ଭୁବନେଶ୍ୱର, ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖୁ ସେ ସମାଜର ହିତସାଧନ କରୁଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟର ବାର୍ଷିକ ସାରସ୍ୱତ ସମାଗମ ‘ଶୀତ ଉତ୍ସବ’ ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ସାହିତ୍ୟ କେବଳ ସାମଜର ପ୍ରକୃତ ଛବି ଦେଖାଏନି, ସମାଜର ଗତି ଓ ପ୍ରକୃତିକୁ ନିୟନ୍ତ୍ରିତ କରେ । ଭବିଷ୍ୟତକୁ ମାର୍ଗଦର୍ଶନ କରାଏ ।
ସାହିତ୍ୟ ହେଉଛି ସମାଜର ଉତ୍ତରଣରେ ପ୍ରମୁଖ ସାରଥ । ସାହିତ୍ୟ ହେଉଛି ଆନନ୍ଦମୟ କୋଷର କଥା ଏବଂ ସାହିତ୍ୟିକମାନେ ହେଉଛନ୍ତି ଆନନ୍ଦମୟ କୋଷର ମାଲିକ । ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଏବଂ ଆନନ୍ଦକୁ ଚାଲିଯିବ । ସେ ନିଜେ ହିଁ ନିଜର ଆଲୋକ । ବାହାରର ଦିଗ୍ଦର୍ଶନକୁ ଅପେକ୍ଷା ନକରି ନିଜ ଭିତରର ସ୍ୱରକୁ ଶୁଣିବାକୁ ରାଜ୍ୟପାଳ ସମବେତ ସାହିତ୍ୟିକ ଓ ଶିଳ୍ପୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ବିଭିନ୍ନ ସାରସ୍ବତ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଭୂୟସୀ ପ୍ରଶଂସା କରି ଏହା ଓଡ଼ିଶାରେ ସୃଜନ ପରମ୍ପରାର ପରିବୃଦ୍ଧି ନିମନ୍ତେ ଏକ ସଫଳ ଆୟୋଜନ ବୋଲି ପ୍ରକାଶ କରିଛନ୍ତି ।
ଜ୍ଞାନପୀଠ ବିଜୟିନୀ ଖ୍ୟାତନାମା ସାହିତ୍ୟିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ କହିଲେ ଯେ ସାହିତ୍ୟ ସବୁବେଳେ ସଂକଟର ସମାଧାନ ପାଇଁ ବାଟ ଦେଖାଇଥାଏ । ସାହିତ୍ୟ ପଥରେ ଏହି ପରିତ୍ୟଜ ନୁହଁନ୍ତି । ସମାଜ ମଣିଷ ପାଇଁ ଅପରିହାର୍ଯ୍ୟ । ସେହିପରି ସାହିତ୍ୟ ସମାଜ ପାଇଁ ମଧ୍ୟ ଏକାନ୍ତ ଆବଶ୍ୟକ ବୋଲି ଡ. ରାୟ ପ୍ରକାଶ କରିଥିଲେ । ପଦ୍ମବିଭୂଷଣ ସୁଦର୍ଶନ ସାହୁ ସାହିତ୍ୟକୁ ଏକ ମହାସାଗର ସହ ତୁଳନା କରି ସାହିତ୍ୟ ହିଁ ତାଙ୍କ ସୃଜନକଳାର ପ୍ରମୁଖ ଉତ୍ସ ବୋଲି ସ୍ବୀକାର କରିଥିଲେ । ଲେଖୁକା ତଥା ଅର୍ଥନୀତିଜ୍ଞ ଡ. ମନିକା ଦାସ ସାହିତ୍ୟରେ ନାରୀମାନଙ୍କର ସ୍ଥିତି ସଂପର୍କରେ ଆଲୋଚନା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ।
ଭୁବନେଶ୍ୱର ସାହିତ୍ୟ ସମାଜର ଉପଦେଷ୍ଟା ଆଡ୍ଭୋକେଟ୍ ଗୁରୁ ମହାନ୍ତି ସ୍ଵାଗତ ଭାଷଣ ଦେଇଥିବାବେଳେ ଟ୍ରଷ୍ଟର ସଭାପତି କବି ସୂର୍ଯ୍ୟ ମିଶ୍ର ଭାରତୀୟ ସାହିତ୍ୟକୁ ଏକ ହିରଣ୍ୟ ପାତ୍ର ଭାବରେ ଅଭିହିତ କରିଥିଲେ ଏବଂ ସଂପାଦିକା ସୋନାଲି ମହାପାତ୍ର ପ୍ରମୁଖ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ବିଶିଷ୍ଟ କବି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୁଜନ ସମ୍ମାନ’ ଏବଂ ଶିଳ୍ପୀ ଡ. ରମାକାନ୍ତ ସାମନ୍ତରାୟଙ୍କୁ ‘ଦିନନାଥ ପାଠୀ ସୂତି ଶିଳ୍ପୀ ସମ୍ମାନ’ ପ୍ରଦାନ କରିଥିଲେ ।
ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘କବିତା ୨୦୨୦', ଗୁରୁ ମହାନ୍ତିଙ୍କ ‘ଅଫେରା’, ଡ. ସ୍ଵପୂରାଣୀ ସିଂଙ୍କ ‘ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତଦ୍ଧ’, ଡ. ଅଭୟ ନାରାୟଣ ନାୟକଙ୍କ ‘ଅସୀମ ଆକାଶ', ସୂର୍ଯ୍ୟ ମିଶ୍ରଙ୍କ ଅନୁଦିତ ଉପନ୍ୟାସ ‘ ଅର୍ଦ୍ଧନାରୀଶ୍ୱର’ ଓ କବିତା ପୁସ୍ତକ ‘ ଅନେକ ନିଦ୍ରିତ ଛାଇ”, କବି ସୁଧା ପଟ୍ଟନାୟକଙ୍କ ‘ମୁକ୍ତିପଥ', ପ୍ରଜ୍ଞାପ୍ରବର୍ତ୍ତିକା ଦାସଙ୍କ ରଚିତ ଉପନ୍ୟାସ ‘ନିଖୋଜ’ ଆଦି ରାଜ୍ୟପାଳ ପ୍ରଫେସର ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।
ବିଶିଷ୍ଟ ଉପସ୍ଥାପିକା ସୁଚେତା ପ୍ରିୟଦର୍ଶନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଉପସ୍ଥିତ ଥିଲେ । ଉତ୍ସବର ଦ୍ବିତୀୟ ଅଧୂବେଶନରେ ଡ. ହୃଷିକେଶ ମେହେର ଓ ଅନୁଷ୍ଠାନର ଉପସଭାପତି ମିନତି ଦାଶ (ମାନି)ଙ୍କ ଯୁଗ୍ଧ ସଭାପତିତ୍ବରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ନୀଳଲୋହିତ ମହାପାତ୍ର ଓ ଅଧାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ରୁ ଉର୍ଦ୍ଧ କବି ସ୍ୱରଚିତ ଲେଖାପାଠ କରିଥିଲେ ।
Post a Comment