
ଭୁବନେଶ୍ୱର : କୋଭିଡ-୧୯ ମହାମାରୀର କଠିନ ସମୟ ସହିତ ଓଡ଼ିଶାର ଅନେକଗୁଡ଼ିଏ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିଲେ । ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ସମସ୍ତ ଆଇସିଡ଼ିଏସ୍ ପ୍ରକଳ୍ପରେ ଟିଏଆର ବଣ୍ଟନ କରାଯାଇଛି । ଏବେ ବି ଅନେକ ଅଞ୍ଚଳ ଜଳମଗ୍ନ ରହିଛି ଏବଂ ଗାଁ ଗୁଡ଼ିକ ପାଣି ଘେରରେ ରହିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଅଙ୍ଗନବାଡି କର୍ମୀମାନେ ହିତାଧୁକାରୀମାନଙ୍କ ଘରକୁ ବନ୍ୟାଜଳ ଭିତରେ ଯାଇ ଶୁଖୁଲା ରାସନ ବଣ୍ଟନ କରିଛନ୍ତି । ଶୁଖୁଲା ରାସନ ବାବଦକୁ ଛତୁଆ, ଚିକି ଲଡୁ, ଅଣ୍ଡା ଆଦି ବଣ୍ଟନ କରାଯାଇଛି । ୩ ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବାବଦକୁ ମଧ୍ୟ ଶୁଖୁଲା ରାସନ ଘରେ ଯୋଗାଇ ଦିଆଯାଇଛି । ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ବିତ ଶିଶୁ ବିକାଶ ଯୋଜନାରେ ଏହି କାର୍ଯ୍ୟକ୍ରମରେ ଆମ ରାଜ୍ୟ ଓଡ଼ିଶାରେ ୪୧ ଲକ୍ଷ ୨୭ ହଜାର ଜଣ ହିତାଧୁକାରୀ ଉପକୃତ ହେଉଛନ୍ତି ।
ଗତ ଜୁଲାଇ ମାସରୁ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଶିଶୁମାନଙ୍କ ସକାଳ ଜଳଖୁଆରେ ମାଣ୍ଡିଆ ଲଡୁକୁ ମଧ୍ୟ ସାମିଲ କରାଯାଇଛି । କୋଭିଡ–୧୯ ପାଇଁ ସଂପ୍ରତି ଅଙ୍ଗନବାଡି କେନ୍ଦ୍ରଗୁଡିକ ବନ୍ଦ ଥିବାରୁ ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ପରିବର୍ତ୍ତେ ସେମାନଙ୍କ ଘରେ ମାଣ୍ଡିଆ ଚୁନା ପ୍ୟାକେଟ୍ ଆକରରେ ବଣ୍ଟନ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଶିଶୁମାନଙ୍କୁ ସପ୍ତାହରେ ୪ଟି ଏବଂ କେନ୍ଦୁଝର ଜିଲ୍ଲାରେ ୨ଟି ମାଣ୍ଡିଆ ଲଡୁ ପାଇଁ ନିଦ୍ଧିଷ୍ଟ ପରିମାଣର ମାଣ୍ଡିଆ ଚୁନା ବଣ୍ଟନ କରାଯାଇଛି । ମା’ମାନଙ୍କୁ ଘରେ ଲଡୁ ତିଆରି କରି ପିଲାମାନଙ୍କୁ ଖୁଆଇବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ–୧୯ ପରିସ୍ଥିତିରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକ ବନ୍ଦ ରଖୁବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଅଙ୍ଗନବାଡି ବନ୍ଦ ରହିଥିଲେ ମଧ୍ୟ ସମନ୍ବିତ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ଭାବେ ଜାରି ରଖୁବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖୁ ଏହା ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରାଯାଇଛି ।
ବିଶେଷ କରି ମାସର ୨୩ ତାରିଖରେ କୋଭିଡ ନିୟମାବଳୀ ଅନୁପାଳନ ମଧ୍ୟରେ ଛତୁଆ ମିଶ୍ରଣ, କାର୍ଯ୍ୟକ୍ରମ ସମ୍ପାଦନ, ହିତାଧୁକାରୀମାନଙ୍କ ନିକଟରେ ପ୍ରତି ସପ୍ତାହରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅଣ୍ଡା ପହଞ୍ଚାଇବା, ସାମ୍ ଏବଂ ମାମ୍ ଶିଶୁମାନଙ୍କୁ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ସମସ୍ତ କାର୍ଯ୍ୟକ୍ରମ ସମୟରେ ମାସ୍କ ପିନ୍ଧିବା, ସାନିଟାଇଜ କରିବା, ହାତ ଧୋଇବା, ଗ୍ଲାଭସ୍ ଏବଂ ହେଡ୍ କ୍ୟାପ୍ ବ୍ୟବହାର କରିବ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଆଇସିଡ଼ିଏସ୍ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Post a Comment