ଭୁବନେଶ୍ୱର, ଧଉଳି ଗୁରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ୪ର୍ଥ ଆନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଅବସରରେ ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ-୨୦ ୨୧ ଶୁଭ ଉଦ୍ଘାଟିତ ହୋଇଅଛି । ମୁଖ୍ୟ ଅତିଥ ତଥା ସମ୍ମାନିତ ଅତିଥି ରୂପେ ବରିଷ୍ଠ ଚିତ୍ରଶିଳ୍ପୀ ତଥା ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ବିନୋଦ ମହାରଣା, ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ଭାରତ ପର୍ଯ୍ୟଟନର ସହକାରୀ ନିର୍ଦ୍ଦେଶକ ରଶ୍ମୀ ସୋନିଆତିର୍କୀ, ସାମାଜିକ କର୍ମୀ ହରେକୃଷ୍ଣ ସାହୁ ଓ ପ୍ରିୟଦଶି ପ୍ରଭ୍ୟୁଷ ରଥ ଯୋଗ ଦେଇ ଶିଳ୍ପୀମାନଙ୍କ ଚିତ୍ରକୁ ପ୍ରଶଂସା କରିବା ସହ କଳା ସମାଜର ପଥପ୍ରଦର୍ଶକ ବୋଲି ମତପ୍ରକାଶ କରିଥିଲେ।
ଏହି ପ୍ରଦର୍ଶନୀରେ ଓଡ଼ିଶା ବିଭିନ୍ନ ଜିଲ୍ଲା, ଭାରତର ଅନ୍ୟ ରାଜ୍ୟ ସହ ୧୦ଟି ଦେଶର ଶିଶୁ ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ । ମୋଟ ୫୫ ୨ ଶିଶୁଶିଳ୍ପୀ ଆବେଦନ କରିବା ସହ ଏଥିମଧ୍ୟରୁ ୩୮୦ ଜଣଙ୍କ ଚିତ୍ରକଳା ଉକ୍ତ ପ୍ରଦର୍ଶନୀରେ ସ୍ଥାନ ପାଇଛି । କୃତିଶିଳ୍ପୀମାନଙ୍କୁ ଡାକଯୋଗେ ପୁରସ୍କାର ପ୍ରଦାନ କରାଯିବା ସହ ରୋଜାଲିନା ଦାଶ ଓ ଖୋକନ ସରକାରଙ୍କୁ କଳା ଆଶ୍ଚର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଦର୍ଶନୀରେ ବିଶ୍ୱରେ କରୋନାର ଭୟାବହତା, ପ୍ରକୃତି ଓ ଜୀବଜଗତ ଏବଂ ବିଶ୍ବଶାନ୍ତି ଶୀର୍ଷକ ଚିତ୍ରକଳା ଦର୍ଶକଙ୍କୁ ମୁଗ୍ଧ କରିଥିଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସ୍ବାଗତ ସମ୍ଭାଷଣ ଦେବା ସ୍ଥଳେ, କାର୍ଯ୍ୟକାରୀ ସଭାପତି ଡ. ହୃଷିକେଶ ମିଶ୍ର ପୌରହିତ୍ୟ କରିବା ସହ ସମ୍ପାଦକ ମିହିରକାନ୍ତ ପ୍ରହରାଜ ପ୍ରଦର୍ଶନୀର ବିବରଣୀ ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀ ୟୁଟୁବ ଚ୍ୟାନେଲ, ଫେସବୁକ୍ ଓ ହ୍ଵାଟସ୍ଆପ୍ ମାଧ୍ୟମରେ ପ୍ରସାରିତ ହେବ । ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦନ କୁମାର ସାମଲ, ବିଶ୍ୱକାନ୍ତ ପଣ୍ଡା, ମାନସ ରଞ୍ଜନ ନାୟକ ଓ ଅଧ୍ୟାପିକା ସସ୍ମିତା କାମିଳା କାର୍ଯ୍ୟକ୍ରମକୁ ପରିଷ୍ଟଳନା କରିଥିଲେ । ଏହି ଅବସରରେ ନେପାଳ, ବଙ୍ଗଳାଦେଶ, ଇଣ୍ଡୋନେସିଆ, ଆମେରିକା ଓ ଭାରତର ୨୦ ଜଣ ବରିଷ୍ଠ ଶିଳ୍ପୀଙ୍କ ସଂଗୃହିତ ଚିତ୍ର ପ୍ରଦର୍ଶିତ ହୋଇଥିଲା ।
Post a Comment