ଭୂବନେଶ୍ଵର : କୋଭିଜ୍୧୯ କଟକଣା ହେତୁ ରାଜ୍ୟର ସମସ୍ତ ଆଇସିଡ଼ିଏସ୍ ପ୍ରକଳ୍ପ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଚଳିତ ୩୧ ଜାନୁଆରୀ, ୨୦୨୧ ପର୍ଯ୍ୟନ୍ତ ବନ୍ଦ ରଖୁବାକୁ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବା ପରିପ୍ରେକ୍ଷୀରେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ, ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ଯୋଗାଇ ଦିଆଯାଉଥିବା ଟେକ୍ ହୋମ୍ ରାସନ୍ (ଟିଏଚ୍ଆର୍) ବଣ୍ଟନ ପ୍ରକ୍ରିୟା ନିୟମିତ ଭାବେ ଜାରି ରହିଛି । ଆଜି ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନବାଡ଼ି କର୍ମୀମାନେ କୋଡ୍ ନିୟମାବଳୀର ଅନୁପାଳନପୂର୍ବକ ହିତାଧୁକାରୀମାନଙ୍କ ଘରେ ପହଞ୍ଚି ଶୁଖୁଲା ରାସନ ବଣ୍ଟନ କରିଛନ୍ତି ।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଦଳରେ ଶୁଖୁଲା ରାସନ ବଣ୍ଟନ କରାଯାଇଛି । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ପ୍ରାବିଦ୍ୟାଳୟ ଶିଶୁମାନଙ୍କ ସକାଳ ଜଳଖୁଆ ବାବଦକୁ ମାଣ୍ଡିଆ ଚୂନା ବଣ୍ଟନ କରାଯିବା ସହ ଘରେ ମାଣ୍ଡିଆ ଲଡୁ ପ୍ରସ୍ତୁତ କରି ଶିଶୁମାନଙ୍କୁ ଖୁଆଇବା ନିମନ୍ତେ ମା’ମାନଙ୍କୁ ପରାମର୍ଶ ଦିଆଯାଇଛି । ଶୁଖୁଲା ରାସନ୍ ବାବଦକୁ ଛତୁଆ, ବାଦାମ ଲଡୁ, ଚିକି, ଅଣ୍ଡା ଆଦି ବଣ୍ଟନ କରାଯାଇଛି । ଏହି ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ରାଜ୍ୟର ୪୫.୭୮ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି ।
Post a Comment