମଞ୍ଜୁରୀ ପାଇଁ ପ୍ରୟାସ କରିବା, ନିର୍ମାଣାଧିନ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବା, ବଜେଟ୍ ପ୍ରାବଧାନ ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ତ୍ୱରାନ୍ୱିତ କରି ବିଭାଗୀୟ ଖର୍ଚ୍ଚ ବୃଦ୍ଧି କରିବା ଏବଂ  ବିଭାଗରେ ଖାଲି ରହିଥିବା ବିଭିନ୍ନ ପଦବୀ ପୂରଣ ସଂପର୍କରେ ପଦକ୍ଷେପ ନେବାକୁ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ  ଆବଶ୍ୟକ  ନିର୍ଦ୍ଦେଶ  ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଶାଖାର କାର୍ଯ୍ୟ ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରିବା ସହ ସମସ୍ତେ ନିଜ ନିଜ ଶାଖାର କାର୍ଯ୍ୟରେ କିପରି ଉଲ୍ଲେଖନୀୟ ତଥା  ଆଖିଦୃଶିଆ ଉନ୍ନତି ଆଣିପାରିବେ, ସେଥିପ୍ରତି  ଆନ୍ତରିକତା  ଓ ସମ୍ମିଳିତ ପ୍ରଚେଷ୍ଟା ଜାରି  ରଖିବାକୁ ସେ  ଆବଶ୍ୟକ  ପରାମର୍ଶ ଦେଇଛନ୍ତି ।  

ଭୁବନେଶ୍ୱର,  ମଇ ୨୦୨୫



  • ପ୍ରତିମାସରେ ବିଭାଗ ସ୍ତରରେ  କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ 
  • ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ବିଭିନ୍ନ  କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା 

ସଚିବସ୍ତରୀୟ  ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ପ୍ରାବଧାନ ଅନୁସାରେ ଚଳିତ ଅପ୍ରେଲ ମାସ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସ୍ଥିତି ଉପସ୍ଥାପନ କରାଯାଇଥିଲା । ଦେଖାଯାଇଛି ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ସାମଗ୍ରିକ ଖର୍ଚ୍ଚ ୩୫  ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ  ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଗତ ବର୍ଷ ତୁଳନାରେ ୬୬ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ଘଟିଛି । ବଜେଟ୍‌ ପ୍ରାବଧାନ ଅନୁସାରେ ପ୍ରତି ବିଭାଗମାନେ ନିଜ ନିଜ ସ୍ତରରେ ପ୍ରତିମାସରେ  କାର୍ଯ୍ୟ ଅଗ୍ରଗତି ଓ ତଦନୁସାରେ ଖର୍ଚ୍ଚ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।  ବିଭିନ୍ନ ମାଧ୍ୟମରୁ ସଂଗୃହିତ ନିଜସ୍ୱ କର ଆଦାୟ ଓ ଅଣକର ଆଦାୟ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ୨୦୨୫-୨୬  ବଜେଟ୍‌ ରେ ରହିଥିବା  ନୂଆ ଯୋଜନାର  କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । 

  ବିଭିନ୍ନ ବିଭାଗରେ ଓସ୍ୱାସ୍ ବା କମ୍ପ୍ୟୁଟରୀକରଣ ବ୍ୟବସ୍ଥାରେ ସରକାରୀ ନଥି ପ୍ରୋସେସିଂ କାର୍ଯ୍ୟ ସାଧାରଣତଃ ସହକାରୀ ଉପବିଭାଗ ଅଧିକାରୀ, ଉପବିଭାଗ ଅଧିକାରୀ(ଏଏସ୍ଓ-ଏସ୍ଓଙ୍କ) ଠାରୁ ଆରମ୍ଭ ହୋଇ  ବିଭିନ୍ନ ଉପରିସ୍ଥ ଅଧିକାରୀଙ୍କ ସ୍ତର ଦେଇ ପ୍ରାୟ ୫-୬ଟି  ପର୍ଯ୍ୟାୟରେ ଶେଷରେ ବିଭାଗୀୟ ସଚିବଙ୍କ ନିକଟରେ ପରବର୍ତ୍ତୀ ନିଷ୍ପତ୍ତି ବା  ଆଦେଶ ପାଇଁ  ନଥି ପହଁଚୁଥିବାରୁ ସରକାରୀ କାର୍ଯ୍ୟ ବିଳମ୍ବିତ ହେଉଥିବା ପରିଲକ୍ଷିତ ହେଉଛି । 

ଆଗାମୀ ଦିନରେ  ଏହି ପ୍ରକ୍ରିୟାକୁ ସରଳ କରାଯାଇ ଯେପରି ସର୍ବାଧିକ ୩ଟି ସ୍ତର ଦେଇ ନିଷ୍ପତ୍ତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ନଥି ପହଁଚିବ, ସେଥିପାଇଁ ଏହି ବିଭିନ୍ନ ସ୍ତରୀୟ ବ୍ୟବସ୍ଥାକୁ କମାଯାଇ (ଡିଲେୟାରିଂ) ପ୍ରକ୍ରିୟାରେ ଏହି ବ୍ୟବସ୍ଥାର ସରଳୀକରଣ କରାଯିବ । ଫଳରେ ସରକାରୀ କାର୍ଯ୍ୟ, ସେବା ପ୍ରଦାନ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।   ଏଥିପାଇଁ  ବିଭିନ୍ନ ବିଭାଗରୁ ମତାମତ ସଂଗ୍ରହ  ପ୍ରକ୍ରିୟା  ଜାରି ରହିଛି ଓ ଖୁବ୍‌ ଶିଘ୍ର ତାହା କାର୍ଯ୍ୟକାରୀ ହେବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯିବା  ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଲୋଚନା କରିଥିଲେ । ସେହିପରି  ଆଗାମୀ ଦିନରେ କେତେକ  ବିଭାଗ ତରଫରୁ ଆଗତ ହେବାକୁ ଥିବା ବିଭିନ୍ନ ନୀତି ଓ ନିର୍ଦ୍ଦେଶାବଳୀ ସଂପର୍କରେ ଚୂଡ଼ାନ୍ତ ପ୍ରସ୍ତାବ ପାଇଁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି । 

ବୈଠକରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୧୨ ତାରିଖରୁ  ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ସଂପର୍କରେ  ବିସ୍ତୃତ ଆଲୋଚନା କରାଯାଇଥିଲା । 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି  ଶ୍ରୀ ଦେଓରଞ୍ଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସବିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । 


ଭୁବନେଶ୍ୱର,  ମଇ ୨୦୨୫



ଦୁଗ୍ଧଚାଷୀମାନଙ୍କର ସମସ୍ୟା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଲଘୁ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିଙ୍କ ବାସଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଏକ ୬ଜଣିଆ ପ୍ରତିନିଧି ଦଳ ଓ ଓମ୍‌ଫେଡ୍ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟରେ ଦୁଗ୍ଧଚାଷୀ ସମସ୍ୟା ନେଇ ବିଷଦ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି । ଆଲୋଚନା କାଳରେ ଦୁଗ୍ଧଚାଷୀ ମାନଙ୍କର ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି ଏବଂ ଖୁବ୍ ଶୀଘ୍ର ସରକାର ସମସ୍ୟା ସମାଧାନ ପାଇଁ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ମାନ୍ୟବର ମନ୍ତ୍ରୀ ମହାସଂଘର କର୍ମକର୍ତ୍ତାଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ମାନ୍ୟବର ମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଆସନ୍ତା ଜୁନ୍ ୧ “ବିଶ୍ୱ ଦୁଗ୍ଧ ଦିବସ”ରେ ଯେଉଁ କ୍ଷୀର ଢାଳି ପ୍ରତିବାଦ କରିବାର କାର୍ଯ୍ୟକ୍ରମ ରହିଥିଲା ତାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଦୁଗ୍ଧଚାଷୀ ମାନଙ୍କର ସମସ୍ୟା ବିଶେଷତଃ (୧) ଦୁଗ୍ଧର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି (୨) ଗୋଖାଦ୍ୟର ଦର ନିୟନ୍ତ୍ରଣ (୩) ପଶୁ ସମ୍ପଦ ପାଇଁ ସ୍ୱାସ୍ଥ୍ୟବୀମା (୪) ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବ୍ୟାପକ ପ୍ରଚାର ଓ ପ୍ରସାରକୁ ନେଇ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଆଗାମୀ ଦିନରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବ ବୋଲି ଆଜି ମାନ୍ୟବର ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି । ରାଜ୍ୟ ସରକାର ଯଦି ଦୁଗ୍ଧଚାଷୀ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ ନ କରନ୍ତି ତାହେଲେ ଆଗାମୀ ଦିନରେ ଘରୋଇ ଦୁଗ୍ଧ କମ୍ପାନୀମାନଙ୍କର ଷଡ଼ଯନ୍ତ୍ର ଯୋଗୁଁ ଓମ୍‌ଫେଡ୍ ବୁଡ଼ିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ କୁହାଯାଇଛି । ମାନ୍ୟବର ମନ୍ତ୍ରୀ ଧୈର୍ଯ୍ୟର ସହିତ ଦୁଗ୍ଧଚାଷୀମାନଙ୍କର ସମସ୍ୟା ଶୁଣିବା ସଂଗେସଂଗେ ଓମ୍‌ଫେଡ୍‌ର ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଉପରେ ସରକାର ଦୃଢ ପଦକ୍ଷେପ ନେବେ ବୋଲି ମହାସଂଘର ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ସମୟରେ ମହାସଂଘ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, କଟକ ଜିଲ୍ଲା ସଭାପତି ତାପସ ମହାନ୍ତି, ଜଗତ୍‌ସିଂହପୁର ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରାଉତ ଓ ଖୋର୍ଦ୍ଧା ଜିଲ୍ଲାରୁ ଲକ୍ଷ୍ମଣ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଠାରେ ଉଲ୍ଲେଖଥାଉକି, ଗତ ମାର୍ଚ୍ଚ ମାସ ଠାରୁ ପ୍ରଗତି ଡାଏରୀ, ମିଲ୍କମୁଁ ଓ ଅମୁଲ ପ୍ରଭୃତି ଡାଏରୀ କମ୍ପାନୀମାନେ ଚାଷୀଙ୍କ ପାଉଣା ଯଥାକ୍ରମେ ଟ.୩.୫୦ପଇସା ଓ ଟ.୩.୦୦ପଇସା ଲିଟର ପିଛା ବୃଦ୍ଧି କରିଥିଲା ବେଳେ ଓମ୍‌ଫେଡ୍ କର୍ତ୍ତୃପକ୍ଷ ଚାଷୀଙ୍କ ପାଇଁ ଦୁଗ୍ଧ ମୂଲ୍ୟ ବୃଦ୍ଧି ଉପରେ କୌଣସି ପଦକ୍ଷେପ ନ ନେବା ଯୋଗଁୁଁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା । ଯାହାଫଳରେ ଚାଷୀମାନେ ଜୁନ୍ ୧ତାରିଖ ବିଶ୍ୱ ଦୁଗ୍ଧ ଦିବସ ଦିନ କ୍ଷୀର ଢାଳି ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ । କିନ୍ତୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆଜିର ଆଲୋଚନା ପରେ ଏହି କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା ବୋଲି ମହାସଂଘ ସୂତ୍ରରୁ ପ୍ରକାଶ ।

ଭୁବନେଶ୍ୱର,  ମଇ ୨୦୨୫



ଫୁଲନଖରା ସ୍ଥିତ ଶତ୍ତ୍ୱିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ-୨ରେ ମଙ୍ଗଳବାର ହସ୍ପିଟାଲ୍‌ର ଏମର୍ଜେନ୍ସି ମେଡିସିନ୍ ବିଭାଗ ପକ୍ଷରୁ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି। ସମ ହସ୍ପିଟାଲ-୨, ରାପିଡୋ ଓ ସୋସାଇଟି ଅଫ୍ ଆକ୍ୟୁଟ କେୟାର୍‌, ଟ୍ରମା ଆଣ୍ଡ ଏମର୍ଜେନ୍ସି ମେଡିସନ୍ (ଏସ୍‌ଏସିଟିଇଏମ୍‌)ର ମିଳିତ ଉଦ୍ୟମରେ ସାରା ଓଡ଼ିଶା ନିମନ୍ତେ ଏହି ଦିବସ ପାଳିତ ହୋଇଥିଲା।

ଏଥିରେ ଅଂଶ ଗ୍ରହଣ କରିଥବା ୭୦ରୁ ଉର୍ଦ୍ଧ୍ୱ ରାପିଡୋ କ୍ୟାପ୍‌ଟେନ୍ ମାନଙ୍କୁ ଜୀବନ ରକ୍ଷା ବିଷୟରେ ପ୍ରାକ୍ଟିକାଲ୍ ଏବଂ ଥିଓରି ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଜରୁରୀକାଳୀନ ଭିତିରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା କିମ୍ବା ସଡକ ଦୁର୍ଘଟଣା ସମୟରେ ରୋଗୀକୁ କାର୍ଡିଓ ପଲୋମୋନାରି ରେସୁସିଟେସନ୍ (ସିପିଆର୍‌) ଓ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ। 

ପ୍ରଫେସର (ଡ.) ସ୍ୱାଇଁ ଏ ବର୍ଷ ର ଥିମ୍ ‘ପ୍ରାଉଡ ଟୁ ପ୍ରୋଭାଇଡ୍ ୟୁଓର ଏମର୍ଜେନ୍ସି କେୟାର’ ଉପରେ ଆଲୋକପାତ କରିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍‌ଜୀତ ମହାନ୍ତି କହିଥିଲେ ଯେ ଜରୁରୀକାଳୀନ ସମୟରେ ସିପିଆର୍ ଓ ପ୍ରାଥମିକ ଚିକିତ୍ସା ଜରୁରୀ ହୋଇଥିବା ବେଳେ ସମସ୍ତ ରାପିଡୋ କ୍ୟାପ୍‌ଟେନ୍ ଏହି କାର୍ଯ୍ୟକ୍ରମରେ ଲାଭ କରିଥିବା ଶିକ୍ଷାକୁ ନିଜ ପରିବାର ଓ ସମାଜରେ କାର୍ଯ୍ୟକାରୀ କରିବେ ଓ ସଚେତନତା ସୃଷ୍ଟି କରିବେ। 

ଏହି ଦିବସରେ ସମଗ୍ର ଦେଶର ୧୦୦୦ରୁ ଊର୍ଦ୍ଧ୍ୱ ରାପିଡୋ କ୍ୟାପ୍‌ଟେନ୍‌ମାନଙ୍କୁ ୧୬ଟି ସହରରେ ଶିକ୍ଷା ପ୍ରଦାନ କରାଯାଇଛି। 

ଏହି ଅବସରରେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଓ ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ସିଦ୍ଧାର୍ଥ ଗୌତମ ବକ୍ତବ୍ୟ ରଖିଥିଲେ। 

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ ଓ ଏମର୍ଜେନ୍ସି ମେଡିସିନ୍ ବିଭାଗୀୟ ମୁଖ୍ୟ ଡାକ୍ତର ପି.ଏନ୍‌. ଓଝା ମଧ୍ୟ ବକ୍ତବ୍ୟ ରଖିଥିଲେ। ଏମର୍ଜେନ୍ସି ମେଡିସିନ୍ ବିଭାଗର ଡାକ୍ତର ଦିବ୍ୟାଶା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡାକ୍ତର ପ୍ରିୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Powered by Blogger.
Javascript DisablePlease Enable Javascript To See All Widget