ଭୁବନେଶ୍ୱର : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ, ଯୁବନେତା ଅଖିଳେଶ ଯାଦବଙ୍କ ୪୭ତମ ଜନ୍ମଜୟନ୍ତୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ବରେ ପାର୍ଟି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧକ୍ଷ ସଂଜୟ ନାୟକ, ଯୁବ ସଭାପତି ସୁବ୍ରତ ଲେଙ୍କା, ଉପସଭାପତି ସୁନୀଲ ମିଶ୍ର, ନାରୀନେତ୍ରୀ ରୀତା ପଟ୍ଟନାୟକ ଓ ଯୁବନେତା ଦେଶପ୍ରିୟ ଦାସ, ଇନ୍ଦ୍ରସ ମଲ୍ଲିକ, ଅନନ୍ତ ମହାନ୍ତି, ଦେବାଶିଷ ମହାପାତ୍ର ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଉଦ୍ବୋଧନ ଦେଇ କହିଥିଲେ ଯେ, ଆଜି ଯେତେବେଳେ କରୋନା ମହାମାରୀ ଓ ଜଳବାୟୁ ପରିବର୍ଭନ ବିଶ୍ୱ ସମୁଦାୟ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି, ସେତିକିବେଳେ ଅଖୁଳେଶ ଯାଦବଙ୍କ ଭଳି ଜଣେ ପରିବେଶ ବିଜ୍ଞାନ, ଯୁବ ନେତୃତ୍ବଙ୍କର ଜନ୍ମ ଦିନରେ ବ୍ୟାପକ ବୃକ୍ଷରୋପଣ ଏକ ସଠିକ୍ ପଦକ୍ଷେପ ।
ମୁଖ୍ୟମନ୍ତ୍ରୀ ଥିଲାବେଳେ ‘ ଗୋଟିଏ ଦିନରେ କୋଟିଏ ବୃକ୍ଷ’ କାର୍ଯ୍ୟକ୍ରମ ଗ୍ରହଣ କରି ସେ ରେକର୍ଡ ସୃଷ୍ଟି କରିଥିଲେ । ତେଣୁ ଆଜିର ଜଳବାୟୁ ପରିବର୍ତ୍ତନ ଆହ୍ବାନର ବୃକ୍ଷରୋପଣ ଏକମାତ୍ର ସମାଧାନ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଆଜି ଯେତେବେଳେ ଦେଶରେ ପେଟ୍ରୋଲ ଡିଜେଲର ଦରଦାମ୍ ବଢିବଢି ଚାଲିଛି, ତାକୁ ତାଳ ଦେଇ ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ୍ ମଧ୍ୟ ହୁ ହୁ ହୋଇ ବଢୁଛି । ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ବିରୋଧ ଦଳମାନେ ଏକାଠି ହୋଇ ଦରଦାମ୍ ବୃଦ୍ଧି ଓ ଫାଶୀବାଦ୍ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ବେହେରା ଆହ୍ବାନ ଦେଇଥିଲେ ।
Post a Comment