ଭୁବନେଶ୍ୱର, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବର୍ତମାନ ଜନସାଧାରଣଙ୍କୁ ଖୁବ୍ ବାଧୁଛି । ତୈଳ ଦର ବୃଦ୍ଧି ଯୋଗୁଁ ଦର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଜନସାଧାରଣ ଓ ଚାଷୀ ବହୁ ହନ୍ତସନ୍ତ ହେଉଛନ୍ତି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୟୁପିଏ – ୧ ଓ ୨ ସମୟରେ ଆର୍ତଜାତିକ ସ୍ତରରେ ଅଶୋଧୃତ ତୈଳ ଦର ବ୍ୟାରେଲ ପିଛା ୧୦୦ ରୁ ୧୩୦ ଡଲାର ଥୁଲାବେଳେ ପେଟ୍ରୋଲ ଓ ଡିଜେଲ ଦର ସବୁବେଳେ ଲିଟର ପିଛା ୮୦ ଟଙ୍କା ତଳକୁ ରହୁଥିଲା । ବର୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୦ ଡଲାରକୁ ଖସି ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କାକୁ ଛୁଇଁଲାଣି ।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁଥିଲେ, ଯେଉଁମାନେ ତେଲ ଦର ବଢାଉଛନ୍ତି ସେମାନେ ଦେଶଦ୍ରୋହୀ । ଏବେ କେଉଁମାନେ ଦେଶଦ୍ରୋହୀ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ ସମୟରେ ମଧ୍ୟ ବିଜୁ ଜନତା ଦଳ ତୈଳ ବୃଦ୍ଧିକୁ ନେଇ ନାନାଦି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ବର୍ତ୍ତମାନ ସେମାନେ କାହିଁକି ଚୁପ୍ ହୋଇ ବସିଛନ୍ତି ? ସେଥୁପାଇଁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖୁ ଅନୁରୋଧ ଓ ଦାବି କରିଛନ୍ତି ଯେ ରାଜ୍ୟରେ ତୈଳ ଦର ଲିଟର ପିଛା ୧୦ ଟଙ୍କା କମାଯାଉ ।
ଦର କମାଇଲେ ରାଜସ୍ବ ହାନୀ ହେବାର ବିଜେଡି ସରକାର ଯଦି ଭାବୁଥାନ୍ତି, ତେବେ ଜିଏସ୍ଟି ବାବଦରୁ ପାଉଥିବା ଅର୍ଥ ସେହି ରାଜସ୍ବ ନିଅଂଟ ଭରଣା ହୋଇପାରିବ । ଅନ୍ୟପକ୍ଷରେ ଆମ ରାଜ୍ୟ ଦେଇ ପ୍ରତିଦିନ ପଡୋଶୀ ରାଜ୍ୟର ବହୁ ଯାନ, ଭାରୀଯାନ ଯା’ ଆସ କରୁଛନ୍ତି । ତୈଳ ଦର କମ୍ ରହିଲେ ସେହି ଯାନଗୁଡିକ ଆମ ରାଜ୍ୟରୁ ତୈଳ ସଂଗ୍ରହ କରିବେ । ଫଳରେ ସରକାର ଦେଉଥିବା ରିହାତି ଏହି ତୈଳ ବିକ୍ରୀରୁ ଭରଣା କରିପାରିବେ ଏଣୁ ଅଧୁକ ଜିଏସ୍ଟି ଆସିବା ଫଳରେ ରାଜସ୍ବ ହାନୀର ଆଶଙ୍କା ରହିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି ।
ଏତଦ୍ବ୍ୟତୀତ କେନ୍ଦ୍ର ସରକାର ତୈଳ ଉପରେ ନେଉଥିବା ୩୪-୩୫ ଟଙ୍କା ଟିକସକୁ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାନ୍ତୁ । ଜିଏସ୍ଟି ବାବଦରେ ରାଜ୍ୟ ସରକାର ପାଉଥିବା ୧୭ ଟଙ୍କାରୁ ମଧ୍ୟ ୧୦ ଟଙ୍କା କମାନ୍ତୁ । ତେବେ ସାଧାରଣ ଲୋକମାନେ ଆଶ୍ବସ୍ତି ଲାଭ କରିବେ ଓ ଦରଦାମ୍ ନିୟନ୍ତ୍ରଣ ହୋଇପାରିବ । ଯଦି ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କଂଗ୍ରେସ ଦଳ ୧୫ ତାରିଖ ଦିନ ‘ ଓଡିଶା ବନ୍ଦ୍’ର ଡାକରା ଦେବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।
Post a Comment