ଭୁବନେଶ୍ଵର : ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାନ୍ଟିନରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମା ଭୂମିଆଙ୍କୁ ପୋଲିସ କ୍ୟାନ୍ଟିନରେ ଗଣ ଦୁଷ୍କର୍ମ କରାଯାଇଥିଲା । ପିଡିତାଙ୍କ ସ୍ଵାମୀ ବୁଦୁରା ଗଉଡଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲା ଏବଂ ତାଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ବୁଦୁରା ଗଉଡ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ । ଏହି ଘଟଣାକୁ ଡେଢମାସରୁ ଉର୍ଦ୍ଧ ବିତିଥିଲେ ମଧ୍ୟ ପୋଲିସ ଚୁପ୍ ରହିଛି । ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ନଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଯେହେତୁ ଘଟଣା ପୋଲିସ କ୍ୟାନ୍ଟିନରେ ଘଟିଲା ଏବଂ ପୋଲିସର ସଂପୃକ୍ତି ଥିବାରୁ ଏ ଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି ।
ସେହିପରି ଗତ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡିତାର ଗର୍ଭପାତ କରାଇଛନ୍ତି । ଏହା ବିରୁଦ୍ଧରେ ୪ ଦଫା ଦାବି ନେଇ ରାଜ୍ୟ ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଦୁଇଟି ଘଟଣା ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ସେମାନଙ୍କୁ ଧରାଯାଉ । ଏହା ସହ ଏହି ଆକ୍ଟ ଅନୁଯାୟୀ ଦୁଇ ଜଣ ପୀଡିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ କେସକୁ ରଫାଦଫା କରିବା ପାଇଁ ପୀଡିତାଙ୍କ ପରିବାରକୁ ପୋଲିସ ଧମକ ଦେଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିନିଧୀ ଦଳ ଦାବି କରିଛନ୍ତି । ପ୍ରଥମ ଘଟଣାରେ ମାଲକାନଗିରି ପୋଲିସ କ୍ୟାନ୍ଟିନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।
ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଦେଢମାସରୁ ଉର୍ଦ୍ଧ୍ବ ବିତିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏଯାବତ ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇନାହିଁ । ବିଜେପିର ଏକ ପ୍ରତିନିଧୀ ମଣ୍ଡଳୀ । ମାନବଧିକାର କମିଶନଙ୍କ ଆଗରେ ଏ ଘଟଣାକୁ ରଖିବା ପରେ ୧୦ ଦିନ ମଧ୍ୟରେ ପୋଷମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଏବଂ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବି ପୋଲିସ ଚୁପ୍ ରହିଛି । ସେହିପରି ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପରମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉପୀଡନ କରିଆସୁଥିଲେ । ଥାନାବାବୁ ପୀଡିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖନାରେ ତାଙ୍କର ଗର୍ଭପାତ କରାଇଛନ୍ତି । cwc ପୀଡିତାକୁ ନେଇ ମେଡିକାଲରେ ଚିକିତ୍ସା କରାଉଛି । ଏହି ଘଟଣାରେ ବି ପୋଲିସ ଅଧିକାରୀଙ୍କ ସଂପୃକ୍ତି ଥିବା ଯୋଗୁଁ ଘଟଣାର ତଦନ୍ତ ହେଉନାହିଁ ।
ଏହି ଦୁଇଟି ଘଟଣା ପୋଲିସର କ୍ୟାମ୍ପସ ଭିତରେ ଏବଂ ପୋଲିସର ସଂପୃକ୍ତି ଥିବା ଯୋଗୁଁ ଘଟଣାକୁ ଚପେଇ ଦିଆଯାଉଛି । ମାଲକାନଗିରି ଘଟଣାରେ ପୀଡିତାର ମୃତ୍ୟୁ ହେବା ପରେ ବି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଦୋଷୀଙ୍କୁ ଧରିପାରିଲେ ନାହିଁ । ଦୁଇ ଦୁଇଟି ଅଭାବନୀୟ ଘଟଣାରେ ଆଦିବାସୀ ମହିଳା ଓ ନାବାଳିକା ପୀଡିତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସି ଏସଟି ଆକ୍ଟ ଅନୁଯାୟୀ ସେମାନଙ୍କ ପରିବାରକୁ ୮.୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦିଅନ୍ତୁ । ଏହି ଘଟଣାରେ ରାଜ୍ୟ ମାନବଧିକାର କମିଶନ ହସ୍ତକ୍ଷେପ କରି ପୋଲିସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ପୋଲିସ ଏହାକୁ ପାଳନ କରିବ ନାହିଁ ବୋଲି ବିଜେପି ଅନୁଭବ କରୁଛି । ପୀଡିତାଙ୍କ ପରିବାର ଲୋକ ଦିନ ମଜୁରିଆ ଏବଂ ଅଶିକ୍ଷିତ ହୋଇଥିବା କାରଣରୁ ସେମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିପାରୁ ନାହାଁନ୍ତି । ଏହାର ସୁଯୋଗ ନେଇ ପୋଲିସ ଦୋଷୀ ମାନଙ୍କୁ ଘଣ୍ଟ ଘୋଡାଉଛି ।
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ବିଜେପିର ଦୁଇ ଜଣ ବିଧାୟକ ନାବାଳିକା ସହ ଭେଟି ଘଟଣା ସଂପର୍କରେ ବୁଝିବାକୁ ଯାଇଥିବାବେଳେ ପୋଲିସ ପୀଡିତାଙ୍କ ସହ କଥା ହେବା ପାଇଁ ଅନୁମତି ଦେଇନଥିଲା ବୋଲି ପ୍ରତିନିଧୀ ମଣ୍ଡଳ ପୋଲିସ ମହାନିର୍ଦ୍ଦେଶକ ଆଗରେ ଅଭିଯୋଗ କରିଛି । ଏହି ଦୁଇଟି ଘଟଣାରେ ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପୀଡିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିନିଧୀ ମଣ୍ଡଳ ଦାବି କରିଛି ।
Post a Comment