ଭୁବନେଶ୍ବର, ବାର କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ୍ ଶିକ୍ଷା ଓ ଆଇନ୍ ବୃଦ୍ଧିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧୁବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ ଦ୍ବାରା ସୃଷ୍ଟି ହୋଇଥିବା ଏକ ବୈଧାନିକ ସଂସ୍ଥା। ଉଭୟ ଆଇନ୍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର କାଉନସିଲ୍ ଅଫ୍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (Indian Institute of Law (IIL), ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ନିରନ୍ତର ଆଇନ୍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍ ଏକ ମଡେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ । ଏହି ଏକାଡେମୀ ପ୍ରାଥମିକ ଭାବେ ଆଇନ୍ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ରହିବ ।
ଭାରତର ଅନ୍ୟତମ ଖ୍ୟାତି ସମ୍ପନ୍ନ ବିଶ୍ବବିଦ୍ୟାଳୟ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ସହଯୋଗରେ ଆଇଆଇଏଲ୍ ପ୍ରତିଷ୍ଠା ହେବ । ବର୍ତ୍ତମାନ ସୁଦ୍ଧା ଆଇନ୍ ଶିକ୍ଷକ ଓ ଅଧ୍ୟାପକ ତଥା ଆଇନଜୀବୀଙ୍କ ଦକ୍ଷତା ବିକାଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇନରେ କୌଣସି ତାଲିମ୍ ଅନୁଷ୍ଠାନ ନାହିଁ । ଆଇଆଇଏଲ୍ ପ୍ରତିଷ୍ଠା ହେଲେ ଭାରତରେ ଥିବା ଆଇନ୍ ସ୍କୁଲଗୁଡ଼ିକର ଯୁବ ଅଧ୍ୟାପକ ଓ ଯୁବ ଆଇନଜୀବିମାନେ ଏଠାରେ ସେମାନଙ୍କ ପାରଦର୍ଶିତା, ବୃତ୍ତିଗତ ଦକ୍ଷତା ଓ ବିଚକ୍ଷଣତା ବିକାଶ କରିପାରିବେ । ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ । ୧୯୮୬ ମସିହାରେ ବିସିଆଇ ଓ ଏହାର ଟ୍ରଷ୍ଟ ‘ବିସିଆଇ ଟ୍ରଷ୍ଟ’ ଦ୍ବାରା ବାଙ୍ଗାଲୋରଠାରେ ପ୍ରଥମ କରି ନ୍ୟାସ୍ନାଲ୍ ଲ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭରସିଟି (NLSIU) ଆଇନ୍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ।
ଏହି ଅନୁଷ୍ଠାନ ଏବେ ଦେଶର ମଡେଲ ଆଇନ୍ ବିଶ୍ଵବିଦ୍ୟାଳୟ ଭାବେ କାର୍ଯ୍ୟ କରିଆସୁଛି । ଶୁକ୍ରବାର ନୂଆଦିଲ୍ଲୀସ୍ଥିତ କନ୍ଷ୍ଟିଚ୍ୟୁସନ୍ କ୍ଲବରେ ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାର୍ କାଉନ୍ସିଲ୍ର ଅଧ୍ୟକ୍ଷ ମନନ କୁମାର ମିଶ୍ର, ସଭାପତି ଶ୍ରୀମନ୍ତ ସେନଙ୍କଠାରୁ ଆରମ୍ଭ କରି ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସମସ୍ତ ସମସ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ। । ଏହି ଅବସରରେ କିଟ୍ ଓ ବିସିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇ ପରସ୍ପର ମଧ୍ୟରେ ହସ୍ତାନ୍ତର ହୋଇଥିଲା ।
ବାର କାଉନ୍ସିଲର ଅଧ୍ୟକ୍ଷ ଶ୍ରୀ ମିଶ୍ର ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ, କେତେକ ଅନିବାର୍ଯ୍ୟ କାରଣ ହେତୁ ବିସିଆଇର ଆଇଆଇଏଲ୍ ପ୍ରତିଷ୍ଠା ପରିକଳ୍ପନା କାର୍ଯ୍ୟକାରୀ ହୋଇପାରି ନଥିଲା। ଶେଷରେ ବିସିଆଇ ଓ ବିସିଆଇ ଟ୍ରଷ୍ଟର ସଦସ୍ୟମାନେ କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିବା ପରେ ବିଶିଷ୍ଟ ଶିକ୍ଷାବିତ୍, ଦୂରଦ୍ରଷ୍ଟା, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ । କିଟ୍ ବିଶ୍ବବିଦ୍ୟାଳୟ ସହଯୋଗରେ ବିସିଆଇର ସଦସ୍ୟମାନେ ଭୁବନେଶ୍ବରଠାରେ ଆଇଆଇଏଲ୍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏକମତ ହୋଇଥିଲେ । ତଦନୁସାରେ ବିସିଆଇ କିଟ୍ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି । ଏହି ବୁଝାମଣାପତ୍ର ଅନୁସାରେ ଭୁବନେଶ୍ବରରେ କିଟ୍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ ।
ବିଶ୍ଵ ତଥା ଭାରତ ଓ ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଆଇଆଇଏଲ୍ ପ୍ରତିଷ୍ଠା ଆଇନ୍ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ, ଏଥିରେ କୌଣସି ସନ୍ଦେହ ନାହିଁ । ବିଶେଷ କରି ଓଡ଼ିଶା ଏବଂ ସାମଗ୍ରିକ ଭାବେ ଭାରତ ପାଇଁ ଏହା ଏକ ବିରାଟ ସଫଳତା ଓ ଗୌରବ ହେବ । ନିରନ୍ତର ଆଇନ୍ ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ରିଫ୍ରେସର୍ କୋର୍ସ ଏବଂ ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ଶିକ୍ଷଣ ପାଠ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆଇଆଲଏରେ ଚାଲୁ ରହିବ । ବିଭିନ୍ନ ଶିକ୍ଷଣ କେନ୍ଦ୍ର ଅଧୀନରେ ଆଇଆଇଏଲ୍ ଆଇନ୍, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ । ଆଇନ୍ ତାଲିମ ନେଉଥିବା ଆଇନ୍ଜୀବି ଏବଂ ନିରନ୍ତର ଆଇନ୍ ଶିକ୍ଷା ଉଦ୍ଦେଶ୍ୟରେ ଆଇନ୍ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ୍ ବିଷୟ ଉପରେ କେହି, ପତ୍ରିକା, ଡାଇଜେଷ୍ଟ ଓ ସମ୍ବାଦପତ୍ର (ଉଭୟ ଛାପା ଓ ଅନଲାଇନ୍) ଆଇଆଇଏଲ୍ ଦ୍ଵାରା ପ୍ରକାଶ କରାଯିବ।
ଏହି ଅନୁଷ୍ଠାନ ଆଇନଜୀବି, ଶିକ୍ଷାବିତ ଏବଂ ବିଚାରପତିଙ୍କ ପାଇଁ ମଧ୍ୟ ବିଭିନ୍ନ ସମୟରେ ଆଲୋଚନାଚକ୍ର, କର୍ମଶାଳା, ତାଲିମ କାର୍ଯ୍ୟକ୍ରମ ଆଦି ଆୟୋଜନ କରିବ । ଆଇଆଇଏଲ୍ ଭାରତ ଓ ଭାରତ ବାହାରେ ଥିବା ଜାତୀୟ ଲ ସ୍କୁଲ, ଅନ୍ୟାନ୍ୟ ଖ୍ୟାତି ସମ୍ପନ୍ନ ବିଶ୍ଵବିଦ୍ୟାଳୟ, ବୃତ୍ତିଗତ ସଂସ୍ଥା, ନ୍ୟାୟିକ ସଂସ୍ଥା, ସରକାରୀ ବିଭାଗ ଏବଂ ଏନଜିଓ ସମେତ ବିଭିନ୍ନ ବାର ଆସୋସିଏସନ, ରାଜ୍ୟ ବାର୍ କାଉନସିଲ, ଦେଶ ଓ ବିଦେଶରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏମିନେସ, ଆଇର ବିକାଶ ପାଇଁ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ସହ ସହଯୋଗ ସ୍ଥାପନ କରିବ।
ପ୍ରାଥମିକ ପର୍ଯ୍ୟାୟରେ ଆଇଆଇଏରେ ନିମ୍ନ ଲିଖିତ ବିଭାଗ କାର୍ଯ୍ୟ କରିବ। । ୧) ଏକାଡେମିକ୍ ଷ୍ଟାଫ୍ କଲେଜ (ASC); । ୨) ସ୍କୁଲ୍ ଅଫ୍ କଣ୍ଟିନିଉରଂ ଏଜୁକେସନ୍ (SCE) । ୩) ଆଇଆଇଏଲ୍ ଟ୍ରେନିଂ ସେଣ୍ଟର (L-TC) ୪) ସେଣ୍ଟର ଫର୍ ଲିଗାଲ ଏଡ୍ (CLA) ୫) ବ୍ରିଜ୍ କୋର୍ସସ୍ ଫର୍ ଫରେନ୍ ଡିଗ୍ରୀ ହୋଲ୍ଡରସ ।
ଆଇଆଇଏଲ୍ ପରିଚାଳନା ପାଇଁ ସାଧାରଣ ପରିଷଦ, କାର୍ଯ୍ୟକାରୀ ପରିଷଦ ଏବଂ ଏକାଡେମିକ କାଉନ୍ସିଲ୍ ଗଠନ କରାଯିବ । ଏ ସବୁଥିରେ ଆବଶ୍ୟକତା ଅନୁସାରେ ଉଚ୍ଚତର ନ୍ୟାୟିକ, ସରକାରୀ, ଶିକ୍ଷା ମନ୍ତ୍ରାଳୟ, ୟୁଜିସି, ଶିକ୍ଷାବିତ, ବାରର ବରିଷ୍ଠ ସଦସ୍ୟ ଓ ଓଡ଼ିଶାର ମୁଖ୍ୟ ବିଚାରପତି ଆଦିଙ୍କ ପ୍ରତିନିଧିତ୍ବ ରହିବ। ପ୍ରଥମ ୩ବର୍ଷ ପାଇଁ ଆଇଆଇଏର ସମସ୍ତ କାର୍ଯ୍ୟକ୍ରମ ବିସିଆଇ ପରିଚାଳନା କରିବ। ପରବର୍ତ୍ତୀ ସମୟରେ କେତେକ ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ ଉନ୍ନତ ଭିତ୍ତିଭୂମି ଥିବା ଅନ୍ୟାନ୍ୟ ଅନୁଷ୍ଠାନ ଆଇଆଇଏଲ ଶୈଳୀରେ ଏହିସବୁ ପାଠ୍ୟକ୍ରମ ପ୍ରଦାନ ପାଇଁ ଅନୁମତି ପାଇବେ ।
ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟର ଆଇନ୍ ପ୍ରାଧାପକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାବିତ୍ଙ୍କ ବ୍ୟତୀତ ଆଇଆଇଏରେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ମାନ୍ୟବର ବିଚାରପତି, ପ୍ରତିଷ୍ଠିତ ଆଇନ୍ ବିଶାରଦ ଏବଂ ଖ୍ୟାତିସମ୍ପନ୍ନ ବରିଷ୍ଠ ଆଇନଜୀବି, ବାର ପ୍ରମୁଖ ନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସଂଶ୍ଳିଷ୍ଟ କରାଯିବା ସହ ସେମାନଙ୍କ ପରାମର୍ଶ, ସାହାଯ୍ୟ ଓ ସହଯୋଗ ନିଆଯିବ । ସେମାନେ ଆଇଆଇଏରେ ଅଧ୍ୟାପକ, ମାର୍ଗଦଶକ ଓ ଅତିଥ ଅଧ୍ୟାପକ ଭାବେ କାର୍ଯ୍ୟ କରିବେ। ଏହା ବ୍ୟତୀତ ବିସିଆଇ ଟ୍ରଷ୍ଟ ମଧ୍ୟ ପ୍ରତିଷ୍ଠିତ ଆଇନ୍ ସ୍କୁଲର ଡିନ୍, ବିଚାରପତି ଓ ବିଶ୍ବର ବିଭିନ୍ନ ଦେଶରେ ଥିବା ବାରର ସଦସ୍ୟଙ୍କୁ ମଧ୍ୟ ଏହି ସବୁ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିବ ।
ଉପରୋକ୍ତ ଆଇନ୍ ବିଶାରଦମାନେ ସେମାନଙ୍କ ଅଗାଧ ଜ୍ଞାନ ଓ ଅଭିଜ୍ଞତାରୁ କେବଳ ଯେ ଆଇନ୍ ଶିକ୍ଷକ ଏବଂ ଆଇନ୍ ପେଶାରେ ଥିବା ଆଇନଜୀବିମାନେ ଉପକୃତ ହେବେ ତା ନୁହେଁ, ସେମାନେ ମଧ୍ୟ ଏହି ବିଶିଷ୍ଟ ଆଇନ୍ ବିଶାରଦମାନଙ୍କ ସହ ମିଶିବା ସହ ସେମାନଙ୍କଠାରୁ ଶିଖିବାର ସୁଯୋଗ ପାଇବେ। ଆମର ବିଶ୍ବାସ ଏହି ଆଇଆଇଏଲ୍ ଆଇନ୍ ଶିକ୍ଷା ଓ ଆଇନ୍ ବୃଦ୍ଧିର ଇତିହାସ କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ ହେବ, ଯାହା କି ଆଇନ୍ ଓ ନ୍ୟାୟ ପ୍ରଦାନରେ ଏକ ବଡ଼ ସହାୟକ ହେବ । ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆମର ପ୍ରସ୍ତାବ ଗ୍ରହଣ କରି ଭୁବନେଶ୍ବରରେ ଆଇଆଇଏଲ୍ ଭଳି ଏକ ସମ୍ମାନଜନକ ଅନୁଷ୍ଠାନ ପ୍ରତିଷ୍ଠା ହେବା ପାଇଁ ଆବଶ୍ୟକ ଜମି ଯୋଗାଇ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ । ଡ. ସାମନ୍ତଙ୍କ ଏହି ମହତ କାର୍ଯ୍ୟ ପାଇଁ ଭବିଷ୍ୟତ ଆଇନଜୀବୀ ପିଢି ମଧ୍ୟ ତାଙ୍କ ନିକଟରେ ଋଣୀ ରହିବେ ।
ଡ. ସାମନ୍ତ ପ୍ରକୃତରେ ହେଉଛନ୍ତି ଗରିବ ଓ ଆଦିବାସୀ ଓ ଶିକ୍ଷା ଚାହୁଁଥିବା ପିଲାଙ୍କ ପାଇଁ ଜଣେ ତ୍ରାଣକର୍ତ୍ତା। ଆମେ ଜାଣୁ ଡ. ସାମନ୍ତ ଦୁଇଟି ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ, ମେଡିକାଲ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ନର୍ସ, ଲ, କଳା ଏବଂ ଆହୁରି ଅନେକ ବଡ଼ବଡ଼ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ୩୫ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ବିନାଦେୟରେ ରହିବା, ଖାଇବା, ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ପ୍ରଥମଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିଆସୁଛନ୍ତି । ସମଗ୍ର ବିଶ୍ବରେ ଏଭଳି ଜଣେ ମହାପୁରୁଷ ଅଛନ୍ତି ବୋଲି ଆମେ କେବେ ଜାଣି ନଥିଲୁ ବା ଶୁଣି ନଥିଲୁ, ଯିଏ କି ତ୍ୟାଗପୂତ ଭାବେ ସମାଜସେବା କରିଆସୁଛନ୍ତି ।
Post a Comment