ଭୁବନେଶ୍ୱର, ପବିତ୍ର ଓଡ଼ିଶା ଦିବସ ଅବସରରେ ସାରା ଓଡ଼ିଶା ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ। ଭାଇଭଉଣୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଆମର ବରପୁତ୍ରମାନେ ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ଓଡ଼ିଶାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ବୋଲି କହିଛନ୍ତି । ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ମଞ୍ଚ ଓ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜାବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ପରି ବରପୁତ୍ରମାନଙ୍କର ତ୍ୟାଗ ଓ ସଂଗ୍ରାମ ଯୋଗୁଁ ସ୍ବତନ୍ତ୍ର ଓଡ଼ିଶାର ସ୍ୱପ୍ନ ସଫଳ ହୋଇପାରିଥିଲା ।
ସେମାନଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଭାଷାଭିତ୍ତିକ ରାଜ୍ୟ ଗଠନ କ୍ଷେତ୍ରରେ ଓଡ଼ିଶା ସମସ୍ତଙ୍କୁ ରାସ୍ତା ଦେଖାଇଥିଲା ବୋଲି ପ୍ରକାଶ କରିଥିଲେ । ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା, ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ, ଗରିବ ଲୋକମାନଙ୍କ ପାଇଁ କଲ୍ୟାଣ କାର୍ଯ୍ୟକ୍ରମ ଆଦି ଅନେକ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ମଡେଲ ହୋଇପାରିଛି । କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଆମର ଉନ୍ନତି ପରିଲକ୍ଷିତ ହୋଇଛି । ୫‘ଟି' ଏବଂ “ମୋ ସରକାର’ ପରି କାର୍ଯ୍ୟକ୍ରମ ଦେଶରେ ଏକ ଆଦର୍ଶ ତଥା ସମ୍ବେଦନଶୀଳ ପ୍ରଶାସନିକ ମଡେଲ ସୃଷ୍ଟି କରିପାରିଛି । ଓଡ଼ିଶା ଆଜି ଶକ୍ତି ଓ ବିକାଶର ନୂଆ ପରିଚୟ ହୋଇଛି । ଆମର ପ୍ରକୃତ ବିକାଶ ପାଇଁ ଜନସାଧାରଣ ଭାଗୀଦାର ହୋଇ ବିକାଶ ପ୍ରକ୍ରିୟାକୁ ଜନଆନ୍ଦୋଳନରେ ପରିଣତ କରନ୍ତୁ । ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ ବେଳକୁ ଯେପରି ଆମର ନୂଆ ଓଡ଼ିଶା ସଶକ୍ତ ଓଡ଼ିଶାର ସ୍ଵପ୍ନ ବାସ୍ତବ ରୂପ ନେଇପାରିବ ସେ ଦିଗରେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ।
କରୋନାର ଦ୍ବିତୀୟ ସଂକ୍ରମଣର ଆଶଙ୍କା ଥିବାରୁ ସମସ୍ତେ ସବୁ ନିୟମ ପାଳନ କଲେ ଆମେମାନେ ଏହାର ପ୍ରତିରୋଧ କରିପାରିବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସ୍ଵାଗତ ଭାଷଣ ପ୍ରଦାନ କରି ଓଡ଼ିଶାକୁ ଅଧୁକ ଉନ୍ନତି ଓ ବିକଶିତ କରିବା ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି କହିଥିଲେ । ଓଡ଼ିଶା ଦିବସ ଉପଲକ୍ଷେ ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମ ନାଥ କୋବିନ୍ଦ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ପଠାଇଥିବା ଶୁଭେଚ୍ଛା ବାର୍ତ୍ତାର ଓଡ଼ିଆ ଅନୁବାଦକୁ କମିଶନର ତଥା ଶାସନ ସଚିବ ଶ୍ରୀ ସିଂ ପାଠ କରିଥିଲେ।
ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶା ଦିବସ ଉତ୍ସବରେ ସଭାପତି ଭାବେ ଯୋଗଦାନ କରି କହିଥିଲେ ଯେ ବହୁ ବିଶିଷ୍ଟ ନେତୃବୃନ୍ଦଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ୧୯୩୬ ମସିହା ଅପ୍ରେଲ ପହିଲାରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ସ୍ୱପ୍ନ ସାକାର ହୋଇଥିଲା । ପ୍ରାଚୀନ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟ ଏବଂ ସାହିତ୍ୟର ଉନ୍ନତି ଚରମ ସୀମାରେ ଉପନୀତ ହୋଇଥିଲା । ମାନ୍ୟବର ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ସମଗ୍ର ଭାରତବର୍ଷରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଓ ଅନନ୍ୟ । ଆଜିର ଦିନରେ ଭାଷାଭିତ୍ତିକ ରାଜ୍ୟ ଗଠନର ମହାନ ସ୍ୱପ୍ନ ସାକାର ହୋଇଥିଲା । ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଉତ୍ସବରେ ଯୋଗଦେଇ ଓଡ଼ିଶା ଦିବସ ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଦିବସ ବୋଲି ପ୍ରକାଶ କରିଥିଲେ ।
ଓଡ଼ିଶାକୁ ଅଧୁକ ଉନ୍ନତି ଓ ବିକଶିତ କରିବା ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ମାନ୍ୟବର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଉତ୍କଳ ସମ୍ମଳିନୀ ଏବଂ ବହୁ ମହାପୁରୁଷଙ୍କ ଅସୀମ ତ୍ୟାଗ ଏବଂ ପରିଶ୍ରମ ଫଳରେ ଓଡ଼ିଶାବାସୀ ନିଜ ପରିଚୟର ସୁରକ୍ଷା ପାଇପାରିଥିଲେ । ସଭାରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ଉପସ୍ଥିତ ଥଲେ । ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟାର ଉନ୍ମୋଚନ ହେବା ସହ କୃତୀ ଭିନ୍ନକ୍ଷମମାନଙ୍କୁ ରେଡ୍କ୍ରସ ପୁରସ୍କାର -୨୦୨୧ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।
Post a Comment