loading...

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ମଧୁବାବୁ ଥିଲେ ଜାତୀୟ ଗୌରବର ଅଧିକାରୀ

ଉତ୍କଳର ନିର୍ମାତା, ସତନ୍ତ୍ର ଓଡିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ମଧୁବାବୁ ଥିଲେ ଜାତୀୟ ଗୌରବର ଅଧିକାରୀ

ଭୁବନେଶ୍ବର, ଆଜି ନବ ଉତ୍କଳର ନିର୍ମାତା, ସତନ୍ତ୍ର ଓଡିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆଜି ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍କଳଗୌରବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥୀ ଭାବେ ଯୋଗଦେଇ ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ ଯେ, ମଧୁବାବୁ କେବଳ ଓଡିଶାର ଗୌରବ ନୁହଁନ୍ତି, ସେ ଥିଲେ ଯଥାର୍ଥରେ ଭାରତର ଜାତୀୟ ଗୌରବର ଅଧିକାରୀ । 

ତତ୍କାଳୀନ ଖଣ୍ଡ ବିଖଣ୍ଡିତ ଓଡିଶାର ଏକତ୍ରୀକରଣ, ଓଡିଆ ଅସ୍ତିତାର ପୁନରୁଦ୍ଧାର, ସାଂସ୍କୃତିକ ଜାଗରଣ ଏବଂ ଦେଶର ସାଧୀନତା ସଂଗ୍ରାମକୁ ସ୍ଫୁଲିଙ୍ଗ ଦେବାରେ ସେ ଥିଲେ ଅଗ୍ରଗଣ୍ୟ ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ଭର୍ତ୍ତୃଆଲ ବ୍ୟବସ୍ତାରେ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ଯୋଗଦେଇ ମଧୁବାବୁ ସର୍ବଦା ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ଚିନ୍ତା କରି କାର୍ଯ୍ୟ କରୁଥିଲେ ଏବଂ ତାଙ୍କର କାର୍ଯ୍ୟଧାରା ଉପରେ ଆଲୋକପାତ କରି ସମସ୍ତେ ତାଙ୍କ ଦ୍ଵାରା ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥ ଭାବେ ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ଯୋଗଦେଇ ମଧୁବାବୁ ବାଳିକା ଶିକ୍ଷାକୁ ଗୁରୁତ୍ବ ଦେଉଥିଲେ ବୋଲି ପ୍ରକାଶ କରିଥିଲେ । 

ମଧୁବାବୁଙ୍କ ଓଡିଆ ଜାତି ପାଇଁ ନିଃସ୍ବାର୍ଥପର କାର୍ଯ୍ୟ ଓ ଚିନ୍ତାଧାରାକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍ ବୋଲି ଶ୍ରୀ ବିଶ୍ବାଳ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶା ରିଭ୍ୟ ଏବଂ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଡଃ. ଲେନିନ୍ ମହାତି ଯୋଗଦେଇ କହିଲେ ଯେ, ମଧୁବାବୁଙ୍କ ଦ୍ବାରା ୧୯୦୩ ମସିହାରେ ଉତ୍କଳ ସନ୍ମିଳନୀକୁ ନେତୃତ୍ଵ ଓ ସାଧାରଣ ସଭା ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ସତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମାର୍ଗଦର୍ଶନ କରିଥିଲା । ରାଜ୍ୟରେ କୁଟୀର ବିକାଶଠାରୁ ଆରମ୍ଭ କରି ଓଡ଼ିଆ ଜାତି ଓ ଦେଶ ପାଇଁ ମଧୁବାବୁ ଯାହା କରିଯାଇଛନ୍ତି, ତାହା ସ୍ମରଣୀୟ ହୋଇ ରହିଛି । ମଧୁବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସାର୍ଥ ତ୍ୟାଗ କରି ଦେଶମାତୃକା ପାଇଁ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । 

ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ପ୍ରଫେସର ଡ. ସନ୍ତୋଷ ତ୍ରିପାଠୀ ଯୋଗଦେଇ ମଧୁବାବୁଙ୍କର ଜାତୀୟ ପ୍ରୀତି, ଦେଶପ୍ରେମ, ଜୀବନାଦର୍ଶ ଓ ଓଡିଆ ଜାତିର କଲ୍ୟାଣ ପାଇଁ ତାଙ୍କର ସଂଗ୍ରାମର କାହାଣୀ ଉପରେ ସାରଗର୍ଭକ ବକ୍ତବ୍ୟ ରଖୁଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରାରମ୍ଭିକ ସାଗତ ଭାଷଣ ପ୍ରଦାନ ପୂର୍ବକ ପ୍ରାତଃ ସ୍ମରଣୀୟ କୂଳବୃଦ୍ଧ ମଧୁସୁଦନଙ୍କୁ ପ୍ରଜ୍ଞାପୁରୁଷ ଭାବେ ଅଭିହିତ କରି ମଧୁବାବୁଙ୍କ ଜୀବନୀ ସଦା ସର୍ବଦା ଆମକୁ ସାଭିମାନର କଥା ଜାଗ୍ରତ କରାଉଛି ବୋଲି କହିଥିଲେ । 

ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ ) ଶ୍ରୀ ନିରଂଜନ ସେଠୀ ଓ ଅନ୍ୟ ଅତିଥିମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ ଓ ବିଭାଗୀୟ ଅନ୍ୟ ପଦାଧିକାରୀ, ବୁଦ୍ଧିଜୀବୀ ଓ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର ) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରକାଶ ଥାଉକି, ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଉତ୍କଳଗୌରବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରାଜ ଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget