ଭୁବନେଶ୍ୱର, ଏମ୍ସ ଭୁବନେଶ୍ୱରର ସହଭାଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୋଭିଡ ସହିତ ମୁକାବିଲା - କିଛି ତଥ୍ୟ ଏବଂ ସାଧନ ନାମକ ଏକ ସମୟୋପଯୋଗୀ ୱେବିନାର ଶୃଙ୍ଖଳା ଆରମ୍ଭ କରିଛି | ଏହି ଶୃଙ୍ଖଳାର ତୃତୀୟ ୱେବିନାର ୨୧ ମଇରେ ଆୟୋଜିତ ହୋଇଥିଲା ଯାହାକି କୋଭିଡ ୧୯ ସମ୍ବନ୍ଧରେ ପ୍ରଚଳିତ ଅନେକ ଭୁଲ ଧାରଣା ଏବଂ ଗୁଜବକୁ ଦୂର କରିବା ଉପରେ ଧ୍ୟାନ ଦେଇଥିଲା | ଏହି କାର୍ଯ୍ୟକ୍ରମଟି WB-OHEPEEର ସହଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟର IQAC ଦ୍ୱାରା ଆୟୋଜିତ ହୋଇଥିଲା | ଡାକ୍ତରଖାନା ପ୍ରଶାସନର ଅତିରିକ୍ତ ପ୍ରଫେସର ତଥା ଯୁଗ୍ମ ଚିକିତ୍ସା ଅଧୀକ୍ଷକ ଡଃ ଜବାହର ଏସ୍ ପିଲ୍ଲାଇ; କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ତଥା ଡିନ୍ ରିସର୍ଚ୍ଚ ଡଃ ବିନୋଦ କୁମାର ପାତ୍ର; କୋଭିଡ ୱାର୍କିଂ ଗ୍ରୁପ୍ର ନୋଡାଲ୍ ଅଫିସର ତଥା ପଲମାନରି ମେଡିସିନ୍ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୌରିନ୍ ଭୂୟାଁ ୱେବିନାର୍ ସିରିଜର ତୃତୀୟ ଭାଗରେ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ |
ଏମ୍ସର ନିମନ୍ତ୍ରିତ ଚିକିତ୍ସକ ବୃନ୍ଦ ପୃଥକବାସ ସମ୍ବନ୍ଧିତ ବିଭିନ୍ନ ଉପଯୋଗୀ ତଥ୍ୟ ସହ ବ୍ୟକ୍ତିଗତ ଏବଂ ସାମାଜିକ ଦାୟିତ୍ୱବୋଧ ବିଷୟରେ ଆଲୋଚନା କରିଥିଲେ | ଏହା ସହ କୋଭିଡର ପୂର୍ବ ଓ ପର ସ୍ଥିତି ସମ୍ବନ୍ଧୀୟ ପରିଚାଳନା ପ୍ରସଙ୍ଗରେ ବିଶେଷଜ୍ଞ ତଥ୍ୟ ଓ ଟିପ୍ପଣୀ ଉପସ୍ଥାପନ କରିଥିଲେ | କୋଭିଡ ବିଷୟରେ ନାନା ଭୁଲ ତଥ୍ୟ ଏବଂ ଗୁଜବରୁ ସତର୍କ ହୋଇରହିବା ପ୍ରସଙ୍ଗରେ ଡକ୍ଟର ପାତ୍ର କହିଥିଲେ ଯେ ବର୍ତ୍ତମାନ ସମୟରେ ମହାମାରୀ ଇନଫୋଡେମିକ୍ ସ୍ତରରେ ପହଞ୍ଚିଛି ଯେଉଁଠାରେ ଅତ୍ୟଧିକ ସୂଚନା ଉପଲବ୍ଧ ଅଛି ଏବଂ ଅଧିକାଂଶ କ୍ଷେତ୍ରରେ ଏହି ସୂଚନାଗୁଡିକ ଅବିଶ୍ୱସନୀୟ ହୋଇଥାଏ । ମହାମାରୀ ସମ୍ବନ୍ଧୀୟ ସୂଚନା ପାଇଁ ଲୋକମାନେ ପ୍ରାମାଣିକ ଉତ୍ସ ଅନୁସରଣ କରିବା ଉଚିତ ଏବଂ ଯାଞ୍ଚ ହୋଇନଥିବା ଏବଂ ଅବିଶ୍ୱସନୀୟ ସୂଚନା ବିସ୍ତାର ନକରିବାକୁ ସେ ପରାମର୍ଶ ଦେଇଥିଲେ।
ଉଦ୍ଘାଟନୀ ଅଧିବେଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି ୱେବିନାର ଆୟୋଜନ କରିବାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗୀତାଞ୍ଜଳି ପଦ୍ମନାଭନଙ୍କୁ ଏହି ମହାମାରୀକୁ ଲଢ଼ିବା ପାଇଁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଆୟୋଜନ କରିବାରେ ସହାୟତା କରିଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। କୋଭିଡ ସହିତ ଲଢ଼ିବା ପାଇଁ ସର୍ବୋତ୍ତମ ପଦକ୍ଷେପ ଭାବରେ ଜନସାଧାରଣଙ୍କ କୋଭିଡ ଉପଯୁକ୍ତ ଆଚରଣ ଉପରେ ବିଶେଷ ଧ୍ୟାନ ଦେବାକୁ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗୀତାଞ୍ଜଳି ପଦ୍ମନାଭନ କହିଥିଲେ | ସେ ଏହି ଅବସରରେ ସୂଚନା ଦେଇଥିଲେ ଯେ ମହାମାରୀ ସହ ସଫଳତାର ସହ ମୁକାବିଲା କରିବା ପାଇଁ ଭୁବନେଶ୍ୱର ଏମ୍ସରେ ଥିବା ସମ୍ବଳକୁ ସେ ଯଥାସମ୍ଭବ ଭାବେ ଅନୁକୂଳ କରିବାକୁ ଚେଷ୍ଟା କରୁଛନ୍ତି।
ମହାମାରୀର ଦ୍ୱିତୀୟ ଲହର ପରେ ଏହାର ବିଭିନ୍ନ ହିତାଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଏବଂ କୋଭିଡର ବହୁମୁଖୀ ଆହ୍ବାନର ମୁକାବିଲା ପାଇଁ ଏହି ୱେବିନାର ଶୃଙ୍ଖଳାର ଆୟୋଜନ ହୋଇଥିଲା | ଏଥିରେ ପ୍ରାୟ ୮୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଂଶଗ୍ରହଣ କରିଥିଲେ। WB-OHEPEE, ଉତ୍କଳ ବିଶ୍ୱବିଦ୍ୟାଳୟର ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭାତୀ ମହାପାତ୍ର ସର୍ବଶେଷରେ ବିଶ୍ୱବିଦ୍ୟାଳୟ ତରଫରୁ ବିଶେଷଜ୍ଞମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୱେବିନାର ଶୃଙ୍ଖଳାର ସଂଯୋଜକ, ମନୋବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଭାସ୍ବତୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାକୁ ସଫଳ କରିଥିବାରୁ
ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
Post a Comment