loading...

ଓଡିଆରେ ଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରଦାନପାଇଁ ଦାବି

ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଆଠଟି ଭାରତୀୟ ଭାଷା – ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ, କନ୍ନଡ, ମାଲୟାଲାମ, ଗୁଜୁରାଟୀ ଓ ମରାଠୀରେ ସମସ୍ତ

ଓଡିଆରେ ଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରଦାନପାଇଁ ଦାବି

ଭୁବନେଶ୍ୱର, ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଆଠଟି ଭାରତୀୟ ଭାଷା – ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ, କନ୍ନଡ, ମାଲୟାଲାମ, ଗୁଜୁରାଟୀ ଓ ମରାଠୀରେ ସମସ୍ତ ପ୍ରକାରର ବୈଷୟିକ ଶିକ୍ଷା ପ୍ରଦାନପାଇଁ ଅନୁମତି ପ୍ରଦାନ କରିବା ସହିତ ଏହିସବୁ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିସାରିଛି । ପ୍ରଥମେ ଏହି ତାଲିକାରେ ଥିବା ଓଡ଼ିଆଭାଷାକୁ ପରେ ବାଦ ଦିଆଯାଇଛି । ଫଳରେ ଚଳିତବର୍ଷ ସର୍ବଭାରତୀୟ ଇଂଜିନିୟରିଂ ପରୀକ୍ଷା JEE Main ପ୍ରଶ୍ନପତ୍ର ଓଡ଼ିଆରେ ଆସିଥିଲେ ମଧ୍ୟ ଓଡିଆଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ଓଡିଆ ମାଧ୍ୟମରେ ଏହି ପାଠ୍ୟକ୍ରମ ପଢାଇବାପାଇଁ ଅନୁମତି ଦିଆଯାଇନାହିଁ । ଗତବର୍ଷ ଏହି ତାଲିକାରେ ଓଡିଆଭାଷାକୁ ସଂଯୁକ୍ତ କରିବାପାଇଁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଦାବି କରିଥିଲେ। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ତାହାକୁ ଗୁରୁତ୍ୱର ସହ ବିଚାର କରିନାହାଁନ୍ତି । 

ଫଳରେ ଉଚ୍ଚଶିକ୍ଷାର ଏକ ପ୍ରମୁଖ ଅଂଶ ବୈଷୟିକ ଶିକ୍ଷା ଓଡିଆ ମାଧ୍ୟମରେ ପଢିବା ଅସମ୍ଭବ ହୋଇଯାଉଥୁବାରୁ ପ୍ରତିବର୍ଷ ଓଡିଶାରୁ ଓଡିଆ ମାଧ୍ୟମରେ ପଢୁଥିବା ପ୍ରାୟ ୬ଲକ୍ଷ ପିଲାଙ୍କ ଉଚ୍ଚଶିକ୍ଷାର ସ୍ଵପ୍ନ ମିଳାଇ ଯାଉଛି । ପାଞ୍ଚକୋଟି ଓଡ଼ିଆଙ୍କ ସ୍ୱାର୍ଥ ଓ ସ୍ୱାଭିମାନକୁ ସମ୍ମାନ ଜଣାଇ ଓଡିଶା ସରକାର ନିଜ ରାଜ୍ୟ ଭାଷାର ବିନିମୟ ଶକ୍ତି ସମୃଦ୍ଧ କରିବା ସହ ମାତୃଭାଷାରେ ଉଚ୍ଚତର ଶିକ୍ଷାପାଇଁ ଆଗ୍ରହୀ ବିଦ୍ୟାର୍ଥୀଙ୍କ ମଙ୍ଗଳାର୍ଥ ବିହିତ ପଦକ୍ଷେପ ଗ୍ରହଣ କରିବାପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଅବସରପ୍ରାପ୍ତ ବିଦେଶସେବା ଅଧୁକାରୀ ଶ୍ରୀଯୁକ୍ତ ଅବସର ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସ୍ଥାର ୮୦ତମ ବୈଠକରେ ବିଜୁପଟ୍ଟନାୟକ ଯାନ୍ତ୍ରିକ । 

ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର ବାସା, ରେଭେନସା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ନଟବର ଶତପଥୀ, ସୋଆ ବିଶ୍ୱବିଦ୍ୟାଳୟର କମ୍ପୁଟର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଅଜିତ ନାୟକ, ଶିକ୍ଷା ବିଭାଗର ପ୍ରାକ୍ତନ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ, ପ୍ରାକ୍ତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, ବିଦ୍ୟୁତ ନିୟାମକ ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଧୀରେନ୍ଦ୍ର ରାୟ, ପ୍ରାକ୍ତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଗୋପବନ୍ଧୁ ମହାନ୍ତି ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରି ଓଡିଆରେ ବୈଷୟିକ ଶିକ୍ଷା ପ୍ରଦାନପାଇଁ ଅନୁମତି ଦେବା ଓ ଏଥିପାଇଁ ପୁସ୍ତକ ଅନୁବାଦ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାର ଦାବି ଉପସ୍ଥାପନପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ସର୍ବସମ୍ମତିକ୍ରମେ ମତ ପ୍ରଦାନ କରିଥିଲେ । 

ସର୍ବଭାରତୀୟ ମେଡିକାଲ । ପ୍ରବେଶିକା ପରୀକ୍ଷା(NEET) ପ୍ରଶ୍ନପତ୍ର, ସର୍ବଭାରତୀୟ ଇଂଜିନିୟରିଂ ପରୀକ୍ଷା JEE Main ପ୍ରଶ୍ନପତ୍ର ଓଡିଆ ଭାଷାରେ ଆସୁଛି । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା, ସର୍ବଭାରତୀୟ କର୍ମଚାରୀ ଚୟନ ପରୀକ୍ଷା, ଭାରତୀୟ ରେଳବାଇ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ଆସୁଛି । ଏହାଦ୍ଵାରା ଇଂଲିଶ ଭାଷାରେ ଦୁର୍ବଳ ଓଡିଆ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଦୁଃଖର ବିଷୟ ଓଡିଆ ଛାତ୍ରଛାତ୍ରୀ ଯେତିକି ସଂଖ୍ୟାରେ ଏହି ସୁଯୋଗ ନେବାର କଥା ତାହା ହୋଇପାରୁ ନାହିଁ । ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ +୨ ଓ +୩ ସ୍ତରର ବିଜ୍ଞାନ ଶିକ୍ଷା ଓଡ଼ିଆ ଭାଷାରେ ଦିଆଯାଉ ନ ଥିବାରୁ ଇଂରାଜୀ ଭାଷାରେ ଦୁର୍ବଳ ଥୁବା ଓଡିଶାର ସଂଖ୍ୟାଧୂକ ବିଦ୍ୟାର୍ଥୀ ଓଡ଼ିଆରେ ଏହି ସବୁ ବହି ନ ପାଇ ଇଂରାଜୀ ବହି ଉପରେ ନିର୍ଭର କରୁଥିବାରୁ ସେମାନେ ବିଫଳ ହେଉଛନ୍ତି । ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଓ ସର୍ବଭାରତୀୟ ବୈଷୟିକ ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଆରେ ପାଠ୍ୟ ପୁସ୍ତକ ପ୍ରସ୍ତୁତି, ପ୍ରକାଶନ ଓ ବିତରଣ କରାଯାଇ ପାରିଲେ ଗ୍ରାମାଞ୍ଚଳର ତଥା ରାଜ୍ୟର ବହୁ ଗରିବ ବିଦ୍ୟାର୍ଥୀ ଉପକୃତ ହୁଅନ୍ତେ । 

ଚଳିତବର୍ଷ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଆଠଟି ଭାରତୀୟ ଭାଷାରେ ସମସ୍ତ ପ୍ରକାରର ବୈଷୟିକ ଶିକ୍ଷା ପ୍ରଦାନପାଇଁ ଅନୁମତି ପ୍ରଦାନ କରିଥିବାରୁ ଓଡିଆଭାଷାକୁ ଏହି ତାଲିକାରେ ସଂଯୁକ୍ତ କରିବାପାଇଁ ଏବଂ AICTE SWAYAM ଦ୍ବାରା ବୈଷୟିକ ଶିକ୍ଷାପାଇଁ ଆବଶ୍ୟକୀୟ ପୁସ୍ତକ ଅନୁବାଦପାଇଁ ପଦକ୍ଷେପ ନେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା, ରାଜ୍ୟ ସରକାର ନିଜ ଉଦ୍ୟମରେ ଓଡିଆରେ ଏହିସବୁ ବହି ପ୍ରସ୍ତୁତପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେବା, ଭାରତୀୟ ବୈଷୟିକ ଶିକ୍ଷା ପରିଷଦ( AICTE) ଅଧ୍ୟକ୍ଷଙ୍କ ପତ୍ର ଅନୁସାରେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଂରାଜୀ ସହିତ ଓଡ଼ିଆରେ ସମସ୍ତ ପ୍ରକାରର ବୈଷୟିକ ଶିକ୍ଷା ପ୍ରଦାନପାଇଁ ନିର୍ଦ୍ଦେଶନାମା ପ୍ରଦାନ କରିବା, +୨ ଓ +୩ ସ୍ତରରେ ବିଜ୍ଞାନ ଶିକ୍ଷା ଓଡ଼ିଆ ଭାଷାରେ ଦିଆଯିବା ସହିତ +୨ ଓ +୩ ସ୍ତରର ବିଜ୍ଞାନ ପାଠ୍ୟପୁସ୍ତକ ଓଡିଆ ଭାଷାରେ ଚଳିତ ଶିକ୍ଷାବର୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରିବା ଆଦି ବିଷୟକୁ ଧାନ ଦେଇ ଶିକ୍ଷା ବିଷୟକ ଗୁରୁତ୍ବପୂର୍ଣ ଦିଗ କ୍ଷେତ୍ରରେ ପଦକ୍ଷେପ ନେବାପାଇଁ ଏହି ମର୍ମରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଓଡ଼ିଶାର ସମସ୍ତ ପାର୍ଲାମେଣ୍ଟ ସଦସ୍ୟଙ୍କ ନିକଟକୁ ପତ୍ର ପଠାଯାଇଛି ବୋଲି ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ଗଣମାଧ୍ୟମକୁ ଜଣାଇଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget