ଭୁବନେଶ୍ୱର, ବିଭିନ୍ନ ଜଳସେଚନ ପ୍ରକଳ୍ପ, ଖଣି ପ୍ରକଳ୍ପ ଏବଂ ଶିଳ୍ପ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେଉଥିବା ଜନସାଧାରଣଙ୍କ ସମସ୍ୟା ଅନୁଧାନ ତଥା ସେମାନଙ୍କର ଥଇଥାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିବାକୁ ଆଜି ବିଧାନସଭା ଗୃହକମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ବିଧାନସଭା ପ୍ରକୋଷ୍ଠ ୫୪ରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲ।
ସୁବର୍ଣ୍ଣରେଖା, ରେଙ୍ଗାଳୀ, ଇନ୍ଦ୍ରାବତୀ, ଅପରକୋଲାବ ଜଳସେଚନ ପ୍ରକଳ୍ପ ଏବଂ ସଇଁତଳା ଗୋଳାବାରୁଦ କାରଖାନା ଦ୍ଵାର। ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କ ସମସ୍ୟା ସଂପର୍କରେ ଉକ୍ତ ବୈଠକରେ ବିଶେଷ ଆଲୋଚନା ହୋଇଥିଲା । ବିଗତ ୧୯ ସେପ୍ଟେମ୍ବର ୧୯୯୧ରେ ତତ୍କାଳୀନ ଗୃହକମିଟି ଅପରକୋଲାବ ଏବଂ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତଙ୍କ ବାସ୍ତବ ସମସ୍ୟା ଉପରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ପୁନଶ୍ଚ ୧୧ ନଭେମ୍ବର ୧୯୯୨ରେ ରେଙ୍ଗାଲି ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କ ଉପରେ ରିପୋର୍ଟ ପ୍ରଦାନ କରିଥିଲେ ।
୨୦୦୦ ମସିହାଠାରୁ ଦ୍ଵାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ବିଧାନସଭାରେ ଗୃହକମିଟି ଗଠିତ ହୋଇ ଆସୁଅଛି ଏବଂ ବିସ୍ଥାପିତଙ୍କ ସମସ୍ୟା ଓ ତା’ର ସମାଧାନରେ ନିରନ୍ତର ଦୃଷ୍ଟି ଦେଇ ଆସିଛି । ବିସ୍ଥାପିତଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ସଦସ୍ୟମାନେ ଦାବି କରିଥିଲେ । ଉକ୍ତ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାଣ୍ଡି, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ, ବିଧାୟକ ସନ୍ତୋଷ ସିଂ ସାଲୁଜା, ପର୍ଶୁରାମ ଧଡ଼ା, ପ୍ରଶାନ୍ତ ଜଗଦେବ, କିଶୋର କୁମାର ମହାନ୍ତି, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।
Post a Comment