ଭୁବନେଶ୍ୱର : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ କେତେକ ପ୍ରବଚନ, ସୁଗମ ସଙ୍ଗୀତ, ଭଜନ, ବାଦ୍ୟଯନ୍ତ୍ର, ଓଡ଼ିଶୀ, ସୋଲୋ ଏକାଙ୍କିକା ଭଳି କେତେକ ସୃଜନଗୀତ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି । ଏ ନେଇ ଆଜି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଯାଇଛି ।
ଏଥିରେ ଉଭୟ ଏକାଡେମୀର ସମନ୍ବୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ଭିଡିଓ ରେକର୍ଡ କରାଯାଇ ଟିଭି ଚ୍ୟାନେଲ୍ ଓ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ପ୍ରସାରଣ କରାଯିବ । ସେହିପରି ବାଦ୍ୟ ସଂଗୀତ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ପ୍ରଭୃତି ପରିବେଷଣ କରାଯିବ । ଏସବୁ ପ୍ରତ୍ୟେକ ୩୦ ମିନିଟ୍ ଅବର କାର୍ଯ୍ୟକ୍ରମ ରହିବ ଓ ଭାବ ଆଦାନପ୍ରଦାନ ରହିବ ନାହିଁ । ଲକ୍ ଡାଉନ୍ ପାଇଁ ବିଭାଗ ପ୍ରାୟୋଜିତ ମଞ୍ଚ କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବାରୁ ଜନସାଧାରଣ ଓ କଳାକାରମାନଙ୍କ ମଧ୍ୟରେ ନୈରାଶ୍ୟ ଜାତ ହୋଇଥିବାର ଉପଲବ୍ଧି କରି ଏକାଡେମୀ ଡିଜିଟାଲ୍ ମୋରେ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ସିଦ୍ଧାନ୍ତ ନେଇଛନ୍ତି । ଫଳରେ ଏହା ଡିଜିଟାଲ୍ ମୋରେ ଟିଭି ତଥା ସୋସିଆଲ୍ ମିଡିଆରେ ବହୁ ସଂଖ୍ୟକ ଦର୍ଶକଙ୍କ ପାଖରେ ପହଞ୍ଚି ପାରିବାର ଆଶା କରାଯାଉଛି ।
ସାହିତ୍ୟ ଏକାଡେମୀ ତରଫରୁ ବାର୍ଷିକ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଅନୁଯାୟୀ ବିଭିନ୍ନ ଉତ୍ସବଗୁଡ଼ିକର ଅନୁରୂପ କାର୍ଯ୍ୟକ୍ରମମାନ ଡିଜିଟାଲ୍ ମାଧ୍ୟମରେ ପ୍ରସାରଣ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏକାଡେମୀଗୁଡ଼ିକର କାର୍ଯ୍ୟକ୍ରମକୁ ସ୍ଥାଣୁତରୁ ରକ୍ଷା କରିବାକୁ ହେଲେ ଏହା ହିଁ ଏକ ଉପଯୁକ୍ତ ପ୍ଲାଟଫର୍ମ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ବୈଠକରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଡ. ରାମକୃଷ୍ଣ ସାହୁ, ସଂପାଦକ ଶ୍ରୀ ପ୍ରବୋଧ ରଥ, ଓଡ଼ିଶା ସାହିତ୍ୟ ଏକାଡେମୀ ସଂପାଦିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକୁ ଜୁନ୍ ମାସ ପହିଲାରୁ ପ୍ରସାରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।
Post a Comment