loading...

ଆଦିବାସୀ ମେଳାର ତୃତୀୟ ସନ୍ଧ୍ୟା ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ କ୍ରୟ ପାଇଁ ବ୍ୟଗ୍ରତା

ସ୍ଵାଧୀନତା ପ୍ରାପ୍ତି ପରେ ଆଦିବାସୀ ବର୍ଗଙ୍କୁ ପ୍ରଗତିର ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ

ଆଦିବାସୀ ମେଳାର ତୃତୀୟ ସନ୍ଧ୍ୟା ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ କ୍ରୟ ପାଇଁ ବ୍ୟଗ୍ରତା

ଭୁବନେଶ୍ୱର, ସ୍ଵାଧୀନତା ପ୍ରାପ୍ତି ପରେ ଆଦିବାସୀ ବର୍ଗଙ୍କୁ ପ୍ରଗତିର ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସରକାରଙ୍କ ସମସ୍ତ ଉଦ୍ୟମର ପ୍ରତିଫଳନ ଘଟିଛି ଏକ ନମ୍ବର ୟୁନିଟ୍ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ । ସାମଗ୍ରିକ ଭାବରେ ଆଦିବାସୀ ମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ଷ୍ଟଲ ଗୁଡିକରେ ଦେଖିବାକୁ ମିଳିଛି । ବିଭିନ୍ନ ଜନଜାତି ବର୍ଗ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଗୁଡିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି । 

ସହରାଂଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀ ମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । ଏହାଛଡ଼ା ଆଦିବାସୀ ସମାଜ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବିଶୁଦ୍ଧ ଓ ତାହାର ଜୈବିକ ଗୁଣ ଏଯାବତ୍ର ଅକ୍ଷୁର୍ଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍ ଅନୁମାନ କରି ହେଉଛି । କରୋନା କଟକଣା ବଳବତର ରହିଥିବା ସତ୍ତ୍ୱେ ଅପରାହ୍ନରେ ମେଳା ପରିସରକୁ ବହୁ ଲୋକ ନିଜ ପରିବାର ସଙ୍ଗେ ଆସି ଆଗ୍ରହ ଓ ଉତ୍ସାହର ସହ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ କ୍ରୟ କରୁଛନ୍ତି । 

କେତେକ ଷ୍ଟଲରେ ଆଦିବାସୀ ମହିଳାମାନେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ନିଜ ହାତରେ ପ୍ରସ୍ତୁତ କରୁଥିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ହେଉଛି । ଗୃହିଣୀ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା କେତୋଟି ଷ୍ଟଲରେ ଅପେକ୍ଷାକୃତ ଗହଳି ଦେବାକୁ ମିଳୁଛି, ଯଦିଓ କରୋନା ଯୋଗୁଁ ସାମାଜିକ ଦୂରତା ରକ୍ଷାକୁ ଖୁବ୍ କଡ଼ାକଡ଼ି କରାଯାଇଛି ।  ଆଜି ତୃତୀୟ ସନ୍ଧ୍ୟାରେ ଆଦିବାସୀମାନଙ୍କ ଦ୍ଵାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା – ବାସୁମତୀ ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଗୃହିଣୀ ମାନଙ୍କର ଆଗ୍ରହ ଦେଖବାକୁ ମିଳିଥିଲା । 

ସେହିପରି ମହୁ, ଲାଖ, ଝୁଣା, ହରିଡା, ବାହାଡା ଓ ଅଁଳା ଭଳି ଲଘୁ ବନଜାତ ସାମଗ୍ରୀ ବିକ୍ରି ହେଉଥିବା ଷ୍ଟଲଗୁଡିକ ବୁଲିବାକୁ ଅନେକ ପରିବାର ଆଗ୍ରହ ଦେଖାଇଥିଲେ । କେତେକ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ, ଆଚାର ଆଦି କିଣିବାକୁ ସହରୀ ଗରାଖଙ୍କ ବ୍ୟଗ୍ରତା କିଛି କମ୍ ନ ଥିଲା । କେତେକ ମହିଳା ହାତରେ ଫୁଲଝାଡୁ ଓ ହଳଦୀଗୁଣ୍ଡ ପ୍ୟାକେଟ୍ ଧରି ମେଳା ପରିସରରୁ ଫେରୁଥିବାର ଦେଖାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget