ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଜନିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକ ମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ପରୀକ୍ଷଣ , କୋଭିଡ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରର ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ।
ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅପେକ୍ଷାକୃତ ଭଲ ରହିଥିବାରୁ ଏବଂ ଏ ଦିଗରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମ କରୁଥିବା । ପ୍ରଶାସନ, ପୋଲିସ, ଶିକ୍ଷକ, ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ପୌରସଂସ୍ଥାର କର୍ମଚାରୀ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାରେ ଆତ୍ମସନ୍ତୋଷ ଲାଭ ନ କରି ଆଗାମୀ ଦିନର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସଂପୂର୍ଣ୍ଣ ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ବାହାରୁ ଆସୁଥିବା ଭାଇଭଉଣୀ ମାନଙ୍କ ପାଇଁ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୦,୭୫୧ଟି ଅସ୍ଥାୟୀ ଚିକିତ୍ସା ଶିବିର ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ ୪.୬୮ ଲକ୍ଷ ଲୋକଙ୍କର ରହିବା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଖାଦ୍ୟ ପାଇଁ ଦୈନିକ ମୁଣ୍ଡପିଛା ୧୨୦ ଟଙ୍କା ଲେଖାଏ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଟୁଥ ବ୍ରସ୍, ପେଷ୍ଟ ଏବଂ ଅନ୍ୟାନ୍ୟ ଉପକରଣ ସହିତ ପାଣି ବୋତଲ ଯୋଗାଇ ଦିଆଯାଉଛି । ସେହିପରି ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୧୫ଟି ସଂଗରୋଧ କେନ୍ଦ୍ରରେ ୩୨,୫୨୪ ଜଣ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସଂଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀମାନେ କଡାକଡି ଭାବରେ ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ
ବୋଲି ସତର୍କ କରାଇ ଦିଆଯାଇଛି । ବର୍ତ୍ତମାନର ଅସାଧାରଣ ପରିସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ବୀକାର କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ବିଦେଶରୁ ଓଡ଼ିଆ ଭାଇଭଉଣୀମାନେ ଫେରିବାର ସମ୍ଭାବନା ରହିଛି । ଓଡିଶା ଆସିବା ପୂର୍ବରୁ ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ, ଟେଷ୍ଟି ଓ ସଂଗରୋଧ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ୧୬ ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ରହିଛି । ସେଥିପାଇଁ ୬୨ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା ।
ତନ୍ମଧ୍ୟରୁ ବର୍ତ୍ତମାନ ୪୭ଟି ସକ୍ରିୟ ଜୋନ୍ ରହିଛି । ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ ୬୩୭୬ଟି ନମୂନା ମଧ୍ୟରୁ ୧୩୬ଟି ପଜିଟିଭ କେସ୍ ବାହାରିଥିଲା ଯାହାକି ମୋଟ ପଜିଟିଭ ସଂଖ୍ୟାର ୮୩ ପ୍ରତିଶତ ଅଟେ । କୋଭିଡ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ ସଂଗ୍ରହ କାର୍ଯ୍ୟ ସନ୍ତୋଷଜନକ ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି ଧାନ ଅମଳ ବର୍ତ୍ତମାନ ୪୦ ପ୍ରତିଶତରେ ପହଞ୍ଚି ଥିବାବେଳେ ଆଗାମୀ ୬ ତାରିଖରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ଏବଂ ମୁଗ,ବିରି ଆଦି ରବି ଫସଲ ୭ ମଇରୁ ଆରମ୍ଭ କରାଯିବ । ଖରିଫ ଋତୁରେ ଅଣଧାନ ଚାଷ ଉପରେ ଗୁରୁତ୍ବ ଦିଆଯିବ ।
କୃଷିକ୍ଷେତ୍ର ପାଇଁ
୧. ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ ।
୨. ସୁରତରୁ ଓଡିଶାକୁ ଦୀର୍ଘ ପଥ ବରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରତରୁ କେବଳ ଟ୍ରେନ ଯୋଗେ ଫେରିବା ପାଇଁ ସରକାର ଅନୁମତି ଦେବେ ।
୩. ଗ୍ରୀନ୍ ଜୋନ୍ରେ କୃଷି କାର୍ଯ୍ୟ , ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ଵାଭାବିକ କରାଯିବ ।
୪. ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ ।
୫. ଚାଷୀ ଓ SHG ମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ ।
୬. ମିଶନ ଶକ୍ତିର ମା ମାନେ ଏହି କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ୍ ଯୋଗାଇ ସାରିଲେଣି । ତେଣୁ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ।
୭. ଗଞ୍ଜାମ, କେନ୍ଦ୍ରାପଡା , ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ଜିଲ୍ଲା ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ତା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ ।
୮. ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବ । ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦୈନିକ ୩୫୦୦ ଟେଷ୍ଟ୍ରି କରାଯାଉଛି ଏବଂ ଆଗାମୀ ଦିନରେ ବାରିପଦା, ବାଲେଶ୍ଵର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟି ସୁବିଧାର ବିକାଶ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟି ହୋଇଥିବା ବେଳେ ଏଥିମଧ୍ୟରୁ ୧୭୦ଟି ପଜିଟିଭ ଆସିଛି । ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୮୩ଟି ଟେଷ୍ଟି ହେଉଥିବା ବେଳେ ପ୍ରତି ୧୦ ଲକ୍ଷରେ ହଜାର ଟେଷ୍ଟି କରାଯାଉଛି ।
ଶ୍ରମିକ ସମସ୍ୟା ନାହିଁ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଚଳିତ ବର୍ଷ MGNREGS ଏକ ଲକ୍ଷ ଚାଷ ପୋଖରୀ ନିର୍ମାଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିପରି ଶିଳ୍ପ ଏବଂ କ୍ଷୁଦ୍ର, ମଧ୍ୟମ, ଅଣୁ ଶିଳ୍ପ ମାନଙ୍କ ସମସ୍ୟା ସଂପର୍କରେ Chamber of Indian Industry and Indian Chamber of Commerce 1 ବ୍ୟାଙ୍କ ମାନଙ୍କ ସହିତ ଖୁବ୍ ଶୀଘ୍ର ଆଲୋଚନା କରିବେ । ଏହା ସହିତ ଜାପାନ , କୋରିଆ ଏବଂ ଆମେରିକାରରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିପାରିବ, ସେଥିପାଇଁ କଥାବର୍ତ୍ତା ଆରମ୍ଭ ହୋଇଛି ।
ରାଜ୍ୟରେ ଆଇନଶୃଙ୍କଳା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘରୋଇ ହିଂସା ରୋକିବା ପାଇଁ ପୋଲିସ ୫୬୪୯ ଜଣଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତନ୍ମଧ୍ୟରୁ ମାତ୍ର ୧ ପ୍ରତିଶତ ଅଭିଯୋଗ ଆସିଥିଲା ଏବଂ ତାର ପଦକ୍ଷେପ ନିଆଯାଇଛି । Lockdown ଉଲଙ୍ଘନ ଅଭିଯୋଗରେ ୬୫୦୦ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ୪୭୦୦୦ ଗାଡି ଜବତ କରି ଫେରାଇ ଦିଆଯାଇଛି । ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ଅଢେଇ ଲକ୍ଷ ପରିବାରର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Post a Comment