ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ସ୍କୁଲ, କଲେଜ ସବୁ ଦୀର୍ଘ ୬ ମାସ ହେଲା ବନ୍ଦ ଅଛି । ଏହାଦ୍ଵାର ଛାତ୍ରଛାତ୍ରୀମାନଙ୍କର ପାଠପଢା ହୋଇପାରୁନାହିଁ । ଟି.ଭି. ମାଧମରେ, ଅନ୍ଲାଇନ୍ରେ କେତେକ ସ୍କୁଲ କଲେଜ ପାଠ ପଢାଉଛନ୍ତି । କିନ୍ତୁ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ କିମ୍ବା ରାଜ୍ୟର ଅଧିକାଂଶ ଗାଁକୁ ଟେଲି ଯୋଗାଯୋଗର ମଧ୍ୟ ବ୍ୟବସ୍ଥା ନାହିଁ । ବିଶେଷତଃ ରାଜ୍ୟର ୫୩,୩୫୩ ଗ୍ରାମ ମଧ୍ୟରୁ ୧୧ ହଜାର ଗାଁରେ ଟେଲି ଯୋଗାଯୋଗ ପହଞ୍ଚି ପାରିନାହିଁ । ଏଭଳିକି ୯,୯୪୦ଟି ଆଦିବାସୀ ଅଧୁଷିତ ଗାଁ ଏଥିରେ ଅନ୍ତର୍ଭୁକ୍ତ । ଯେତିକି ସ୍ଥାନରେ ଟେଲି ଯୋଗାଯୋଗ ବ୍ୟବସ୍ଥା ଅଛି, ସେଠାରେ ଗୁଣାତ୍ମକ ଟେଲି ଯୋଗାଯୋଗର ଅଭାବ ରହୁଛି ।
ତେଣୁ ଛାତ୍ରଛାତ୍ରୀମାନେ କେତେବେଳେ ପାହାଡ଼ ଉପରେ, କେତେବେଳେ ଗଛ ଉପରେ, କେତେବେଳେ ପାଣି ଟାଙ୍କିରେ ଚଢି ଅନ୍ଲାଇନ୍ ଶିକ୍ଷା ଗ୍ରହଣ କରୁଥିବାର ଚିତ୍ର ଆମ୍ଭେ ଗଣମାଧମରେ ଦେଖୁକୁ ପାଉଛୁ । ସେହିଭଳି ବହୁ ଗରିବ ଲୋକ, ଦିନ ମଜୁରିଆ ନିଜ ପୁଅ ଝିଅଙ୍କୁ ସ୍ମାର୍ଟ ଫୋନ୍ଟିଏ କିଣିଦେବାର ସାମର୍ଥ୍ୟ ନଥିବାରୁ କିଏ ଗାଈ, ବଳଦ ବିକୁଛି ତ, କିଏ ନିଜକୁ ପର ଘରେ ବନ୍ଧା ପକାଇ ସ୍ମାର୍ଟଫୋନ୍ଟିଏ ନିଜ ପୁଅ ଝିଅକୁ ଦେଉଛି । ଏହି କରୁଣା ଚିତ୍ରରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଅତିଥରେ ଯେମିତି ଚାଷୀମାନଙ୍କୁ ମୋବାଇଲ୍ ଫୋନ୍ ପ୍ରଦାନ କରିଥିଲେ ସେହିଭଳି ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅନଲାଇନ୍ ଶିକ୍ଷାର ସୁବିଧା ପାଇଁ ସ୍ମାର୍ଟ ଫୋନ୍ ଗୋଟିଏ ଲେଖାଏଁ ଯୋଗାଇ ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି ।
ରାଜ୍ୟ ସରକାର ଆସନ୍ତା ୨୮ ତାରିଖ ସୋମବାରଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟର ସମସ୍ତ ରେଡିଓ ଷ୍ଟେସନ୍ରେ ଆସନ୍ତା ୨୮ ତାରିଖ ଦିନ ୧୦ଟାରୁ ୧୦ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ନିର୍ଦ୍ଦିଷ୍ଟ ସମୟରେ ସମସ୍ତ ରେଡିଓ ଷ୍ଟେସନରୁ ପାଠପଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ ଅଧିକାଂଶ ଲୋକଙ୍କ ଘରେ ରେଡ଼ିଓ ନାହିଁ । ଯାହାଫଳରେ ରାଜ୍ୟର ୩୮ ଲକ୍ଷ ଛାତ୍ରଛାତ୍ରୀ ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମରୁ ବାଦ୍ ପଡ଼ିବାକୁ ଯାଉଛନ୍ତି । କୌଣସି ଏକ ଯୋଜନା ହାତକୁ ନେବା ପୂର୍ବରୁ ସରକାର ଚିନ୍ତା କରିବା ଉଚିତ, ଆମ ରାଜ୍ୟରେ ଏହିସବୁ କାର୍ଯ୍ୟକ୍ରମ ପାଇଁ ଭିତ୍ତିଭୂମି ଅଛି ନା ନାହିଁ । ଯଦି ନାହିଁ, ଭିତ୍ତିଭୂମି ସଜାଡିବା ପାଇଁ ଆବଶ୍ୟକୀୟ ପ୍ରଶାସନିକ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ହାତକୁ ନେଲେ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରନ୍ତା । ତେଣୁ ରାଜ୍ୟର ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଆସ୍ ଆଗରେ ରଖୁ ରାଜ୍ୟ ସରକାର ତୁରନ୍ତ ରେଡ଼ିଓ ଏବଂ ସ୍ମାର୍ଟଫୋନ୍ ଯୋଗାଇ ଦେବାପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ସଭାପତି ଶ୍ରୀ ବେହେରା ଆଜି ଏକ ଚିଠି ଲେଖୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।
Post a Comment