ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜାନୁଆରୀ ୨୧ ତାରିଖଠାରୁ ସ୍ଥାନୀୟ ଜନତା ମଇଦାନଠାରେ ପଞ୍ଚଦଶ ତୋଷାଳି ହସ୍ତଶିଳ୍ପ ମେଳା ଅନୁଷ୍ଠିତ ହେଉଛି । ଏହି ମେଳାରେ ସମୁଦାୟ ୧୬୦ଟି ହସ୍ତଶିଳ୍ପ ଷ୍ଟଲ ଓ ୧୧୬ଟି ହସ୍ତତନ୍ତ ଷ୍ଟଲ ରହିଛି । ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଅତିଥୀ ଭାବେ ତୋଷାଳି ମେଳାରେ ଯୋଗଦେଇଥିଲେ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏକାଦଶ ଦିବସରେ ତୋଷାଳି ମେଳାରେ ରବିବାର ହେତୁ ପ୍ରବଳ ଭୀଡ଼ ଜମିଥିଲା ।
ସମସ୍ତ କୋଭିଡ୍ ନିୟମ ମାନି ଗ୍ରାହକମାନେ ମେଳା ପରିସର ପରିଦର୍ଶନ କରିଥିଲେ । ମେଳାର ଗେଟ୍ରେ ସାନିଟାଇଜର ଓ ଥର୍ମାଲ ସ୍ତର ସୁଚାରୁ ବ୍ୟବସ୍ଥା ହୋଇଥିଲା । ସମସ୍ତଙ୍କ ପାଇଁ ମେଳା ମଧ୍ୟରେ ମାସ୍କ ପରିଧାନ ବାଧ୍ୟତାମୂଳକ ଥୁଲା । ଗତକାଲି ମେଳାରେ ଏକ ଲକ୍ଷରୁ ଉର୍ଦ୍ଧ ଜନସମାଗମ ହୋଇଥିଲା । ମେଳାରେ ଜାନୁଆରୀ ୩୧ ତାରିଖ ସୁଦ୍ଧା ହସ୍ତଶିଳ୍ପ ଷ୍ଟଲ୍ରେ ୩ କୋଟିରୁ ଉର୍ଦ୍ଧ ଓ ହସ୍ତତନ୍ତ ଷ୍ଟରେ ୪ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ ହୋଇଥିଲା । ମେଳାରେ ହସ୍ତଶିଳ୍ପ ଜୋନ୍ରେ ଓଡ଼ିଶାର କାଗଜ ମୁଖା, ନଡ଼ା ହସ୍ତଶିଳ୍ପ, ଚାନ୍ଦୁଆ କାମ, ପଟ୍ଟଚିତ୍ର, ଡୋକ୍ରା, ସବାଇ ଘାସ, କଂସାପିତ୍ତଳ ଆଦି ଗ୍ରାହକମାନଙ୍କୁ ଆକର୍ଷିତ କରୁଛି ।
ଏହା ସହିତ ତ୍ରିପୁରାର ବାଉଁଶ କାମ, ମହୀଶୂରର କାଠଖୋଦେଇ କାମ ଲୋକମାନଙ୍କୁ ଅଧୁକ ଆକୃଷ୍ଟ କରିପାରିଛି । କଳାହାଣ୍ଡିର ଧର୍ମଗଡ଼ର କାଠଖୋଦେଇ ହାତୀ ଦର୍ଶକମାନଙ୍କୁ ବିମୋହିତ କରୁଛି । ତୋଷାଳି ମେଳାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ହେଲପଡେସ୍କର ସୁବିଧା ସହିତ ଦୁଇଚେୟାରର ବ୍ୟବସ୍ଥା କରାଯାଇଛି । ସେମାନଙ୍କର ମାର୍କେଟିଂ ସୁବିଧା ପାଇଁ ମେଳା ପରିସରରେ ଷ୍ଟଲ୍ ମଧ୍ୟ ଯୋଗାଇ ଦିଆଯାଇଛି । ଉତ୍କଳିକା ଷ୍ଟଲରେ ଓଡ଼ିଶାର ସମସ୍ତ ପ୍ରକାରର ହସ୍ତଶିଳ୍ପ ସମ୍ଭାର ଜନସାଧାରଣଙ୍କୁ ଆକୃଷ୍ଟ କରୁଛି ଓ ବେଶ୍ ବିକ୍ରିବଟା ହେଉଛି । ତୋଷାଳି ମେଳାରେ ଝୋଟର ହାତ ତିଆରି ବ୍ୟାଗ୍ରର ଷ୍ଟଲ୍ ମେଳା ମଧ୍ୟରେ ଖୋଲାଯାଇଛି ଏବଂ ଏହା ଦର୍ଶକମାନଙ୍କର ବେଶ୍ ପସନ୍ଦଯୋଗ୍ୟ ହୋଇପାରିଛି ।
ସେହିପରି ତୋଷାଳି ମେଳାରେ ମୟୂରଭଞ୍ଜର ମୁଗୁନିପଥରରେ ତିଆରି ପଥୁରି, ଶିଳ, ଚନ୍ଦନପେଡ଼ି ଏବଂ କେନ୍ଦ୍ରାପଡ଼ାର କାଇଁଚ କାମର ସାମଗ୍ରୀ ଦର୍ଶକମାନଙ୍କ ଦ୍ବାରା ବେଶ୍ ଆଦୃତ ହେଉଛି । ତୋଷାଳି ମେଳାରେ ଓଡ଼ିଶା ବାହାରୁ ଆସିଥିବା ହିମାଚଳ ପ୍ରଦେଶର ଜ୍ୟାକେଟ୍, ଶାନ୍ତିନିକେତନର ଚମଡ଼ା କାମ, ଆସାମର ବାଉଁଶ କାମ, ବିହାରର ମଧୁବନୀ କାମ, ପଞ୍ଜାବର ଫୁଲକାରୀ ଶିଳ୍ପ ଦର୍ଶକମାନଙ୍କ ମନ ଜିଣୁଛି । ଜନତା ମଇଦାନଠାରେ ଆୟୋଜିତ ତୋଷାଳି ମେଳା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ମେଳା ସର୍ବସାଧାରଣଙ୍କ ପାଇଁ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି ।
Post a Comment