ଭୁବନେଶ୍ୱର, ବହୁ ଚର୍ଚ୍ଚିତ ମାସ୍କ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନିତୀ ମାମଲାରେ ଆଜି ଲୋକାୟୁକ୍ତର ତିନି ଜଣିଆ ଖଣ୍ଡପିଠ ବିଚାର କରି ଚୁଡାନ୍ତ ରାୟ ଶୁଣାଇଛନ୍ତି । ଭିଜିଲାନ୍ସ ଦ୍ବାରା ଦାଖଲ ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣାର ଦୁର୍ନିତି ହେବାର ପ୍ରମାଣ ନଥିବା ଉଲ୍ଲେଖ କରି ମାନ୍ୟବର ଲୋକାୟୁକ୍ତ ଏହାକୁ ଖାରଜ କରି ଦେଇଛନ୍ତି । ମାତ୍ର ଭିଜିଲାନ୍ସର ରିପୋର୍ଟକୁ ସାର୍ବଜନୀନ ନକରି, ଏପରିକି ଆବେଦନକାରୀଙ୍କୁ ନଦେଖାଇ ଏବଂ ତାର ସତ୍ୟତା ଉପରେ ଅନୁସନ୍ଧାନ ନକରି ଲୋକାୟୁକ୍ତଙ୍କ ଏହି ନିଷ୍ପତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆବେଦନକାରୀ ତଥା କଂଗ୍ରେସର ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ହାଇକୋର୍ଟରେ ଏହି ନିଷ୍ପତି ବିରୋଧରେ ଅପିଲ କରାଯିବ ବୋଲି ଶ୍ରୀ ସୁଦର୍ଶନ ଦାସ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉକି କରୋନା ମାହାମାରୀ ସମୟରେ ରାଜ୍ୟ ସରକାରଙ୍କର ରାଜ୍ୟ ଔଷଧ ନିଗମ ଦ୍ଵାରା ମାସ୍କ, ପି.ପି.ଇ କିଟ୍, ଆର୍.ଟି.ପି.ସି.ଆର ମେସିନ, ଟେଷ୍ଟି କିଟ୍, ନେବୁଲାଇଜର ଇତ୍ୟାଦି ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନିତୀ ହୋଇଥୁବା ଅଭିଯୋଗ କରି ଆବେଦନ କାରୀ ଶ୍ରୀ ସୁଦର୍ଶନ ଦାସ ଗତବର୍ଷ ଜୁନ ୧୭ ତାରିଖରେ ଲୋକାୟୁକ୍ତଙ୍କ ଦ୍ବାରସ୍ତ ହୋଇଥିଲେ । ଶ୍ରୀ ଦାସଙ୍କ ଆବେଦନକୁ ଗ୍ରହଣ କରି ମାନ୍ୟବର ଲୋକୟୁକ୍ତ ୮ଥର ଏହା ଉପରେ ଶୁଣାଣି କରିଥିଲେ । ରାଜ୍ୟ ସରକାରଙ୍କର ତତ୍କାଳୀନ ଶିଳ୍ପ ବିଭାଗର ସଚିବ ତଥା କୋଭିଡ୍ ସାମଗ୍ରୀ କିଣା ଦାୟୀତ୍ବରେ ଥିବା ବରିଷ୍ଟ ଆଇଏଏସ୍ ଅଫିସର ଶ୍ରୀ ହେମନ୍ତ ଶର୍ମା, ଔଷଧ ନିଗମର ଏମ୍.ଡି ଶ୍ରୀମତୀ ଦାମିନୀ ଷଢଙ୍ଗୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ ମହାପାତ୍ର ପକ୍ଷଭୁକ୍ତ କରି ସେମାନଙ୍କ ଠାରୁ ମୌଖୁକ ଓ ଲିଖୁତ ଜବାବ ତଲବ କରିଥିଲେ ।
ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ କେଉଁ ପ୍ରରିପ୍ରେକ୍ଷୀରେ ହେମନ୍ତ ଶର୍ମାଙ୍କୁ କୋଭିଡ୍ ସାମଗ୍ରୀ କିଣା କମିଟିରୁ ବାଦ କରାଗଲା ତାର ଜବାବ ମାଗିଥିଲେ । ଆବେଦନକାରୀ ଶ୍ରୀ ଦାସଙ୍କ ଯୁକ୍ତି ଏବଂ ପ୍ରତିପକ୍ଷର ଉତର ଶୁଣିଲା ପରେ ମାନ୍ୟବର ଲୋକାୟୁକ୍ତ ଗତ ବର୍ଷ ଡିସେମ୍ବର ୭ ତାରିଖରେ ଏହାର ପ୍ରାଥମିକ ତଦନ୍ତ ପାଇଁ ଭିଜିଲାନ୍ସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ମାର୍ଚ୍ଚ ୧୬ ତାରିଖରେ ଭିଜିଲାନ୍ସ ଏହି ରିପୋର୍ଟ ଲୋକାୟୁକ୍ତରେ ଦାଖଲ କରିଥିଲେ । ସେହି ରିପୋର୍ଟ ଆଧାରରେ ଆଜି ମାନ୍ୟବର ଲୋକାୟୁକ୍ତଙ୍କ ତିନି ଜଣିଆ ଖଣ୍ଡପିଠ ଏହି ମାମଲାକୁ ଖାରଜ କରି ଦେଇଛନ୍ତି । ଆଜି ଲୋକାୟୁକ୍ତରେ ଚୁଡାନ୍ତ ଶୁଣାଣୀ ସମୟରେ ଆବେଦନକାରୀ ଶ୍ରୀ ସୁଦର୍ଶନ ଦାସ ଭିଜିଲାନସ୍ ରିପୋର୍ଟର ନକଲକୁ ସାର୍ବଜନୀନ ନକରି ଓ ଆବେଦନକାରୀକୁ ନଦେଖାଇ, ସେ ରିପୋର୍ଟକୁ ଆଧାର କରି ଏହି ମାମଲାକୁ ଖାରଜ କରିବା ଲୋକାୟୁକ୍ତଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଯୁକ୍ତି ବାଢିଥିଲେ ।
ସେ କହିଥିଲେ ଯେ ଭିଜିଲାନ୍ସର ରିପୋର୍ଟର ନିରପେକ୍ଷତାକୁ ନେଇ ତର୍ଜମା ହେବା ଆବଶ୍ୟକ ଏବଂ ତାଉପରେ ଆବେଦନକାରୀଙ୍କ ଯୁକ୍ତି ମଧ୍ୟ ଲୋକାୟିକ୍ତ ଶୁଣିବା ବିଧେୟ । ତା ନକରି କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ହୋଇ ନାହିଁ ବୋଲି ଲୋକାୟୁକ୍ତ ଉପସଂହାରରେ ଉପନୀତ ହେବା ଦୁର୍ଭାଗ୍ୟ ଜନକ ଏବଂ ଏପରି ହେଲେ ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କର ଭରସା ରହିବ ନାହିଁ ବୋଲି ଶ୍ରୀ ଦାସ ଯୁକ୍ତି ବାଢ଼ିଥିଲେ। ଲୋକାୟୁକ୍ତର ଅଧକ୍ଷ ନ୍ୟାୟମୂତୀ ଶ୍ରୀ ଅଜିତ ସିଂ, ନ୍ୟାୟମୂତୀ ବିଜୟ କୁମାର ନାୟକ ଓ ଏକ୍ସପର୍ଟ ସଦସ୍ୟ ଡ: ଦେବବ୍ରତ ସ୍ବାଇଁ ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପିଠ ଆଜିର ଏହି ଶୁଣାଣୀରେ ଉପସ୍ଥିତ ଥିଲେ ।
Post a Comment