ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି ।
ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୁଳକ ହେବା ଉଚିତ । ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି । ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ (Standard Operating Procedure) ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଗୋଷ୍ଠୀଭିତ୍ତକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିଷିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡ଼ିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆମେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ । ଗତ ବର୍ଷ ଫନି ଓ ବୁଲବୁଲ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ସ୍ଥାନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ମଇ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ଅମ୍ପନ ଦ୍ଵାରା ପ୍ରଭାବିତ ହୋଇଥିଲେ । ଓଡିଶାର ଜନସାଧାରଣଙ୍କ ସହଯୋଗରେ ଆମେ କେବଳ ଏହିସବୁ ଆରମ୍ଭ କରି ଅମ୍ପନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।
ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଟି ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି । ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇଛି ।
ବନ୍ୟପ୍ରବଣ ଅଞ୍ଚଳରେ ଆଗମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି । । ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି । ଭିଡିଓ କନ୍ଫରେନ୍ସି ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ମୁକିବାଲା ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
Post a Comment